ମହାନଦୀ ଜଳ ବିବାଦ: ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଟ୍ରିବ୍ୟୁନାଲ ଗଠିତ
ନୂଆଦିଲ୍ଲୀ, ୧୩ ମାର୍ଚ୍ଚ: ଓଡ଼ିଶା- ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ସଂପର୍କୀତ ବିଜ୍ଞପ୍ତି ସୋମବାର ପ୍ରକାଶ ପାଇଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟ୍ରିବ୍ୟୁନାଲରେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଇନ୍ଦରମିତ କାଉର କୋଚର ସଦସ୍ୟ ରହିଛନ୍ତି । ନୂଆଦିଲ୍ଲୀରେ ଟ୍ରିବ୍ୟୁନାଲର ମୁଖ୍ୟ କାର୍ଯ୍ୟାଳୟ ରହିବ ବୋଲି ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି ।
ଦୁଇ ରାଜ୍ୟ ମଧ୍ୟରେ ଦୀର୍ଘ ବର୍ଷ ଧରି ରହି ଥିବା ଏହି ଜଳ ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଜଳ ସଂପଦ ମନ୍ତ୍ରଣାଳୟର ପକ୍ଷରୁ ୨୦୧୬ରେ ଉଦ୍ୟମ ହୋଇ ଥିଲେ ମଧ୍ୟ ତାହା ବିଫଳ ହେବାରୁ ଓଡ଼ିଶା ସରକାର ସୁପି୍ରମ କୋର୍ଟର ଆଶ୍ରୟ ନେଇ ଥିଲେ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେ ଓ ଜଷ୍ଟିସ ଏଲ. ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାରଣା କରି ଏହି ବିବାଦର ସମାଧାନ ପାଇଁ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ର ଧାରା ୪(୧) ଅନୁସାରେ ଗୋଟିଏ ମାସ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସୁପ୍ରିମ କୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ନେଇ ଏହି ଟ୍ରିବ୍ୟୁନାଲ ଗଠନ ହେବ ଏବଂ ଏଥିରେ କେଉଁମାନେ ସଦସ୍ୟ ରହିବେ ତାହା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଚୟନ କରିବେ ବୋଲି ଧାର୍ଯ୍ୟ ରହିଛି । ସେହି ଅନୁସାରେ, ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଦେଶର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଏହି ଟ୍ରିବ୍ୟୁନାଲ ଗଠନ କରି ଏଥିରେ ସଦସ୍ୟ ଭାବେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ କୋଚରଙ୍କୁ ମନୋନୀତ କରିଛନ୍ତି ।
ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦର କାରଣ ହେଉଛି, ନଦୀର ଉପର ମୁଣ୍ଡରେ ଥିବା ଛତିଶଗଡ଼ ରାଜ୍ୟ ତଳ ମୁଣ୍ଡରେ ଥିବା ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ନଦୀ ଜଳ ଯୋଗାଉ ନ ଥିବାରୁ ତଳ ମୁଣ୍ଡରେ ମହାନଦୀ ଜଳ ଉପରେ ନିର୍ଭର କରୁଥିବା ଓଡ଼ିଶାର ଚାଷିମାନେ ପର୍ଯ୍ୟାପ୍ତ ସେଚ ସୁବିଧାରୁ ବଂଚିତ ହେଉଛନ୍ତି । କେବଳ ଜଳସେଚନ ନୁହେଁ, ପର୍ଯ୍ୟାପ୍ତ ପରିମାଣର ନଦୀ ଜଳ ନ ମିଳିବାରୁ ରାଜ୍ୟରେ ପାନୀୟ ଜଳ ସଂକଟ ବୃଦ୍ଧି ପାଇବା ସହ ଓ ବିଦ୍ୟୁତ ଉତ୍ପାଦନ ଉପରେ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଅପରପକ୍ଷରେ, ଛତିଶଗଡ଼ ସରକାର ନଦୀର ଉପର ମୁଣ୍ଡରେ ସାମୋଡା, ସେଓରିନାରାୟଣ, ବସନ୍ତପୁର, ମିରୋଉନି, ସାରୋଡିହା ଓ କଲମା ଠାରେ ବ୍ୟାରେଜ ନିର୍ମାଣ କରି ଶିଲ୍ପ ସଂସ୍ଥାଙ୍କ ନଦୀ ଜଳ ଯୋଗାି ଦେବାର ବନେ୍ଦାବସ୍ତ କରୁ ଥିବା ଦେଖି ଓଡ଼ିଶା ସରକାର ତାହାର ଦୃଢ ବିରୋଧ କରି ଥିଲେ । ଦୁଇ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ ପାଇଁ ୨୦୧୬ ମସିହା ଅକ୍ଟୋବରରେ ତକ୍ରାଳୀନ କେନ୍ଦ୍ରୀୟ ଜଳ ସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ଉଦ୍ୟମରେ ଏକ ତ୍ରିପାକ୍ଷୀକ ଆଲୋଚନା ହୋଇଥିଲା । ତେବେ, ତାହା ବିଫଳ ହେବାକୁ ଓଡ଼ିଶା ସରକାର ସେହି ବର୍ଷ ଡ଼ିସେମ୍ବର ମାସରେ ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ ସରକାର ନିର୍ମାଣ କରୁଥିବା ବା କାର୍ଯ୍ୟକାରୀ କରିଥିବା ପ୍ରକଳ୍ପ ଗୁଡ଼ିକ ଉପରେ ରୋକ୍ ଲଗା ଯିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ କୋର୍ଟରେ ଅବେଦନ କରାଯାଇଥିଲା । ଛତିଶଗଡ ସରକାର ମଧ୍ୟ ମହାନଦୀ ଜଳର ବଂଟନକୁ ନେଇ ୨୦୦୦ ମସିହା ପୂର୍ବରୁ ମଧ୍ୟ ପ୍ରଦେଶ ସରକାରଙ୍କ ସହ ଓଡ଼ିଶା ସରକାରଙ୍କର ହୋଇ ଥିବା ରାଜିନାମା ଗ୍ରହଣଯୋଗ୍ୟ ନୁହେଁ କହି କାଟି ଦେଇଥିଲେ । ମଧ୍ୟ ପ୍ରଦେଶକୁ ବିଭାଜନ କରାଯାଇ ୨୦୦୦ ମସିହାରେ ଛତିଶଗଡ଼ ରାଜ୍ୟ ଗଠନ ହୋଇଛି । ଛତିଶଗଡ଼ ସହ ଓଡ଼ିଶାର ସାନି ରାଜିନାମା ହୋଇ ନ ଥିବାରୁ ୨୦୦୦ ମସିହା ପୂର୍ବ ରାଜିନାମା ଗ୍ରହଣୀୟ ନୁହେଁ ବୋଲି ଛତିଶଗଡ଼ ସରକାର କହିଥିଲେ । ଜଳ ବିବାଦ ପରିସ୍ଥିତିର ଜଟିଳତାକୁ ଦେଖି ସୁପ୍ରିମ କୋର୍ଟ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ମାଧ୍ୟମରେ ଏହି ବିବାଦର ସମାଧାନ ସକାଶେ କେନ୍ଦ୍ରକୁ ନିଦେ୍ର୍ଦଶ ଦେଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଥମରୁ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି ହେଉଥିବା ବେଳେ କେନ୍ଦ୍ର ସରକାର ତାହାକୁ ବିଭିନ୍ନ ଆଳ ଦେଖାଇ ଏଡାଇ ଆସୁଥିଲେ । ସୁପ୍ରିମ କୋର୍ଟଙ୍କ ପକ୍ଷରୁ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ସକାଶେ କେନ୍ଦ୍ରକୁ ନିଦେ୍ର୍ଦଶ ଦେବା ଏବଂ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଟ୍ରିବ୍ୟୁନାଲ ଗଠନ ସଂପର୍କୀତ ବିଜ୍ଞପ୍ତି ପ୍ରକାଶ ପାଇବା ଦ୍ୱାରା ଉଭୟ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କୁ ବଡ ଝଟକା ଲାଗି ଥିବା ବେଳେ ଓଡ଼ିଶା ସରକାର ଓ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS