ମାଧବୀଙ୍କ ପରିବାରକୁ ଝଟକା ପରେ ଝଟକା, ମେୟର ପଦ ଅସିଦ୍ଧ ଘୋଷିତ
ବ୍ରହ୍ମପୁର, ୧୪ ଫେବୃୟାରୀ: ବ୍ରହ୍ମପୁର ମହାନଗର ନିଗମ ମେୟର କେ. ମାଧବୀଙ୍କୁ କୋର୍ଟ ଝଟକା ଲାଗିଛି । ତାଙ୍କର ଦୁଇଟି ନାମ ଓ ଦୁଇ ଜଣ ସ୍ୱାମୀ ଥିବା, ଓଡ଼ିଆରେ ସେ ଲେଖି, ପଢି ଜାଣି ନ ଥିବା ଏବଂ ପୌର ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗର ବିଚାରଣା କରି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ମଳୟ ରଂଜନ ଦାଶ ଫେବୃୟାରୀ ୧୩ ତାରିଖ ସନ୍ଧ୍ୟାରେ ମାଧବୀଙ୍କ ପୌର ସଭ୍ୟ ପଦ ସହ ମେୟର ପଦକୁ ଅସିଦ୍ଧ ଘୋଷଣା କରି ରାୟ ପ୍ରକାଶ କରିଛନ୍ତି ।
୨୦୧୪ ମସିହାରେ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଙ୍କର ଦାଶ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ବ୍ରହ୍ମପୁର ମହାନଗର ନିଗମ ମେୟର କେ.ମାଧବୀଙ୍କ ବିରୋଧରେ ଏକ ପିଟିସନ ଦଏର କରି ଉପରୋକ୍ତ ଅଭିଯୋଗ ଭିତ୍ତିରେ ତାଙ୍କ ସଭ୍ୟ ପଦ ରଦ୍ଦ କରାଯିବାକୁ ନିବେଦନ କରିଥିଲେ । କୋର୍ଟରେ ତିନି ବର୍ଷରୁ ଉଦ୍ଧ୍ୱର୍ କାଳ ମାମଲାର ବିଚାରଣା ଚାଲି ଥିଲା । ବିଚାରଣ ବେଳେ କୋର୍ଟ ମେୟର କେ. ମାଧବୀ ଓ ପୂର୍ବତନ ମେୟର ଶିବ ଶଂକର ଦାଶଙ୍କ ବୟାନ ଲିପିବଦ୍ଧ କରିଥିଲେ । ଏଥି ସହ ମେୟରଙ୍କ ବର୍ତମାନର ସ୍ୱାମୀ କେ. ଭେଙ୍କଟରମଣାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ମାଧବୀଙ୍କ ପ୍ରଥମ ସ୍ୱାମୀ ଲକ୍ଷ୍ମଣ ରାଓଙ୍କୁ କୋର୍ଟରେ ହାଜର କରାଯିବା ଆବେଦନକୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ଖାରଜ କରି ଦେବାରୁ ହାଇକୋର୍ଟରେ ଆବେଦନ କରାଯାଇ ଥିଲେ । ମାନ୍ୟବର ହାଇକୋର୍ଟ ମେୟରଙ୍କ ପ୍ରଥମ ସ୍ୱାମୀଙ୍କୁ କୋର୍ଟରେ ହାଜର କରିବା ପାଇଁ ଅନୁମତି ଦେବା ସହ ୪୫ ଦିନ ମଧ୍ୟରେ ଏହି ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିବାକୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜଙ୍କୁ ନିଦେ୍ର୍ଦଶ ଦେବା ପରେ ଗଲା ଜାନୁଆର ୨ ତାରିଖରେ ମାଧବୀଙ୍କ ପ୍ରଥମ ସ୍ୱାମୀ ଲକ୍ଷ୍ମଣ ରାଓଙ୍କୁ କୋର୍ଟରେ ହାଜର କରା ଗଲା । କୋର୍ଟରେ ଉଭୟ ପକ୍ଷର ଓକିଲ ଲକ୍ଷ୍ମଣଙ୍କୁ ଜେରା କରି ଥିଲେ । କୋର୍ଟ ମଧ୍ୟ ଲକ୍ଷ୍ମଣଙ୍କ ବୟାନ ରେକର୍ଡ କରାଇ ଥିଲେ । ମାଧବୀ ନିଜ ସପକ୍ଷରେ ଉପସ୍ଥାପନ କରିଥିବା ତଥ୍ୟ, ପ୍ରମାଣରେ କୋର୍ଟ ସନ୍ତୁଷ୍ଟ ନ ହୋଇ ମଙ୍ଗଳବାର ସନ୍ଧ୍ୟାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି । ମାନ୍ୟବର ଜିଲ୍ଲା ଓ ଦୌରା ଜଜ ତାଙ୍କ ରାୟରେ ମହାନଗର ନିଗମ ମେୟର କେ. ମାଧବୀଙ୍କ ସଭ୍ୟ ପଦ ସହ ମେୟର ପଦକୁ ଅସିଦ୍ଧ ଘୋଷଣା କରି ରାୟ ଦେବା ମାଧବୀଙ୍କ ପାଇଁ ବଡ ଝଟକା ହୋଇଛି । ଏହି ରାୟକୁ ଚ୍ୟାଲେଂଜ କରି ଉପରେ କୋର୍ଟରେ ଆବେଦନ କରାଯିବ ବୋଲି ମାଧବୀ ପରିବାର ସୂତ୍ରରୁ ସୂଚନା ମିଳିଛି ।
ତିନି ମାସ ତଳେ ମାଧବୀଙ୍କ ପରିବାରକୁ ଅନ୍ୟ ଏକ ଝଟକା ଲାଗି ଥିଲା । ନଭେମ୍ବର ୧୬ ତାରିଖ ରାତି ୧୧ଟା ସମୟେରେ ପୁରୀ ପେଣ୍ଠକଟା ସାମୁଦ୍ରିକ ଥାନା ଅଂଚଳରେ ଥିବା ଏକ ସଂଭ୍ରାନ୍ତ ହୋଟେଲରେ ରେଭ୍ ପାର୍ଟି ଚାଲି ଥିବା ବେଳେ ପୁରୀ ଏସପିଙ୍କ ସ୍ୱତନ୍ତ୍ର ସ୍କ୍ୱାଡ ହୋଟେଲରେ ଚଢାଉ କରି ନିଶାଗ୍ରସ୍ତ ଅବସ୍ଥାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଥବା ୨୫ ଜଣ ଯୁବକ, ଯୁବତୀଙ୍କୁ ଧରି ନେଇ ଥିଲେ । ଥାନାରେ ସେମାନଙ୍କୁ ରାତି ସାରା ଅଟକ ରଖାଯିବା ପରେ ଶାସକ ଦଳର ଚାପରେ ୧୭ ତାରିଖ ଅପରାହ୍ନରେ ବ୍ୟକ୍ତିଗତ ମୁଚାଲିକାରେ ଛଡା ଯାଇଥିଲା । ବ୍ରହ୍ମପୁର ମେୟର ମାଧବୀଙ୍କ ଦୁଇ ଭାଇ ଅନିଲ କୁମାର ଓ ସୁନିଲ କୁମାର ଛତିଶଗଡ଼ର ଜଣେ ବନ୍ଧୁଙ୍କ ପାଇଁ ବିବାହ ପୂର୍ବ ବ୍ୟାଚଲର ପାର୍ଟି ଆୟୋଜନ କରିଥିଲେ, ଯେଉଁଥିରେ କି ଏହି ଅଶ୍ଲୀଳ ନୃତ୍ୟ ଚାଲି ଥିଲା ବୋଲି ସେତେବେଳେ ପୁଲିସ ସୂଚନା ଦେଇଥିଲେ । ଶାସକ ଦଳର ଚାପରେ ପୁଲିସ ଥାନରେ ଅଟକ ଥିବା ଯୁବକ, ଯୁବତୀଙ୍କୁ ପରିବାରବର୍ଗ ଉପସ୍ଥିତିରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଲେ ସିନ ଜନସାଧାରଣଙ୍କ ସମାଲୋଚନାରୁ ବର୍ତି ନ ପାରି ମାମଲାର ତଦନ୍ତ ଜାରି ରଖିବାକୁ ପୁରୀ ଏସପି ନିଦେ୍ର୍ଦଶ ଦେଇଛନ୍ତି । ଏହି ଘଟଣାରେ ପୁଲିସ ଅନିଲ ଓ ସୁନିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ଥିବା ବେଳେ ମାଧବୀଙ୍କ ମେୟର ପଦ କୋର୍ଟ ଦ୍ୱାରା ରଦ୍ଦ ହେବା ପରିବାର ପାଇଁ ବଡ ଅଡୁଆ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS