ନିଃସର୍ତ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ ଦାବି, ମୁମ୍ବାଇରେ ମହାରାଷ୍ଟ୍ର ଚାଷିଙ୍କ ଧମାକା
ନୂଆଦିଲ୍ଲୀ, ୧୨ ମାର୍ଚ୍ଚ: ନିଃସର୍ତ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ ସମେତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରି ମହାରାଷ୍ଟ୍ରର ଚାଷିମାନେ ସୋମବାର ଦିନ ମୁମ୍ବାଇରେ ବିରାଟ ସମାବେଶ କରିଛନ୍ତି । ରାଜ୍ୟର ବିଭିନ୍ନ ଅଂଚଳରୁ ହଜାର ହଜାର ଚାଷି ଆସି ମୁମ୍ବାଇରେ ପହଂଚିବା ପରେ ମହାରାଷ୍ଟ୍ର ବିଧାନ ସଭା ଘେରିବାର ଉପକ୍ରମ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅନୁକୂଳ ଅଭିମୁଖ୍ୟ ପ୍ରଦର୍ଶନ କରି ଚାଷି ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ସୂଚନା ମିଳିଛି । ସରକାର ଚାଷିଙ୍କ ଦାବିଗୁଡିକ ଉପରେ ବିଚାର କରିବା ସକାଶେ ଏକ ଛଅ ଜଣିଆ କ୍ୟାବିନେଟ କମିଟି ଗଠନ କରିଛନ୍ତି । ସହାନୁଭୂତିର ସହ ଚାଷିଙ୍କ ଦାବି ଉପରେ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଅସ୍ୱାଭାବିକ ପାଣିପାଗ ଏବଂ ସ୍ୱଳ୍ପ ବୃଷ୍ଟି ଯୋଗୁ ରାଜ୍ୟରେ ବ୍ୟାପକ ଫସଲହାନୀ ଘଟିବା ସହ ଚାଷିମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ୨୦୦୮ ମସିହାରେ ନେଇ ଥିବା ଋଣ ପରିଶୋଧ କରି ନ ପାରି କେତେକ ଚାଷି ଆତ୍ମହତ୍ୟା କରିଥିବା ଜଣାପଡିଛି । ରାଜ୍ୟ ସରକାର କୃଷି ଋଣ ଛାଡ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଚାଷିମାନେ ଅଭିଯୋଗ କରିଛନ୍ତି । ରାଜ୍ୟର ପ୍ରତି ପରିବାରରୁ ଜଣେ ଲେଖାଏଁ ସଦସ୍ୟ ସୋମବରର ବିରାଟ ଚାଷି ସମାବେଶରେ ଭାଗ ନେଇଥିବା ସୂଚନା ମିଳିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ମୁମ୍ବାଇରୁ ହଟିବେ ନାହିଁ ବୋଲି ବିକ୍ଷୋଭକାରୀ ଚାଷିମାନେ ଘୋଷଣା କରିଛନ୍ତି ।
ସିପିଆଇ (ଏମ) ନେତୃତ୍ୱାଧୀନ ଅଖିଳ ଭାରତ କିଶାନ ସଭା ନେତୃତ୍ୱରେ ଏହି ଚାଷିମାନେ ମଙ୍ଗଳବାର ଦିନ ନାସିକରୁ ପଦଯାତ୍ରା ଆରମ୍ଭ କରି ପାଂଚ ଦିନ ପରେ ୧୮୦ କିମି ଦୂର ମୁମ୍ବାଇରେ ପହଂଚିବା ସହ ମହାରାଷ୍ଟ୍ର ବିଧାନସଭା ଘେରାଉ କରିବା ସକାଶେ ସୋମବାର ସକାଳେ ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନ ଠାରେ ଏକାଠି ହୋଇ ଥିଲେ । କୃଷି ଋଣ ଓ ବିଦ୍ୟୁତ ବିଲ୍ ଛାଡ ସହ ସ୍ୱାମୀନାଥନ କମିସନଙ୍କ ସୁପାରିଶ କାର୍ଯ୍ୟକାରୀ କରାଯିବା, ସବୁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯିବା ଏବଂ ଚାଷିଙ୍କ ପାଇଁ ଏକ ପେନସନ୍ ସ୍କିମ୍ ଘୋଷଣା ସେମାନଙ୍କ ମୁଖ୍ୟ ଦାବି ରହିଛି । ସୋମବାର ସକାଳେ ସହରବାସୀଙ୍କ ଯାତାୟତ, ବିଶେଷକରି ବିଭିନ୍ନ ସ୍କୁଲ କଲେଜରେ ବୋର୍ଡ ପରୀକ୍ଷା ଚାଲି ଥିବାରୁ ପରୀକ୍ଷା କେନ୍ଦ୍ରରେ ପହଂଚିବାରେ ଛାତ୍ରଛାତ୍ରୀଙ୍କ ଯେପରି ଅସୁବିଧା ନ ହେବ ତାହା ନଜରରେ ରଖି ଚାଷିମାନେ ରାତାରାତି ପଦଯାତ୍ରାରେ ଆସି ରବିବାର ମୁମ୍ବାଇରେ ପହଂଚିବା ପରେ ସୋମବାର ସକାଳ ୭ଟା ସୁଦ୍ଧା ଆଜାଦ ମଇଦାନରେ ଏକାଠି ହୋଇଥିଲେ । ଆନେ୍ଦାଳନରେ ଭାଗ ନେଇ ଥିବା ଚାଷିଙ୍କ ଏଭଳି ଆଭିମୁଖ୍ୟ ମୁମ୍ବାଇବାସୀଙ୍କୁ ଅଭିଭୂତ କରିଛି । ବିଭିନ୍ନ ସ୍ଥାନରେ ଚାଷିଙ୍କ ଶୋଭାଯାତ୍ରା ଉପରେ ପୁଷ୍ପବୃଷ୍ଟି କରିଯିବା ସହ ମୁମ୍ବାଇବାସୀଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସହାୟତା ଯୋଗାି ଦିଆ ଯାଇଥିବା ଜଣାପଡିଛି । ସିପିଆଇ (ଏମ ) ନେତୃତ୍ୱାଧୀନ ଏହି ଚାଷି ସଂଗଠନ ସମେତ ଅନ୍ୟାନ୍ୟ ଚାଷି ସଂଗଠନ ମଧ୍ୟ ସୋମବାରର ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ଅଂଚଳରୁ ପ୍ରାୟ ୧୫ ହଜାର ଚାଷି ଏଥିରେ ଭାଗ ନେଇଥିବା ସରକାରୀ ଭାବେ କୁହାଯାଇଥିଲେ ମଧ୍ୟ ସଂଖ୍ୟା ୩୫ ହଜାରରୁ ଅଧିକ ହେବ ବୋଲି ବେସରକାରୀ ଭାବେ ଆକଳନ କରାଯାଇଛି ।
ମହାରାଷ୍ଟ୍ର ବିଧାନସଭା ଘେରିବା ପାଇଁ ହଜାର ହଜାର ସଂଖ୍ୟାରେ ଚାଷି ମୁମ୍ବାଇରେ ଏକାଠି ହୋଇଥିବା ଦେଖି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଚାଷିଙ୍କ ଦାବି ଉପରେ ଆଲୋଚନା କରିଥିଲେ । ଚାଷିଙ୍କ ଦାବି ପ୍ରତି ସରକାର ସହାନୁଭୂତିଶୀଳ । ଦାବି ଗୁଡିକ ଉପରେ ଆଲୋଚାନ ପାଇଁ ଏକ ଛଅ ଜଣିଆ କ୍ୟାବିନେଟ କମିଟି ଗଠନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନସିପି ନେତା ଶରଦ ପାୱାର, ରାଜ୍ୟ କଂଗ୍ରେସ ସଭାପତି ଅଶୋକ ଚଭନ, ଶିବ ସେନା ନେତା ଆଦିତ୍ୟ ଠାକରେ, ଏମଏନଏସ ମୁଖ୍ୟ ରାଜ ଠାକରେ ପ୍ରମୁଖ ଆନେ୍ଦାଳନକାରୀ ଚାଷିଙ୍କ ଦାବି ପ୍ରତି ସମର୍ଥନ ଜଣାଇଛନ୍ତି । ବର୍ତମାନ ବାହାରୁ ସମର୍ଥନ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ପ୍ରତିବାଦରେ ସିଧାସଳଖ ଭାଗ ନେବେ ବୋଲି ଘୋଷଣା କରିଛନ୍ତି । ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଦଳମତରୁ ଉଦ୍ଧ୍ୱର୍ରେ ରହି ଚାଷିଙ୍କ ଯଥାର୍ଥ ଦାବି ଗୁଡ଼ିକୁ ପୂରଣ କରିବାକୁ ନିବେଦନ କରିଛନ୍ତି । ଚାଷିଙ୍କୁ ସେମାନଙ୍କ ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା ସହ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ ଦାବିରେ ମହାରାଷ୍ଟ୍ର ଚାଷିଙ୍କ ଏହି ଅଭିନବ ପଦଯାତ୍ର ଓ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ହେବା ଆଶା କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS