ତୃତୀୟ ମହଲାରୁ ଅଗ୍ନିବର୍ଷା, ବୈଜୟନ୍ତ ଅଲଗା ବସିବେ ସଂସଦରେ
ଭୁବନେଶ୍ୱର, ୦୭ ମାର୍ଚ୍ଚ : ବିଜେପୁର ବିଧାନସଭା ଉପ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଖୁସୀ ମନାଉ ଥିବା ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ମନେ ପକାଇଛନ୍ତି ଏକଦା ତାଙ୍କ ଘନିଷ୍ଟ ଥିବା କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ । ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ ହୋଇଥିବା ସତ୍ୱେ ସାଂସଦ ପଣ୍ଡା ପାର୍ଲାମେଂଟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିରେ ସଦସ୍ୟ ରହି ବିଦେଶ ଭ୍ରମଣ କରୁଥିବାରୁ ସୁପ୍ରିମୋ କ୍ଷୁବଧ୍ । ତେଣୁ, ପଣ୍ଡାଙ୍କ ପର କାଟିବା ପାଇଁ ସେ ଦଳର ସବୁ ସାଂସଦଙ୍କୁ ନିଦେ୍ର୍ଦଶ ଦେଇଥିଲେ ସେମାନେ ଥିବା ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟି ଗୁଡ଼ିକରୁ ଇସ୍ତଫା ଦେବା ସକାଶେ । ପାର୍ଲାମେଂଟରେ ବିଜେଡ଼ି ସଂସଦୀୟ ଦଳର ନେତା ଥିବା କଟକ ସାଂସଦ ଭର୍ତୃହରି ମହତାବ ଦାୟିତ୍ୱ ନେଇ ଥିଲା ସୁପ୍ରିମୋଙ୍କ ଏହି ଅପ୍ରିୟ ନିଷ୍ପତ୍ତି ଦଳର ସାଂସଦ ମାନଙ୍କୁ ଜଣାଇବା ପାଇଁ । ସେହି ଅନୁସାରେ ମହତାବ ନିଜର ଦାୟିତ୍ୱ ତୁଲାଇଲେ । ତେବେ, ବୈଜୟନ୍ତଙ୍କ ପାଇଁ ସେମାନେ କାହିଁକି ପଦପଦବୀ ଛାଡିବେ (?) ବୋଲି କିଛି ଦଳୀୟ ସାଂସଦ ଅସନ୍ତୋଷ ବ୍ୟକ୍ତ କରିବାରୁ ଦୁଇ ଦିନ ପରେ ସୁପ୍ରିମୋଙ୍କ ନିଷ୍ପତ୍ତି ବଦଳି ଗଲା । ଦଳୀୟ ସାଂସଦ ମାନେ ବିଭିନ୍ନ କମିଟିରୁ ଇସ୍ତଫା ଦେବା ଆଦେଶ ପ୍ରତ୍ୟାହାର କରି ନେଲେ ସୁପ୍ରିମୋ । ତାହା ମଧ୍ୟ ମହତାବ ଜଣାଇ ଦେଲେ ଦଳୀୟ ସାଂସଦଙ୍କୁ । କିନ୍ତୁ, ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ ହୋଇଛି । ବେଜେଡ଼ି ତାଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବନ କରିଥିବାରୁ ସଂସଦରେ ତାଙ୍କୁ ବିଜେଡ଼ି ସାଂସଦମାନଙ୍କ ସହ ବସିବାକୁ ଦିଆ ନ ଯାଇ ଅଲଗା ବସା ଯିବା ବ୍ୟବସ୍ଥା କରିିବାକୁ ମଙ୍ଗଳବାର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଦଳ ଏକ ଚିଠି ମାଧ୍ୟମରେ ଅନୁରୋଧ କରିଛି । ବିଜେଡ଼ି ସଂସଦୀୟ ଦଳର ନେତା ମହତାବ ଲୋକସଭା ବାଚସ୍ପତିଙ୍କୁ ଏହି ଚିଠି ଲେଖିଛନ୍ତି । ସଂସଦର ଗୃହ ବିଭାଗ ଷ୍ଟାଣ୍ଡିଂ କମିଟିରୁ ବୈଜୟନ୍ତଙ୍କୁ ହଟାଇ ଅନ୍ୟ ଜଣେ ବିଜେଡ଼ି ସାଂସଦଙ୍କୁ ନିଆ ଯିବାକୁ ମଧ୍ୟ ବିଜେଡ଼ି ଅନୁରୋଧ କରିଛି । କେନ୍ଦ୍ରପଡା ସାଂସଦ ପଣ୍ଡା ବିଜେଡ଼ିର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ବିତ ହେବା ପରେ ଦଳରେ କୋଣଠେସା ହୋଇସାରି ଥିଲେ । ନିଜ ଆଡୁ ସେ ଦଳର ସାଂସଦ ପଦରୁ ଇସ୍ତଫା ଦେଇ ଦାୟିତ୍ୱମୁକ୍ତ ହେବା ଦଳର ସୁପ୍ରିମୋ ଚାହୁଁ ଥିଲେ । ସେହି ଅନୁସାରେ ଦଳର ତଳିଆ ନେତାମାନେ ବୈଜୟନ୍ତଙ୍କ ଉପରେ ଚାପ ବଢାଇ ଚାଲି ଥିଲେ ମଧ୍ୟ ବୈଜୟନ୍ତ କିଛି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ସମୟ ଗଡାଇ ଚାଲି ଥିଲେ । ଏହା ଦେଖି ବିଜେଡ଼ି ମୁଖ୍ୟ ନିଜ ଆଡୁ ଗୋଟି ଚଳାଇଛନ୍ତି । ବୈଜୟନ୍ତଙ୍କୁ ସଂସଦରେ ଅଲଗା ଆସନ ଦେବାକୁ ବିଜେଡ଼ି ପକ୍ଷରୁ ବାଚସ୍ପତିଙ୍କୁ ଅନୁରୋଧ କରାଯିବା ମାଧ୍ୟମରେ ବିଜେଡ଼ି ସହ ତାଙ୍କର ଆଉ କିଛି ସଂପର୍କ ନଥିବା ସ୍ପଷ୍ଟ କରି ଦିଆ ଯାଇଛି । ସଚିବାଳୟର ତୃତୀୟ ମହଲା, ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟନ ପାଂଣ୍ଡିଆନଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିବା ବିଜେଡ଼ି ନେତାଙ୍କ ପାଇଁ କେତେ ମହଙ୍ଗା ସାବ୍ୟସ୍ତ ହେଉଛି, ତାହା ଏଥିରୁ ଜଣାପଡୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS