ରାଷ୍ଟ୍ରପତି ଦିଲ୍ଲୀ ଫେରିଲେ, ନବୀନ ଓ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା ବିରୋଧୀଙ୍କ ହଜମ ହେଉନି
ଭୁବନେଶ୍ୱର, ୧୯ ମାର୍ଚ୍ଚ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରି ଯାଇଛନ୍ତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ଶ୍ରୀମତୀ ସବିତା କୋବିନ୍ଦ ଏହି ଗସ୍ତରେ ଆସି ଥିଲେ । ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗଠନମୂଳକ କାର୍ଯ୍ୟକୁ ପ୍ରଶଂସା କରି ଚର୍ଚ୍ଚାକୁ ଆସିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ସମେତ ଅନ୍ୟାନ୍ୟ ବିକାଶମୂଳକ ଯୋଜନା ସଂପର୍କରେ ରାଷ୍ଟ୍ରପତି ଉଲ୍ଲେଖ କରିଥିଲେ । ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ବିଜେଡ଼ି ସରକାରଙ୍କ ପ୍ରଶଂସା କରିବା ବିରୋଧୀଙ୍କୁ ଚକିତ କରିଛି । ରାଷ୍ଟ୍ରପତି ଜଣେ ରାଷ୍ଟ୍ରନେତା ନୁହେଁ, ରାଜନେତା ଭାବେ ବ୍ୟବହାର କରିଥିବା ବିରୋଧୀମାନେ ମନ୍ତବ୍ୟ ଦେଇଛନ୍ତି ।
ରାଷ୍ଟ୍ରପତି କୋବିନ୍ଦ ପତ୍ନୀଙ୍କ ସହ ଶନିବାର ରାତି ପୁରୀର ସ୍ୱତନ୍ତ୍ର ସରକାରୀ ଅତିଥି ଭବନରେ ଅବସ୍ଥାନ କରିବା ପରେ ରବିବାର ସକାଳୁ ସକାଳୁ ଶ୍ରୀମନ୍ଦିରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ବେଢାରେ ପ୍ରାୟ ୪୫ ମିନିଟ ଅତିବାହିତ କରିଥିବା ଜଣାପଡିଛି । ରାଷ୍ଟ୍ରପତିଙ୍କ ଠାରୁ ଦକ୍ଷିଣା ନ ମିଳିବାରୁ ପୁରୀ ପଣ୍ଡାମାନେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଘଟଣା ଜନସାଧାରଣରେ ଆଲୋଡନ ସୃଷ୍ଟି କରିଛି । ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଦର୍ଶନ ସାରି ଫେରିବା ପରେ ପୁରୀରେ ଥିବା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଉଦ୍ବୋଧନ ଦେଇ ଥିଲେ । ସେଠାରୁ ଅରୁଗୁଳ ଆସି ଭୁବନେଶ୍ୱର ଆଇଆଇଟି (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି)ର ଷଷ୍ଠ ସମାବର୍ତନ ଉତ୍ସବରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଆଇଆଇଟିଆନ୍ ମାନେ ସମାଜ କଥା ଚିନ୍ତା କରିବାକୁ ଓ ସମାଜର ବିକାଶ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ରାଷ୍ଟ୍ରପତି କହିଲେ, ସେମାନେ ନିଜର, ସମାଜର, ଦେଶର ଏବଂ ବିଶ୍ୱର ବିକାଶ ସକାଶେ କିଭଳି ଉଲ୍ଲେଖନୀୟ କାର୍ଯ୍ୟ କରି ପାରିବେ ତାହା ଚିନ୍ତନ କରିବା ଆବଶ୍ୟକ । ସେମାନେ ବିଶ୍ୱସ୍ତରୀୟ ଶିକ୍ଷା ପାଉ ଥିବାରୁ ଭାଗ୍ୟବାନ୍ । ଏହି ଋଣ ପରିଶୋଧ କରିବା ସକାଶେ ସମାଜର ହୀତ ହେଲା ଭଳି କାର୍ଯ୍ୟ କାରିବା ଏବଂ ସମାଜର ପଛୁଆବର୍ଗଙ୍କୁ ସହାୟତା କରିବା ହେଉଛି ସେମାନଙ୍କ ନୈତିକ କର୍ତବ୍ୟ । “ଆପଣମାନେ ଅତ୍ୟନ୍ତ ଉଦୀୟମାନ ଏବଂ ଉଚ୍ଚମାନର ବୈଷୟିକ ଶିକ୍ଷାପ୍ରାପ୍ତ ହୋଇ ଥିବାରୁ ନିଜସ୍ୱ ଉଦ୍ୟମରେ କିଛି (ଉଦ୍ୟୋଗ ପ୍ରତିଷ୍ଠା) କରିବାକୁ ଆଗେଇ ଆସିଲେ ଭାରତ ସରକାରଙ୍କ ବିଭିନ୍ନ ସ୍କିମର ସୁବିଧା ପାଇ ପାରିବେ” ବୋଲି ରାଷ୍ଟ୍ରପତି ସେମାନଙ୍କୁ କହିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର ଆଇଆଇଟି ପରିସରରେ ଆଇସିଟି-ଆଇଓସି (ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକନୋଲୋଜି – ଇଣ୍ଡିଆନ୍ ଅଏଲ କର୍ପୋରେସନ୍)ର ଭୁବନେଶ୍ୱର କ୍ୟାଂପସ୍ ଉଦ୍ ଘାଟନ ଏବଂ ସ୍କିଲ୍ ଡ଼େଭଲପମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଅଏଲ୍ ପିଏସୟୁର ଶିଳାନ୍ୟାସ କରିଥିଲେ । ହାଇଡ୍ରୋକାର୍ବନ୍ କ୍ଷେତ୍ର୍ରରେ ଏଭଳି ସ୍କିଲ ଡ଼େଭଲପମେଂଟ ଇନଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ହେବା ଦେଶର ପ୍ରଥମ ବୋଲି ଉଲ୍ଳେଖ କରି ଏହି ପ୍ରତିଷ୍ଠାନରେ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରାୟ ୫୦ହଜାର ଯୁବକଙ୍କୁ ତାଲିମ ଦେବାର ଯୋଜନା ଥିବା ଆନନ୍ଦର ବିଷୟ ବୋଲି ରାଷ୍ଟ୍ରପତି କହିଥିଲେ । କେନ୍ଦ୍ର ପେଟୋଲିୟକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରପତିଙ୍କ ସହ ଭୁବନେଶ୍ୱର ଆଇଆଇଟି ଉତ୍ସବରେ ଯୋଗ ଦେଇଥିଲେ ।
ରାଷ୍ଟ୍ରପତି କୋବିନ୍ଦ ଶନିବାର ପୂର୍ବାହ୍ନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଂଚିବା ପରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ସେଠାରୁ ସେ ସିଧା କଟକ ଯାଇ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥଳରେ ତାଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଂଜଳୀ ଜଣାଇ ଥିଲେ । ତା’ପରେ ସେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ଆନନ୍ଦ ଭବନକୁ ଯାଇ ଆନନ୍ଦ ଭବନ ମ୍ୟୁଜିୟମ ଓ ଲର୍ନିଂ ସେଂଟରକୁ ଲୋକାର୍ପଣ କରିଥିଲେ । ଏହି ଉତ୍ସବରେ ସେ ବିଜୁ ବାବୁ କେବଳ ଓଡ଼ିଶାର ନୁହନ୍ତି, ରାଷ୍ଟ୍ରର ନେତା ବୋଲି କହିବା ସହ ଦଳମତ ନିର୍ବିଶେଷରେ ବିଜୁ ବାବୁ ସବୁ ରାଜନୈତିକ ଦଳର ଶ୍ରଦ୍ଧାଭାଜନ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଆନନ୍ଦ ଭବନ ମ୍ୟୁଜିୟମକୁ ଲୋକାର୍ପଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାର ଆନନ୍ଦ ଭବନକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିବାରୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି ଶନିବାର ଦିନ କଟକରେ ଜାତୀୟ ଆଇ ବିଶ୍ୱବିଦ୍ୟଳୟର ପ୍ରତିଷ୍ଠା ଉତ୍ସବରେ ମଧ୍ୟ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟପାଳ ଏସସି ଜମିର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଦିଲ୍ଲୀ ଫେରି ଯିବା ପୂର୍ବରୁ ସେ ରାଜ ଭବନ ଠାରେ ଦୀର୍ଘ ସମୟ ଧରି ବିଭିନ୍ନ ରାଜନୈତିକ ଦଳର ନେତୃବର୍ଗଙ୍କୁ ସାକ୍ଷାତର ସୁଯୋଗ ଦେଇ ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS