ତେଲୁଗୁ ଦେଶମର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଜବାବରେ ବିଜେପି ରାଜ୍ୟ ମନ୍ତ୍ରୀ ପରିଷଦରୁ ଦୁଇ ମନ୍ତ୍ରୀଙ୍କୁ ହଟାଇ ନେଲା, ଏନଡ଼ିଏରେ ସଂକଟ ଅଧିକ ଘନୀଭୂତ
ହାଇଦ୍ରାବାଦ, ୦9 ମାର୍ଚ୍ଚ: ଆନ୍ଧ୍ର ପ୍ରଦେଶକୁ ଅଧିକ କେନ୍ଦ୍ରୀୟ ଅନୁଦାନ ଦେବା ସମ୍ଭବ ନୁହେଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରି ଦେବା ପରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ର ଅଂଶୀଦାର ଥିବା ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ସଂପର୍କ ଅଧିକ ତୀକ୍ତ ହୋଇଛି । ଟିଡ଼ିପି ଜାତୀୟ ଗଣତାନ୍ତ୍ରିକ ମେଂଟ ସହ ସଂପର୍କ ତୁଟାଇ ନ ଥିଲେ ମଧ୍ୟ ସଂପର୍କ ତୁଟିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜେଟଲୀଙ୍କ ବୟାନ ପରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଥିବା ଟିଡ଼ିପିର ଦୁଇ ଜଣ ବରିଷ୍ଠ ସାଂସଦ ଅଶୋକ ଗଜପତି ରାଜୁ ଓ ୱାଇ.ଏସ. ଚୌଧୁରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ବେଳେ ବିଜେପି ମଧ୍ୟ ଆନ୍ଧ୍ରରେ ଟିଡ଼ିପି ନେତୃତ୍ୱାଧୀନ ସରକାରରେ ଥିବା ବିଜେପିର ଦୁଇ ଜଣ ମନ୍ତ୍ରୀ କାମିନେନି ଶ୍ରୀନିବାସ (ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ) ଓ ପି. ମାଣିକ୍ୟାଲା ରାଓ (ଦେବୋତ୍ତର ମନ୍ତ୍ରୀ)ଙ୍କୁ ରାଜ୍ୟ ମନ୍ତ୍ରୀ ପରିଷଦରୁ ପ୍ରତ୍ୟାହାର କରି ନେଇଛି । ଦୁଇ ରାଜନୈତିକ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି । ତେବେ, ଏହି ଆଲୋଚନା ବିଶେଷ ଫଳପ୍ରଦ ହୋଇ ନଥିବା ପ୍ରକାଶ ।
ଆନ୍ଧ୍ର ପ୍ରଦେଶକୁ ଦୁଇ ଭାଗ କରାଯାଇ କରାଯାଇ ନୂତନ ତେଲେଙ୍ଗାନା ରାଜ୍ୟ ଗଠନ କରାଯିବା ସମୟରେ କେନ୍ଦ୍ର ସରକାର ବିଖଣ୍ଡିତ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ଅଧିକ ଆର୍ଥିକ ଅନୁଦାନ ଦେବାକୁ ମଧ୍ୟ ଘୋଷଣା କରିଥିଲେ । ତେବେ, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାରରେ ତେଲୁଗୁ ଦେଶମ ଦଳ ଅଂଶୀଦାର ଥାଇ ସୁଦ୍ଧା କେନ୍ଦ୍ର ସରକାର ଏହି ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି । ଏହାକୁ ନେଇ ବିଜେପି ଓ ତେଲୁଗୁ ଦେଶମ ପାର୍ଟି ମଧ୍ୟରେ ତୀକ୍ତତା ବଢି ଚାଲିଛି । ନିକଟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଜେଟଲୀଙ୍କ ପକ୍ଷରୁ ପାର୍ଲାମେଂଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟରେ ଆନ୍ଧ୍ର ପ୍ରଦେଶକୁ ଯେତିକି ପରିମାଣ ଅନୁଦାନ ଦେବାର ବ୍ୟବସ୍ଥା ହୋଇଛି ତାହା ପର୍ଯ୍ୟାପ୍ତ ନୁହେଁ ବୋଲି କହି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରତିଶ୍ରୁତି ମୁତାବକ ରାଜ୍ୟକୁ ଅଧିକ ଅନୁଦାନ ଦେବା ବ୍ୟବସ୍ଥା ନ ହେଲେ ତାଙ୍କ ଦଳ (ଟିଡ଼ିପି) ଜାତୀୟ ଗଣତାନ୍ତ୍ରିକ ମେଂଟରୁ ଓହରି ଯିବାକୁ ବାଧ୍ୟ ହେବ ବୋଲି ସେ କେନ୍ଦ୍ରକୁ ଚେତାବନୀ ଦେଇଥିଲେ । ବୁଧବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲୀ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ରାଜନୈତିକ ବାଧ୍ୟବାଧକତାରେ କୌଣସି ରାଜ୍ୟକୁ ଅଧିକ ଆର୍ଥିକ ଅନୁଦାନ ଦେବା ସମ୍ଭବ ନୁହେଁ ବୋଲି କହିଥିଲେ । ଏହାଛଡା, ଚତୁର୍ଦ୍ଦଶ ଅର୍ଥ କମିସନ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ବ୍ୟବସ୍ଥାକୁ ଉଚ୍ଛେଦ କରି ଥିବାରୁ ଆନ୍ଧ୍ର ପ୍ରଦେଶକୁ ଏହି ମାନ୍ୟତା ଦେବା ସାମ୍ବିଧାନିକ ଦୃଷ୍ଟିରୁ ସମ୍ଭବ ହେବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରି ଦେଇଥିଲେ । ଜେଟଲୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଥିବା ଟିଡ଼ିପିର ଦୁଇ ଜଣ ବରିଷ୍ଠ ସାଂସଦ ଅଶୋକ ଗଜପତି ରାଜୁ ଓ ୱାଇ.ଏସ. ଚୌଧୁରୀଙ୍କୁ ମନ୍ତ୍ରୀ ପରିଷଦରୁ ପ୍ରତ୍ୟାହର କରି ନେବାକୁ ନିଷ୍ପତ୍ତି ନେଇ ଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ ଟିଡ଼ିପିର ଦୁଇ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବା ପରେ ରାଜ୍ୟ ମନ୍ତ୍ରୀ ପରିଷଦରେ ୨୦୧୪ରୁ କ୍ୟାବିନେଟ ପାହ୍ୟାରେ ଥିବା ବିଜେପିର ଦୁଇ ମନ୍ତ୍ରୀଙ୍କୁ ଦଳ ପ୍ରତ୍ୟାହାର କରି ନେଇଛି । ଫଳରେ, ଟିଡ଼ିପି ଓ ବିଜିପି ମଧ୍ୟରେ ସଂପର୍କ ଅଧିକ ଜଟିଳ ହେବା ସହ ଏନଡ଼ିଏ ବିଭାଜନ ମୁହାଁ ହୋଇଛି ।
ଟିଡ଼ିପି ଏଯାବତ୍ ଏନଡ଼ିଏରୁ ଓହରି ନାହିଁ । ତେବେ, ଦଳ ଏନଡ଼ିଏରୁ ଓହରିବାକୁ ଚାହିଁଲେ ବିଜେପି ନିକଟରେ ଅନ୍ୟ ବିକଳ୍ପ ଯୋଜନା ରହିଛି ବୋଲି ବିଜେପିର ଜଣେ ମୁଖପାତ୍ର ହାଇଦ୍ରାବାଦ ଠାରେ ମନ୍ତବ୍ୟ ଦେବା ବିଜେପିର ମତିଗତିକୁ ସ୍ପଷ୍ଟ କରୁଛି । ବିଜେପି ପୁରାଦମ୍ରେ ଲଢେଇ କରିବା ମୁଡ୍ ରେ ଥିବା ଏଥିରୁ ଜଣାପଡୁଛି । ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ଏନଡ଼ିଏରୁ ଓହରି ନ ଯାଇ ଆଲୋଚନା ପାଇଁ ବାଟ ରଖିଛନ୍ତି । ତେବେ, ରାଜ୍ୟରେ ବିଜେପି ଟିଡ଼ିପି ପ୍ରତି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି ବୋଲି ବିଜେପି ଆଡୁ ସୂଚନା ମିଳିଛି । ଅପରପକ୍ଷରେ, ଦୁଇ ଦଳ ମଧ୍ୟରେ ବର୍ତମାନ ଯେଉଁ ଆକ୍ରମାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ତାହାଦ୍ୱାରା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ଆନ୍ଧ୍ରରେ କାର୍ଯ୍ୟକାରୀ ହେଉ ଥିବା ବିଭିନ୍ନ ପ୍ରକଳ୍ପକୁ କ୍ଲିୟରାନ୍ସ ଓ ପାଂଠି ଦେବାରେ ହଇରାଣ ହରକତ କରିପାରନ୍ତି ବୋଲି ତେଲୁଗୁ ଦେଶମ ପାର୍ଟି ନେତାମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତେବେ, ଆନ୍ଧ୍ର ପ୍ରଦେଶର ଜଣେ ରାଜନୈତିକ ସମୀକ୍ଷକଙ୍କ ମତରେ ଟିଡ଼ିପି – ବିଜେପି ବିବାଦ ପଛରେ କେବଳ ଅଧିକ ଆର୍ଥିକ ଅନୁଦାନ ଦାବି ନୁହେଁ, ଅନ୍ୟ ରାଜନୈତିକ କାରଣ ମଧ୍ୟ ରହିଛି । ଟିଡ଼ିପି ରାଜ୍ୟ ବିଧାନସଭା ପୁନର୍ଗଠନ କରାଯାଇ ବିଧାନସଭା ଆସନ ସଂଖ୍ୟା (ବର୍ତମାନ ୧୭୫ ରହିଛି) ବୃଦ୍ଧି କରାଯିବାକୁ ଚାହୁଁଛି । କାରଣ, ବିଜେପି ସହ ଦଳର ମେଂଟ ରହିଲେ ନିର୍ବାଚନ ସମୟରେ ଏଥର ବିଜେପି ଅଧିକ ସଂଖ୍ୟକ ଆସନ ଦାବି କରିବ । ୨୦୧୪ ନିର୍ବାଚନରେ ବିଜେପିକୁ ଟିଡ଼ିପି ୧୨ଟି ଆସନ ଛାଡି ଥିଲା । ମେଂଟରେ ଆସନ ବୁଝାମଣା ସମୟରେ ଟିଡ଼ିପି ମୂଲଚାଲ କରିବା ସ୍ଥିତିରେ ରହିବାକୁ ଚାହୁଁ ଥିବାରୁ ଏଭଳି ଏକ ନାଟକୀୟ ପରିସ୍ଥିତି ସୃଷ୍ଟି କରିଛି । ଚତୁର୍ଦ୍ଦଶ ଅର୍ଥ କମିସନ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଷ୍ଟାଟସ୍ ଉଚ୍ଛେଦ କରି ଦେଇଥିବା ଦୁଇ ଦଳ ଜାଣି ସୁଦ୍ଧା ଏହାକୁ ନେଇ ନାଟକବାଜୀ ଚଳାଇଛନ୍ତିି ବୋଲି ସେ କହିଛନ୍ତି ।
୨୦୧୪ରେ ଆନ୍ଧ୍ର ପ୍ରଦେଶକୁ ବିଭାଜନ କରାଯିବା ସମୟରେ କେନ୍ଦ୍ର ସରକାର ରାଜ୍ୟକୁ ଯେଉଁ ପରିମାଣର ଆର୍ଥିିକ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ ତାହା ପୂର୍ବ ବଜେଟ ଗୁଡ଼ିକରେ ମିଳି ନାହିଁ । ୨୦୧୮ ବଜେଟରେ ମଧ୍ୟ ରାଜ୍ୟକୁ ଅବହେଳା କରାଯାଇଥିବା ଟିଡ଼ିପି ଏମପିମାନେ ଅଭିଯୋଗ କରିବା ସହ ୨୦୧୪ରେ ଦିଆ ଯାଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରାଯିବାକୁ ଦାବି କରିଛନ୍ତି । ମାର୍ଚ୍ଚ ୫ ତାରିଖ ସୁଦ୍ଧା ସବୁ ଦାବି ପୂରଣ କରାଯିବାକୁ ବିଜେପିକୁ ସମୟ ଦିଆ ଯାଇଥିଲା । ସେହିପରି, ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଓ ଅଧିକ କେନ୍ଦ୍ରୀୟ ସହାୟତା ଦାବି କରି ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛି । ଦାବି ପୁରଣ ନ ହେଲେ ଦଳର ୫ ଜଣ ଯାକ ଏମପି ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଦଳ ଚେତାବନୀ ଦେଇଛି । ରାଜ୍ୟ ରାଜନୀତିର ଏଭଳି ବାଧ୍ୟବାଧକତା ଟିଡ଼ିପି ମୁଖ୍ୟଙ୍କୁ ଚାପରେ ରଖିଛି । ତେଣୁ, ବିଜେପି ପ୍ରତିଶ୍ରୁତି ରକ୍ଷା କରିବାକୁ ମନା କରିବା ଦୁଇ ଦଳ ମଧ୍ୟରେ ସଂକଟର ମୁଖ୍ୟ କାରଣ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS