ଶେଷରେ, ସୂର୍ଯ୍ୟଙ୍କୁ ଧୁଳିି ଚଟାଇଲେ ପିଂଟୁ ଦାଶ
ଭୁବନେଶ୍ୱର, ୧୪ ଫେବୃୟାରୀ:ଖେଳ ଥିଲା ବରିଷ୍ଠ ବିଜେଡ଼ି ନେତା ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ଶିବ ଶଂକର ଦାଶ ଓରଫ ପିଂଟୁ ଦାଶଙ୍କ ମଧ୍ୟରେ । ବ୍ରହ୍ମପୁର ପୌର ପାଳିକା ମହାନଗର ନିଗମ ଘୋଷିତ ହେବା ପରେ ମନ୍ତ୍ରୀ ପାତ୍ର ପୌର ନିର୍ବାଚନରେ କଂଗ୍ରେସର କିଛି ଆପରାଧିକତତ୍ୱଙ୍କୁ ମାତ୍ ଦେବା ପାଇଁ ରାଜନୀତିକୁ ଆଣି ଥିଲେ ବଂଧୁପୁତ୍ର ଶିବ ଶଂକର ଦାଶଙ୍କୁ । ସେତେବେଳେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବିଧାନସଭା ଆସନରୁ କଂଗ୍ରେସ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ରମେଶ ଚନ୍ଦ୍ର ଜେନା ମନ୍ତ୍ରୀ ପାତ୍ରଙ୍କ ଦିଗପହଂଡ଼ି ନିର୍ବାଚନ ମଂଡଳୀରେ ଆତଙ୍କର ବାତାବରଣ ସୃଷ୍ଟି କରୁଥିଲେ । ଜେନାଙ୍କ ଲମ୍ବା ଅପରାଧ ରେକର୍ଡ ଏବଂ ବ୍ରହ୍ମପୁରରୁ ଦିଗପହଂଡ଼ି, ସାନଖେମୁଣ୍ଡି ପର୍ଯ୍ୟନ୍ତ ପ୍ରଭାବ ମନ୍ତ୍ରୀଙ୍କୁ ଚିନ୍ତାରେ ପକାଇ ଥିଲା । ତେଣୁ କଂଟାକୁ କଂଟାରେ କାଢିବା ନ୍ୟାୟରେ ମନ୍ତ୍ରୀ ପାତ୍ର ରମେଶଙ୍କ ପୁରୁଣା ଶତ୍ରୁ ପିଂଟୁଙ୍କୁ ବିଜେଡ଼ିକୁ ଆଣି ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ୨୮ ନମ୍ବର ୱାର୍ଡରୁ ପ୍ରାର୍ଥୀ କରି ଥିଲେ । ଭୟରେ ହେଉ ବା ଅନ୍ୟ କିଛି କାରଣରୁ ହେଉ ୱାର୍ଡର ଭୋଟରମାନେ ପିଂଟୁଙ୍କୁ ନିର୍ବାଚିତ କଲେ ଏବଂ ମନ୍ତ୍ରୀ ପାତ୍ର ବିଜେଡ଼ି ସୁପ୍ରିମୋଙ୍କୁ ପ୍ରଭାବିତ କରି ତାଙ୍କୁ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମେୟର ଭାବରେ ଅବସ୍ଥାପିତ କରିବାରେ ସକ୍ଷମ ହେଲେ ।
ସାନଖେମୁଣ୍ଡି ବିଧାୟକ ଜେନାଙ୍କ ଦୌରାତ୍ମ୍ୟରୁ ମନ୍ତ୍ରୀଙ୍କୁ ରକ୍ଷା କରୁ କରୁ ପିଂଟୁ ପାଲଟି ଗଲେ ଜରେ ପୋଖତ ରାଜନେତା । ଅପରାଧ ଜଗତରୁ କିଛି ମାତ୍ରାରେ ଅବ୍ୟାହତି ନେଇ ସେ ବ୍ରହ୍ମପୁର ମହାନଗର ଅଂଚଳରେ ନିଜର ପ୍ରଭାବ ବିସ୍ତାର କରିବା ସହ ବିଧାୟକ ହେବା ପାଇଁ ଲବି ଆରମ୍ଭ କରି ଦେଲେ । ପିଂଟୁଙ୍କ ଏହି ଉଚ୍ଚାକାଂକ୍ଷା ମନ୍ତ୍ରୀ ପାତ୍ରଙ୍କୁ ଅଡୁଆରେ ପକାଇଲା । କାରଣ, ୧୯୯୫ରୁ ଲଗାତର ଭାବେ ବ୍ରହ୍ମପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁ ଥିବା ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକଟ କାଟିବା ସହଜ ନ ଥିଲା । ମନ୍ତ୍ରୀ ପାତ୍ର ମଧ୍ୟ ନିଜ ପୁଅ ବିପ୍ଳବ ପାତ୍ର ( ତାଙ୍କ ଡାକ ନାମ ବି ପିଂଟୁ)ଙ୍କୁ ବ୍ରହ୍ମପୁର ବା ଗୋପାଳପୁର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ କରାଇ ରାଜନୀତିର ମୁଖ୍ୟସ୍ରୋତକୁ ଆଣିବା ଯୋଜନାରେ ଥିଲେ । ତେବେ, ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରିବାରର ଦୁଇ ଜଣଙ୍କୁ ବିଧାନସଭା ଟିକଟ ଦେବାକୁ ରାଜି ନ ହେବାରୁ ମନ୍ତ୍ରୀ ପାତ୍ରଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲା ନାହିଁ । ତେବେ, ମେୟର ଶିବ ଶଂକର ଦାଶ ଓରଫ ପିଂଟୁ ବ୍ରହ୍ମପୁର ବିଧାୟକ ହେବାର ଉଚ୍ଚାକାଂକ୍ଷା ରଖି ଏହି ବିଧାନସଭା ନିର୍ବାଚନ ମଂହଳୀରେ ସମାନ୍ତରାଳ ସଂଗଠନ ଆରମ୍ଭ କରି ଦେଇ ଥିଲେ, ଯାହାକି ବିଧାୟକ ଥିବା ଡ. ଚ୍ୟାଉ ପଟ୍ଟନାୟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଥିଲେ ଏବଂ ମନ୍ତ୍ରୀ ପାତ୍ରଙ୍କ ସହ ବିଧାୟକ ଡ. ଚ୍ୟାଉ ପଟ୍ଟନାୟକଙ୍କ ସଂପର୍କ ତୀକ୍ତ ହେବାରେ ଲାଗି ଥିଲା । ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ପିଂଟୁଙ୍କ ଦାବିକୁ ଉପେକ୍ଷା କରି ପୁନର୍ବାର ଡ. ଚ୍ୟାଉ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଆସନରୁ ପ୍ରାର୍ଥୀ କରିବାରୁ ଶିବ ଶଙ୍କର ଓରପ ପିଂଟୁ ନିଜ ଭାଗ୍ୟ ପରୀକ୍ଷା ପାଇଁ ବିଜେଡ଼ି ଛାଡି ବିଜେପିକୁ ଚାଲି ଯାଇ ଥିଲେ ଏବଂ ବ୍ରହ୍ମପୁର ଆସନ ପାଇଁ ଟିକଟ ଆଣି ଥିଲେ । ତେବେ, ନିର୍ବାଚନ ଜିତି ପାରି ନ ଥିଲେ ।
୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୩ରେ ମହାନଗର ନିଗମ ନିର୍ବାଚନ ହୋଇଥିଲା ଏବଂ ଏହି ନିର୍ବାଚନରେ ବ୍ରହ୍ମପୁର ମେୟର ପଦବୀ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହି ଥିଲା । ଶିବ ଶଙ୍କର ଓରଫ ପିଂଟୁ ଦାଶ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡ଼ି ଟିକଟ ମିଳିବା ଆଶା ନ ଥିବା ଦେଖି ମନ୍ତ୍ରୀ ପାତ୍ରଙ୍କ ପ୍ରତି କ୍ଷୁବ୍ଧ ଥିଲେ । ୨୦୧୩ ମହାନଗର ନିଗମ ନିର୍ବାଚନରେ ବ୍ରହ୍ମପୁର ମେୟର ପଦ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ରହିବା ଦେଖି ଏହା ପଛରେ ମନ୍ତ୍ରୀ ପାତ୍ରଙ୍କ ରାଜନୈତିକ ଚାଲ୍ ଥିବା ସେ ସନେ୍ଦହ କରି ଥିଲେ । ତାଙ୍କ ସନେ୍ଦହ ଅଧିକ ଦୃଢ ହୋଇଥିଲା ବିଜେଡ଼ି ପ୍ରଥମ ମହିଳା ମେୟର ଭାବେ ବ୍ରହ୍ମପୁର ମହାନଗର ନିଗମରେ କେ. ମାଧବୀଙ୍କୁ ଅବସ୍ଥାପିତ କରିବା ପରେ । କାରଣ, ମାଧବୀଙ୍କ ପିତା ବାବ୍ ଜୀ ଥିଲେ ମନ୍ତ୍ରୀଙ୍କ ପଡୋଶୀ ତଥା ପାରିବାରିକ ବଂଧୁ । ମାଧବୀଙ୍କ ଭାଇ ଅନିଲ କୁମାର କଂଗ୍ରେସରୁ ବିଜେଡ଼ିକୁ ଆସି ମନ୍ତ୍ରୀଙ୍କ ସହଯୋଗରେ ଦଳରେ ନିଜ ପାଦ ଜମାଇ ସାରି ଥିଲେ । ଶିବ ଶଙ୍କର ବିଜେପିକୁ ଯାଇ ବିଧାନସଭା ନିର୍ବାଚନ ହାରିବା ପରେ ମହାନଗର ନିଗମ ରାଜନୀତିରେ ସକ୍ରୀୟ ଥିଲେ । ମାଧବୀ ବ୍ରହ୍ମପୁର ମହାନଗର ନିଗମର ପ୍ରଥମ ମହିଳା ମେୟର ହୋଇ ମନ୍ତ୍ରୀ ପାତ୍ରଙ୍କ ନିକଟତର ହେବା ଦେଖି ମନ୍ତ୍ରୀଙ୍କୁ ଉଚିତ ଜବାବ ଦେବା ସକାଶେ ପୂର୍ବତନ ମେୟର ଶିବ ଶଂକର ଦାଶ ନୂଆ ମେୟର କେ. ମାଧବୀଙ୍କ ସଂପର୍କରେ ଖୋଳତାଡ ଆରମ୍ଭ କରି ଦେଇ ଥିଲେ । ମାଧବୀଙ୍କ ଦୁଇ ଜଣ ସ୍ୱାମୀ ଥିବା, ବିଭିନ୍ନ ଦସ୍ତାବିଜରେ ସେ ଦୁଇଟି ଭିନ୍ନ ଭିନ୍ନ ନାମ ବ୍ୟବହାର କରି ଥିବା ଏବଂ ଓଡ଼ିଆରେ ଲେଖି, ପଢି ଜାଣି ନ ଥିବା,ଏକ ଜମି ଜବରଦଖଲ ମାମଲାରେ ମାଧବୀ ନିଜ ପିତାଙ୍କ ସହ ପକ୍ଷଭୁକ୍ତ ଥିଲେ ସୁଦ୍ଧା ନିର୍ବାଚନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ତାହା ଦର୍ଶାଇ ନଥିବା ଜାଣିବା ପରେ ଶିବ ଶଂକର ତାହାକୁ ଅସ୍ତ୍ର କରି ମାଧବୀ ଏବଂ ପରୋକ୍ଷରେ ମନ୍ତ୍ରୀ ପାତ୍ରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଥିଲେ । ସେ ଖବରକାଗଜକୁ ଏସବୁ ତଥ୍ୟ ଦେଇ ହଇଚଇ କରିବାକୁ ଚାହିଁ ଥିଲେ ମଧ୍ୟ ଅଧିକାଂଶ ପ୍ରତିଷ୍ଠିତ ଖବରକାଗଜ କୌଣସି କାରଣରୁ ଏହି ଖବର ଛାପିବାକୁ ଆଗ୍ରହ ଦେଖାଇ ନ ଥିଲେ । ତେଣୁ, କ୍ଷୁବ୍ଧ ପୂର୍ବତନ ମେୟର ଆଇନର ଆଶ୍ରୟ ନେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS