ସାଧାରଣ ଲୋକଙ୍କୁ ୨୦୧୮ ବଜେଟ୍ ଝଟକା; ଆୟକର ସ୍ଲାବ୍ ଅପରିବର୍ତିତ, ମୋବାଇଲ – ଟିଭି ମହଙ୍ଗା
ନୂଆଦିଲ୍ଲୀ ୦୧ ଫେବୃୟାରୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲି ଗୁରୁବାର ଦିନ ପାର୍ଲାମେଂଟର ବଜେଟ ଅଧିବେଶନରେ ଉପସ୍ଥାପନ କରିଥିବା ୨୦୧୮-୧୯ ସାଧାରଣ ବଜେଟ୍ ସାଧାରଣ ନାଗରିକଙ୍କ ପାଇଁ ବଡ ଝଟକା ହୋଇଛି । ଉପସ୍ଥାପିତ ବଜେଟରେ ଆୟକର ସ୍ଲାବ୍ ଅପରିବର୍ତିତ ରଖା ଯାଇଥିବା ବେଳେ ଟିଭି, ମୋବାଇଲ ଉପରେ କଷ୍ଟମ୍ ଡ୍ୟୁଟି ୧୫ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଫଳରେ, ମୋବାଇଲ ଓ ଟିଭି କିଣିବା ମହଙ୍ଗା ପଡିବ ।
୨୦୧୮ରେ ଦେଶରେ ଆଠଟି ରାଜ୍ୟରେ ନିର୍ବାଚନ ହେବା ସହ ଆଗୁଆ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ୨୦୧୮-୧୯ ବଜେଟକୁ ଅନ୍ତତଃ ଲୋକାଭିମୁଖୀ କରିବେ ଏବଂ ଆୟକର ପରିସରଭୁକ୍ତ ଥିବା ସାଧାରଣ ବର୍ଗର ଲୋକଙ୍କୁ ସୁହାଇଲା ଭଳି ଆୟକର ଛାଡ ସୀମା ବର୍ତମାନ ଥିବା ଅଢେଇ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବେ ବୋଲି ସାଧାରଣ ବର୍ଗ ଆଶା କରିଥିଲେ । ତେବେ, ଗୁରୁବାର ଉପସ୍ଥାପିତ ବଜେଟରେ ଆୟକର ଛାଡ ସୀମା ଅପରିବର୍ତିତ ରହିବା ଦ୍ୱାରା ଦେଶବାସୀ ନିରାଶ ହୋଇଛନ୍ତି ।
ତେବେ, ଉପସ୍ଥାପିତ ୨୦୧୮-୧୯ ବର୍ଷ ପାଇଁ ବଜେଟରେ ଦେଶର ଗ୍ରମାଂଚଳକୁ ଧ୍ୟାନ ଦିଆଯାଇ ଗ୍ରାମାଂଚଳରେ ୫ ଲକ୍ଷ ୱାଇ-ଫାଇ ସ୍ପଟ୍ ପ୍ରତିଷ୍ଠା, ଏକ ଲକ୍ଷ ଗ୍ରାମ ପଂଚାୟତକୁ ଅପ୍ଟିକ୍ ଫାଇବରରେ ସଂଯୋଗ, ୫୬ଟି ଇନ୍ ସର୍ଭିସ ଏୟାରପୋର୍ଟ ଓ ୩୧ଟି କାର୍ଯ୍ୟକ୍ଷମ ନ ଥିବା ହେଲିପ୍ୟାଡ୍ କୁ ‘ଉଡ଼ାନ’ ସ୍କିମ୍ ରେ ସଂଯୁକ୍ତ କରାଯିବା, ଗରୀବ ଓ ସାଧାରଣ ଲୋକଙ୍କ ପକେଟକୁ ସୁହାଇଲା ଭଳି ଚିିକିତ୍ସା ସୁବିଧା ଯୋଗାଇ ଦେବା ସକାଶେ ବର୍ତମାନ ଜିଲ୍ଲାସ୍ତର ହସପିଟାଲ ଭାବେ କାର୍ଯ୍ୟ କରୁଥିବା ହସପିଟାଲ ଗୁଡ଼ିକୁ ଅପ୍-ଗ୍ରେଡ୍ କରାଯାଇ ୨୪ଟି ନୂଆ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଠା କରାଯିବା, ୨୫,୦୦୦ରୁ ଅଧିକ ଯାତ୍ରୀଙ୍କ ସମାଗମ ହେଉଥିବା ରେଳ ଷ୍ଟେସନ୍ ମାନଙ୍କରେ ଏସ୍କାଲେଟର ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋ ସ୍କିମ୍ କାର୍ଯ୍ୟକାରୀ କରାଯାଇ ୧୦୦୦ ବି. ଟେକ୍ ଛାତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଦେଶରେ ଥିବା ଆଇଆଇଟିମାନଙ୍କରେ ଡ଼କ୍ଟରେଟ୍ କରିବାକୁ ସୁଯୋଗ ଦିଆଯିବା, ଦେଶରେ ଦୁଇଟି ନୂଆ ପ୍ଲାନିଂ ଏଣ୍ଡ୍ ଆର୍କିଟେକଚର ସ୍କୁଲ ପ୍ରତିଷ୍ଠା, ଦେଶରେ ଆଉ ୧୮ଟି ଆଇଆଇଟି, ଏନଆଇଆଇଟି ପ୍ରତିଷ୍ଠା କରାଯିବା ପ୍ରଭୃତି ବଜେଟ ପ୍ରସ୍ତାବରେ ସ୍ଥାନ ପାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS