‘ଭାରତ ବନ୍ଦ’ ପାଳନ ବେଳେ ହିଂସା, ଜଳାପୋଡା; ୯ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୦୩ ଏପ୍ରିଲ : ସଂଖ୍ୟାଲଘୁ ଜାତି/ଜନଜାତି (ଅତ୍ୟାଚାର ନିରାକରଣ) ଆଇନରେ ଥିବା ପ୍ରାବଧାନକୁ ମାନ୍ୟବର ସୁପ୍ରିମ କୋର୍ଟ ସାମାନ୍ୟ କୋହଳ କରିଥିବା ପ୍ରତିବାଦରେ ସୋମବାର ଦିନ ଦେଶବ୍ୟାପୀ ଦଳିତ ସମାଜ ପକ୍ଷରୁ ବନ୍ଦ ପାଳନ କରାଯାଇ ଥିଲା । ଏହି ବନ୍ଦ ପାଳନ ବେଳେ ବିଭିନ୍ନ ରାଜ୍ୟରେ ପୁଲିସ ସହ ପ୍ରତିବାଦକାରୀଙ୍କ ସଂଘର୍ଷ ଘଟିବା ସହ ବ୍ୟାପକ ଜଳାପୋଡା ଓ ଟ୍ରେନ୍ ଚଳାଚଳରେ ବ୍ୟାଘାତ ସୃଷ୍ଟି କରାଯାଇ ଥିବା ଜଣାପଡିଛି । ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଏବଂ ହିଂସାକାଣ୍ଡରେ ଅନ୍ୟୁନ ୯ ଜଣଙ୍କ ମୃତ୍ୟୁ ଘଟିଛି । ହାଜର ହଜାର ବିକ୍ଷୋଭକାରୀ ମଧ୍ୟ ଗିରଫ ହୋଇଛନ୍ତି । ବିହାର, ଝାରଖଣ୍ଡ, ମଧ୍ୟ ପ୍ରଦେଶ, ରାଜସ୍ଥାନ ସମେତ ବୁହୁ ରାଜ୍ୟରେ ଏଭଳି ହିଂସା ଦେଖିବାକୁ ମିଳିଛି ।
୧୯୮୯ରୁ ପ୍ରଚଳିତ ହୋଇଥିବା ସଂଖ୍ୟଲଘୁ ଜାତି/ଜନଜାତି (ଅତ୍ୟାଚାର ନିରାକରଣ)ଆଇନରେ ଜଣେ ଦଳିତ ବ୍ୟକ୍ତି ତାଙ୍କ ପ୍ରତି ଅତ୍ୟାଚାର ହୋଇ ଥିବା ଅଭିଯୋଗ ଦାଖଲ କରୁ କରୁ ପୁଲିସ ସଂପୃକ୍ତ ଅଭିଯୁକ୍ତଙ୍କୁ ବିନା ତଦନ୍ତରେ ଗିରଫ କରିବାର ପ୍ରବଧାନ ରହିଛି । ତେବେ, ଆଇନରେ ଥିବା ଏହି ପ୍ରାବଧାନର ଦୁରୁପଯୋଗ ହେଉଥିବା ସଂପର୍କରେ ଅଭିଯୋଗ ଉପରେ ମାନ୍ୟବର ସୁପ୍ରିମ କୋର୍ଟ ରାୟ ଦେଇ ଏଭଳି ଅଭିଯୋଗ ଆସିଲେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାର ଯାଂଚ କରିବା ପରେ ହିଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି କହିଛନ୍ତି । ମାର୍ଚ୍ଚ ୨୦ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଇ ଥିବା ଏହି ରାୟ ସଂଖ୍ୟାଲଘୁ ଜାତି/ଜନଜାତି (ଅତ୍ୟାଚାର ନିରାକରଣ) ଆଇନର କଠୋର ପ୍ରାବଧାନକୁ ନଷ୍ଟ କରି ଦେଇ ଆଇନକୁ କୋହଳ କରି ଦେଇଛି । ଏହାଦ୍ୱାରା ଦେଶରେ ଦଳିତଙ୍କ ଉପରେ ଅତ୍ୟାଚାର ବଢିବ ବୋଲି ଦଳିତ ସମାଜ ଅଭିଯୋଗ କରିଛି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ଏହି ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିବାକୁ ଦଳିତ ମାନଙ୍କ ପକ୍ଷରୁ ଦାବି କରାଯିବା ସହ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ସୋମବାର ଦିନ ଏହି ‘ଭାରତ ବନ୍ଦ’ ଡାକରା ଦିଆଯାଇଥିଲା । ଦଳିତ ସମାଜର ଦାବିକୁ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି ।
ଦଳିତ ରାଜନୀତି ଯୋର ଧରିବା ଦେଖି କେନ୍ଦ୍ର ସରକାର ମଧ୍ୟ ନଇଁବାକୁ ବାଧ୍ୟ ହୋଇଛନ୍ତି । ସୋମବାର ଦିନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ମାର୍ଚ୍ଚ ୨୦ ତାରିଖ କୋର୍ଟ ରାୟ ଉପରେ ଏକ ରିଭ୍ୟୁ ପିଟିସନ ଦାଖଲ କରା ଯାଇଛି । ୧୯୮୯ରେ ପ୍ରଣିତ ସଂଖ୍ୟାଲଘୁ ଜାତି/ଜନଜାତି (ଅତ୍ୟାଚାର ନିରାକରଣ) ଆଇନରେ ଥିବା କଠୋର ପ୍ର୍ରାବଧାନକୁ ସୁପ୍ରିମ କୋର୍ଟଙ୍କ ମାର୍ଚ୍ଚ ୨୦ ତାରିଖ ରାୟ କୋହଳ କରି ଦେବା ଦ୍ୱାରା ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ ଜାତି ଓ ଜନଜାତିଙ୍କ ଉପରେ ତାହାର କୁପ୍ରଭାବ ପଡିବ । ଦେଶର ସାମ୍ବିଧାନିକ ନୀତିର ମଧ୍ୟ ଏହା ପରିପନ୍ଥୀ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇ ଏହି ରିଭ୍ୟୁ ପିଟିସନ ଦାଖଲ ହୋଇଛି । ରିଭ୍ୟୁ ପିଟିସନ ଉପରେ ତୁରନ୍ତ ଶୁଣାଣୀ ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି । ତେବେ, ଏହା ଉପରେ ‘ତୁରନ୍ତ ଶୁଣାଣୀ ସମ୍ଭବ ନୁହେଁ’ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ସଂଖ୍ୟାଲଘୁ ଜାତି/ଜନଜାତିଙ୍କ ନିଖିଳ ଭାରତ ଫେଡେରେସନ୍ ପକ୍ଷରୁ ମଧ୍ୟ ସୁପ୍ରିମ କୋର୍ଟରେ ଏକ ରିଟ୍ ପିଟିସନ୍ ଦାଏର ହୋଇଛି । ‘ଭାରତ ବନ୍ଦ’ ସମୟରେ ଦେଶବ୍ୟାପୀ ହୋଇଥିବା ବ୍ୟାପକ ହିଂସାକାଣ୍ଡ ସଂପର୍କରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏହି ରିଟ୍ ପିଟିସନର ଜରୁରୀ ଶୁଣାଣୀ ପାଇଁ ନିବେଦନ କରା ଯାଇଥିଲା । ତେବେ, ସୁପ୍ରିମ କୋର୍ଟ ତାହାକୁ ମଧ୍ୟ ଅଗ୍ରାହ୍ୟ କରି ଦେଇ ସ୍ୱାଭାବିକ ଭାବେ କୋର୍ଟରେ ଯେମିତି ମାମଲା ଲିଷ୍ଟିଂ ହୋଇ ତାରିକ ପଡିଲେ ଶୁଣାଣୀ ହୁଏ, ଏହି ରିଟ୍ ଉପରେ ମଧ୍ୟ ସେହିଭଳି ଶୁଣାଣୀ ହେବ ବୋଲି କୋର୍ଟ କହିଛନ୍ତି ।
ସୋମବାର ଦିନ ଦଳିତ ସମାଜର ‘ଭାରତ ବନ୍ଦ’ ପାଳନ ସମୟରେ ବ୍ୟାପକ ହିଂସାକାଣ୍ଡ ଘଟିବା ଖବର ପାଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ୟୁପି, ପଂଜାବ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନକୁ ୧୭୦୦ ଆଂଟି-ରିଅଟ୍ ପୋଲିସ କର୍ମଚାରୀଙ୍କୁ ପଠାଇ ଥିଲେ । ୟୁପିକୁ ଆଠ କଂପାନୀ, ମଧ୍ୟ ପ୍ରଦେଶକୁ ଚାରି କଂପାନୀ ଓ ରାଜସ୍ଥାନକୁ ତିନି କଂପାନୀ ରାପିଡ୍ ଆକ୍ସନ ଫୋର୍ସ ଯାଇଥିଲେ । ତଥାପି, ବ୍ୟାପକ ହିଂସାକାଣ୍ଡ ଓ ଜଳାପୋଡା ହୋଇଛି । ଶତାଧିକ ପାସେଂଜର ଓ ମେଲ୍ ଟ୍ରୋନ୍ ବିଭିନ୍ନ ସ୍ଥାନରେ ଅଟକି ରହି ଯାତ୍ରୀମାନେ ହଟହଟ୍ଟା ହୋଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS