ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ‘ଆଦିବାସୀ ମେଳା’ ସରିଲା
ଭୁବନେଶ୍ୱର, ୧୦ ଫେବୃୟାରୀ: ସ୍ଥାନୀୟ ୟୁନିଟ-୩ ସ୍ଥିତ ‘ଇଡ଼କୋ’ ପ୍ରଦର୍ଶନୀ ପଡିଆରେ ଚାଲି ଥିବା ‘ଆଦିବାସୀ ମେଳା’ ଶୁକ୍ରବାର ଶେଷ ହୋଇଛି । ପ୍ରତି ବର୍ଷ ଭଳି ଜାନୁୟାରୀ ୨୬ ତାରିଖରେ ଏହି ମେଳା ଆରମ୍ଭ ହୋଇ ୧୫ ଦିନ ଧରି ଚାଲି ଥିଲା। ପୂର୍ବ ବର୍ଷ ମାନଙ୍କରେ ୟୁନିଟ-୧ ଆଦିବାସୀ ପଡ଼ିଆରେ ଏହି ମେଳା ହେଉଥିଲା । ତେବେ, ଟ୍ରାଫିକ ସମସ୍ୟା ଜଟିଳ ହେବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୟୁନିଟ-୩ ‘ଇଡ଼କୋ’ ପ୍ରଦର୍ଶନୀ ପଡିଆକୁ ଏହି ମେଳା ସ୍ଥାନାନ୍ତରିତ ହୋଇଥିଲା । ମେଳାରେ ରାଜ୍ୟର ବିଭିନ୍ନ ଅଂଚଳରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟଙ୍କ କଳା, ସଂସ୍କୃତି, ଚଳଣୀ ଏବଂ ଖାଦ୍ୟ ସାମଗ୍ରୀ ସହ ସେମାନଙ୍କ ଦ୍ୱାରା ଉତ୍ପାଦିତ ଏବଂ ଜଙ୍ଗଲରୁ ସଂଗୃହୀତ ବିଭିନ୍ନ ବିଭିନ୍ନ ସାମଗ୍ରୀ – ଚାଉଳ, ହଳଦି, ସୁଆଁ, ବାଜରା, ଲଙ୍କା ଓ ଲଙ୍କା ଗୁଣ୍ଡ, ପାଳୁଅ, କାନ୍ଦୁଲ, ହରଡ, ବିରି, ଫୁଲଝାଡୁ, ମହୁ, ମହୁଲ, ଝୁଣା, ଅଁଳା, ବାହାଡା, ହରିଡା, ତେନ୍ତୁଳି ପ୍ରଭୃତି ରାଜଧାନୀବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ଥିଲା । ଗୋଟିଏ ପଟେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କୁଡ଼ିଆ ଘର, ଶିକାରରେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, କୁଡ଼ିଆ ପରିସରରେ କରୁଥିବା ଚାଷବାସ, ସେମାନଙ୍କ ଗୋଷ୍ଠୀଗତ ନୃତ୍ୟ, ସଂଗୀତ ଦର୍ଶକଙ୍କ ମନ ମୋହି ଥିବା ବେଳେ ଅନ୍ୟପଟେ ବିଭିନ୍ନ ଆଦିବାସୀ ସ୍ୱୟଂ ସହାୟକ ସଂସ୍ଥା ଓ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା୍ସ ଦ୍ୱାରା ଖୋଲା ଯାଇଥିବା ଆଦିବାସୀ ବଜାର ମେଳାର ଆକର୍ଷଣକୁ ବହୁଗୁଣିତ କରି ଥିଲା । ଏହି ମେଳାରେ ପ୍ରାୟ ୭ କୋଟି ଟଙ୍କାର ବ୍ୟବସାୟ ହେଇଥିବା ଆଶା କରାଯାଉଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ଅଧିକ ଜନସମାଗମ ହୋଇଥିଲା ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ରାଜଧାନୀରେ ବର୍ଷକୁ ଥରେ ଏହି ମେଳା ଆୟୋଜନ ହେଉଥିବାରୁ ସବୁ ବର୍ଗର ଜନସାଧାରଣ ଦୃଷ୍ଟି ଏହି ମେଳା ଉପରେ ଥିଲା । ମେଳାର ଆରମ୍ଭ ଦିନରୁ ଆଦିବାସୀଙ୍କ ଦ୍ୱାରା ପ୍ରାକୃତିକ ଉପାୟରେ ଉତ୍ପାଦିତ ଓ ଜଙ୍ଗଲରୁ ସଂଗୃହୀତ ସାମଗ୍ରୀର ବିକ୍ରିବଟା ଜମି ଥିଲା । ବିଭିନ୍ନ ସାମଗ୍ରୀ କ୍ରୟ କରିବାର ଲୋଭ ସମ୍ବରଣ କରି ନ ପାରି ଶେଷ ଦିନ ମଧ୍ୟ ରାଜଧାନୀ ବାସିନ୍ଦା ମେଳାରେ ବେଶ୍ ଭିଡ଼ ଜମାଇ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS