ବିଜେପି ଗଡାଇ ଚାଲିଛି ଅନାସ୍ଥା ପ୍ରସ୍ତାବକୁ !


ନୂଆଦିଲ୍ଲୀ, ୨୦ ମାର୍ଚ୍ଚ: ଲୋକସଭାରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଆନ୍ଧ୍ର ପ୍ରଦେଶର ଶାସକ ତେଲୁଗୁ ଦେଶମ ପାର୍ଟି ଓ ବିରୋଧୀ ୱାଇଏସଆର କଂଗ୍ରେସ ପକ୍ଷରୁ ସୋମବାର ଦିନ ମିଳିତ ଭାବେ ଉଦ୍ୟମ ହୋଇ ଥିଲେ ମଧ୍ୟ ଟିଡ଼ିପି, ୱାଇଏସଆର କଂଗ୍ରେସ ଓ ଏଆଇଏଡ଼ିଏମକେ ପକ୍ଷରୁ ବିଭିନ୍ନ ଇସ୍ୟୁରେ ଗୃହର ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରି ଏହି ପ୍ରସ୍ତାବ ଆଣିବାକୁ ଦେଇ ନ ଥିଲେ । ମଙ୍ଗଳବାର ମଧ୍ୟ ଏକାଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଗୃହରେ ପ୍ରବଳ ହଟ୍ଟଗୋଳ ଯୋଗୁ ବୁଧବାର ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖା ଯାଇଛି । ଟିଡ଼ିପି ଓ ୱାଇଏସଆର କଂଗ୍ରେସର ଅନାସ୍ଥା ପ୍ରସ୍ତାବ ମଙ୍ଗଳବାର ମଧ୍ୟ ଆଲୋଚନା ପାଇଁ ଆଗତ ହୋଇ ପାରି ନାହିଁ । ଶାସକ ବିଜେପି ଅନାସ୍ଥା ପ୍ରସ୍ତାବକୁ ଏଡାଇବା ପାଇଁ ଅନିଦ୍ଧିଷ୍ଟକାଳ ପାଇଁ ଗୃହ ମୁୁଲତବୀ ଘୋଷଣା କରି ପାରେ ବୋଲି ଉଭୟ ଟିଡ଼ିପି ଓ ୱାଇଏସଆର କଂଗ୍ରେସ ଆଶଙ୍କା ପ୍ରକାଶ କରିଛନ୍ତି । ତେଣୁ, ଦୁଇ ଦଳ ସେମାନଙ୍କ ସବୁ ସାଂସଦ ମଙ୍ଗଳବାର ଗୃହରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ହୁଇପ୍ ଜାରି କରି ଥିଲେ । ତେବେ, ହଟ୍ଟଗୋଳ ଯୋଗୁ ମଙ୍ଗଳବାର ମଧ୍ୟ ଗୃହ ଅଚଳ ରହିବାରୁ ଅନାସ୍ଥା ପ୍ରସ୍ତାବ ଆସି ପାରିଲା ନାହିଁ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ବୁଧବାର ଯାଏଁ ମୁଲତବୀ ଘୋଷଣା କରି ଥିଲେ । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଏବଂ ଅଧିକ ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଦାବି କରି ଟିଡ଼ିପି ଓ ୱାଇଏସଆର କଂଗ୍ରେସ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାର ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ନୋଟିସ ଦେଇଛନ୍ତି । ନିକଟରେ, ଆନ୍ଧ୍ରର ତେଳୁଗୁ ଦେଶମ ଦଳ ଏହି ଦାବି ସପକ୍ଷରେ ଏନଡ଼ିଏରୁ ଓହରି ଯାଇ ଥିଲା । କଂଗ୍ରେସ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ତାମିଲନାଡୁର ଶାସକ ଏଆଇଏଡ଼ିଏମକେ, ତେଲେଙ୍ଗାନାର ଶାସକ ଟିଆରଏସ୍, ଉଭୟ କମ୍ୟୁନିଷ୍ଟ ପାର୍ଟି, ପଂଜାବର ଶିରୋମଣୀ ଅକାଳୀ ଦଳ ଏବଂ ମହାରାଷ୍ଟ୍ରର ଶିବ ସେନା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଥିବାରୁ ବିଜେପି ଲୋକସଭାରେ ତାହାର ସଂଖ୍ୟା ଗରିଷ୍ଠତା ଥାଇ ପ୍ରମାଦ ଗଣୁଛି । କେବଳ ଓଡ଼ିଶାର ଶାସକ ବିଜେଡ଼ି ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ । ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଓ ମଙ୍ଗଳବାର ଦିନ କେନ୍ଦ୍ର ମନ୍ତ୍ରୀ ଅନନ୍ତ କୁମାର ସରକାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିବା ବେଳେ ଦୁଇ ଦିନ ହେଲା ହଟ୍ଟଗୋଳର ଆଳ ଦେଖାଇ ସରକାର ଆଲୋଚନା କରାଇ ଦେଉ ନ ଥିବାରୁ ବିଜେପିର ମତିଗତି ନେଇ ସନେ୍ଦହ ବଳବତ୍ତର ହୋଇଛି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS