ଚତୁର୍ଥ ଥର ପାଇଁ ଚାରା ଘୋଟାଲା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ
ରାଂଚି, ୧୯ ମାର୍ଚ୍ଚ: ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଆଉ ଏକ ଝଟକା ଲାଗିଛି । ରାଂଚିର ସ୍ୱତନ୍ତ୍ର ସିବିଆଇ ଅଦାଲତ ଆଜି (ମାର୍ଚ୍ଚ ୧୯ ତାରିଖ) ଲାଲୁଙ୍କ ବିରୋଧରେ ଥିବା ଚତୁର୍ଥ ମାମଲାର ରାୟ ପ୍ରକାଶ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ୨୦୧୩ରୁ ୨୦୧୮ ଜାନୁୟାରୀ ମଧ୍ୟରେ କୋର୍ଟ ରାୟ ପ୍ରକାଶ ପାଇଥିବା ତିନିଟି ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ୧୩ ବର୍ଷ ଛଅ ମାସ ଦଣ୍ଡାଦେଶ ହୋଇ ସାରିଛି ଏବଂ ସେ ରାଂଚିର ବିର୍ସା ମୁଣ୍ଡା ସ୍ୱତନ୍ତ୍ର କାରାଗାରରେ ଦଣ୍ଡ ଭୋଗୁଛନ୍ତି । ଆଜି ପ୍ରକାଶ ପାଇଥିବା ଚତୁର୍ଥ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଥିଲେ ମଧ୍ୟ ସଜାର ପରିମାଣ କେତେ ହେବ ତାହା ଉପରେ ଆସନ୍ତା ୨୧, ୨୨ ଓ ୨୩ ତାରିଖ ତିନି ଦିନ ଶୁଣାଣୀ ପରେ କୋର୍ଟ ନିର୍ଦ୍ଧାରଣ କରିବେ ବୋଲି ସୂଚନା ମିଳିଛି ।
ନବେ ଦର୍ଶକରେ ଲାଲୁ ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଚାରା ଘୋଟାଲା ପଦାକୁ ଆସିଥିଲା । ସିଏଜିଙ୍କ ରିପୋର୍ଟ ଉପରେ ଭିତ୍ତି କରି ସିବିଆଇ ମାମଲାର ତଦନ୍ତ କରିଥିଲେ । ଅବିଭକ୍ତ ବିହାରର ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ କୋଷାଗାର (ଟ୍ରେଜେରୀ)ରୁ ପଶୁ ସଂପଦ ବିଭାଗର ଗୋ-ଖାଦ୍ୟ ବାବଦ ୯୦୦ କୋଟିରୁ ଅଧିକ ଟଙ୍କା ହରିଲୁଟ୍ ହୋଇଥିବା ଜଣାପଡିବା ପରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସମେତ ଅନ୍ୟ ବହୁ ସରକାରୀ ଅଧିକାରୀ ଓ ବେସରକାରୀ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ମଧ୍ୟ ଏହି ଘୋଟାଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ । ଲାଲୁ ଚାରିଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶ୍ର ଏଯାବତ୍ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପଂଚମ ମାମଲା ପାଟନାରେ ବିଚାରାଧୀନ ରହିଛି ।
ଆଜି ରାୟ ପ୍ରକାଶ ପାଇଥିବା ଚତୁର୍ଥ ମାମଲାଟି ଥିଲା – ୧୯୯୫ ଡ଼ିସେମ୍ବରରୁ ୧୯୯୬ ଜାନୁୟାରୀ ମଧ୍ୟରେ ଡ଼ୁମକା ଟ୍ରେଜେରୀରୁ ହୋଇଥିବା ୩.୧୩ କୋଟି ଟଙ୍କା ଘୋଟାଲା । ଗାଈ, ଗୋରୁଙ୍କ ଚାରା କିଣିବା ସକାଶେ ଟ୍ରେଜେରୀରେ ଗଚ୍ଛିତ ଥିବା ପଶୁ ସଂପଦ ବିଭାଗର ଅର୍ଥରୁ ଏହି ୩.୧୩ କୋଟି ଟଙ୍କା ବେନିୟମ ଭାବେ ଉଠାଇ ନିଆ ଯାଇ ଥିଲା । ରାଂଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ବିଚାରପତି ସୁଭପାଲ ସିଂହ ମାମଲାର ବିଚାରଣା କରି ଆଜି ରାୟ ପ୍ରକାଶ କରିଛନ୍ତି । ଏହି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ନିଦେ୍ର୍ଦଶରେ ଖଲାସ ହୋଇଛନ୍ତି । ବାସ୍ତବରେ ମାର୍ଚ୍ଚ ୧୫ରେ ରାୟ ପ୍ରକାଶ ପାଇବାର ଥିଲା । କିନ୍ତୁ, ନବେ ଦଶକରେ ଏଜିରେ କାର୍ଯ୍ୟ କରୁଥିବା ତିନି ଜଣ ଅଧିକାରୀଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯିବାକୁ ଲାଲୁଙ୍କ ଓକିଲ ପିଟିସନ ଦାଖଲ କରିବାରୁ ରାୟ ପ୍ରକାଶ ପାଇବାରେ ବିଳମ୍ବ ହୋଇଛି ।
ଲାଲୁ ଦଣ୍ଡିତ ହୋଇଥିବା ପ୍ରଥମ ମାମଲାଟି ଥିଲା ଅବିଭକ୍ତ ବିହାରର ଚାଇଁବସା ଟ୍ରେଜେରୀରୁ ଗୋଖାଦ୍ୟ ବାବଦ ୩୭.୭ କୋଟି ଟଙ୍କା ହଡପ ମାମଲା । ଏହି ମାମଲାରେ ଲାଲୁଙ୍କୁ ପାଂଚ ବର୍ଷ ଜେଲ ଦଣ୍ଡ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ଚାରି ବର୍ଷ ଜେଲ୍ ଦଣ୍ଡ ମିଳିଛି । ୨୦୧୩ରେ ଏହି ମାମଲାର ରାୟ ପ୍ରକାଶ ପାଇଥିଲା । ଲାଲୁ ଦଣ୍ଡିତ ହୋଇଥିବା ଦ୍ୱିତୀୟ ମାମଲା ହେଉଛି – ୨୧ ବର୍ଷ ତଳେ ବିହାରର ଦେଓଗଡ ଟ୍ରେଜେରୀରୁ ଗୋଖାଦ୍ୟ ବାବଦ ୮୯.୨୭ କୋଟି ଟଙ୍କା ବେନିୟମ ଭାବେ ଉଠାଇ ନିଆଯିବା । କୋର୍ଟ ଏହି ମାମଲାର ବିଚାରଣା କରି ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଗତ ବର୍ଷ ଡ଼ିସେମ୍ବର ୨୩ ତାରିଖରୁ ରାଂଚିର ବିର୍ସା ମୁଣ୍ଡା ଜେଲରେ ଅଛନ୍ତି । ୨୦୧୮ ଜାନୁୟାରୀ ୬ ତାରିଖରେ ବିଚାରପତି ଦଣ୍ଡାଦେଶ ଘୋଷଣା କରି ଲାଲୁଙ୍କୁ ସାଢେ ତିନି ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଦ୍ୱିତୀୟ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ନିଦେ୍ର୍ଦାଶରେ ଖଲାସ ହୋଇଛନ୍ତି । ଚାଇଁବସା ଟ୍ରେଜେରୀରୁ ଗୋଖାଦ୍ୟ ବାବଦ ୩୭.୬୨ କୋଟି ଟଙ୍କା ବେନିୟମ ଭାବରେ ଉଠା ଯାଇଥିବା ସଂପର୍କୀତ ତୃତୀୟ ମାମଲାରେ ଗତ ଜାନୁୟାରୀ ୨୪ ତାରିଖରେ ସିବିଆଇ କୋର୍ଟ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ଜଗନ୍ନାଥ ମିଶ୍ରଙ୍କୁ ପାଂଚ ବର୍ଷ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି । ଆଜି ପ୍ରକାଶ ପାଇଥିବା ଚତୁର୍ଥ ସିବିଆଇ କୋର୍ଟ ରାୟ ହେଉଛି ଡ଼ୁମକା ଟ୍ରେଜେରୀରୁ ୩.୧୩ କୋଟି ଟଙ୍କା ହଡପ ମାମଲାର । ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଓ ଜଗନ୍ନାଥ ମିଶ୍ର ଗୋଖାଦ୍ୟ ଦୁର୍ନିତି ସଂପର୍କୀତ ପାଂଚଟି ଲେଖାଏଁ ମାମଲାରେ ସଂପୃକ୍ତ ଥାଇ ବିଚାରର ସମ୍ମୁଖୀନ ହେଉଛନ୍ତି ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ଆଜି ରାୟ ପ୍ରକାଶ ପାଇବା ସମୟରେ କୋର୍ଟରେ ହାଜର ଥିଲେ । କିନ୍ତୁ, ଲାଲୁ ଯାଦବ ଉପସ୍ଥିତ ନ ଥିଲେ । ରାୟ ପ୍ରକାଶ ପାଇବାର ବହୁ ସମୟ ପରେ ଲାଲୁ କୋର୍ଟରେ ହାଜର ହୋଇ ଥିଲେ । କୋଷ୍ଠକାଠିନ୍ୟ ଅଭିଯୋଗ କରିବାରୁ ଲାଲୁଙ୍କୁ ଶନିବାର ଦିନ ରାଜେନ୍ଦ୍ର ଇନଷ୍ଟ୍ରଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସରେ ଭର୍ତି କରାଯାଇଥିଲା ବୋଲି କୋର୍ଟକୁ ସୂଚନା ଦିଆ ଯାଇଥିଲା । ତେବେ, ପୁଲିସ କିମ୍ବା ଜେଲ୍ କର୍ତୃପକ୍ଷ ଆଗୁଆ ଏସଂପର୍କରେ କୋର୍ଟକୁ ଅବଗତ କରି ନାହାନ୍ତି କାହିଁକି ବୋଲି ସିବିଆଇ ବିଚାରପତି ବିରକ୍ତି ପ୍ରକାଶ କରିବା ସହ ଲାଲୁଙ୍କ ଓକିଲଙ୍କ ତାଗିଦ କରି ଥିଲେ । ଅପରପକ୍ଷରେ, କୋର୍ଟର ଆଜିର ରାୟକୁ ଆରଜେଡ଼ି ନେତା ରଘୁବଂଶ ପ୍ରସାଦ ସିଂହ ରାଜନୀତି ସହ ଯୋଡିବାକୁ ଉଦ୍ୟମ କରିଛନ୍ତି । ଲାଲୁଙ୍କୁ ଦୋବାରା ଜେଲ୍ ଓ ଜଗନ୍ନାଥଙ୍କୁ ନିଦେ୍ର୍ଦାଶରେ ଖଲାସ୍ କରାଯିବା ପଛରେ ନରେନ୍ଦ୍ର ମୋଦୀ-ନୀତିଶ କୁମାରଙ୍କ କମାଲ୍ ରହିଛି ବୋଲି ସେ ମନ୍ତବ୍ୟ ଦେଇଥିବା ପ୍ରକାଶ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS