ଓଡ଼ିଆ ସାହିତ୍ୟର ‘ରଥୀ’ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ପରଲୋକ
ଭୁବନେଶ୍ୱର,୧୦ ଫେବୃୟାରୀ: ଓଡ଼ିଆ ସାହିତ୍ୟର ‘ରଥୀ’ ପ୍ରଫେସର ଚନ୍ଦ୍ରଶେଖର ରଥଙ୍କ ୮୯ ବର୍ଷ ବୟସରେ ଶୁକ୍ରବାର ଏଠାରେ ପରଲୋକ ଘଟିଛି । ନିକଟରେ ସେ ଭାରତ ସରକାରଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ ହେବାକୁ ମନୋନୀତ ହୋଇଥିଲେ ମଧ୍ୟ ଏହି ସମ୍ମାନ ଗ୍ରହଣ କରିବା ପୂର୍ବରୁ ଇହଧାମ ଛାଡିଛନ୍ତି । ବୟସାଧିକ୍ୟ କାରଣରୁ ସେ ପୀଡ଼ିତ ଥିଲେ ଏବଂ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଓଡ଼ିଆ ଭାଷା, ସାହିତ୍ୟ ପାଇଁ ପ୍ରଫେସର ରଥଙ୍କ ଅବଦାନ ଥିଲା ଅତୁଳନୀୟ । ସେ ବହୁ ଉପନ୍ୟାସ, କ୍ଷୁଦ୍ରଗଲ୍ପ, ପ୍ରବନ୍ଧ ଓ କବିତାର ସ୍ରଷ୍ଟା ଥିଲେ । ଜଣେ ଅନୁବାଦକ ଓ ସୁବକ୍ତା ଭାବେ ମଧ୍ୟ ତାଙ୍କ ପରିଚିତି ରହି ଥିଲା । ନିଜ ରଚନା ପାଇଁ ସେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରୀ ଥିଲେ ।
ପ୍ରଫେସର ରଥ ୧୯୨୯ ଅକ୍ଟୋବର ୧୭ ତାରିଖରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ ଏବଂ ଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ସାରିବା ପରେ ୧୯୫୨ ମସିହାରେ ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୮୭ରେ ସେ ଅବସର ଗ୍ରହଣ କରିଥିଲେ । ତାଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ଯନ୍ତ୍ରରୁଦ୍ଧ’ (୧୯୬୭), ‘ଅସୂର୍ଯ୍ୟ ଉପନିବେଶ’ (୧୯୭୪) ଓ ‘ନବଜାତକ’ (୧୯୮୧) ଓଡ଼ିଆ ସାହିତ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ସେ ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାରଳା ପୁରସ୍କାର ଭଳି ବହୁ ସମ୍ମାନସୂଚକ ପୁରସ୍କାର ପାଇଛନ୍ତି । ଚଳିତ ବର୍ଷ ଭାରତ ସରକାର ତାଙ୍କ ‘ପଦ୍ମଶ୍ରୀ’ ଉପାଧୀରେ ଭୂଷିତ କରିବା ସକାଶେ ମନୋନୀତ କରିଥିଲେ । ପ୍ରଫେସର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତା କ୍ଷେତ୍ରର ବହୁ ଦୁଗ୍ଗଜ ଗଭରୀ ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS