ଜେବିଙ୍କ ଅବର୍ତମାନରେ କଂଗ୍ରେସ ନେତାଏ ବାଟବଣା, ନବୀନଙ୍କ କୋଳ ହିଁ ସୁରକ୍ଷିତ !
– ପ୍ରସାଦ ରାଓ –
ଭୁବନେଶ୍ୱର, ୨୭ ମାର୍ଚ୍ଚ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ଓଡ଼ିଶାରେ କଂଗ୍ରେସ ବାଟବଣା ହୋଇଛି । ଦଳ ଭିତରେ ଗୁରୁତର ଅନ୍ତଦ୍ୱର୍ନ୍ଦ୍ୱ ରାଜ୍ୟରେ ଥିବା କଂଗ୍ରେସ ଭୋଟ ବ୍ୟାଙ୍କକୁ କଣା କରିବା କ୍ଷେତ୍ରରେ ବିରୋଧୀଙ୍କୁ ସାହାଯ୍ୟ କରୁଥିବା ବେଳେ ଦଳର ବହୁ ପୁରୁଖା ନେତା ଓଡ଼ିଶାରେ ନବୀନଙ୍କ କୋଳ ସୁରକ୍ଷିତ ମନେ କରି ଶାସକ ବିଜେଡ଼ିକୁ ଯିବା ସକାଶେ ଧାଡିରେ ରହିଥିବା ଭାରତୀୟ ଜାତୀୟ କଂଗ୍ରେସ ପାଇଁ ଏକ ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି କରିଛି । ଜାତୀୟ ସ୍ତରରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘କଂଗ୍ରେସମୁକ୍ତ ଭାରତ’ର ସ୍ଲୋଗାନ ଦେଇ ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରଦୀପକୁ ଲିଭାଇ ଲିଭାଇ ଚାଲିଥିବା ବେଳେ ଓଡ଼ିଶାରେ କଂଗ୍ରେସ ନେତାମାନେ ନିଜ ଆଡୁ ଏହି ଗୁରୁଦାୟିତ୍ୱ ହାତକୁ ନେଇଛନ୍ତି । ବିଜେପିକୁ ନ ହେଲେ ବି ବିଜେଡ଼ିକୁ ରାଜନୈତିକ ଫାଇଦା ଦେବା ସକାଶେ ଏହି ନେତାମାନେ ଦଳ ଭିତରେ ବିଦ୍ରୋହକୁ ତେଜୁ ଥିବା ବେଳେ ବିଜେଡ଼ି ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ଦ୍ୱିଧାରେ କଂଗ୍ରେସ ନେତାଙ୍କ ପାଇଁ ବିଜେଡ଼ି ଦ୍ୱାର ଖୋଲା ରଖି ଓଡ଼ିଶାକୁ ‘କଂଗ୍ରେସ ମୁକ୍ତ’ କରୁଥିବା ମୋଦୀଙ୍କ ଅଭିଯାନକୁ ସମର୍ଥନ ଦେଉଥିବା ମନେ ହେଉଛି । ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିକୁ ଡ଼ରି ନବୀନ କଂଗ୍ରେସ ସହ ମେଂଟ ନୁହେଁ, ‘କଂଗ୍ରେସ ସଫେଇ’ ଅଭିଯାନ ଚଳାଇଛନ୍ତି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ଓଡ଼ିଶାରେ କେବଳ ବିଜେଡ଼ି ନୁହେଁ ବିଜେପି ମଧ୍ୟ କିଛି ମାତ୍ରାରେ କଂଗ୍ରେସ ଭୋଟ ବ୍ୟାଙ୍କକୁ କଣା କରି ନିଜ ଶକ୍ତି ବୃଦ୍ଧି କରୁଥିବା ନିକଟରେ ଅନୁଷ୍ଠିତ ବିଜେପୁର ବିଧାନସଭା ଉପ ନିର୍ବାଚନରେ ଦେଖିବାକୁ ମିଳିଛି । ଏହି ଉପ ନିର୍ବାଚନରେ କଂଗ୍ରେସର ସିଂହଭାଗ ଭୋଟ ବିଜେପି ଖାତାକୁ ଯାଇ ଥିବା ବେଳେ ବିଜେପି ମଧ୍ୟ କଂଗ୍ରେସ ଭୋଟ ବ୍ୟାଙ୍କରେ କଣା କରି ନିଜର ଭୋଟ ବଢାଇବା ସହ ରାଜ୍ୟ ରାଜନୀତିରେ ଦ୍ୱିତୀୟ ସ୍ଥାନକୁ ଉଠିଛି । ବିଜେପୁରରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ଲଜ୍ୟାଜନକ ପରାଜୟ ରାଜ୍ୟ କଂଗ୍ରେସ ନେତୃତ୍ୱ ପାଇଁ ଶିକ୍ଷଣୀୟ ହେବା ବଦଳରେ ଆଭ୍ୟନ୍ତରୀଣ କନ୍ଦଳକୁ ଅଧିକ ତେଜିଛି । ନେତୃତ୍ୱ କନ୍ଦଳକୁ ଆଳ କରି ରାଜ୍ୟ କଂଗ୍ରେସ ବହୁ ପୁରୁଖା ନେତା ଦଳ ଛାଡିବାର ଯେଉଁ ଦୌଡ ଆରମ୍ଭ କରିଛନ୍ତି ତାହା ୨୦୧୯ ସାଧାରଣ ନିର୍ବାଚନ ବେଳକୁ ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହୋଇ ଯିବା ସଂକେତ ଦେଉଛି । ଶାସକ ବିଜେଡ଼ି ଓ ବିରୋଧୀ ବିଜେପି ଏହାର ଭରପୁର ଫାଇଦା ଉଠାଇବାକୁ ଟାକି ରହିଥିବା ବିଜେପୁର ଉପ ନିର୍ବାଚନ ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇ ଥିବା ମନ୍ତବ୍ୟରୁ ସ୍ପଷ୍ଟ । କଂଗ୍ରେସ ଭୋଟ ବ୍ୟାଙ୍କରେ ଯିଏ ଯେତେ ବଡ କଣା କରି ପାରିବ ସିଏ ରାଜ୍ୟରେ ସରକାର ଗଢିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଧାନ ମନ୍ତବ୍ୟ ଦେଇଥିଲେ ।
କ୍ଷମତା କନ୍ଦଳରେ ମାତିଥିବା ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ଏହି ବାସ୍ତବତା ସଂପର୍କରେ ସଂପୂର୍ଣ୍ଣ ଅବଗତ । କିନ୍ତୁ, କ୍ଷମତା ପାଇଁ ଦଳ ଭିତରେ ଚାଲିଥିବା ଲଢେଇ ସେମାନଙ୍କୁ ଅନ୍ଧ କରି ଦେଇଛି । କଗ୍ରେସ ଭୋଟ ବ୍ୟାଙ୍କରେ କଣା କରିବା ପାଇଁ ବିଜେଡ଼ି, ବିଜେପି ନେତା ସୁଚିନ୍ତିତ ଷଡଯନ୍ତ୍ର ଚଳାଇ ଥିବା ବେଳେ କଂଗ୍ରେସରେ ଚାଲିଛି କ୍ଷମତା ପାଇଁ ଲଢେଇ । ରାଜ୍ୟ କଂଗ୍ରେସର ମଙ୍ଗ ନିଜ ହାତକୁ ଆଣିବା ପାଇଁ ପଟ୍ଟନାୟକ ପରିବାର ବ୍ୟଗ୍ର ଥିବା ବେଳେ ଏଆଇସିସି ତାହା କରାଇ ଦେଉ ନାହିଁ । ଫଳରେ, ଅହଂକାରର ଲଢେଇ ଯୋର ଧରିଛି । ଜାନକୀ ବାବୁଙ୍କ ଅବର୍ତମାନରେ ସେହି ପରିବାରୁ ଜଣେ କେହି ରାଜ୍ୟ କଂଗ୍ରେସର ମଙ୍ଗ ଧରିବା ଦିବଙ୍ଗତ ନେତାଙ୍କ ସମର୍ଥକମାନେ ଚାହୁଁ ଥିବା ବେଳେ କଂଗ୍ରେସ ହାଇକମାଣ୍ଡ ତାହା କରାଇ ଦେଉ ନ ଥିବାରୁ ଦଳକୁ ବିପର୍ଯ୍ୟୟ ମୁହାଁ କରାଇଛନ୍ତି ରାଜ୍ୟ କଂଗ୍ରେସ ଏକ ପ୍ରଭାବଶାଳୀ ଗୋଷ୍ଠୀ । ଏହି ଛାୟାଯୁଦ୍ଧରେ ନିଜର ରାଜନୈତିକ ସ୍ଥିତି ଅନିଶ୍ଚିତ ଥିବା ଦେଖି ବହୁ କଂଗ୍ରେସ ନେତା ଇତିମଧ୍ୟରେ ଶାସକ ବିଜେଡ଼ିରେ ସାମିଲ ହେଲେଣି ବା ଦଳ ଛାଡିବା ସୁଯୋଗ ଅପେକ୍ଷାରେ ଅଛନ୍ତି । ଦିନେ ଦକ୍ଷିଣ ଓଡ଼ିଶା କଂଗ୍ରେସ ଗଡ଼ ଥିଲା । ଏବେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପିର ଗଡ଼ ପାଲଟିବାରେ ଲାଗିଛି । ଅବିଭକ୍ତ ଗଞ୍ଜାମ ଜିଲ୍ଲା ଓ ବ୍ରହ୍ମପୁର ସହରରେ କଂଗ୍ରେସର ଗଡ଼ ଜଗି ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, କଂଗ୍ରେସ ଯୁବ ନେତା ବିକ୍ରମ ପଣ୍ଡା, ବନ ସେଠୀ ପ୍ରମୁଖ ବିଜେଡ଼ିରେ ଯୋଗ ଦେବାକୁ ଗୋଡ ଟେକି ବସିଛନ୍ତି । କେରାପୁଟ ଜିଲ୍ଲାର କଂଗ୍ରେସର ମଙ୍ଗ ଧରି ଥିବା ଜୟପୁର ବିଧାୟକ ତଥା ରାଜ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ କିଛି କଂଗ୍ରେସ ବିଧାୟକ ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତନ ନ ହେଲେ ସେମାନେ ବର୍ତମାନର ପିସିସି ସଭାପତିଙ୍କ ନେତୃତ୍ୱରେ ୨୦୧୯ ବିଧାନସଭା ନିର୍ବାଚନ ଲଢିବେ ନାହିଁ ବୋଲି ଚେତାବନୀ ଦେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ପୂର୍ବରୁ ଗମାଙ୍ଗ ପରିବାର କଂଗ୍ରେସ ଛାଡି ବିଜେପିକୁ ଚାଲି ଯାଇଛନ୍ତି ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତୃତ୍ୱ ପରିବର୍ତନ ପାଇଁ ଦାବି କରି ଅଭିଯାନର ମଙ୍ଗ ଧରିଥିବା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପରୋକ୍ଷରେ ନୂଆ ଦଳ ଗଠନର ସୂଚନା ଦେଇ ଦଳ ଭିତରେ ହଇଚଇ ସୃଷ୍ଟି କଲେଣି । ଅଖିଳ ଭାରତ କଂଗ୍ରେସ କମିଟି ଏଭଳି ଚେତାବନୀ ସତ୍ୱେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ପରିବର୍ତନ କରିବା ମୁଡ୍ ରେ ନ ଥିବାରୁ ନିକଟରେ ଏଆଇସିସି ଅଧିବେଶନରେ ଯୋଗ ଦେଇ ଓଡ଼ିଶା ଫେରି ଥିବା କିଛି କଂଗ୍ରେସ ନେତା ଦଳ ଛାଡିବା ମସୁଧାରେ ଥିବା ଲକ୍ଷ୍ୟ କରାଯାଉଛି । ଗଲା ରାଜ୍ୟସଭା ନିର୍ବାଚନ ସମୟରେ ରାଜ୍ୟର ଶାସକ ବିଜେଡ଼ି ଜାନକୀ ବାବୁଙ୍କ ଜାମାତା ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ (ଅବଶ୍ୟ ସେ ବହୁପୂର୍ବରୁ ସେ କଂଗ୍ରେସରୁ ବିତାଡିତ ହୋଇ ନିଜସ୍ୱ ରାଜନୈତିକ ଦଳ ଗଠନ କରିଥିଲେ) ବିଜେଡ଼ିକୁ ନେଇ ରାଜ୍ୟସଭା ସାଂସଦ କରିବା ପରେ ପଟ୍ଟନାୟକ ପରିବାରର ଅନ୍ୟ ସଦସ୍ୟମାନେ ବିଜେଡ଼ିକୁ ଯିବା ବାଟ ଖୋଲିଛି । ୨୦୧୯ ସାଧାରଣ ନିର୍ବାଚନରେ ସେମାନଙ୍କୁ ଦଳ ରାଜନୈତିକ ଥଇଥାନର ପ୍ରତିଶ୍ରୁତି ଦେଇ ଥିବା ବିଜେଡ଼ି ବାହାରେ ଚର୍ଚ୍ଚା ହେଉଛି । ବର୍ତମାନ ଜାନକୀ ବାବୁଙ୍କ ଲିଗାସୀକୁ ରକ୍ଷା କରିବା ଦାୟିତ୍ୱ ନେଇଛନ୍ତି ପୂର୍ବତନ ପିସିସି ସଭାପତି ତଥା ସୌମ୍ୟଙ୍କ ବଡ଼ ଭାଇ ନିରଂଜନ ପଟ୍ଟନାୟକ । ତାଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସରେ କ୍ଷମତା କନ୍ଦଳ ଚରମ ସୀମାରେ ପହଂଚି ଥିବା ବେଳେ କଂଗ୍ରେସ ଛାଡୁ ଥିବା ନେତାଙ୍କୁ ବିଜେଡ଼ିରେ ଥଇଥାନ କରାଯାଉ ଥିବାରୁ କଂଗ୍ରେସକୁ ନିଶ୍ଚିହ୍ନ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ତଥ୍ୟଭିଜ୍ଞ ମହଲରେ ଆଲୋଚନା ହେଉଛି ।
ଓଡ଼ିଶା କଂଗ୍ରେସରେ କ୍ଷମତା କନ୍ଦଳ କିଛି ନୂଆ କଥା ନୁହେଁ । ଶ୍ରୀମତୀ ନନ୍ଦିନୀ ଶତପଥୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଂଗ୍ରେସରେ କ୍ଷମତା କନ୍ଦଳ ଥିଲା । ୧୯୭୫-୭୬ରେ ଦେଶରେ ଜରୁରୀ ପରିସ୍ଥିତି ଜାରି ସମୟରେ ସେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତି ଅନୁଗତ ଥାଇ ମଧ୍ୟ ଅସମୟରେ କ୍ଷମତାରୁ ବିଦାୟ ନେଇଥିଲେ ଏବଂ ତାଙ୍କୁ ବିରୋଧ କରୁଥିବା ବିନାୟକ ଆଚାର୍ଯ୍ୟଙ୍କୁ ସ୍ୱଳ୍ପ ସମୟ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳି ଥିଲା । ପରେ, ନନ୍ଦିନୀ ଦେବୀଙ୍କୁ ଆଉ ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ମିଳିନି । ଜରୁରୀ ପରିସ୍ଥିତି ପରେ ଜାନକୀ ବାବୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଶୀର୍ବାଦରେ୧୯୮୦ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଥିଲେ ଏବଂ ୧୯୯୦ ପର୍ଯ୍ୟନ୍ତ ଲଗାତର ଭାବେ ଦଶ ବର୍ଷ ଶାସନ କରି ଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମଧ୍ୟ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସେ ତାଙ୍କର ଏକାନ୍ତ ଅନୁଗତ ବସନ୍ତ ବିଶ୍ୱାଳ ଏବଂ ଅନ୍ୟପଟେ ନିଜର ଆତ୍ମୀୟ ନିରଂଜନ ପଟ୍ଟନାୟକଙ୍କୁ ସନ୍ତୁଳିତ କରି ସରକାର ଚଳାଇବାକୁ ଉଦ୍ୟମ କରିଥିଲେ । ତେବେ, ପଶ୍ଚିମ ଓଡ଼ିଶାର ବରିଷ୍ଠ କଂଗ୍ରେସ ବିଧାୟକ ହେମାନନ୍ଦ ବିଶ୍ୱାଳ ତାଙ୍କ ସରକାରରେ ସବୁଠାରୁ ବଡ ‘ଖଳନାୟକ’ ଭାବରେ ଉଭା ହୋଇ ଥିଲେ । ୧୯୮୦ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶାର ‘ସୁପର ଚିଫ୍ ମିନିଷ୍ଟର’ ଭାବେ ପରିଚିତ ବସନ୍ତ କୁମାର ବିଶ୍ୱାଳ ମଧ୍ୟ ୧୯୮୫ରୁ ୧୯୯୦ କଂଗ୍ରେସ ସରକାର ଅମଳରେ ଜାନକୀ ବାବୁଙ୍କ ବିରୋଧରେ ମୁଣ୍ଡ ଟେକି ଥିଲେ । ଦଳରେ ତୀବ୍ର ଗୋଷ୍ଠୀ ବିବାଦ, ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରିତି ଯୋଗୁ ୧୯୯୦ରେ କଂଗ୍ରେସ ସରକାରଙ୍କ ପତନ ଘଟି ଥିଲା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୦ ନିର୍ବାଚନରେ ବାମପନ୍ଥୀ ଦଳଙ୍କ ସହ ବୁଝାମଣା କରି ରାଜ୍ୟରେ ଜନତା ଦଳ ସରକାର ପ୍ରତିଷ୍ଠା କରିଥିଲେ । ୧୯୯୫ ଯାଏଁ ରାଜ୍ୟରେ ବିଜୁ ବାବୁଙ୍କ ସରକାର ଚାଲି ଥିଲା । ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ, ପଂଚାୟତରାଜ ବ୍ୟବସ୍ଥାର ପୁନର୍ଗଠନ ଓ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ‘ମାଡତତ୍ତ୍ୱ’ ଭଳି ବହୁ ଜନପ୍ରିୟ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସତ୍ତ୍ୱେ ବିଜୁ ବାବୁ ୧୯୯୫ରେ ଆଉ କ୍ଷମତାକୁ ଫେରି ପାରି ନ ଥିଲେ । ରାଜ୍ୟରେ ପୁନର୍ବାର କଂଗ୍ରେସ ଦଳର ସରକାର ପ୍ରତିଷ୍ଠା ହୋଇଥିଲା ।
ଜାନକୀ ବାବୁଙ୍କୁ ବାଦ୍ ଦେଇ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା ହେବା ରାଜ୍ୟବାସୀ ଚାହିଁ ଥିଲେ ମଧ୍ୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସେ ପଛ ଦୁଆର ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଥିଲେ । ୧୯୯୫ରୁ ୨୦୦୦ ଥିଲା ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟର ସମୟ । ଦଳରେ ଜେବି-ବିରୋଧୀଙ୍କ ସଂଖ୍ୟା ବଢିବା ସହ କ୍ଷମତା କନ୍ଦଳ ଚରମକୁ ଉଠି ଥିଲା । ଦୁର୍ନୀତି, ପ୍ରିୟାପ୍ରିତି ଓ ଦୁର୍ଷ୍କମ ଭଳି ଅଭିଯୋଗ ସରକାରଙ୍କ ଭାବମୂର୍ତୀକୁ କଳୁଷିତ କରିଥିଲା । କଂଗ୍ରେସ ହାଇକମାଣ୍ଡଙ୍କ ନିଦେ୍ର୍ଦଶକ୍ର୍ରମେ ଜେବି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସ୍ୱଳ୍ପ ସମୟ ପାଇଁ ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇ ଥିଲେ । ୨୦୦୦ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ବିଜେଡ଼ି ସରକାର ପ୍ରତିଷ୍ଠା ହେବା ପରେ ୧୮ ବର୍ଷ ହେଲା କଂଗ୍ରେସ ଆଉ କ୍ଷମତାକୁ ଫେରି ପାରୁନି । ରାଜ୍ୟରେ ବିଜେଡ଼ି ସରକାର ପ୍ରତି ଅସନ୍ତୋଷ ବଢିଛି ସିନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ କାହାକୁ ଦେଖୁ ନ ଥିବାରୁ ରାଜ୍ୟବାସୀ ଲଗାତର ବିଜେଡ଼ିକୁ ଭୋଟ ଦେଇ ଆସୁଛନ୍ତି । ୨୦୧୯ରେ ମଧ୍ୟ ସେହି ପରିସ୍ଥିତି ରହିବା ନିଶ୍ଚିତ ଜଣାପଡୁଛି ।
ରାଜ୍ୟରେ ନବୀନଙ୍କ ଶାସନ ସମୟରେ ଜାନକୀ ବାବୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଓ ପରବର୍ତୀ ସମୟରେ ଆସାମ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ କଂଗ୍ରେସରେ ତାଙ୍କ ପରିବାରର ସ୍ଥିତିକୁ ବଜାୟ ରଖିଥିଲେ । କିନ୍ତୁ ତାଙ୍କ ଦେହାନ୍ତ ପରେ କଂଗ୍ରେସର କ୍ଷମତା ରାଜନୀତିରେ ଜେବି-ଲିଗାସୀ ଦୁର୍ବଳ ପଡି ଯାଇଛି । ୨୦୧୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଓଡ଼ିଶାରେ କଂଗ୍ରେସ ସଂଗଠନକୁ ସଜାଡିବା ପାଇଁ ନିରଂଜନ ପଟ୍ଟନାୟକୁ ପିସିସି ସଭାପତି କରାଯାଇ ଥିଲେ ମଧ୍ୟ ଠିକ୍ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ହଟାଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଓଡ଼ିଶା ଦାୟିତ୍ୱ ଦିଆ ଯାଇ ଥିଲା । ନିର୍ବାଚନରେ ଦଳିତ ଭୋଟରଙ୍କୁ ସନ୍ତୁଷ୍ଟ କରିବା ଉଦେ୍ଦଶ୍ୟରେ ଏଆଇସିସି ଏହା କରିଥିବା ଆଲୋଚନା ହୋଇଥିଲା ସିନା ବାସ୍ତବରେ ନିର୍ବାଚନ ଠାରୁ ପଟ୍ଟନାୟକ ପରିବାରକୁ ଦୂରେଇ ରଖିବା ସକାଶେ ଏଆଇସିସି ଏହା କରିଥିବା ତାଙ୍କ ସମର୍ଥକମାନେ ଅଭିଯୋଗ କରିଥିଲେ । ତେବେ, ଜେବି-ଲିଗାସୀର ଅସନ୍ତୋଷ ଏବଂ ଜେନା ଗୋଷ୍ଠୀର ମନମୁଖୀ କାର୍ଯ୍ୟ ଯୋଗୁ ୨୦୧୪ ନିର୍ବାଚନରେ ଦଳ ଶୋଚନୀୟ ପରାଜୟର ସମ୍ମୁଖୀନ ହେବା ସହ କଂଗ୍ରେସ ଅଧିକ ବିପର୍ଯ୍ୟୟ ଆଡକୁ ଠେଲି ହୋଇ ଗଲା । ପରେ, ଏଆଇସିସି କଂଗ୍ରେସର ଯୁବ ନେତା ପ୍ରସାଦ ହରିଚନ୍ଦନଙ୍କୁ ରାଜ୍ୟ କଂଗ୍ରେସ ସଭାପତି ଭାବେ ନିଯୁକ୍ତ ଦେଇ ସଂଗଠନରେ ସଂସ୍କାର ଆଣିବାକୁ ଉଦ୍ୟମ କଲା ସିନା ନିରଂଜନ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇ ରହିଲେ । କୌଣସି ପ୍ରକାର କ୍ଷମତାକୁ ଫେରିବା ପାଇଁ ଏହି ଗୋଷ୍ଠୀର ଉଦ୍ୟମ ‘ପ୍ରସାଦ ହଟାଓ’ ଅଭିଯାନର ମୂଳଦୁଆ ପକାଇବା ସହ ଚାରି ବର୍ଷ ହେଲା ରାଜ୍ୟ କଂଗ୍ରେସକୁ ରସାତଳକୁ ନେଇ ଯାଇଛି ।
ବିଜେପୁର ଉପ-ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିଲେ ସୁଦ୍ଧା ଏଆଇସିସି ତାହାକୁ ଗ୍ରହଣ ନ କରି ପ୍ରସାଦଙ୍କୁ ନେଇ ୨୦୧୯ ନିର୍ବାଚନ ଲଢିବ ବୋଲି ପରୋକ୍ଷରେ ଜଣାଇ ଦେବା ପରେ ନିରଂଜନ ଗୋଷ୍ଠୀ ଅଧିକ କ୍ଷୁବ୍ଧ । ଇତିମଧ୍ୟରେ, ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଥିବା ସମୟରେ ତାଙ୍କୁ ଯାଇ ଭେଟିବା ନେଇ ଚର୍ଚ୍ଚା ଯୋର ଧରି ଥିଲା । ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏଆଇସିସିର ୮୪ତମ ସାଧାରଣ ଅଧିବେଶନରେ ମିଶ୍ର ଓଡ଼ିଶାର ସ୍ୱାର୍ଥ ସଂବଳିତ କେତେକ ପ୍ରସ୍ତାବ ଏଆଇସିସି ସମ୍ମୁଖରେ ଉପସ୍ଥାପନ କରିଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇ ନ ଥିବା ସେ ନିଜେ ଓଡ଼ିଶା ଫେରିବା ପରେ ଅଭିଯୋଗ କରିଛନ୍ତି । ଏଥିରୁ, ଏଆଇସିସି ନିରଂଜନ ଗୋଷ୍ଠୀକୁ ପ୍ରାଧାନ୍ୟ ଦେଉ ନ ଥିବା ସୂଚିତ ହେଉଛି । ଓଡ଼ିଶାରେ ବର୍ତମାନ କଂଗ୍ରେସର ସ୍ଥିତି ଯାହା ୨୦୧୯ ନିର୍ବାଚନରେ ଦଳ ସେଭଳି କିଛି କରିସ୍ମା କରିବା ଆଶା କ୍ଷୀଣ । ତେଣୁ , ରାଜ୍ୟ କଂଗ୍ରେସର ପୁରୁଖା ନେତାମାନେ ସୁରକ୍ଷିତ ଆଶ୍ରୟ ଖୋଜୁଛନ୍ତି । ଶାସକ ବିଜୁ ଜନତା ଦଳ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖିବା କଥା କହୁଥିବା ବେଳେ ବାସ୍ତବରେ କଂଗ୍ରେସର ପୁରୁଖା ନେତାଙ୍କୁ ପୋଛି ଆଣିବା (ପୋଚିଂ)କୁ ଜାଲ ବିଛାଇଛି । ବିଜେପିକୁ ଗଲେ କ୍ଷମତା ମିଳିବା ଆଶା ନାହିଁ । ତେଣୁ, ନବୀନଙ୍କ କୋଳରେ ଆଶ୍ରୟ ନେବାକୁ ଚାହିଁ ବସିଛନ୍ତି କଂଗ୍ରେସ ନେତାମାନେ । କଂଗ୍ରେସର ଜେବି-ଲିଗାସୀ ଏବେ ବିଜୁ ଜନତା ଦଳରେ ଲୀନ ହେବା ଅପେକ୍ଷାରେ । ଜାନକୀ ବାବୁ ବଂଚି ଥିଲେ ବୋଧହୁଏ ଏହା ସମ୍ଭବ ହୋଇ ନ ଥା’ନ୍ତା !
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS