ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ଓ ବିକ୍ରମ କଂଗ୍ରେସ ଛାଡୁ ଥିବା ପ୍ରଚାର ମିଛ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୦୮ ମାର୍ଚ୍ଚ: ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଦଳ ଛାଡି ବିଜେଡ଼ିରେ ଯୋଗ ଦେଉ ଥିବା ନେଇ କିଛି ଦିନ ହେଲା ସାମାଜିକ ଗଣ ମାଧ୍ୟମରେ ବେଶ ପ୍ରଚାରଚାଲି ଥିଲା । ବୁଧବାର ଦିନ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ‘ନବୀନ ନିବାସ’ ଯାଇ ବିଜେଡ଼ିରେ ଯୋଗ ଦେବା ସମୟରେ କଂଗ୍ରେସ ନେତା ସାହୁ ବିଜେଡ଼ିରେ ଯୋଗ ଦେଉଛନ୍ତି କି(!) ବୋଲି ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯନ୍ତ ରାଜନେତାଙ୍କ ଆଡୁ ପ୍ରଶ୍ନ ହେବା ସହ ଜଶରିବା ପାଇଁ ଉତ୍ସୁକତା ଲକ୍ଷ୍ୟ କରାଯାଇଥିଲା । ସାହୁ ବିଜେଡ଼ିରେ ଯୋଗ ଦେଲେ ବ୍ରହ୍ମପୁର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରାଯିବାକୁ ବୁଝାମଣା ହୋଇଛି ବୋଲି ମଧ୍ୟ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ସବୁ ପ୍ରଚାର କରି ଥିଲେ । ତେବେ, ଏସବୁ ପ୍ରଚାରରେ ସତ୍ୟତା ନଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ ସ୍ପଷ୍ଟ କରିଛନ୍ତି । କଂଗ୍ରେସର ଭବିଷ୍ୟତକୁ ନେଇ ତାଙ୍କ ମନରେ ସନେ୍ଦହ ଥିଲେ ମଧ୍ୟ ସେ ଏବେ ଦଳ ଛାଡିବାକୁ ଚିନ୍ତା କରି ନାହାନ୍ତି, ଭବିଷ୍ୟତରେ କଣ ହେବ ତାହା ଏବେ କହିବା ସମ୍ଭବ ନୁହେଁ ବୋଲି ସାହୁ ‘ମୋ ଅନୁଭବ ମିଡ଼ିଆ’କୁ କହିଛନ୍ତି ।
ବ୍ରହ୍ମପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତାଙ୍କ ନେଇ ଲାଗି ରହିଥିବା ଉକ୍ରଣ୍ଠା ସଂପର୍କରେ ପ୍ରଶ୍ନ ହେବାରୁ ସେ ଏହା କହିଛନ୍ତି । ସୌମ୍ୟ ଓ ଅଚ୍ୟୁତ ସାମନ୍ତ ବୁଧବାର ସକାଳେ ଭିବନେଶ୍ୱର ‘ନବୀନ ନିବାସ’ରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ିରେ ଯୋଗ ଦେୁଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ ତାଙ୍କ ବ୍ରହ୍ମପୁର ବାସଭବନରେ ଥିଲେ । ଅପରାହ୍ନରେ ତାଙ୍କୁ ଯୋଗାଯୋଗ କରିବାରୁ ସାମାଜିକ ଗଣମାଧ୍ୟମର ପ୍ରଚାର ‘ଭିତ୍ତିହୀନ’ ବୋଲି ସେ କହିଥିଲେ । ସାହୁଙ୍କ ସହ ତାଙ୍କ ଘନିଷ୍ଟ ସହଯୋଗୀ କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡା ମଧ୍ୟ ବିଜେଡ଼ିରେ ଯୋଗ ଦେଉ ଥିବା ନେଇ ସାମାଜିକ ଗଣ ମାଧ୍ୟମରେ ଯେଉଁ ପ୍ରଚାର ଚାଲି ଥିଲା ତାହା ମଧ୍ୟ ଭିତ୍ତିହୀନ ବୋଲି ଜଣାପଡିଛି । ସାହୁଙ୍କ ଭଳି ବିକ୍ରମ ଏସବୁ ପ୍ରଚାର ଗୁଜବ କହି ଟାଳି ଦେଇଛନ୍ତି । ବୁଧବାର ବିକ୍ରମ ତାଙ୍କ ବ୍ରହ୍ମପୁରରେ ବାସଭବନରେ ଥିଲେ । ଗଞ୍ଜାମ ଜିଲ୍ଲାର ଏହି ଦୁଇ କଂଗ୍ରେସ ନେତାଙ୍କୁ ଛାଡି ଦେଲେ ଆଗ ଧାଡିର ଅଧିକାଂଶ କଂଗ୍ରେସ ନେତା ବହୁ ପୂର୍ବରୁ ବିଜେଡ଼ିରେ ଯୋଗ ଦେଇ ସାରିଛନ୍ତି । ବିଜେଡ଼ିକୁ ଯାଇ ଥିବା ନେତାମାନଙ୍କ ମଧ୍ୟରୁ କିଛି ଶାସକ ଦଳ ଦ୍ୱାରା ଉପଯୁକ୍ତ ଥଇଥାନ ହୋଇଥିବା ବେଳେ ଆଉ କିଛି ଥଇଥାନ ଅପେକ୍ଷାରେ ଅଛନ୍ତି । ଗତ ବର୍ଷ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ ଓ କଂଗ୍ରେସ ଯୁବ ନେତା ପଣ୍ଡା ବିଜେପିରେ ଯୋଗ ଦେଉଥିବା ନେଇ ଯୋରଦାର ପ୍ରଚାର ଚାଲି ଥିଲା । ତେବେ, ବାସ୍ତବରେ ସେଭଳି କିଛି ହୋଇ ନ ଥିଲା । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ହସ୍ତକ୍ଷେପ ଯୋଗୁ ଏହି ଦୁଇ ନେତା ବିଜେପିରେ ଯୋଗ ଦେବାରୁ କ୍ଷାନ୍ତ ରହିଥିଲେ ବୋଲି ସେତେବେଳେ ସଫେଇ ଦିଆ ଯାଇ ଥିଲା । ଠିକ୍ ଏକାଭଳି ପ୍ରଚାର ଏବେ ବିଜେଡ଼ିକୁ ନେଇ ହୋଇଛି, ଯାହାକୁ କି ଦୁହେଁ ‘ଉଡା ଖବର’ କହି ଗଣମାଧ୍ୟମର ପ୍ରଚାରକୁ ‘ମିଛ’ ସାବ୍ୟସ୍ତ କରିଛନ୍ତି ।
ବରିଷ୍ଠ କଂଗ୍ରେସ ନେତା ସାହୁ ବ୍ରହ୍ମପୁର ପୌରପାଳିକାର ନଗରପାଳ ଭାବେ ଦୀର୍ଘ ବର୍ଷ ଧରି ସହରବାସୀଙ୍କ ସେବା କରିବା ପରେ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚନ ଲଢି ଥିଲେ । ଲୋକସଭା ନିର୍ବାଚନରେ ସେ ବ୍ରହ୍ମପୁରରୁ ବିଜେପି ସାଂସଦ ଥିବା ପୂର୍ବତନ ଆଇପିଏସ ଅଧିକାରୀ ଅନାଦୀ ସାହୁଙ୍କୁ ୫୦ ହଜାରୁ ଅଧିକ ଭୋଟରେ ପରାଜିତ କରି ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ ସ୍ଥାନ ପାଇ ଥିଲେ । ତେବେ, ୨୦୦୯ ଲୋକସଭା ନିର୍ବାଚନରେ ସେ ବିଜେଡ଼ି ପ୍ରାର୍ଥୀ ଓଡ଼ିଆ ସିନେ ତାରକା ସିଦ୍ଧାନ୍ତ ମହାପାତ୍ରଙ୍କ ଠାରୁ ୫୦ ହଜାରରୁ ଅଧିକ ଭୋଟରେ ପରାଜିତ ହୋଇ ଆଉ ଜିତି ପାରି ନାହାନ୍ତି । ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ସେ ସିଦ୍ଧାନ୍ତଙ୍କ ଠାରୁ ପରାଜିତ ହୋଇଛନ୍ତି । ସେହିଭଳି, ଯୁବ ନେତା ବିକ୍ରମ ପଣ୍ଡା ବ୍ରହ୍ମପୁର ବିଧାୟକ ହେବା ପାଇଁ କଂଗ୍ରେସ ଟିକଟରେ ଚାରି ଥର ନିର୍ବାଚନ ଲଢି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତଥାପି, ନିର୍ବାଚନ ଜିତିବା ଆଶା ରଖି ବ୍ରହ୍ମପୁର ସହର ତଥା ଜିଲ୍ଲାରେ ଦଳର ସାଂଗଠିକ କାର୍ଯ୍ୟରେ ନିୟେଜିତ ରହିଛନ୍ତି । କଂଗ୍ରେସର ରାଜ୍ୟ ସଂଗଠନରେ ମଧ୍ୟ ସାହୁଙ୍କ ଭଳି ପଣ୍ଡାଙ୍କ ଯଥେଷ୍ଟ ପ୍ରଭାବ ଓ ଗୁରୁତ୍ୱ ରହିଛି ।
୧୮ ବର୍ଷ ହେଲା ରାଜ୍ୟରେ କଂଗ୍ରେସ ଦଳ କ୍ଷମତାରେ ନାହିଁ । ଦଳର ନେତୃତ୍ୱ ହାତେଇବାକୁ ନେଇ ବରିଷ୍ଠ କଂଗ୍ରେସ ନେତାଙ୍କ ମଧ୍ୟରେ ଛକାପଂଝା ଚରମ ସୀମାରେ ପହଂଚିଛି । ଏହା ଦଳକୁ ବିପର୍ଯ୍ୟୟ ଆଡକୁ ଟାଣି ନେଇଛି। ୨୦୧୭ ପଂଚାୟତ ନିର୍ବାଚନ ପର ଠାରୁ ରାଜ୍ୟରେ କଂଗ୍ରେସର ସ୍ଥାନ ବିଜେପି ପଛକୁ ଯାଇ ତୃତୀୟରେ ରହି ଥିବାରୁ ପୁରୁଣା କଂଗ୍ରେସ ନେତା ଓ କର୍ମୀ ମାନେ ବିବ୍ରତ । ଦଳର ଭବିଷ୍ୟତ ଅନ୍ଧକାର ଭାବି ଓ ଶାସକ ଦଳର ଚାକଚକ୍ୟରେ ଆକର୍ଷିତ ହୋଇ ଗଞ୍ଜାମ ଜିଲ୍ଲାର ବହୁ କଂଗ୍ରେସ ନେତା ବହୁ ପୂର୍ବରୁ ଦଳ ଛାଡିଛନ୍ତି । ସେହିଭଳି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ ଓ ଯୁବ ନେତା ପଣ୍ଡା ଦଳର ଭବିଷ୍ୟତକୁ ନେଇ ସନ୍ଦିହାନ ଥିବାରୁ ଦଳ ଛାଡିବେ ବୋଲି ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ପ୍ରଚାର ଚାଲିଛି । ତେବେ, ବିଜେଡ଼ିରେ ଯୋଗ ଦେଲେ ବି ସେମାନଙ୍କ ରାଜନୈତିକ ଭବିଷ୍ୟତ କଣ ହେବ (?), ସେମାନଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ବିଜେଡ଼ି ସାଂସଦ ସିଦ୍ଧାନ୍ତ ମହାପତ୍ର ୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ଲୋକସଭା ଆସନରୁ ନିର୍ବାଚିତ ହୋଇ କୁଣ୍ଡଳି ପକଇ ବସି ଥିବା ବେଳେ ବ୍ରହ୍ମପୁର ବଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୧୯୯୫ରୁ ଲଗାତର ଭାବେ ବିଧାନସଭାକୁ ନିର୍ବାଚିତ ହୋଇ ନିଜ ସ୍ଥାନ ପକ୍କା କରି ନେଇଛନ୍ତି । ୨୦୧୯ ନିର୍ବାଚନରେ ମଧ୍ୟ ସେମାନେ ଶାସକ ଦଳ ପ୍ରାର୍ଥୀ ହେବା ନିଶ୍ଚିତ ଥିବାରୁ ସାହୁ ଓ ପଣ୍ଡା ଦଳ ଡ଼ିଆଁ କଲେ ବି ତାହାର କି ମୂଲ୍ୟ ପାଇବ? ଏହି ଅଙ୍କକଷା ଦୁଇ ନେତାଙ୍କୁ ଦଳ ଡ଼ିଆଁରୁ ଦୂରେଇ ରଖିଥିବା ଅନୁମାନ କରାଯାଉଛି । ତେବେ, ସେ କଂଗ୍ରେସ ନ ଛାଡିଲେ ବି ୨୦୧୯ ନିର୍ବାଚନରେ ବ୍ରହ୍ମପର ଲୋକସଭା ଆସନରୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସାହୁ କହିଛନ୍ତି । ତାଙ୍କ କହିବା ଅନୁସାରେ, ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ସାତଟି ବିଧାନସଭା କ୍ଷେତ୍ର ମଧ୍ୟରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଓ ମୋହନା କ୍ଷେତ୍ର ଛଡା ଅନ୍ୟ ପାଂଚଟି ବିଧାନସଭା କ୍ଷେତ୍ର – ବ୍ରହ୍ମପୁର, ଗୋପାଳପୁର, ଚିକିଟି, ଦିଗପହଣ୍ଡି ଓ ଛତ୍ରପୁର ବିଜେଡ଼ି ନିୟନ୍ତ୍ରଣରେ ରହିଛି । କେବଳ ପାରଳା ଓ ମୋହନାରୁ କଂଗ୍ରେସ କିଛି ଅଧିକ ଭୋଟ ପାଇବା ଆଶା ଥିଲେ ବି କଂଗ୍ରେସ ପାଇଁ ଏହି ଲୋକସଭା ଆସନରୁ ଜିତିବା ସମ୍ଭାବନା କମ୍ । ହାରିବା ପାଇଁ ପ୍ରାର୍ଥୀ ହେବା ଅପେକ୍ଷା ନିର୍ବାଚନ ନ ଲଢିବା ଉଚିତ ନିଷ୍ପତ୍ତି ହେବ ବୋଲି ସାହୁ କହିଛନ୍ତି । ଏକଦା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ ମନରେ ସୃଷ୍ଟି ହୋଇଥିବା ଏଭଳି ନିରାଶାଭାବ ଓଡ଼ିଶାରେ କଂଗ୍ରେସର ବାସ୍ତବ ସ୍ଥିତିକୁ ଉଜାଗର କରୁଛି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS