ଓଡ଼ିଶା ପାଇଁ ଏଆଇସିସି ପ୍ରଭାରୀ ବଦଳିଲେ, ଗଂଜାମରେ କଂଗ୍ରେସର ପୁନର୍ଗଠନ ପାଇଁ ସଜବାଜ
ଭୁବନେଶ୍ୱର, ମାର୍ଚ୍ଚ ୩୧ (ମୋ ଅନୁଭବ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ଗଞ୍ଜାମ ଜିଲ୍ଲା ଡ଼ିସିସି ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସଂପାଦକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ଆଗ ଧାଡିର କଂଗ୍ରେସ ନେତା ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେବା ପରେ ବୋଧହୁଏ ଅଖିଳ ଭାରତ କଂଗ୍ରେସ କମିଟିର ଚେତା ପଶିଛି । ଶୁକ୍ରବାର ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ହଟାଇ ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜେତେନ୍ଦ୍ର ସିଂହଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଇସ୍ତଫା ଦେବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସାହୁ କହିଛନ୍ତି ଯେ, ଦଳରେ ନେତୃତ୍ୱ କନ୍ଦଳ ତୀବ୍ର ହୋଇ ଦଳ ରସାତଳକୁ ଯାଉଛି । ୨୦୦୯ରୁ ସେ ଦଳକୁ ଚେତାଇ ଆସୁଥିଲେ ମଧ୍ୟ କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇ ନାହାନ୍ତି । ତେଣୁ, ବିରକ୍ତ ହୋଇ ସେ ନିଜ ସମର୍ଥକଙ୍କ ସହ ଦଳରୁ ଇସ୍ତଫା ଦେଇଛନ୍ତି । ୪ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଶ୍ରୀ ସାହୁ, ପଣ୍ଡା, ଗନ୍ତାୟତଙ୍କ ସମେତ କଂଗ୍ରେସରୁ ଇସ୍ତଫା ଦେଇଥିବା ଗଞ୍ଜାମ ଜିଲ୍ଲାର ନେତାମାନେ ବିଜେଡ଼ିରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଏହି ନେତାମାନେ ଦଳ ଛାଡିବା ଦ୍ୱାରା ଦଳର କୌଣସି କ୍ଷତି ହେବ ନାହିଁ । ଗଛର ପୁରୁଣା ପତ୍ର ସବୁ ଝଡି ଗଲେ ନୂଆ ପତ୍ର କଅଁଳିବ ଏବଂ ଗଛ ପଲ୍ଲବିତ ହୋଇ ଉଠିବ ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ମହାପାତ୍ର ୩୦ ତାରିଖ ଦିନ ବ୍ରହ୍ମପୁର ଗସ୍ତରେ ଯାଇ ବାପୁଜୀ ଆଶ୍ରମ ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି । ଶ୍ରୀମତୀ ମହାପାତ୍ର ୩୦ ତାରିଖ ବ୍ରହ୍ମପୁର ବାପୁଜୀ ଆଶ୍ରମ ଠାରେ ଜିଲ୍ଲାର କଂଗ୍ରେସ ନେତା ଓ କର୍ମୀଙ୍କୁ ଭେଟି ଆଲୋଚନା କରିବା ପରେ ସାମ୍ବାଦିକଙ୍କୁ ଭେଟି ଥିଲେ । ପୂର୍ବତନ ଗୋପାଳପୁର ବିଧାୟକ ତ୍ରିନାଥ ବେହେରା, ମାଗୁଣି ପଲେଇ, ପ୍ରମୋଦ ଦାଶ, ପୀତବାସ ପଣ୍ଡା, ନୃସିଂହ ରଥ, ଦେବୀ ବିଷୋୟୀ, ନିରଂଜନ ପାରିଗ୍ରାହୀ, ଦୀପକ ପଟ୍ଟନାୟକ, ସାକା ସୁଜିତ, ବନମାଳି ସେଠୀ, ବିଶ୍ୱଜିତ ପାତ୍ର, ଶିବରାମ ପାତ୍ର, ବୃନ୍ଦାବନ ଖଟେଇଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ତାଙ୍କୁ ଭେଟି ଆଲୋଚନା କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS