ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବର ଭାଗ୍ୟ ମଙ୍ଗଳବାର ଜଣାପଡିବ


ନୂଆଦିଲ୍ଲୀ, ୨୦ ମାର୍ଚ୍ଚ: ୨୦୧୪ରେ ଆନ୍ଧ୍ର ପ୍ରଦେଶର ପୁନର୍ଗଠନ କରାଯାଇ ନୂତନ ତେଲେଙ୍ଗାନା ରାଜ୍ୟ ଗଠନ ସମୟରେ କେନ୍ଦ୍ର ସରକାର ଆନ୍ଧ୍ରକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇ ରକ୍ଷା କରି ନଥିବା ଆନ୍ଧ୍ରବାସୀଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ଦର୍ଶାଇ ଉଭୟ ଶାସକ ତେଲୁଗୁ ଦେଶମ ଦଳ ଓ ବିରୋଧୀ ୱାଇଏସଆର କଂଗ୍ରେସ ପକ୍ଷରୁ ସଂସଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ତେବେ, ସୋମବାର ଦିନ ଲୋକସଭାର ହଟ୍ଟଗୋଳ ପରିସ୍ଥିତି ଲାଗି ରହିବାରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଅନାସ୍ଥା ପ୍ରସ୍ତାବକୁ ଆଲୋଚନା ପାଇଁ ଆଗତ ନ କରି ଗୃହକୁ ମଙ୍ଗଳବାର ଯାଏଁ ମୁଲତବୀ ଘୋଷଣା କରିବାରୁ ଅନାସ୍ଥା ପ୍ରସ୍ତବା ଉପରେ ଆଲୋଚନା ମଙ୍ଗଳବାରକୁ ଟଳିଛି ।
ଆନ୍ଧ୍ର ପ୍ରଦେଶର ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି), ବିରୋଧୀ ୱାଇଏସଆର କଂଗ୍ରେସ ସମେତ ତେଲେଙ୍ଗାନାର ଶାସକ ଟିଆରଏସ୍ (ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି) ଏବଂ ତାମିଲନାଡୁର ଶାସକ ଏଆଇଏଡ଼ିଏମକେ ସାଂସଦମାନେ ନିଜ ନିଜ ରାଜ୍ୟର ସମସ୍ୟା ଉତ୍ଥାପନ କରି ସୋମବାର ଲୋକସଭାରେ ହଟ୍ଟଗୋଳ କରି ଥିଲେ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଥିଲା । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ହଟ୍ଟଗୋଳ କରୁଥିବା ସାଂସଦମାନଙ୍କୁ ନିଜ ନିଜ ଆସନରେ ଶାନ୍ତିର ସହ ନ ବସିଲେ ଟିଡ଼ିପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିବା ସମ୍ଭବ ନୁହେଁ କହି ତାଗିଦ କରିଥିଲେ । ତଥାପି, ପରିସ୍ଥିତି ଅସମ୍ଭାଳ ହେବାରୁ ସେ ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ରାଜ୍ୟସଭାରେ ମଧ୍ୟ ଟିଡ଼ିପି ଓ ଏଆଇଏଡ଼ିଏମକେ ସାଂସଦମାନେ ଅନୁରୂପ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି କରିବାରୁ ରାଜ୍ୟସଭାକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ରଖା ଯାଇଛି । ଆନ୍ଧ୍ରକୁ ସ୍ୱତନ୍ତ୍ର ପାହା ରାଜ୍ୟର ମାନ୍ୟତା ଦିଆଯିବା ଦାବିକୁ ନେଇ ଟିଡ଼ିପି ଓ ୱାଇଆରଏସ କଂଗ୍ରେସ ସାଂସଦମାନେ ହଟ୍ଟଗୋଳ କରି ଥିବା ବେଳେ ଅନ୍ୟ ଦଳର ସାଂସଦମାନେ ବ୍ୟାଙ୍କିଂ ସ୍କାମ୍ ଓ ଅନ୍ୟାନ୍ୟ ସମସ୍ୟା ଉପସ୍ଥାପନ କରି ହଟ୍ଟଗୋଳ କରିଥିଲେ । ସଂସଦର ଉଭୟ ଗୃହ ମଙ୍ଗଳବାର ଯାଏଁ ମୁଲତବୀ ଘୋଷିତ ହେବାରୁ ଟଡ଼ିପି, ୱାଇଏସଆର କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଝୁଲିକି ରହିଲା ।
ସଂସଦରେ ଶାସକ ବିଜେପିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଥିବାରୁ ମୋଦୀ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସରକାରଙ୍କର କିଛି କ୍ଷତି କରି ପାରିବ ନାହିଁ, ଏହା ସମସ୍ତେ ଜାଣନ୍ତି । ତଥାପି, କଂଗ୍ରେସ, କମ୍ୟୁନିଷ୍ଟ ଓ ତୃଣମୂଳ କଂଗ୍ରେସ ସମେତ ଅନ୍ୟ ବିଜେପି-ବିରୋଧୀ ରାଜନୈତିକ ଦଳର ସାଂସଦମାନେ ଅନାସ୍ଥା ପ୍ରସ୍ତବା ସପକ୍ଷରେ ସଂଗଠିତ ହୋଇ ଥିବାରୁ ବିଜେପିର ଚିନ୍ତା ବଢିଛି । ଏପରିକି, କିଛି ବିଜେପି ସାଂସଦ ଆଲୋଚନା ସମୟରେ ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ଆଶଙ୍କା ରହିଛି ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି । ଏହି କାରଣରୁ ବିଜେପି ଲୋକସଭାରେ ତାହାର ସଂଖ୍ୟା ଗରିଷ୍ଠତା ଥିବା ସତ୍ତ୍ୱେ ଆଲୋଚନାକୁ ଟାଳିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ତେବେ, କେନ୍ଦ୍ର ସରକାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ସୋମବର ଦିନ ଲୋକସଭାରେ ସ୍ପଷ୍ଟ କରିଥିଲେ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଅଣ-ବିଜେପି ଦଳମାନଙ୍କୁ ମୋଦୀ ସରକାରଙ୍କ ବିରୋଧରେ ସଂଗଠିତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି ବିରୋଧୀମାନେ ବିଚାର କରୁଛନ୍ତି । କେନ୍ଦ୍ରରେ କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ମେଂଟରେ ଅଂଶୀଦାର ଥିବା ମହାରାଷ୍ଟ୍ରର ଶିବ ସେନା ଦଳ ମୋଦୀ ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିଲେ ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ସମର୍ଥନରେ ବା ବିରୋଧରେ ମତଦାନ କରିବ ନାହିଁ ବୋଲି ସୋମବାର ସ୍ପଷ୍ଟ କରି ଦେଇଛି । କିନ୍ତୁ, ଓଡ଼ିଶାର ବିଜେଡ଼ି ସାଂସଦମାନଙ୍କ ଭୂମିକା କଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ‘କାର୍ଡ’ ଖୋଲି ନ ଥିବାରୁ ଉଭୟ ଅନାସ୍ଥା ପ୍ରସ୍ତାବର ସମର୍ଥକ ଓ ବିରୋଧୀଙ୍କ ନଜର ତାଙ୍କ ଉପରେ ରହିଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS