ଟି.ଏନ୍ ଶେଷାନଙ୍କ ମୃତ୍ୟୁ ଖବର ସତ୍ୟ ନୁହେଁ
ନୂଆଦିଲ୍ଲୀ, ୦୩ ଏପ୍ରିଲ : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ. ଶେଷାନଙ୍କ ଦେହାନ୍ତ ସଂପର୍କରେ ସୋମବାର ଦିନ ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ଖବରରେ ସତ୍ୟତା ନ ଥିବା ସୂଚନା ମିଳିିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଖବର ଭଳି ଏହା ମଧ୍ୟ ଏକ ଗୁଜବ ଥିଲା ବୋଲି ପରବର୍ତୀ ଅନୁସଂଧାନରୁ ଜଣାପଡିଛି । ବାସ୍ତବରେ, ଗତ ଶନିବାର ଦିନ ଟି ଏନ୍ ଶେଷାନଙ୍କ ପତ୍ନୀ ଜୟଲକ୍ଷ୍ମୀ ଶେଷାନଙ୍କ ଦେହାନ୍ତ ଘଟିଛି । ଜୟଲକ୍ଷ୍ମୀଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ରମନ ମାଗସେସେ ପୁରସ୍କାରପ୍ରାପ୍ତ ଟି.ଏନ୍ ଶେଷାନଙ୍କ ମୃତ୍ୟୁ ଘଟିଲା ବୋଲି ସାମାଜିକ ଗଣମାଧ୍ୟମରେ ସୋମବାର ଦିନ ପ୍ରସାରିତ ଖବର ନିଆଁ ଭଳି ବ୍ୟାପି ଯିବାରୁ ତାହାର ସତ୍ୟାସତ୍ୟ ଜାଣିବା ପାଇଁ ଉଦ୍ୟମ ହୋଇ ଥିଲା । ତେବେ, ଟିଏନ୍ ସଂପୁର୍ଣ୍ଣ ସୁସ୍ଥ ଥିବା ଦେଖିବାକୁ ମିଳିଛି ବୋଲି ନୂଆଦିଲ୍ଲୀରୁ ପ୍ରକାଶ ପାଉ ଥିବା ଏକ ଇଂରାଜୀ ଦୈନିକ ସୂତ୍ରରୁ ପ୍ରକାଶ ।
ଶେଷାନ ଦଂପତ୍ତି ପୁଟ୍ଟପତ୍ତିର ଅଲୌକିକ ବାବା ସତ୍ୟ ସାଇଙ୍କ ପରମ ଭକ୍ତ ଥିଲେ । ସାଇବାବାଙ୍କ ଦେହାନ୍ତ ପରେ ସେମାନେ ଏକପ୍ରକାର ଭାଂଗି ପଡି ଥିଲେ । ସନ୍ତାନହୀନ ଶେଷାନ ଦଂପତ୍ତି ଘର ଛାଡି ଚେନ୍ନାଇର ଏକ ବୃଦ୍ଧାଶ୍ରମରେ ଆଶ୍ରୟ ନେଇ ଥିବା ଏକ ହିନ୍ଦୀ ଦୈନିକକୁ ଉଦ୍ଧାର କରି ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇ ଥିଲା । ସୋମବାର ଦିନ ଶେଷାନଙ୍କ ମୃତ୍ୟୁ ଟଟି ଥିବା ଖବର ମଧ୍ୟ ସେହି ଭଳି ଚହଳ ପକାଇ ଥିଲା । ସାମାଜିକ ଗଣମାଧ୍ୟମରେ ଶୋକବାର୍ତାର ସୁଅ ଛୁଟି ଥିବା ବେଳେ ଶେଷାନ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଜଣାପଡିଛି । ଯେଉଁମାନେ ଶୋକ ପ୍ରକାଶ କରି ଟ୍ୱିଟ୍ କରୁ ଥିଲେ ସେମାନେ ସତ୍ରସତ୍ୟ ଜାଣିବା ପରେ ଆଶ୍ୱସ୍ତ ହୋଇଛନ୍ତି ।
୧୯୯୦ ଡ଼ିସେମ୍ବର ୧୨ ତାରିଖରୁ ୧୯୯୬ ଡ଼ିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଶେଷାନ ଭାରତର ଦଶମ ମୁଖ୍ୟ ନିର୍ବାଚନ କମିସନର ଭାବରେ ଦାୟିତ୍ୱ ତୁଲାଇ ଥିଲେ । ନବେ ଦଶକ ମଧ୍ୟ ଭାଗରେ ସେ ନିର୍ବାଚନ ସଂସ୍କାର ସଂପର୍କୀତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ରହି ଥିଲେ । ତାଙ୍କ କାର୍ଯ୍ୟକାଳରେ ଏହି ସାମ୍ବାଧାନିକ ସଂସ୍ଥାର ବାସ୍ତବ ଗାରିମା ଲୋକଲୋଚନକୁ ଆସି ଥିଲା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS