ପାକିସ୍ତାନୀ ‘ହନି ଟ୍ରାପ୍’ରେ ଭାରତୀୟ ବାୟୁ ସେନା କ୍ୟାପଟେନ୍ !


ନୂଆଦିଲ୍ଲୀ,୧୦ ଫେବୃୟାରୀ: ‘ଫେସ୍ ବୁକ’ ଓ ‘ହ୍ୱାଟ୍ସଆପ୍’ ଭଳି ସାମାଜିକ ଗଣ ମାଧ୍ୟମରେ ବିଶେଷ ରୁଚି ରଖୁ ଥିବା ଭାରତୀୟ ସେନାର ଅଧିକାରମାନଙ୍କୁ ନିଜ ଜାଲରେ ପକାଇ ସେନା ସଂପର୍କୀତ ଗୋପନୀୟ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ପାକିସ୍ତାନ ରିତିମତ ଉଦ୍ୟମ ଚଲାଇ ଥିବା ସୂଚନା ମିଳିଛି । ଏହି କାର୍ଯ୍ୟରେ ସୁନ୍ଦରୀ ଯୁବତୀଙ୍କୁ ନିୟୋଜିତ କରାଯାଉଛି । ତିନି ସେନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀଙ୍କୁ ଜାଲରେ ପକାଇ ଥରେ ସେମାନଙ୍କ ଜାଲରେ ଫସିଲେ ‘ବ୍ଲକ୍ ମେଲ୍’ କରାଯାଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଦାୟ କରା ଯାଉଥିବା ଗୁଇନ୍ଦା ବିଭାଗ ଜାଣିବା ପରେ ଏଭଳି ‘ସଫ୍ଟ ଟାର୍ଗେଟ୍’ ଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖି ଥିବା ଜଣାପଡିଛି ।
ଦିଲ୍ଲୀ ପୁଲିସ ଏଭଳି ଏକ ‘ହନି ଟ୍ରାପ୍’ର ଶିକାର ହୋଇ ଥିବା ଭାରତୀୟ ବାୟୁ ସେନାର ଜଣେ ଅଧିକାରୀଙ୍କୁ ଗିରଫ କରିଛନ୍ତି । ଗୃପ୍ କ୍ୟାପଟେନ୍ ପାହ୍ୟାର ଏହି ଅଧିକାରୀ ହେଉଛନ୍ତି ଅରୁଣ ମାରୱା (୫୧) । ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ (ଇଂଟର ସର୍ଭିସ ଇଂଟେଲିଜେନ୍ସ) ପାଇଁ ଗୁଇନ୍ଦାଗିରି କରି ଭାରତୀୟ ବାୟୁ ସେନା ସଂପର୍କୀତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇ ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସର ନର୍ଥ ରେଂଜ୍ ସ୍ପେଶାଲ ସେଲ୍ ପକ୍ଷରୁ ମାରୱାଙ୍କ ବିରୋଧରେ ସରକାରୀ ଗୋପନୀୟତା ରକ୍ଷା ଆଇନ (ଅଫିସିଆଲ ସିକ୍ରେଟ୍ ଆକ୍ଟ) ବଳରେ ଏକ ମାମଲା ରୁଜୁ କରାଯାଇ ୧୦ ଦିନ କାଳ ଜେରା କରାଯିବା ପରେ ବୁଧବାର ଦିନ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ସୂଚନା ଦେଇଛନ୍ତି । ପୁଲିସ ଗିରଫ କରିବା ପୂର୍ବରୁ ଭାରତୀୟ ବିମାନ ବାହିନୀର କାଉଂଟର ଇଂଟେଲିଜେନ୍ସ ୱିଙ୍ଗ୍ ମାରୱାଙ୍କୁ ଜେରା କରି ଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ବାୟୁ ସେନାର ଗୃପ୍ କ୍ୟାପଟେନ୍ ମାରୱାଙ୍କ କାର୍ଯ୍ୟକଳାପ ସନେ୍ଦହଜନକ ଲାଗିବାରୁ ଗତ ଜାନୁୟାରୀ ୩୧ ତାରିଖ ଦିନ ବାୟୁ ସେନା ପକ୍ଷରୁ ତାଙ୍କୁ ଜେରା କରିବା ସକାଶେ ଅଟକ ରଖା ଯାଇ ଥିଲା । ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରିବାକୁ ବାୟୁ ସେନା ପକ୍ଷରୁ ଅନୁରୋଧ କରାଯିବା ସହ ଗୁରୁବାର ଦିନ ତାଙ୍କୁ ଦିଲ୍ଲୀର ଏକ ଅଦାଲତରେ ହାଜର କରାଯାଇ ଥିଲା । ଅଦାଲତ ମାରୱାଙ୍କୁ ପାଂଚ ଦିନ ପାଇଁ ପୁଲିସ ହାଜତକୁ ପଠାଇଛନ୍ତି । ନିଜକୁ ମଡେଲ୍ ଭାବେ ପରିଚିତ କରାଇ ଦୁଇ ଜଣ ପାକିସ୍ତାନୀ ମହିଳା ଏଜେଂଟ୍ କିଛି ମାସ ତଳେ ମାରୱାଙ୍କ ସହ ଘନିଷ୍ଟତା ବଢାଇ ଥିଲେ ଏବଂ ‘ଫେସ୍ ବୁକ୍’ ରେ ରିତିମତ ଚାଟ୍ କରୁଥଲେ । ସେମାନେ ମାରୱାଙ୍କୁ ପ୍ରଲୋଭିତ କଲା ଭଳି ମେସେଜ୍ ମାନ ପଠାଇ ‘ଟ୍ରାପ୍’ରେ ପକାଇବା ପରେ ବାୟୁ ସେନା କ୍ୟାପଟେନ୍ ମାରୱା ସେମାନଙ୍କୁ ବାୟୁ ସେନା ସଂପର୍କୀତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଡ଼କ୍ୟୁମେଂଟ୍ ହସ୍ତାନ୍ତର କରିଥିଲେ ବୋଲି ତଦନ୍ତ ସହ ସଂପୃକ୍ତ ପୁଲିସ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି । କିରଣ ରନ୍ଧୱା ଓ ମହିମା ପଟେଲ ନା’ରେ ଯୁବତୀ ଦ୍ୱୟ ‘ଫେସ୍ ବୁକ୍’ରେ ଜାଲ୍ ଆକାଉଂଟ ଖୋଲି ବାୟୁ ସେନା କ୍ୟାପଟେନ୍ ମାରୱାଙ୍କୁ ଜାଲରେ ଫସାଇ ଥିବା ଜଣାପଡିଛି । ମାରୱା ନିଜ ସ୍ମାର୍ଟଫୋନ୍ ରେ ଭାରତୀୟ ବାୟୁ ସେନା ମୁଖ୍ୟାଳୟର ବିଭିନ୍ନ ଗୋପନୀୟ ତଥ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଡ଼କ୍ୟୁମେଂଟର ଫଟୋ ଉଠାଇ ‘ହ୍ୱାଟ୍ସଆପ୍’ ମାଧ୍ୟମରେ ସେମାନଙ୍କ ନିକଟକୁ ପଠାଇ ଥିବା ପୁଲିସ କହିଛନ୍ତି । ପୂର୍ବରୁ ମଧ୍ୟ ଅନ୍ୟ କିଛି ସେନା ଅଧିକାରୀଙ୍କୁ ଫସାଇବା ସକାଶେ ପାକିସ୍ତାନ ଏଭଳି ଷଡଯନ୍ତ୍ର କରିଥିଲା । ତେବେ, ଆଗୁଆ ଜଣା ପଡିବାରୁ ଷଡଯନ୍ତ୍ର ସଫଳ ହୋଇ ନ ଥିଲା ବୋଲି ଏହି ସୂତ୍ରରୁ ପ୍ରକାଶ ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS