ଚାଷୀ, ଚିଟ୍ ଫଣ୍ଡ୍ ଓ ଭାଷା – ସବୁ କିଛି ଫିକା ପଡି ଗଲା ରାଜ୍ୟସଭା ଟିକଟ ଆଗରେ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୦୭ ମାର୍ଚ୍ଚ: ‘ଆମ ଓଡ଼ିଶା’ ଅଧ୍ୟକ୍ଷ୍ୟ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ବିଜେଡ଼ିରେ ଯୋଗଦାନକୁ ନେଇ ଓଡ଼ିଶାବାସୀ ବିସ୍ମିତ ନୁହନ୍ତି । କିଛି ଦିନ ହେଲା ଏହି ଖବର ଚର୍ଚ୍ଚାରେ ଥିଲା । ବୁଧବାର ଦିନ କେବଳ ଚର୍ଚ୍ଚା ଉପରେ ମୋହର ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ‘ନବୀନ ନିବାସ’ରେ ସୌମ୍ୟଙ୍କ ବିଜେଡ଼ିରେ ଯୋଗଦାନ ପର୍ବ ଶେଷ ହୋଇଛି । ସୌମ୍ୟଙ୍କ ସହ ଆଉ ଜଣେ ଶିକ୍ଷା ଓ ମିଡ଼ିଆ ବ୍ୟବସାୟୀ ଅଚ୍ୟୁତ ସାମନ୍ତ ବିଜେଡ଼ିରେ ଯୋଗ ଦେଇ ରାଜ୍ୟବାସୀଙ୍କୁ ବିସ୍ମିତ କରିଛନ୍ତି । କାରଣ, ତାଙ୍କ ନାମ ଚର୍ଚ୍ଚାରେ ନ ଥିଲା । ଦୁଇ ଶିକ୍ଷାନୁଷ୍ଠାନ ଓ ମିଡ଼ିଆ ସଂସ୍ଥାର ମାଲିକ ବିଜେଡ଼ିରେ ଯୋଗ ଦେଇ ଦଳରେ ମିଡ଼ିଆ ମାଲିକଙ୍କ ଭିଡ଼କୁ ଟିକିଏ ମୋଟା କରି ଦେଇଛନ୍ତି । ପୂର୍ବରୁ ଦୁଇ ଜଣ ଖବର କାଗଜ ସଂପାଦକ ବିଜେଡ଼ିରେ ରହି ସମୟ ସମୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅଡୁଆରେ ପକାଉଥିଲେ । ଦଳର ନୀତିକୁ ଖୋଲା ସମାଲୋଚନା କରୁଥିଲେ ମଧ୍ୟ ନବୀନଙ୍କ ନାଲି ଆଖି ଦେଖିଲେ ଦବି ଯାଉ ଥିବାରୁ ବାବୁ ବୈଜୟନ୍ତ ପଣ୍ଡାଙ୍କ ଭଳି ସେମାନଙ୍କୁ ଦଳରୁ ନିଲମ୍ବିତ ହେବାରୁ ପଡି ନାହିଁ ।ି ଏବେ ଆଉ ଦୁଇ ଜଣ ମାଡ଼ିଆ ମାଲିକଙ୍କ ଦଳରେ ପ୍ରବେଶ ବିଜେଡ଼ି ଓ ନବୀନଙ୍କ ପାଇଁ କେତେ ଉପକାରୀ ହେବ ବା ବିପଦ ସୃଷ୍ଟି କରିବ ତାହା ବର୍ତମାନ ଠାରୁ କହି ହେଉ ନାହିଁ । ଦଳ ଭିତରେ ସେମାନେ କିଛି ମାସ ପୁରୁଣା ହେବା ପରେ ହିଁ ବାସ୍ତବତା ପ୍ରକଟ ହେବ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।
ଏପ୍ରିଲରେ ଖାଲି ହେବାକୁ ଥିବା ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୩ରେ ନିର୍ବାଚନ ହେବାକୁ ଯାଉଛି । ରାଜ୍ୟ ବିଧାନସଭାରେ ବିଜେଡ଼ି ବିଧାୟକଙ୍କ ସଂଖ୍ୟା ୧୧୮ ଥିବାରୁ ତିନିଟି ଯାକ ଆସନ ପ୍ରଥମ ପସନ୍ଦ ଭୋଟରେ ଦଳ ହାତକୁ ଆସିବା ନିଶ୍ଚିତ । ଏଭଳି ଏକ ସୁଯୋଗ ହାତଛଡା କରିବ ବା କିଏ ? ତେଣୁ, ଦଳ ଭିତରେ ଓ ବାହାରେ ଟିକଟ ପାଇଁ ଲବି ଯୋର ଧରିଛି । ଟିକଟ ଆଶାୟୀଙ୍କ ତାଲିକାରେ ସର୍ବାଧିକ ଚର୍ଚ୍ଚିତ ନାମ ମଧ୍ୟରେ ରହିଛି ‘ଆମ ଓଡ଼ିଶା’ ଅଧ୍ୟକ୍ଷ୍ୟ ସୌମ୍ୟ ରଂଜନଙ୍କ ନାମ । କିଛି ମାସ ତଳେ ସେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ‘ନବୀନ ନିବାସ’ରେ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ସେ ବିଜେଡ଼ିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଯୋର ଧରି ଥିଲେ ସୁଦ୍ଧା ସୌମ୍ୟ ତାହାକୁ ଅସ୍ୱୀକାର କରିଥିଲେ । ନିକଟରେ, ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଏକ ତାରକା ହୋଟେଲରେ ଭାରତୀୟ ହକି ଦଳର ଜର୍ସି ଓ ଲୋଗୋ ଉନ୍ମୋଚନ କରିବା ସମୟରେ ନିମନ୍ତ୍ରିତ ବ୍ୟକ୍ତିଙ୍କ ମଧ୍ୟରେ ସୌମ୍ୟଙ୍କ ଉପସ୍ଥିତି ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତିକେୟନ ପାଂଡିଆନଙ୍କ ସହ ତାଙ୍କର ଅନ୍ତରଂଗ ଆଳାପ ସୌମ୍ୟଙ୍କ ମତିଗତିକୁ ସ୍ପଷ୍ଟ କରି ଦେଇଥିଲା । ଏହାପୂର୍ବରୁ, ପାଂଡ଼ିଆନଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ବିଜେପି ଯୁବ ମୋର୍ଚ୍ଚା ସଦସ୍ୟଙ୍କ ଗୋବର ମାଡ ଏବଂ ବାସଭବନ ପରିସରରେ ଭଙ୍ଗାରୁଜାକୁ ନିନ୍ଦା କରି ସୌମ୍ୟ ତାଙ୍କ ସଂପାଦିତ ଖବରକଗଜର ପ୍ରଥମ ପୃଷ୍ଠା ସଂପାଦକୀୟ ଛାପି ଥିଲେ । ଦିନ ଥିଲା ଯେଉଁ ସୌମ୍ୟ ନବୀନ ଓ ପାଂଡିଆନଙ୍କ ସମାଲୋଚନାରେ ଶତମୁଖ ଥିଲେ ସେ ହଠାତ୍ ନବୀନ ଓ ପାଂଡିଆନଙ୍କ ପ୍ରତି ଅନ୍ତରଂଗତା ପ୍ରକାଶ କରିବା ରହସ୍ୟ କହାରିକୁ ଅଛପା ନାହିଁ । ବୁଧବାର (ମାର୍ଚ୍ଚ ୭ ତାରିଖ) ସେ ‘ନବୀନ ନିବାସ’କୁ ଯାଇ ବିଜେଡ଼ିରେ ଯୋଗ ଦେବା କେବଳ ଔପଚାରିକତା ଥିଲା । ମାର୍ଚ୍ଚ ୨୩ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ମାର୍ଚ୍ଚ ୧୨ରେ ସରୁ ଥିବାରୁ ତା’ ପୂର୍ବରୁ ବିଜେଡ଼ି ସୁପ୍ରିମୋ ଦଳର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ବାଧ୍ୟ । କେବଳ ରାଜନୈତିକ ବ୍ୟକ୍ତିଙ୍କୁ ତିନିଟି ଯାକ ଆସନରୁ ଦଳ ପ୍ରାର୍ଥୀ କରିବ ବୋଲି ମୁଖ୍ୟମନ୍ତ୍ରୀ କହି ସାରିଛନ୍ତି । ବିଜେଡ଼ିରେ ଯୋଗ ଦେବା ପରେ ହିଁ ସେମାନଙ୍କ ପ୍ରାର୍ଥୀତ୍ୱ କଥା ବିଚାର କରାଯିବ ବୋଲି ଦଳ ସ୍ପଷ୍ଟ କରି ଦେବାରୁ ସୌମ୍ୟ ଓ ଅଚ୍ୟୁତ ବୁଧବାର ସକାଳୁ ସକାଳୁ ବିଜେଡ଼ିରେ ଯୋଗ ଦେଇଥିବା ପ୍ରକାଶ ।
ରାଜ୍ୟର ଚାଷୀଙ୍କୁ ଉତ୍ପାଦନର ଉଚିତ ମୂଲ୍ୟ ସହ ପେନସନ୍ ଓ ପ୍ରତିଷ୍ଠା (ପ୍ରେଷ୍ଟିଜ୍) ଦିଆ ଯିବା ଦାବିରେ ନବ ନିର୍ମାଣ କୃଷକ ସଂଗଠନ ନାମରେ ସୌମ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନେ୍ଦାଳନ ଚଳାଇଛନ୍ତି । ନବୀନ ସରକାରଙ୍କୁ ‘ଚାଷୀ ହତ୍ୟାକାରୀ’ ବୋଲି ଆକ୍ଷେପ କରିବା ସହ ଏହି ସରକାରକୁ ଗାଦିଚ୍ୟୁତ କରିବା ପର୍ଯ୍ୟନ୍ତ ଚାଷୀ ଆନେ୍ଦାଳନ ଚାଲୁ ରହିବ ବୋଲି ସେ ବାରମ୍ବାର ଘୋଷଣା କରିଛନ୍ତି । ଚାଷୀଙ୍କ ସହ ‘ଜେଲ୍ ଭରୋ’ରେ ସାମିଲ ହୋଇ ଗିରଫ ହେବା ପରେ ସୌମ୍ୟ ମିଡ଼ିଆକୁ ବିବୃତି ଦେଇ ‘ଯିଏ ଡ଼ରିବ, ସିଏ ମରିବ … କିଛି ଦିନ ପରେ ସେ ନବୀନ ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବେ’ ବୋଲି କହିଥିଲେ । ବୁଧବାର ସେହି ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି । ସେହିଭଳି, ଚିଟ୍ ଫଣ୍ଡ୍ ଠକେଇର ଶିକାର ଲକ୍ଷାଧିକ ଲୋକଙ୍କ ହିତ୍ୟେଷି ସାଜି ସେ ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା କର୍ପସ୍ ପାଂଣ୍ଠିରୁ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବା ଦାବିରେ ରାଜ୍ୟବ୍ୟାପୀ ଯୋରଦାର ଅନେ୍ଦାଳନ ଚଳାଇ ଥିଲେ । ନବୀନ ସରକାରଙ୍କୁ ‘ଚିଟ୍ ଫଣ୍ଡ୍’ ଠକ କହି ବିଦୃପ କରିବାକୁ ସୌମ୍ୟଙ୍କ ସଂଗଠନ କେବେ ପଛାଇ ନାହିଁ । ହଠାତ୍ ସେ ନବୀନ ଓ ବିଜେଡ଼ି ପ୍ରତି ଦରଦୀ ହୋଇ ପଡିବା ଓ ବିଜେଡ଼ିରେ ଯୋକ ଦେବା ‘ସୁବିଧାବାଦୀ ରାଜନୀତି’ ବୋଲି ତାଙ୍କ ବିରୋଧୀମାନେ ଆକ୍ଷେପ କରୁଛନ୍ତି । ତେବେ, ସେ କୌଣସି ସର୍ତ ରଖି ବିଜେଡ଼ିରେ ଯୋଗ ଦେଇ ନାହାନ୍ତି ବୋଲି ସୌମ୍ୟ କହିଛନ୍ତି । ଚାଷୀ ଓ ଚିଟ୍ ଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ପାଇଁ ସେ ପୂର୍ବ ଭଳି କାର୍ଯ୍ୟ କରିବେ ବୋଲି ମଧ୍ୟ ସୌମ୍ୟ ସାମ୍ବାଦିକମାନଙ୍କୁ କହିଛନ୍ତି । ଅପରପକ୍ଷରେ, ବିଜେଡ଼ି ଦ୍ୱାରା ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଦ୍ୱାରା ଆକୃଷ୍ଟ ହୋଇ ସେ ବିଜେଡ଼ିରେ ଯୋଗ ଦେଇ ଥିବା ଶିକ୍ଷା ଓ ମିଡ଼ିଆ ବ୍ୟବସାୟୀ ଅଚ୍ୟୁତ ସାମନ୍ତ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୌମ୍ୟ ଓ ଅଚ୍ୟୁତ ଭବିଷ୍ୟତରେ ଦଳ ପାଇଁ ସଂପତ୍ତି ହେବେ ବୋଲି କହି ସେମାନଙ୍କୁ ସ୍ୱାଗତ କରିଥିଲେ ।
କେନ୍ଦ୍ରପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗଲ ତିନି ବର୍ଷରୁ ଉଦ୍ଧ୍ୱର୍ ସମୟ ହେଲା ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟତର ହେବା ସହ ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଓ ପ୍ରତ୍ୟକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କାର୍ତିକେୟନ ପାଂଡିଆନଙ୍କୁ ଖୋଲାଖୋଲି ସମାଲୋଚନା କରି ନବୀନ କୋପର ଶିକାର ହୋଇଛନ୍ତି । ତାଙ୍କୁ ଦଳରୁ ନିଲମ୍ବିତ କରାଯିବା ପରେ ତାଙ୍କ ପରିବାର ଦ୍ୱାରା ପରିଚାଳିତ ବୈଦ୍ୟୁତିକ ମିଡ଼ିଆ ରାଜ୍ୟ ସରକାରଙ୍କ ପ୍ରତି ବିମୁଖ ହୋଇ ପଡିଥିବା ବିଜେପୁର ବିଧାନସଭା ଉପ ନିର୍ବାଚନ ସମୟରେ ବିଜେଡ଼ି ନେତୃବୃନ୍ଦ ନିର୍ବାଚନ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ । ନବୀନ ମଧ୍ୟ ବୈଜୟନ୍ତ ମିଡ଼ିଆର ବିକଳ୍ପ ସଂଧାନରେ ଥିଲେ । ସୌମ୍ୟ ଓ ଅଚ୍ୟୁତଙ୍କ ବିଜେଡ଼ିରେ ଯୋଗଦାନ ସରକାରଙ୍କ ଏହି ସଂକଟର ସମାଧାନ କରିଛି । ଦୁଇ ମିଡ଼ିଆ ଅନୁଷ୍ଠାନ ମଧ୍ୟ ସରକାରଙ୍କ କୃପା ସହ ରାଜ୍ୟସଭାକୁ ରାସ୍ତା ପାଇଲେ ଛଅ ବର୍ଷ ପାଇଁ ସେମାନଙ୍କ ଭାଗ୍ୟ ଖୋଲି ଯିବ । ଓଡ଼ିଆ ଭାଷା ଜାଣି ନାହାନ୍ତି ବୋଲି ୧୮ ବର୍ଷ ହେଲା ସମାଲୋଚିତ ହେଉଥିବା ମୁଖ୍ୟମନ୍ତ୍ରୀ ଗୋଟି ରାଜ୍ୟସଭା ଟିକଟ ଦେଖାଇ ସମାଲୋଚକଙ୍କୁ ଆଣି ନିଜ ଦୁଆର ମୁହଁରେ ଠିଆ କରାଇବା ତାଙ୍କ ବୁଦ୍ଧିମତ୍ତାର ପରିଚୟ ଦେଉଛି ବୋଲି ନବୀନ -ବିରୋଧୀ ମାନେ ବି କହୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS