‘କ୍ଷମା ପ୍ରାର୍ଥନା’ ନାଟକ କେଜରିୱାଲଙ୍କ ‘ଦୁର୍ନୀତି ବିରୋଧୀ’ ଚେହେରାକୁ ମଳିନ ପକାଇ ଦେଇଛି
(ଶିବ ପ୍ରସାଦ ଦାସ)
ନୂଆଦିଲ୍ଲୀ, ୨୦ ମାର୍ଚ୍ଚ: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଆନ୍ନା ହଜାରେଙ୍କ ପଟ୍ଟଶିଷ୍ୟ ଭାବେ ଦୁର୍ନୀତି ବିରୋଧୀ ଆନେ୍ଦାଳନ ନେତୃତ୍ୱ ନେଇ ଦେଶରେ ଏକ ଚର୍ଚ୍ଚିତ ଚେହେରା ଥିଲେ । ରାଜନୀତିରେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରିବା ପରେ ମଧ୍ୟ ସେ ଚର୍ଚ୍ଚିତ ଚେହେରା ରହିଛନ୍ତି । କେତେବେଳେ ଅଗ୍ନିବର୍ଷି ଭାଷଣ ପାଇଁ ତ ଅନ୍ୟ କେତେବେଳେ ଦିଗ୍ଗଜ ରାଜନେତାଙ୍କ ବିରୋଧରେ ବେଲଗାମ୍ ଦୁର୍ନୀତି ଅଭିଯୋଗ ଆଣି ବିଚ୍ ରାସ୍ତାରେ ସେମାନଙ୍କୁ ଚ୍ୟାଲେଂଜ କରିବା ପାଇଁ । ଦେଶବାସୀଙ୍କ ଆଖିରେ ଏକ ଭିନ୍ନ ଉପାଦାନରେ ଗଢା ରାଜନେତା ଭାବେ ସେ ପରିଚୟ ସୃଷ୍ଟି କରି ସାରିଥିବା ବେଳେ ଏବେ ତାଙ୍କ ସିରିଜ୍ କ୍ଷମା ପ୍ରାର୍ଥନା ତାଙ୍କୁ ଦଳ ଭିତରେ ଓ ବାହାରେ ସମାଲୋଚନାର କେନ୍ଦ୍ରବିନ୍ଦୁ କରିଛି । ତାଙ୍କ ଚେହେରା ମଧ୍ୟ ପୂର୍ବ ଭଳି ଆଉ ଉଜ୍ୱଳ ନ ଥିବା ଦେଶବାସୀ ଅନୁଭବ କରୁଛନ୍ତି ।
ଅତୀତରେ କେଜରିୱାଲ ବିଭିନ୍ନ ସମୟରେ ବିଜେପି, କଂଗ୍ରେସ ଓ ଅକାଳୀ ଦଳର ବିଭିନ୍ନ ନେତାଙ୍କ ବିରୋଧରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଗୁରୁତର ଅଭିଯୋଗ ଆଣି ନିଜକୁ ଚର୍ଚ୍ଚାର ପରିଧିରେ ରଖି ଥିଲେ । ସମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଖୁବ୍ କମ୍ ସମୟ ମଧ୍ୟରେ ‘ଆମ ଆଦମୀ ପାର୍ଟି’କୁ ଦେଶରେ ଏକ ପ୍ରମୁଖ ରାଜନୈତିକ ଦଳ ଭାବେ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥିଲେ । କେଜିରିୱାଲ ଜଣେ ପୂର୍ବତନ ଆଇଆରଏସ୍ ଅଫିସର ହୋଇ ଥିବାରୁ ତାଙ୍କ ଅଭିଯୋଗରେ ସତ୍ୟତା ଥିବା ଦେଶବାସୀ ବିଶ୍ୱାସ କରୁଥିଲେ । କିନ୍ତୁ, ଏବେ ସେ ଗୋଟିଏ ପରେ ଗୋଟିଏ ମାମଲାରେ ଯେପରି ଭାବେ ପଉଘୁଂଚା ଦେଇ କ୍ଷମା ପ୍ରାର୍ଥନା କରୁଛନ୍ତି ତାହା ବିରୋଧୀଙ୍କୁ ଉତ୍ସାହିତ କରୁଥିବା ବେଳେ ନିଜ ଦଳର କର୍ମୀମାନଙ୍କ ପାଇଁ ‘ଆତ୍ମଘାତୀ’ ହୋଇଛି । ଏ ନେଇ ସେ ଖୋଦ ନିଜ ଦଳର ପ୍ରମୁଖ ନେତା କୁମାର ବିଶ୍ୱାସଙ୍କ ଆଡୁ କଟୁ ସମାଲୋଚନାର ସମ୍ମୁକୀନ ହୋଇଥିବା ବେଳେ ‘ଆପ୍’ର ପଂଜାବ ଶାଖାରେ ବିଦ୍ରୋହର ପଦଧ୍ୱନୀ ଶୁଣିବାକୁ ମିଳିଛି ।
ଗତ ପଂଜାବ ବିଧାନ ସଭା ନିର୍ବାଚନ ସମୟରେ କେଜରିୱାଲ କେନ୍ଦ୍ର ମନ୍ତ୍ରୀ ହରସିମରତ କୌରଙ୍କ ଭାଇ ତଥା ପଂଜାବର ତକ୍ରାଳୀନ ଅକାଳୀ ଦଳ ମନ୍ତ୍ରୀ ବିକ୍ରମ ସିଂ ମଜିଥିଆଙ୍କ ବିରୋଧରେ ଅବୈଧ ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବାର ଅଭିଯୋଗ ଆଣିଥିଲେ । ପଂଜାବରେ ‘ଆପ୍’ ସରକାର ପ୍ରତିଷ୍ଠା ହେଲେ ମାଜିଥିଆଙ୍କ ପରି ବ୍ୟକ୍ତି ମାନଙ୍କୁ ଜେଲରେ ପୁରାଇବେ ବୋଲି ବାହାସ୍ପୋଟ ମାରି ଥିଲେ । ସାମାଜିକ ଗଣମାଧ୍ୟମରେ ଏହା ବହୁଳ ଭାବରେ ପ୍ରସାରିତ ହେବା ସହ ‘ଆପ୍’ ର ଜନାଧାର ବୃଦ୍ଧି ପାଇ ଥିଲା । ପରବର୍ତି ସମୟରେ ଏହାକୁ ନେଇ ବିକ୍ରମ ସିଂ ମାଜିଥିଆ ଅଦାଲତର ଆଶ୍ରୟ ନେଇଥିଲେ । ସେହିଭଳି, କେଜରିୱାଲ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ସରକାରକୁ ଡ୍ରଗ ମାଫିଆଙ୍କ ସହଯୋଗୀ ଓ ପ୍ରୋସôାହନକାରୀ ଭାବେ ଚିତ୍ରଣ କରି ବେଶ୍ ଚର୍ଚ୍ଚାରେ ରହି ଥିଲେ । ତେବେ, ସେ ନିକଟରେ ଅମୃତସର ଅଦାଲତ ମାଧ୍ୟମରେ ସମଗ୍ର ଘଟଣା ଓ ମିଥ୍ୟା ଆରୋପ ଲାଗି ‘କ୍ଷମା ପ୍ରାର୍ଥନା’ କରିଛନ୍ତି । ସେ ମାଜିଥିଆଙ୍କୁ ଲେଖି ଥିବା କ୍ଷମାଯାଚିକାରେ ଉଲ୍ଲେଖ କରିଛନ୍ତି ଯେ, ପ୍ରେସ, ବିଭିନ୍ନ ରାଲି, ଟିଭି ସୋ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ସେ ମାଜିଥିଆଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣି ଥିଲେ ତାହା ଭୁଲ୍ । ଏହି ଭୁଲ ପାଇଁ ‘ଆପଣ ଓ ଆପଣଙ୍କ ପରିବାରର ଯେଉଁ କ୍ଷତି ଘଟିଛି ସେଥି ଲାଗି ମୁଁ ଦୁଃଖିତ’ ବୋଲି କେଜରିୱାଲ କହିଛନ୍ତି ।
କେଜରିୱାଲଙ୍କ ଏଭଳି କ୍ଷମା ପ୍ରାର୍ଥନା ଯଦିଓ ପ୍ରଥମ ନୁହଁ, ତଥାପି ପଂଜାବ ରାଜନୀତିକୁ ଚହଲାଇ ଦେଇଛି । ‘ଆପ୍’ର ବରିଷ୍ଠ ନେତା ସଂଜୟ ସିଂହ ଏହାର ଦଅଢ ପ୍ରତିବାଦ କରିବା ସହ ପଂଜାବର ଡ୍ରଗ୍ସ ମାଫିଆଙ୍କ ବିରୋଧରେ ଏସଆଇଟି ଚାର୍ଜସିଟ୍ ଦାଖଲ କରିବାକୁ ଯାଉଥିବା ବେଳେ କେଜରିୱାଲ ଏଭଳି ପଛଘୁଂଚା ଦେବା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି । ପଂଜାବ ସହ ସଂପୃକ୍ତ ‘ଆପ୍’ର ସାଂସଦ ଓ ରାଜନେତାମାନେ ଏହି ‘କ୍ଷମା ପ୍ରାର୍ଥନା’କୁ ସହଜରେ ହଜମ କରି ପାରୁ ନଥିବା ବେଳେ ଦଳତ୍ୟାଗର ଚେତାବନୀ ଦେଇ ଦଳ ଭିତରେ ସବୁ କିଛି ଠିକ୍ ନ ଥିବା ସ୍ପଷ୍ଟ କରି ଦେଇଛନ୍ତି । ସୂଚନା ଥାଉ କି, ‘ଆପ୍’ ମୁଖ୍ୟ କେଜରିୱାଲ ଏଥି ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ବିରୋଧରେ ଦିଲ୍ଲୀ କ୍ରିକେଟ ବୋର୍ଡରେ ବ୍ୟାପକ ଅର୍ତ ହେରଫର ଓ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣି ଥିଲେ । କେଜରିୱାଲଙ୍କ ବିରୋଧରେ ଜେଟଲୀ କୋର୍ଟରେ ମାନହାନୀ ଓ ଆପରାଧିକ ମାମଲା ରୁଜୁ କରିଛନ୍ତି, ଯାହାର ବିଚାର ଚାଲିଛି । କେଜରିୱାଲଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ରାମ ଜେଠମାଲାନୀ ଏହି ମାମଲାରେ ତାଙ୍କୁ କ୍ଷମା ପ୍ରାର୍ଥନା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ, କେନ୍ଦ୍ରମନ୍ତ୍ରୀ ଜେଟଲୀ କେଜରିୱାଲଙ୍କୁ କ୍ଷମା ନ ଦେବା ଲାଗି ସ୍ଥିର କରିଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେଭଳି, କେନ୍ଦ୍ରମନ୍ତ୍ରୀ ନତିନ ଗଡକରୀ, ହରିଆଣାର ବିଜେପି ନେତା ଅବତାର ସିଂ ଭଡାନାଙ୍କ ଉପରେ ସେ ଲଗାଇ ଥିବା ଭ୍ରଷ୍ଟାଚାର ଅଭିଯୋଗ ପାଇଁ ଗତ ଅଗଷ୍ଟ ମାସରେ କ୍ଷମା ପ୍ରର୍ଥନା କରିଥିଲେ । ଏହା ପୂର୍ବରୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲଙ୍କ ପୁଅ ଅମିତ ସିବଲଙ୍କ ବିରୋଧରେ ସେ ଭ୍ରଷ୍ଟାଚାର ଅଭିଯୋଗ ଆଣି ପରେ ତାଙ୍କୁ ‘କ୍ଷମା’ ମାଗି ଥିଲେ ।
କେଜରିୱାଲଙ୍କ ଏଭଳି ‘କ୍ଷମାଭିକ୍ଷା’କୁ ନେଇ ପଂଜାବ ବିଧାନ ସଭାର ବିରୋଧୀ ଦଳ ନେତା ତଥା ‘ଆପ୍’ର ବରିଷ୍ଠ କାର୍ଯ୍ୟକର୍ତା ସୁଖପାଲ ସିଂ ଖୈରା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ‘ଆପ୍’ର ଅନ୍ୟ ଜଣେ ବିଧାୟକ କଂୱର ସଂଥୁ ଏହା ଆପ୍କୁ ଭୋଟ ଦେଇଥିବା ଯୁବ ଗୋଷ୍ଠି ପ୍ରତି ବିଶ୍ୱାସଘାତକତା ବୋଲି ମତ ଦେଇଛନ୍ତି । ସେଭଳି କବି ତଥା ‘ଆପ୍’ର ବରିଷ୍ଠ ନେତା କୁମାର ବିଶ୍ୱାସ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରଶ୍ନ କରିଛନ୍ତି, ଯେଉଁ ନେତା ନିଜ ଲୋକଙ୍କ ସହ ବିଶ୍ୱାସଘାତକତା କରି ପାରେ, ଦଳୀୟ ଏକତାକୁ ଭାଙ୍ଗି ପାରେ, ନିଜେ ପକାଇ ଥିବା ଛେପକୁ ପୁଣି ଥରେ ଢୋକି ପାରେ – ସେଭଳି ନେତାଙ୍କ ଉପରେ କଣ ଛେପ ପକେଇବା ? ଏଭଳି ସାଂଘାତିକ ସମାଲୋଚନାର ଶରବ୍ୟ ହୋଇଛନ୍ତି କେଜରିୱାଲ । ଏହି ଘଟଣାକୁ ନେଇ ‘ଆପ୍’ର ଆଭ୍ୟନ୍ତରଣ ରାଜନୀତି କର୍ଦମାକ୍ତ ହୋଇଛି । ଏହା ମଧ୍ୟ ଦୁର୍ନୀତିକୁ ଅସ୍ତ୍ର କରି କ୍ଷମତାସୀନ ହୋଇଥିବା ‘ଆପ୍’ ଓ ଦଳର ନେତା କେଜରିୱାଲଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପ୍ରତି ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS