କୁନ୍ଦୁଲି ଭୂତ ଘାଇଲା କଲାଣି ସରକାରଙ୍କୁ, ଏସଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ


ଭୁବନେଶ୍ୱର, ୦୭ ଫେବୃୟାରୀ: କୁନ୍ଦୁଲି ଭୂତ ଘାଇଲା କରିଛି ସରକାରଙ୍କୁ । ପୁଲିସ ତଦନ୍ତ, କ୍ରାଇମ ବ୍ରାଂଚ ତଦନ୍ତ ଓ ବିଚାର ବିଭାଗୀୟ ତଦନ୍ତ ପରେ ଏବେ ଏସ୍ ଆଇଟି ତଦନ୍ତ ଘୋଷଣା କଲେଣି ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବିଚାର ବିଭାଗର ନିରୀକ୍ଷଣରେ କୁନ୍ଦୁଲି ମାମଲାର ଏସ୍ ଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍) ତଦନ୍ତ ହେବ ବୋଲି ସୂଚନା ଦେଇ ସରକାରଙ୍କ ବିବ୍ରତ ଅବସ୍ଥାର ପରିପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ସତ୍ତ୍ୱେ ବିରୋଧୀ ସନ୍ତୁଷ୍ଟ ନୁହନ୍ତି । ମାମଲାର ସିବିଆଇ ତଦନ୍ତ କରାଇବାକୁ ବିଜେପି ଓ ଏହାର ପ୍ରମୁଖ ନେତା କେନ୍ଦ୍ର ପେଟ୍ରୋଲିଅମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇ ଚାଲିଛନ୍ତି । କେନ୍ଦ୍ରୀୟ ଟିମ୍ ଓ ଏନ୍ ଏଚଆରସି ଦ୍ୱାରା କେନ୍ଦ୍ର ସରକାର ମାମଲାର ତଦନ୍ତ କରାଉ ଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ସିବିଆଇ ଦ୍ୱାରା ଏହାର ତଦନ୍ତ କରାଯିବାକୁ ବାରମ୍ବାର ଦାବି କରିବା ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇଛି । ତେଣୁ, ମୁଖ୍ୟମନ୍ତ୍ରୀ ମାମଲାର ଏସ୍ ଆଇଟି ତଦନ୍ତ କରାଇବାକୁ ବୁଧବାର ଘୋଷଣା କରିବା ସହ ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଅନୁମାନ କରାଯାଉଛି ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମୁଷାଗୁଡା ଗ୍ରାମର ଜଣେ ନାବାଳିକା ନବମ ଶ୍ରେଣୀର ଦଳିତ ଛାତ୍ରୀଙ୍କୁ ଗତ ଅକ୍ଟୋବର ମାସ ୧୦ ତାରିଖ ମଧ୍ୟାହ୍ନରେ ଯବାନଙ୍କ ଭଳି ପୋଷାକ ପିନ୍ଧି ଥିବା ଚାରି ଜଣ ଦୁର୍ବୃତ୍ତ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ନାବାଳିକା ପାସପୋର୍ଟ ଫଟୋ ଉଠାଇବା ସକାଶେ କୁନ୍ଦୁଲି ହାଟକୁ ଆସି ଗାଁକୁ ଫେରୁ ଥିବା ବେଳେ ଏହି ଗର ଦୁଷ୍କର୍ମ ଘଟଣା ଘଟି ଥିଲା । ପୁଲସ ଶହେ ଦିନରୁ ଅଧିକ କାଳ ନାବାଳିକାଙ୍କୁ ନିଜ ହେପାଜତରେ ରଖି ବିଭିନ୍ନ ସମୟରେ ଚିକିତ୍ସା କରାଇ ଥିଲେ ମଧ୍ୟ ଗଣ ଦୁଷ୍କର୍ମ ଅଭିଯୋଗକୁ ‘ମିଥ୍ୟା’ କହି ସମସ୍ତ ଘଟଣାକୁ ଚାପି ଦେବାର ପ୍ରୟାସ କରିଥିଲେ । ନାବାଳିକା ଜଣକ ହସପିଟାଲରେ ଚିକିତ୍ସାଧିନ ଥିବା ସମୟରେ ବାରମ୍ବାର ତାଙ୍କୁ ମାମଲା ପ୍ରତ୍ୟାହାର କରି ନେବାକୁ ବାଧ୍ୟ କରାଯାଇଥିବା, ମାନସିକ ନିର୍ଯ୍ୟାତନା ଦିଆଯାଇ ଥିବା ଏବଂ ମାମଲା ପ୍ରତ୍ୟାହାର ପାଇଁ ୯୦ ହଜାର ଟଙ୍କା ଲାଂଚ ଯଚା ଯାଇଥିବା ପ୍ରଭୃତି ଅଭିଯୋଗ କରି ରାଜ୍ୟ ପୁଲିସକୁ କାଠଗଡାରେ ଠିଆ କରିଥିଲେ । ପୁଲିସ ଓ ନାବାଳିକାଙ୍କ ପରିବାର ମଧ୍ୟରେ ନ୍ୟାୟ ଦାବିରେ ଛାୟାଯୁଦ୍ଧ ଚାଲି ଥିବା ବେଳେ ପୁଲିସ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି ନାବାଳିକା ଜଣକ ଗତ ଜାନୁୟାରୀ ୨୨ ତାରିଖ ସରସ୍ୱତୀ ପୂଜା ଦିନ ମୂଷାଗୁଡା ଘରେ ବେକରେ ଓଢଣୀ ଗୁଡାଇ ଆତ୍ମହତ୍ୟା କରିବା ଘଟଣା ସରକାରଙ୍କ ଅଡୁଆ ବଢାଇ ଦେଇଛି । ନାବାଳିକା ଜଣକ ଜୀବିତ ଥିବା ସମୟରେ କୁନ୍ଦୁଲି ମାମଲାରେ ବିଶେଷ ରୁଚି ଦେଖାଉ ନ ଥିବା କେନ୍ଦ୍ର ସରକାର ଓ ରାଜ୍ୟ ବିଜେପି ଶାଖା ୨୨ ତାରିଖ ନାବାଳିକାର ଆତ୍ମହତ୍ୟା ପରେ ହଠାତ ମାତ୍ରାଧିକ ସକ୍ରିୟତା ଦେଖାଇବା ପଛରେ ରାଜନୈତିକ ଉଦେ୍ଦଶ୍ୟ ଥିବା ସ୍ପଷ୍ଟ । ତେବେ, ପୁଲିସ ଓ ରାଜ୍ୟ ସରକାର ଯେଭଳି ଭାବେ ଏହି ମାମଲାକୁ ସନେ୍ଦହଜନକ ଭାବେ ଅବତାରଣା କରି ଆସିଛନ୍ତି, ସରକାରଙ୍କ ବିରୋଧରେ ବିଜେପିର ଅଭିଯୋଗକୁ କେହି ରାଜନୀତି କହିବାର ଅବକାଶ ରହୁନି । ମାମଲାକୁ ପ୍ରଥମେ ହାତକୁ ନେଇ ଥିବା କଂଗ୍ରେସ ବିଜେପିର ମାତ୍ରାଧିକ ସକ୍ରିୟତା ନିକଟରେ ମଳିନ ପଡି ଯାଇ ଏବେ ବିଜେପି ସହ ହାତ ମିଳାଇ ସରକାରଙ୍କ ଉପରେ ଚାପ ବଢାଉ ଥିବା ଭଳି ମନେ ହେଉଛି ।
ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିକଟରେ ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାନେ ଦେବା ପାଇଁ ତାଙ୍କ ମାଲିକାନାରେ ଥିବା ବୈଦ୍ୟୁତିକ ଗଣମାଧ୍ୟମକୁ କୁନ୍ଦୁଲି ମାମଲାରେ ପୂର୍ଣ୍ଣ ବିନିଯୋଗ କରିଛନ୍ତି । ପ୍ରଥମେ ନାବାଳିକାର ଫୋରେନ୍ସିକ ରିପୋର୍ଟରେ ଜାଲିଆତି କରା ଯାଇଥିବା ଏହି ଗଣମାଧ୍ୟମ ଆଲୋକକୁ ଆଣିଥିଲା । ଗଣ ଦୁଷ୍କର୍ମ ଘଟଣା ଘଟିବାର ସପ୍ତାହକ ପରର ଫୋରେନ୍ସିକ ରିପୋର୍ଟରେ ନାବାଳିକା ଘଟଣା ଘଟିବା ସମୟରେ ପିନ୍ଧି ଥିବା ପ୍ୟାଂଟିରେ ଦୁଇ ଜଣ ବ୍ୟକ୍ତିଙ୍କ ଦୁଇଟି ବ୍ଲଡ ଗୃପ୍ ର ରକ୍ତ ମିଶା ବୀର୍ଯ୍ୟ ଦାଗ ରହିଥିବା କଥା କୁହା ଯାଇଥିବା ବେଳେ ସେହି ମାସ ୨୩ ତାରିଖ ରିପୋର୍ଟରେ ଏହାର ଉପସ୍ଥିତିକୁ ସଂପୂର୍ଣ୍ଣ ଅସ୍ୱୀକାର କରାଯାଇ ସନେ୍ଦହର ବାତାବରଣ ସୃଷ୍ଟି କରାଯାଇଛି । ବିଭିନ୍ନ ଆଡୁ ଚାପର ସମ୍ମୁଖୀନ ହୋଇ ପୁଲିସ ଡ଼ିଜି ଏହାର କ୍ରାଇମ ବ୍ରାଂଚ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ବାହାରେ ପୁନର୍ବାର ଫୋରେନ୍ସିକ ପରୀକ୍ଷା କରାଯିବ ବୋଲି ମଧ୍ୟ ସରକାରଙ୍କ ଆଡୁ ଘୋଷଣା ହୋଇଛି । ପୂର୍ବରୁ ରାଜ୍ୟ ପୁଲିସ ଡ଼ିଜି ନାବାଳିକାକୁ ଗଣ ଦୁଷ୍କର୍ମ ହୋଇ ନାହିଁ ବୋଲି କହିବା ଦିନ ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ଏବଂ ପରେ ବିଚାର ବିଭାଗୀୟ ତଦନ୍ତ ପାଇଁ ନିଦେ୍ର୍ଦଶ ଦେବା ରାଜ୍ୟ ପୁଲିସ ପ୍ରଶାସନକୁ କାଠଗଡାରେ ଠିଆ କରାଇ ସାରି ଥିଲା । ନ୍ୟାୟିକ ତଦନ୍ତ ଚାଲି ଥିବା ସମୟରେ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପରେ ନାବାଳିକାର ଘରୁ ଜବତ ହୋଇଥିବା ‘ସ୍ୱିସାଇଡ୍ ନୋଟ୍’କୁ ନେଇ ଏବେ ନୂଆ ବିବାଦର ସୂତ୍ରପାତ ହୋଇଛି । ଘରୁ କୌଣସି ‘ସ୍ୱିସାଇଡ୍ ନୋଟ୍’ ମିଳି ନାହିଁ ବୋଲି କହି ଥିବା ପୁଲିସ ଏବେ କହୁଛନ୍ତି ଚିଠିଟି ହସ୍ତାକ୍ଷର ପରୀକ୍ଷା ପାଇଁ ପଠା ଯାଇଛି । ମୂଳରୁ ମାମଲାକୁ ଚାପି ଦେବାର ଉଦ୍ୟମ କରି ଆସିଥିବା ରାଜ୍ୟ ପୁଲିସ ପ୍ରଶାସନ ଗୋଟିକ ପରେ ଗୋଟିଏ ଭୁଲ କରି ପ୍ରମାଣ ଛାଡିବା ରାଜ୍ୟ ସରକାରଙ୍କୁ ସନେ୍ଦହର ବଳୟକୁ ଟାଣିଛି । ବିରୋଧୀ ବିଜେପି ଓ କଂଗ୍ରେସ ଚଳିତ ମାସ ୨୪ ତାରିଖରେ ହେବାକୁ ଥିବା ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନରେ ସରକାରଙ୍କୁ ଘେରିବା ପାଇଁ ଏହାକୁ ଏକ ପ୍ରମୁଖ ଆୟୁଧ କରି ଥିବାରୁ ମୁଖ୍ୟମନ୍ତ୍ରୀ ଘାବରେଇ ବୁଧବାର (ଫେବୃୟାରୀ ୭ ତାରିଖ) ସଂପୂର୍ଣ୍ଣ କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାର ଏସ୍ ଆଇଟି ତଦନ୍ତ ନିଦେ୍ର୍ଦଶ ଦେଇଥିବା ଅନୁମାନ କରାଯାଉଛି । ଏସଆଇଟି ତଦନ୍ତର ଫଳାଫଳ କଣ ହେବ ଭିନ୍ନ କଥା । ତେବେ, ଉପ ନିର୍ବାଚନ ସରିବା ପର୍ଯ୍ୟନ୍ତ ବିରୋଧୀଙ୍କ ମୁହଁ ବନ୍ଦ ରଖିବାରେ ସରକାର ସକ୍ଷମ ହେବେ ବୋଲି ଆଶା ରଖି ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS