ପତ୍ନୀଙ୍କ ପାଇଁ ଅଡୁଆରେ ଦେଶର ଦୁଇ ଜଣ ସେଲିବ୍ରିଟି – ମହମ୍ମଦ ସମ୍ମି ଓ ନୱାଜୁଦ୍ଦିନ ସିଦ୍ଦିକି
ମୁମ୍ବାଇ/ କୋଲକାତା, ୧୦ ମାର୍ଚ୍ଚ : ନିଜ ନିଜ ପତ୍ନୀଙ୍କ ପାଇଁ ଅଡୁଆରେ ପଡିଛନ୍ତି ଦେଶର ଦୁଇ ଜଣ ସେଲିବ୍ରିଟି । ଜଣେ ହେଲେ ଭାରତୀୟ କ୍ରିକେଟ୍ ର ପେସ୍ ବୋଲର୍ ମହମ୍ମଦ ସମ୍ମି ଏବଂ ଅନ୍ୟ ଜଣକ ହେଉଛନ୍ତି ପ୍ରଖ୍ୟାତ ବଲିଉଡ୍ ତାରକା ନୱାଜୁଦ୍ଦିନ ସିଦ୍ଦିକି । କ୍ରିକେଟ୍ ତାରକା ମହମ୍ମଦ ସମ୍ମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ ଜାହାନଙ୍କ ପକ୍ଷରୁ ଅଭିଯୋଗ ହେଉଛି । ସମ୍ମି ଲାହୋରର ଜଣେ ଯୁବତୀଙ୍କ ସହ ଅବୈଧ ସଂପର୍କ ରଖି ଥିବା, ତାଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିବା ଏବଂ ପତ୍ନୀ ହସିନ ଜାହାନଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା କୋଲକାତା ପୁଲିସ ନିକଟରେ ହସିନ ଅଭିଯୋଗ କରିଛନ୍ତି । ଭାରତୀୟ ପେସ୍ ବୋଲର୍ ସମ୍ମି ତାଙ୍କ ପତ୍ନୀଙ୍କୁ ଖାଦ୍ୟରେ ବିଷ ଦେଇ ଓ ମାଡ଼ ମାରି ହତ୍ୟା ଉଦ୍ୟମ କରିବା ଅଭିଯୋଗ ମଧ୍ୟ ହାସିନଙ୍କ ପକ୍ଷରୁ ହୋଇଛି । ସମ୍ମିଙ୍କ ବଡ ଭାଇଙ୍କ ବିରୋଧରେ ପୋଲିସ ନିକଟରେ ଦୁଷ୍କର୍ମ ମାମଲା ମଧ୍ୟ କରାଯାଇଥିବା ସୂଚନା ମିଳିଛି । ପୁଲିସ ଏସବୁ ଅଭିଯୋଗ ଭିତ୍ତିରେ ସମ୍ମିଙ୍କ ବିରୋଧରେ ସାତଟି ଦଫା ଲାଗିଛନ୍ତି । ଆଇପିସିର ୪୯୮ ‘କ’, ୩୨୩, ୩୦୭, ୩୭୬, ୫୦୬, ୩୨୮, ୩୪ ଦଫରେ କଲିକତା ପୁଲିସ ମାମଲଲା ରୁଜୁ କରିଥିବା ପ୍ରକାଶ । ଏହାଦ୍ୱାରା ଭାରତର ଏହି ଫାଷ୍ଟ୍ ବୋଲର୍ ଅଡୁଆରେ ପଡିଛନ୍ତି । ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ ତାଙ୍କୁ ୨୬ ସଦସ୍ୟ ବିଶିଷ୍ଟ ବାର୍ଷିକ କଂଟ୍ରାକ୍ଟ୍ ବ୍ୟବସ୍ଥାରୁ ବାଦ୍ ଦେଇଛି । ସମ୍ମି ତାଙ୍କ ପତ୍ନୀଙ୍କ ଅଭିଯୋଗକୁ ଅସ୍ୱୀକାର କରିଥିଲେ ମଧ୍ୟ ପୁଲିସ ମାମଲା ରୁଜୁ କରି ସାରିଛି ।
ସେହିପରି, ବଲିଉଡ୍ ଚିତ୍ର ତାରକା ନୱାଜୁଦ୍ଦିନ ସିଦ୍ଦିକି ଏକ ସିଡ଼ିଆର (କଲ୍ ଡ଼ିଟେଲ ରେକର୍ଡ଼) ମାମଲାରେ ଛନ୍ଦି ହୋଇ ଶୁକ୍ରବାର ମହାରାଷ୍ଟ୍ରର ଥାନେ ପୁଲିସ ଦ୍ୱାରା ଜେରା ପାଇଁ ଡ଼କା ହୋଇଛନ୍ତି । ଗତ ଜାନୁୟାରୀ ମାସରେ ଏହି ସିଡ଼ିଆର ସ୍କାମ୍ ପଦାରେ ପଡି ଥିଲା । ପୁଲିସ ସିଡ଼ିଆର ସ୍କାମ୍ରେ ସଂପୃକ୍ତ ତିନି ଜଣଙ୍କୁ ଧରି ଜେରା କଲା ବେଳେ ବଲିଉଡ୍ ତାରକା ନୱାଜୁଦ୍ଦିନ ତାଙ୍କ ପତ୍ନୀଙ୍କ ପଛରେ ଘରୋଇ ଗୁଇନ୍ଦାଙ୍କୁ ଲଗାଇ ସିଡ଼ିଆର ସଂଗ୍ରହ କରୁଥିବା ତଥ୍ୟ ପଦାକୁ ଆସିଥିଲା । ଥାନେ ପୁଲିସ ଫିଲ୍ମ ଷ୍ଟାର ନୱାଜୁଦ୍ଦିନ, ତାଙ୍କ ପତ୍ନୀ ଓ ଓକିଲଙ୍କୁ ଏହି ମାମଲାର ଜେରା ପାଇଁ ଥାନାକୁ ଡ଼କାଇ ଥିବା କହିଛନ୍ତି । ଥାନେ ପୁଲିସର ଡ଼ିସିପି (କ୍ରାଇମ୍) ଅଭିଷେକ ତ୍ରିମୁଖି ଖବରଦାତାଙ୍କୁ କହିଛନ୍ତି ଯେ, ଜଣେ ଓକିଲ ଅଭିନେତା ନୱାଜୁଦ୍ଧିନଙ୍କ ପାଇଁ ଘରୋଇ ଗୁଇନ୍ଦାଙ୍କୁ ମାଧ୍ୟମରେ ନୱାଜଙ୍କ ପତ୍ନୀଙ୍କ ସିଡ଼ିଆର ସଂଗ୍ରହ କରୁଥିଲେ । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତ ଜେରା ବେଳେ ଏହା ସ୍ୱୀକାର କରିବା ପରେ ନୱାଜ, ତାଙ୍କ ପତ୍ନୀ ଓ ନୱାଜଙ୍କ ଓକିଲଙ୍କୁ ପଚରାଉଚୁରା ପାଇଁ ଡ଼କାଯାଇଛି । ସିଡ଼ିଆର ସ୍କାମରେ ଗିରଫ ତିନି ଅଭିଯୁକ୍ତ ହେଲେ – ପ୍ରସାଦ ପାଲେକର, ଆଜିଙ୍କ୍ୟ ନାଗାରଜୋଜେ ଓ ଜିଗର ମାକୱାନା। ନୱାଜ ତାଙ୍କ ପତ୍ନୀଙ୍କ ବିରୋଧରେ କାହିଁକି ଗୁଇନ୍ଦାଗିରି କରାଉ ଥିଲେ ଜଣା ପଡିନାହିଁ । ତାହା ଜାଣିବା ପାଇଁ ହିଁ ପୁଲିସ ସେମାନଙ୍କୁ ଥାନାକୁ ଡକାଇଛି ବୋଲି ଡ଼ିସିବି ତ୍ରିମୁଖୀ କହିଛନ୍ତି । ମିଳିଥିବା ସୂଚନା ଭିତ୍ତିରେ ଥାନେ ଜିଲ୍ଲା କାଲୱାରୁ ୪ ଜଣ ଘରୋଇ ଗୁଇନ୍ଦାଙ୍କୁ ପୁଲିସ ଗିରଫ କରିବା ପରେ ଗତ ଜାନୁୟାରୀ ୨୪ ତାରିଖରେ ଏହି ସିଡ଼ିଆର ସ୍କାମ୍ ପଦାକୁ ଆସି ଥିଲା । ସେମାନଙ୍କୁ ଜେରା ବେଳେ ଜଣେ ପ୍ରଖ୍ୟାତ ମହିଳା ଗୁଇନ୍ଦା ରଜନୀ ପଣ୍ଡିତ ନାମ ମଧ୍ୟ ପଦାକୁ ଆସିଛି । ପରେ ତାଙ୍କୁ ଗିରଫ କରା ଯାଇଛି । ଏହି ମାମଲାରେ ମୋଟ ୧୧ ଜଣ ଗିରଫ ହେଲେଣି । ବେନିୟମ ଭାବେ ଘରୋଇ ବ୍ୟକ୍ତିଙ୍କ କଲ୍ ଡିଟେଲ୍ ରେକର୍ଡ ସଂଗ୍ରହ କରି ବିକୁ ଥିବା ଅଭିଯୋଗରେ ସେମାନେ ସମସ୍ତେ ଗିରଫ ହୋଇଛନ୍ତି । ବଲିଉଡ୍ ତାରକା ନୱାଜୁଦ୍ଧିନ ଏହି ମାମଲାରେ ଛନ୍ଦି ହୋଇ ଥିବାରୁ ଗିରଫ ଆଶଙ୍କାକୁ ଏଡାଇ ଦିଆ ଯଇ ନ ପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS