ସଂସଦରେ ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟି କଲେ ଅମିତ ଶାହା


ନୂଆଦିଲ୍ଲୀ, ୨୫ ମାର୍ଚ୍ଚ: ଦୁଇ ସପ୍ତାହରୁ ଅଧିକ ହେଲା ସଂସଦରେ ଯେଉଁ ଅଚଳାବସ୍ଥା ଲାଗି ରହିଛି ସେଥିପାଇଁ ବିରୋଧୀଙ୍କୁ ଦାୟି କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଟିଡ଼ିପି ଓ ଅନ୍ୟ ଆନ୍ଧ୍ର ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଗୃହରେ ଅଣି ଥିବା ଅନାସ୍ଥା ପ୍ରସ୍ତାବ ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଅଯଥା ହଟ୍ଟଗୋଳ ସୃଷ୍ଟି କରି ଗୃହକୁ ଅଚଳ କରିବା ଫଳରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଆସି ପାରୁ ନାହିଁ ବୋଲି ସେ ଶନିବାର ରାତିରେ ଏକ ଜାତୀୟ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି ଯେ, ଲୋକସଭାରେ ବିଜେପିର ନିଜସ୍ୱ ସଂଖ୍ୟାଗରିଷ୍ଠତା ରହିଛି । ତେଣୁ, ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବିଜେପି ଭୟ କରୁ ନାହିଁ । ଟିଡ଼ିପି ଏନଡ଼ିଏରୁ ଓହରି ଯାଇଥିଲେ ମଧ୍ୟ ଅନ୍ୟ ଅଂଶିଦାରମାନେ ଏନଡ଼ିଏ ସହିତ ରହିଛନ୍ତି। ରାଜନୈତିକ ଚାପରେ ଟିଡ଼ିପି କେନ୍ଦ୍ର ବିରୋଧୀ ପଦକ୍ଷେପ ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଲୋକପ୍ରିୟ ନେତୃବର୍ଗଙ୍କ ମଧ୍ୟରେ ଅନ୍ୟତମ ହୋଇ ଥିବାରୁ ୨୦୧୯ରେ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ଦେଶରେ ବିଜେପି ସରକାର ପ୍ରତିଷ୍ଠା ହେବା ନିଶ୍ଚିତ ବୋଲି ସେ କହିଛନ୍ତି ।
ବିଜେପି ସଂସଦର ଉଭୟ ଗୃହରେ ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟି କରୁଥିବା ବେଳେ ବିରୋଧୀ ଦଳମାନେ ବିଜେପିର ଅହଂକାରକୁ ଦାୟି କରୁଛନ୍ତି । ଶାସକ ଦଳ ବିରୋଧୀଙ୍କ ସହ ଆଲୋଚନା ମାଧ୍ୟମରେ ଅଚଳାବସ୍ଥା ଦୂର କରିବାକୁ ଉଦ୍ୟମ କରୁ ନାହିଁ କାହିଁକି (?) ବୋଲି ଶାହାଙ୍କୁ ପ୍ରଶ୍ନ ହେବାରୁ ବିରୋଧୀଙ୍କ ସହ ବାରଂବାର ବିଭିନ୍ନ ସ୍ତରରେ ଆଲୋଚନା ହୋଇଥିଲେ ମଧ୍ୟ ପରିସ୍ଥିତି ସୁଧୁରୁ ନ ଥିବା ସେ କହିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ବାଧ୍ୟବାଧକତାରେ ସେମାନେ ନିଜ ନିଜ ଦାବିରେ ଅଡି ରହୁଛନ୍ତି ବୋଲି ଉଲ୍ଲେଖ କରି ଏଠି ବିଜେପି ନିଜର ଆହଂକାରରୁ ଚରିତାର୍ଥ କରିବା ସକାଶେ ବିରୋଧୀଙ୍କ ସହ ଆଲୋଚନା କରୁ ନାହିଁ କହିବା ଠିକ୍ ନୁହେଁ ବୋଲି ଶାହା ଓଲଟା କହିଛନ୍ତି ।
ଶୁକ୍ରବାର ଦିନ ଗୃହରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାକୁ ଥିଲା । ତେବେ, ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି ଓ ଅନ୍ୟ ଆନ୍ଧ୍ର ରାଜନୈତିକ ଦଳ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କରି ଗୃହକୁ ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ତାମିଲନାଡୁର ଶାସକ ଏଆଇଏଡ଼ିଏମକେ ଦଳ କାବେରୀ ନଦୀ ଜଳ ବିବାଦ ଉଠାଇ ଏବଂ ତେଲେଙ୍ଗାନାର ଶାସକ ଟିଆରଏସ୍ ଦଳ କୋଟା ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ସେହିପରି, କଂଗ୍ରେସ ଦଳ ମୂଳ ପ୍ରସଙ୍ଗ ପିଏନ୍ବି ସ୍କାମ୍ ସହ ସଂଖ୍ୟାଲଘୁ ଜାତି ଓ ଜନଜାତିଙ୍କ ସୁରକ୍ଷା ଆଇନ ଉପରେ ନିକଟରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ଯୋଡ଼ି କୋର୍ଟଙ୍କ ରାୟ ସଂଖ୍ୟାଲଘୁ ଜାତି ଓ ଜନଜାତିଙ୍କ ସ୍ୱାର୍ଥକୁ କ୍ଷୁର୍ଣ୍ଣ କରୁଥିବାରୁ କେନ୍ଦ୍ର ସରକାର ତାହାର ରିଭ୍ୟୁ ପାଇଁ ଆବେଦନ କରିବାକୁ ଅଡ଼ି ବସି ଥିଲା । ବିରୋଧୀ ଦଳମାନେ ନିଜ ନିଜ ପ୍ରସଂଗକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ଅଚଳାବସ୍ଥା ସୃଷ୍ଟି କରିବା ଫଳରେ ସରକାର ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାକୁ ଗଡାି ନେବାରେ ସୁବିଧା ହୋଇଛି । ମାର୍ଚ୍ଚ ୫ ତାରିଖରୁ ଦୀର୍ଘ ୧୫ ଦିନରୁ ଅଧିକ ହେଲା ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ସଂସଦର ବଜେଟ ଅଧିବେଶନ ଧୋଇ ଯାଇଛି । ମୁଣ୍ଡ ଗଣତିରେ ଲୋକସଭାରେ ସର୍ବନିମ୍ନ ୫୦ ସାଂସଦଙ୍କ ସମର୍ଥନ ନ ଥିଲେ ଟିଡ଼ିପି ଓ ଅନ୍ୟ ଆନ୍ଧ୍ର ରାଜନୈତିକ ଦଳଙ୍କ ଆଡୁ ଉଠି ଥିବା ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ କରାଯିବା ସମ୍ଭବ ନୁହେଁ । ଏହା ଜାଣି ମଧ୍ୟ ବିରୋଧୀ ଦଳ ସାଂସଦମାନେ ସଂସଦରେ ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରୁଥିବାରୁ ସେମାନଙ୍କ ଭୂମିକା ମଧ୍ୟ ସନେ୍ଦହ ଘେରକୁ ଆସୁଛି ।
ଶୁକ୍ରବାର ଦିନ ଗୃହରେ ଅଚଳାବସ୍ଥା ଲାଗି ରହିଥିବା ଦେଖି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ କ୍ଷୋଭ ପ୍ରକାଶ କରିବା ସହ ପରିସ୍ଥିତି ଏଭଳି ରହିଲେ ଅନାସ୍ଥା ପ୍ରସ୍ତାବ ଆସି ପାରିବ ନାହିଁ ବୋଲି ଚେତାଇ ଦେଇ ଥିଲେ । ହଟ୍ଟଗୋଳ ଯୋଗୁ ସେ ବାରମ୍ବାର ଗୃହକୁ ମୁଲତବୀ ରଖିବା ପରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ସ୍ଥଗିତ ରଖି ଥିଲେ । ତେବେ, ରବିବାର ରାମ ନବମୀ ଥିବାରୁ ସୋମବାର କେହି ଗୃହରେ ଉପସ୍ଥିତ ହେବା ସମ୍ଭବ ହେବ ନାହିଁ ବୋଲି ସାଂସଦମାନେ ଜଣାଇବାରୁ ସେ ସୋମବାରକୁ ଛୁଟି ଘୋଷଣା କରିଛନ୍ତି । ଫଳରେ, ଅନାସ୍ଥା ପ୍ରସ୍ତାବର ଭାଗ୍ୟ ମଙ୍ଗଳବାରକୁ ଘୁଂଚି ଯାଇଛି । ସାଂସଦମାନେ ଶୃଙ୍ଖଳିତ ଭାବେ ନିଜ ନିଜ ଆସନରେ ବସିଲେ ହିଁ ମୁଣ୍ଡ ଗଣତି ସମ୍ଭବ ହେବ ଏବଂ ୫୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଲେ କେନ୍ଦ୍ର ସରକାର ବିରୋଧରେ ଟିଡ଼ିପିର ଅନାସ୍ଥା ପ୍ରସ୍ତାବ ଆଲୋଚନା ପାଇଁ ଉପସ୍ଥାପନ ସମ୍ଭବ ହେବ । ତେଣୁ, ମଙ୍ଗଳବାର ଦିନ ବିରୋଧୀ ସାଂସଦଙ୍କ ପଇଁତରା କଣ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ଶୁକ୍ରବାର ରାଜ୍ୟସଭାରେ ମଧ୍ୟ ଏକାପ୍ରକାର ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ଦୀର୍ଘ ୧୫ ଦିନ ହେଲା ବିରୋଧୀ ଦଳମାନେ ଗୃହକୁ ଅଚଳ କରି ରଖି ଥିବାରୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟସଭାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ସରକାର ବିରୋଧୀଙ୍କୁ ଆସ୍ଥାକୁ ନେଇ ଆସନ୍ତା ସପ୍ତାହ ବେଳକୁ ଅନ୍ତତଃ ଗୃହରେ ଶୃଙ୍ଖଳାର ବାତାବରଣ ଫେରାଇ ଆଣିବେ ବୋଲି ନାଇଡୁ ଆଶା ପ୍ରକାଶ କରିଛନ୍ତି ।

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS