ଉତ୍ସବ ମନାଉଛି ବିଜେପି, କଂଗ୍ରେସ ନେତୃତ୍ୱ ଭକୁଆ
– ପ୍ରସାଦ ରାଓ –
ନୂଆଦିଲ୍ଲୀ, ୦୫ ମାର୍ଚ୍ଚ : ଗୋଟିଏ ପରେ ଗୋଟିଏ ରାଜ୍ୟ କଂଗ୍ରେସ ହାତରୁ ଖସୁଛି । ବିଜେପି ନିଜ ବିଜୟକୁ ନେଇ ଉତ୍ସବ ମନାଉ ଥିବା ବେଳେ କଂଗ୍ରେସ ଖାଲି ଆଖି ତରାଟି ଚାହିଁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତିନିଟି ଉ. ପୂର୍ବାଂଚଳ ରାଜ୍ୟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିକୁ ଦୁଇ ଅଂକ ଆସନରେ ସୀମିତ କରି ଦେଶବାସୀଙ୍କ ଠାରୁ ସାବାସି ନେଇ ଥିବା ଭାରତୀୟ ଜାତୀୟ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତିନିଟି ଉ.ପୂର୍ବାଂଚଳ ରାଜ୍ୟର ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ଶୂନ୍ୟ । ଏହି ନିର୍ବାଚନରେ ଦଳର ଶୋଚନୀୟ ପରାଜୟକୁ ନେଇ ସେ ପୁର୍ନବାର ଫେରି ଆସିଛନ୍ତି ସେହି ଲଜ୍ୟାଜନକ ସ୍ଥିତିକୁ । ଉ.ପୂର୍ବାଂଚଳ ରାଜ୍ୟ ନିର୍ବାଚନ ସମୟରେ କଂଗ୍ରେସ ଦଳ ସେଠାକର ଆଂଚଳିକ ଦଳ ମାନଙ୍କ ସହ ବୁଝାମଣା କରିବାରେ ବିଫଳ ହେବାରୁ ଏବଂ ସେସବୁ ରାଜ୍ୟରେ ଦେଖା ଦେଇଥିବା ଉକ୍ରଟ ବେକାର ସମସ୍ୟାର ସମାଧାନ ପାଇଁ ଦଳ ଆଡୁ କିଛି ବିକଳ୍ପ ଯୋଜନା ଉପସ୍ଥାପନ କରା ନ ଯିବାରୁ ଦଳ ଏଭଳି ଏକ ବିପର୍ଯ୍ୟୟର ସମ୍ମୁଖୀନ ହେଲା ବୋଲି ଏବେ ଚର୍ଚ୍ଚା ହେଉଛି ।
ଦେଶର ଉ.ପୂର୍ବାଂଚଳ ରାଜ୍ୟ ଦିନେ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । ବିଜେପି ତାହାର ‘ହିନ୍ଦୁତ୍ୱ’ ଆଜେଣ୍ଡାକୁ ନେଇ ହିନ୍ଦୀ ଭାଷାଭାଷି ଅଂଚଳରେ ସୀମିତା ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରୁ କଂଗ୍ରେସ ଉ.ପୂର୍ବାଂଚଳ ରାଜ୍ୟରେ ନିଜର ଦୃଢ ପ୍ରଭାବ ରଖି ଆସି ଥିଲା । ବର୍ତମାନ ବିଜେପିର ‘ହିନ୍ଦୁତ୍ୱ’ ଆଜେଣ୍ଡା ବଦଳି ଯାଇଛି । ଅଣ-ହିନ୍ଦୁ ରାଜ୍ୟରେ ମଧ୍ୟ ଦଳ ନିଜର ଉପସ୍ଥିତି ଜାହିର କରି ନିଜକୁ ଏକ ଜାତୀୟ ଦଳ ଭାବେ ଉପସ୍ଥାପିତ କରିବାରେ ସଫଳ ହୋଇଛି । ଦେଶର ଅନ୍ୟୁନ ୨୧ଟି ରାଜ୍ୟରେ ଏହି ଗେରୁଆ ଦଳ ସିଧାସଳଖ ବା ଅନ୍ୟ ଦଳ ସହ ମେଂଟ ମାଧ୍ୟମରେ କ୍ଷମତାରେ ରହିଛି । ଅପରପକ୍ଷରେ, କଂଗ୍ରେସ ୫ଟି ରାଜ୍ୟରେ ସୀମିତ ରହି ଯାଇଛି । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ନିକଟରେ ତିନିଟି ଉ.ପୂର୍ବାଂଚଳର ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟକୁ ହରାଇଛି । ୨୦୧୪ରେ ଦଳ ହାତେଇ ଥିବା ପାଂଚଟି ଉ.ପୂର୍ବାଚନ ରାଜ୍ୟ ମଧ୍ୟରୁ ଚାରିଟି – ଆସାମ, ମଣିପୁର, ଅରୁଣାଚଳ ପ୍ରଦେଶ ଓ ମେଘାଳୟ ଦଳ ହାତରୁ ଖସି ଯାଇଥିବା ବେଳେ ମାତ୍ର ଗୋଟିଏ ରାଜ୍ୟ ମିଜୋରାମରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ରହିଛି । କଂଗ୍ରେସ ଭିତରେ ତୀବ୍ର ଗୋଷ୍ଠୀ ବିବାଦ ଓ ସରକାର-ବିରୋଧୀ ଜନମତ ଯୋଗୁ ଦଳ ଏସବୁ ଉ.ପୂର୍ବାଂଚଳ ରାଜ୍ୟରେ ଏକ ରାଜନୈତିକ ଶକ୍ତିରୁ ‘ଶୂନ୍ୟ’ ସ୍ଥିତିକୁ ଖସି ଆସିଛି ବୋଲି ସମୀକ୍ଷକମାନେ କହିଛନ୍ତି । ମେଘାଳୟରେ ୨୦୧୩ରେ କଂଗ୍ରେସ ୬୦ରୁ ୨୯ ବିଧାନସଭା ଆସନ ହାତେଇ ଥିବା ସମୟରେ ୨୦୧୮ ନିର୍ବାଚନରେ ତାହା ୨୧କୁ ଖସି ଆସିବା କଂଗ୍ରେସର ବିପର୍ଯ୍ୟୟକୁ ସ୍ପଷ୍ଟ ସୂଚିତ କରୁଛି ।
୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଘାଳୟରେ ଆଂଚଳିକ ଦଳମାନଙ୍କ ସହ ନିର୍ବାଚନ-ପୂର୍ବ ବୁଝାମଣା ନ କରିବା ଦଳ ପାଇଁ ବିପର୍ଯ୍ୟୟର ଅନ୍ୟତମ କାରଣ ବୋଲି ବିଚାର କରାଯାଉଛି । ନିର୍ବାଚନ-ପୂର୍ବ ବୁଝାମଣା ଅଭାବରୁ ଆଂଚଳିକ ଦଳମାନେ କଂଗ୍ରେସ-ବିରୋଧରେ ନିର୍ବାଚନ ପ୍ରଚାରର ସୁଯୋଗ ପାଇ ଥିଲେ । କନରାଡ଼ ସାଙ୍ଗାମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ପୂର୍ବ ନିର୍ବାଚନରେ ମାତ୍ର ଦୁଇଟି ବିଧାନସଭା ଆସନ ପାଇଥିବା ବେଳେ ୨୦୧୮ରେ ସେହି ସଂଖ୍ୟା ୧୯କୁ ବୃଦ୍ଧି କରିବାରେ ସକ୍ଷମ ହୋଇଛି । ସେହିପରି, ନାଗାଲାଣ୍ଡରେ କଂଗ୍ରେସ ୨୦୧୩ ବିଧାନସଭା ନିର୍ବାଚନରେ ୨୪. ୮୯ ପ୍ରତିଶତ ଭୋଟ ପାଇ ୮ଟି ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୮ରେ ଦଳର ଭୋଟ ପ୍ରତିଶତ ୨.୧ ପ୍ରତିଶତକୁ ଖସିଛି । ୬୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ମୋଟେ ଖାତା ଖୋଲି ପାରି ନାହିଁ । ନିର୍ବାଚନ ପ୍ରଚାର ସମୟରେ ନାଗାଲାଣ୍ଡରେ କଂଗ୍ରେସର ଜାତୀୟସ୍ତର ନେତାଙ୍କ ଅନୁପସ୍ଥିତି, ପ୍ରାର୍ଥୀ ଚୟନରେ ସଂକଟ ଓ ଘୋର ଆର୍ଥାଭାବ ଦଳର ବିପର୍ଯ୍ୟୟର ପ୍ରମୁଖ କାରଣ ହୋଇଥିବା ଚର୍ଚ୍ଚା ହେଉଛି । ତ୍ରିପୁରାରେ କଂଗ୍ରେସ ଦଳରେ ବିଦ୍ରୋହ, ବହୁ ସଦସ୍ୟ ଦଳ ଛାଡି ଅନ୍ୟ ଦଳକୁ ଚାଲି ଯିବା ଏବଂ ବିଜେପିର ନିର୍ବାଚନ ପ୍ରଚାର ଆକ୍ରମଣାତ୍ମକ ଥିବା ବେଳେ କଂଗ୍ରେସର ପ୍ରଚାର ମାନ୍ଦା ରହିବା ପ୍ରଭୃତି କାରଣ ଦଳୀୟ କର୍ମୀଙ୍କୁ ନିରୁତ୍ସାହିତ କରିଥିଲା । ତେଣୁ, ନିର୍ବାଚନରେ ଦଳ ଖାତା ଖୋଲି ପାରି ନାହିଁ ବୋଲି ସ୍ଥାନୀୟ ନେତାମାନେ ସ୍ୱୀକାର କରୁଛନ୍ତି । ତ୍ରିପୁରାରେ ୨୦୧୩ ନିର୍ବାଚନରେ କଂଗ୍ରେସର ଭୋଟ ଅଂଶ ୩୬. ୫୩ ପ୍ରତିଶତ ଥିବା ବେଳେ ୨୦୧୮ ନିର୍ବାଚନରେ ତାହା ୧. ୮ ପ୍ରତିଶତକୁ କମିଛି । ଅପରପକ୍ଷରେ, ବିଜେପିର ଭୋଟ ଅଂଶ ୨୦୧୩ରେ ୧.୫୪ ପ୍ରତିଶତ ଥିବା ବେଳେ ୨୦୧୮ରେ ତାହା ୪୩ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୩ରେ ବିଧାନସଭାରେ ବିଜେପିର ଉପସ୍ଥିତି ‘ଶୂନ’ ଥିଲା । ୨୦୧୮ରେ ତାହା ୩୫ ହୋଇଛି ।
ଦେଶର ତିନି ଉ.ପୂର୍ବାଂଚଳ ରାଜ୍ୟରେ କଂଗ୍ରେସର ଏତେବଡ ନିର୍ବାଚନ ବିପର୍ଯ୍ୟୟର ପରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ କୌଣସି ପ୍ରତିକ୍ରିୟା ବ୍ୟକ୍ତ ନ କରି ନୀରବ ଥିବା ରାଜନୈତିକ ମହଲକୁ ବିସ୍ମିତ କରିଛି । ଶନିବାର ନିର୍ବାଚନ ଫଳାପଳ ପ୍ରକାଶ ପାଉ ପାଉ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟ କାର୍ଯ୍ୟାଳୟକୁ ଯାଇ ଦଳର ପାର୍ଲାମେଂଟାରୀ ବୋର୍ଡକୁ ସମ୍ବୋଧିତ କରିଥିଲେ । ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ତାହାର ଆୟୋଜନ କରିଥିଲେ । ଉଭୟେ ଉ.ପୂର୍ବାଂଚଳ ରାଜ୍ୟରେ ବିଜୟକୁ ‘କଂଗ୍ରେସ ମୁକ୍ତ’ ଭାରତ ଗଠନ ଦିଗରେ ଆଉ ଏକ ସଫଳତା ବୋଲି କହିବା ସହ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ପ୍ରତି ବ୍ୟଙ୍ଗ କରିଥିଲେ । ମୁଖିଆଙ୍କ ପଦୋନ୍ନତି ହେଉଛି ସିନା ଦେଶରେ କଂଗ୍ରେସର ସ୍ଥିତି ଅଧିକରୁ ଅଧିକ ସଂକୁଚିତ ହେବାରେ ଲାଗିଛି ବୋଲି ସେମାନଙ୍କ ବ୍ୟଙ୍ଗୋକ୍ତି ଥିଲା । ପରବର୍ତୀ ଟାର୍ଗେଟ୍ କଂଗ୍ରେସର ଗଡ଼ କର୍ଣ୍ଣାଟକ ବୋଲି ସେମାନେ ଖୋଲା ଖୋଲି ଘୋଷଣା କରିବା ସହ ରାହୁଲଙ୍କୁ ଆହ୍ୱାନ ଦେଇଛନ୍ତି । ତଥାପି ରାହୁଲ ପ୍ରତିକ୍ରିୟାଶୂନ୍ୟ ରହିବା କି ପ୍ରକାର ବ୍ୟକ୍ତିତ୍ୱର ପରିଚୟ ଦେଉଛି (?) ବୋଲି ପ୍ରଶ୍ନ ହେଉଛି ।
ନିକଟରେ ଅନୁଷ୍ଠିତ ଓଡ଼ିଶାର ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟରେ ନେତୃତ୍ୱ ସଂକଟ, ନିର୍ବାଚନ ପରିଚାଳନାରେ ଉକ୍ରଟ ଅର୍ଥାଭାବ ଏବଂ କେନ୍ଦ୍ରୀୟ ନେତୃତ୍ୱର ସଂପୂର୍ଣର୍ ଅବହେଳାକୁ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତା ପର୍ଯ୍ୟନ୍ତ ସମସ୍ତେ ଦାୟି କରିଥିଲେ । ଦଳର କିଛି ରାଜ୍ୟସ୍ତର ନେତା କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇବାକୁ ଚକ୍ରାନ୍ତ କରିଥିବା ଏବଂ ଭୋଟକୁ ଅନ୍ୟମାନଙ୍କୁ ବିକି ଦେଇଥିବା ଭଳି ଅଭିଯୋଗ ଆସି ଥିଲା । ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଚୟନ ଓ ନିର୍ବାଚନ ପ୍ରଚାରର ପ୍ରମୁଖ ଭୂମିକା ନେଇ ଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଅଭିଯୋଗ ରାଜ୍ୟରେ କଂଗ୍ରେସର ବାସ୍ତବିକ ସ୍ଥିତିକୁ ପଦାରେ ପକାଇଛି । ବିଜେପୁରରେ କଂଗ୍ରେସ ଭୋଟ ବିଜେଡ଼ି ଓ ବିଜେପିକୁ ଚାଲି ଯିବାରୁ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୦ ହଜାର ଭୋଟ ପାଇ ଅମାନତ ହରାଇ ଥିଲେ । ଅପରପକ୍ଷରେ, ବିଜେପିର ଭୋଟ ୩୦ରୁ ୬୦ ହଜାରକୁ ବଢି ଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଲକ୍ଷାଧିକ ଭୋଟ ପାଇ ବିଜେପିକୁ ୪୧ ହଜାର ୯୦୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଏହି ପ୍ରକ୍ରିୟା ଜାରି ରହିଲେ କଂଗ୍ରେସ ଭୋଟ ଯୁଆଡେ ଯିବ ସେହି ଦଳ ରାଜ୍ୟରେ ସରକାର ଗଠନ କରିବାରେ ସକ୍ଷମ ହେବ ବୋଲି ବିଜେଡ଼ି, ବିଜେପି ମହଲରେ ବି ଚର୍ଚ୍ଚା ହେଉଛି । ତେବେ, ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏଭଳି ଆଲୋଚନାକୁ ଖଣ୍ଡନ କରିଛନ୍ତି । ବିଜେପୁର ଉପ ନିର୍ବାଚନ ଫଳାଫଳ ଆଗାମୀ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ ବୋଲି ସେ କହିଛନ୍ତି । ତଥାପି, କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱ ଉ. ପୂର୍ବାଂଚଳ ରାଜ୍ୟର ନିର୍ବାଚନ ସମୟରେ ଯେଭଳି ଅଣ-ରାଜନୈତିକ ଆଚରଣ ଦେଖାଇଲେ ୨୦୧୯ ସାଧାରଣରେ ନିର୍ବାଚନ ସମୟରେ ମଧ୍ୟ ତାହାର ପୁନରାବୃତ୍ତି କଲେ ଓଡ଼ିଶାରେ ଦଳ ମୂଳପୋଛ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS