ବିଜେପିରେ ମହାଶ୍ୱେତା: ମୋଦୀଙ୍କୁ ପ୍ରଶଂସା, ନବୀନଙ୍କୁ କଟୁ ସମାଲୋଚନା
ଭୁବନେଶ୍ୱର, ୧୨ ଫେବୃୟାରୀ: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ମହାଶ୍ୱେତା ରାୟ ସୋମବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ରାଜ୍ୟସ୍ତର ବିଜେପି ନେତାମାନଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେବା ସହ କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କ ଠାରୁ ଗେରୁଆ ଅଂଗବସ୍ତ୍ର ଓ ଟୋପି ଗ୍ରହଣ କରିଥିଲେ ।
ବିଜେପିରେ ଯୋଗ ଦେଉ ଦେଉ ମହାଶ୍ୱେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଇ ଥିବା ବେଳେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କିଛି ଆଦର୍ଶ ଥିବା ଭଳି ସେ ମନେ କରୁ ନାହାନ୍ତି ବୋଲି ମହାଶ୍ୱେତା କହିଛନ୍ତି । ନବୀନଙ୍କୁ କଟାକ୍ଷ କରି ସେ କହିଲେ, ବିଜେଡ଼ି ପକ୍ଷରୁ ‘ମା’କୁ ସମ୍ମାନ’ କଥା କୁହାଯାଉଥିବା ବେଳେ ଗଲା ୧୭ ବର୍ଷର ସେ ନବୀନ ଶାସନରେ ନାରୀଙ୍କୁ ସମ୍ମାନ ମିଳୁ ଥିବା ଦେଖିି ନାହାନ୍ତି । ବିଜେପି ରାଜ୍ୟ ଶାଖା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦାଙ୍କ ଅନୁସରଣ କରୁ ଥିବାରୁ ଓଡ଼ିଶାରେ ପରିବର୍ତନର ଧାରା ଦେଖିବାକୁ ମିଳିଲାଣି ବୋଲି ଉଲ୍ଲେଖ କରି ମହାଶ୍ୱେତା କହିଛନ୍ତି, ୪୨ ବର୍ଷ ଧରି ସେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଯେଭଳି ଏକାଗ୍ରତାର ସହ କାମ କରିଥିଲେ ରାଜନୀତିରେ ମଧ୍ୟ ସେଭଳି ଏକାଗ୍ରତା ପ୍ରଦର୍ଶନ କରିବାକୁ ବଦ୍ଧ ପରିକର । ମହାଶ୍ୱେତା ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଥିବା ବେଳେ ସେଠାରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମହାଶ୍ୱେତାଙ୍କୁ ପ୍ରଶଂସା କରି ଓଡ଼ିଶାର ବିକାଶ ପାଇଁ କାମ କରିବା ସକାଶେ ମହାଶ୍ୱେତା ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହାଶ୍ୱେତାଙ୍କ ସମାଲୋଚନା ବିଜେଡ଼ିରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ମହାଶ୍ୱେତା ଅତୀତରେ ବିଜେଡ଼ି ପାଇଁ ନିର୍ବାଚନ ପ୍ରଚାର କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପର୍କରେ କିଛି ଜାଣି ନ ଥିଲେ କି ବୋଲି ବିଜେଡ଼ିର ଜଣେ ମୁଖପାତ୍ର ଏଠାରେ ପ୍ରଶ୍ନ କରିଛନ୍ତି । ମହାଶ୍ୱେତାଙ୍କ ବିଜେପିରେ ଯୋଗଦାନ ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଥିଲେ । ଆସନ୍ତା ୨୪ ତାରିଖରେ ହେବାକୁ ଥିବା ବିଜେପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ମହାଶ୍ୱେତାଙ୍କୁ ବିଜେପିରେ ନିଆ ଯାଇ ଦଳର ଷ୍ଟାର୍ ପ୍ରଚାରକ ତାଲିକାରେ ଆଉ ଗୋଟିଏ ନା’ ଯୋଡା ଯାଇଛି । ତେବେ, ଏହାର କିଛି ପ୍ରଭାବ ରହିବ ନାହିଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମଧ୍ୟ ସନ୍ଧ୍ୟାରେ ମତବ୍ୟକ୍ତ କରିଛନ୍ତି । ଶନିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରୋଇ ସଚିବ ବରିଷ୍ଠ ଆଇଏଏସ ଅଫିସର କାର୍ତିକେୟନ୍ ପାଂଡିଆନଙ୍କ ସରକାରୀ ବାସଭବନରେ ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ଧସେଇ ପଶି ଗୋବର ମାଡ ଓ ଭଙ୍ଗାରୁଜା କରିଥିଲେ । ସେ ନେଇ ରାଜ୍ୟବ୍ୟାପୀ ଦଳ ନିନ୍ଦିତ ହୋଇଛି । ଜନସାଧାରଣଙ୍କ ନଜର ହଟାଇବା ସକାଶେ ବିଜେପି ମହାଶ୍ୱେତାଙ୍କୁ ନେଇ ସୋମବାର ଏହି କାର୍ଯ୍ୟକ୍ରମର ଆୟୋଜନ କଲା ବୋଲି ମଧ୍ୟ ବିରୋଧୀ ଶିବିରରେ ଆଲୋଚନା ହେଉଛି । ଓଡ଼ିଆ ଚଳଚ୍ଚିତ୍ରର କିମ୍ବଦନ୍ତୀ ଅଭିନେତ୍ରୀ ପାର୍ବତୀ ଘୋଷଙ୍କ ସୋମବାର କଟକରେ ଦେହାନ୍ତ ହୋଇଥିବା ବେଳେ ଏବଂ ଏହାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ଶୋକାକୂଳ ଥିବା ସମୟରେ ଭୁବଶ୍ୱେରରେ ମହାଶ୍ୱେତାଙ୍କ ବିଜେପିରେ ଯୋଗଦାନ ପର୍ବ ଆୟୋଜନ କରାଯିବା କେତେଦୂର ମାନବିକତା ବୋଲି ମଧ୍ୟ ପ୍ରଶ୍ନ ହେଉଛି । ତେବେ, ମହାଶ୍ୱେତା ସାମ୍ବାଦିକ ସମ୍ମିଳନୀ ସ୍ଥଳରେ ସ୍ୱର୍ଗତା ଘୋଷଙ୍କ ପାଇଁ ଦୁଇ ଟୋପା ଲୁହ ଝରାଇ ନିଜର ସମବେଦନା ଜଣାଇ ଦେଇ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS