ପ୍ରଶ୍ନପତ୍ର ଲିକ୍: ସିବିଏସ୍ ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପତ୍ରର ପୁନଃ ପରୀକ୍ଷା ଏପ୍ରିଲ ୨୫ରେ ହେବ
ନୂଆଦିଲ୍ଲୀ ମାର୍ଚ୍ଚ ୩୧ (ମୋ ଅନୁଭବ): ସିବିଏସ୍ ଇ ବୋର୍ଡ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ଦେଶବ୍ୟାପୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ରୋଷର ସମ୍ମୁଖୀନ ହୋଇଥିବା ବେଳେ ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ବିଷୟରେ ପୁନଃ ପରୀକ୍ଷା ହେବ ବୋଲି ୩୦ ତାରିଖ ସିବିଏସ୍ ଇ ବୋର୍ଡ କର୍ତୃପକ୍ଷ ଘୋଷଣା କରିଛନ୍ତି । ତେବେ, କେବଳ ଦିଲ୍ଲୀ -ଏନସିଆର ଓ ହରିୟାନାରେ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇ ଥିବାରୁ ଆବଶ୍ୟକ ମନେ କଲେ ବୋର୍ଡ ସେହି ଅଂଚଳର ଛାତ୍ରଛାତ୍ରୀଙ୍କ ପାଇଁ ଜୁଲାଇ ମାସରେ ପୁନଃ ପରୀକ୍ଷା କରି ପାରନ୍ତି ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୬ ରେ ସିବିଏସ୍ ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ଓ ୨୮ ତାରିଖ ଦିନ ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ତାରିଖ ଏହି ଘଟଣା ସଂପର୍କରେ ଖବର ପାଇବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଯେଉଁମାନେ ଏଥି ପାଇଁ ଦାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରୀ ପ୍ରକାଶ ଜାଭଦେକର୍ ଙ୍କୁ ନିର୍ଦେଶ ଦେଇଥିଲେ । ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶ ସାରା ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରତିବାଦ ସୂଚକ ଆନେ୍ଦାଳନ କରିବା ସହ ପୁନଃ ପରୀକ୍ଷାକୁ ବିରୋଧ କରିଛନ୍ତି। ତଥାପି ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପତ୍ରର ପୁନଃ ପରୀକ୍ଷା ହେବ ବୋଲି ବୋର୍ଡ କର୍ତୃପକ୍ଷ କହିଛନ୍ତି । ତେବେ, ଦଶମ ଶ୍ରେଣୀ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କେବଳ ଦିଲ୍ଲୀ-ଏନସିଆର ଓ ହରିଆନା ମଧ୍ୟରେ ସୀମିତ ଥିବାରୁ ଆବଶ୍ୟକତା ପଡିଲେ ସେହି ଅଂଚଳ ପାଇଁ ପୁନଃ ପରୀକ୍ଷା ହେବ ବୋଲି ବୋର୍ଡ ଘୋଷଣା କରିବା ପରେ ଦେଶର ଅନ୍ୟାନ୍ୟ ଅଂଚଳର ଛାତ୍ରଛାତ୍ରୀ ଆଶ୍ୱସ୍ତ ହୋଇଛନ୍ତି । ପୁଲିସ ଏହି ଲିକ୍ ଘଟଣାର ତଦନ୍ତ ବେଳେ କେତେକ ଟ୍ୟୁଟରିଆଲ ସଂସ୍ଥା ଓ ଛାତ୍ରଛାତ୍ରୀଙ୍କୁ ପଚରାଉଚୁରା କରିଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS