ଗଞ୍ଜାମ ରାଜନୀତି: ମହାମିଶ୍ରଣ ନା ଆଶା-ନରାଶାର ମହାମିଳନ !
ବ୍ରହ୍ମପୁର, ୦୪ ଏପ୍ରିଲ (ପ୍ରସାଦ ରାଓ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ପିସିସିର ପୂର୍ବତନ ସଂପାଦକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଭଗବାନ ଗନ୍ତାୟତ, ଜିଲ୍ଲା ଏସସି/ଏସଟି ସେଲର ପୂର୍ବତନ ଅଧ୍ୟକ୍ଷ ବନମାଳୀ ସେଠୀଙ୍କ ସମେତ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ବ୍ରହ୍ମପୁର ମହାନଗର ନିଗମର ୧୧ ଜଣ କର୍ପୋରେଟର, ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ବୁଧବାର ଦିନ ବିଜେଡ଼ିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ପୂର୍ବତନ କଂଗ୍ରେସ ନେତାମାନେ ନବୀନ ପଟ୍ଟନାୟକ ଓ ବିଜେଡ଼ିର ଗୁଣଗାନ କରି ବିଜେଡ଼ିରେ ଆନୁଷ୍ଠାନିକ ଭାବେ ଯୋଗ ଦେବା ଜିଲ୍ଲାବାସୀଙ୍କୁ ଆଚମ୍ବିତ କରି ନାହିଁ । କାରଣ, ଦୀର୍ଘ ଦିନ ହେଲା ପୂର୍ବତନ ମନ୍ତ୍ରୀ ସାହୁଙ୍କ ସମେତ ଅନ୍ୟ ନେତାମାନେ କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳରେ ଅଣ ନିଶ୍ୱାସୀ ହୋଇ ଦଳ ଛାଡିବା ପାଇଁ ସୁଯୋଗ ଖୋଜୁ ଥିଲେ । ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁଜ ସଂକେତ ମିଳିବା ପରେ ଦୁଇ ଦିନ ହେଲା ଗଞ୍ଜାମ ଜିଲ୍ଲା କଂଗ୍ରେସରେ ଇସ୍ତଫାର ସୁଅ ଛୁଟି ଥିଲା । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖ ଅର୍ଥାତ ବୁଧବାର ଦିନ ଏହି କପଡା ପରିବର୍ତନ ହୋଇଛି । ଏହି ନେତାମାନେ ବେକରୁ କଂଗ୍ରେସ ଦଳର ଉତ୍ତରୀୟକୁ ଉତାରି ବିଜେଡ଼ିର ଶଙ୍ଖ ଚିହ୍ନ ଥିବା ସବୁଜ ରଂଗର ଉତ୍ତରୀୟ ବେକରେ ପକାଇ ସଭାରେ ନବୀନଙ୍କ ଗୁଣ ଗାନ କରିଛନ୍ତି । ନବୀନଙ୍କୁ ବିକାଶ ପୁରୁଷ ଭାବେ ସଂବୋଧିତ କରି ତାଙ୍କ ନେତୃତ୍ୱରେ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଶପଥ ନେଇଛନ୍ତି ।
ତେବେ, ଗଞ୍ଜାମ ଜିଲ୍ଲା କଂଗ୍ରେସ ଶୂନ୍ୟ ହୋଇ ଗଲା ବୋଲି ଯାହା କୁହାଯାଉଛି ତାହା ଭୁଲ ପ୍ରମାଣିତ କରିବା ସକାଶେ ଦଳର ଦ୍ୱିତୀୟ ଧାଡିର କିଛି ନେତା ବୁଧବାର ଦିନ ବାପୁଜୀ ଆଶ୍ରମରେ ଏକାଠି ହୋଇଥିଲେ । ସେମାନଙ୍କ ସଂଖ୍ୟା କମ୍ ଥିଲେ ବି ଦଳକୁ ପୁନଃ ସଂଗଠିତ କରିବାରେ ସକ୍ଷମ ହେବେ ବୋଲି ସେମାନେ କହିଛନ୍ତି । ଚନ୍ଦ୍ରଶେଖର ଓ ବିକ୍ରମଙ୍କ ଭଳି ଗଞ୍ଜାମ ଜିଲ୍ଲା କଂଗ୍ରେସର ଆଗ ଧାଡିର ନେତାମାନେ ବିଜେଡ଼ିରେ ଯୋଗ ଦେବା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ପାଇଁ ଲାଭଦାୟକ ହେବ ବୋଲି ଦଳର ବରିଷ୍ଠ ନେତାମାନେ ଅଙ୍କ କଷୁଥିବା ବେଳେ ଏହା ବିଜେଡ଼ି ପାଇଁ ମହଙ୍ଗା ପଡ଼ି ପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଅନେକ ଏହାକୁ ମହା-ମିଶ୍ରଣ ନୁହେଁ ଆଶା-ନିରାଶାର ମହାମିଳନ ବୋଲି ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳିଛି । କାରଣ, ୧୯୯୫ରୁ ଲଗାତର ବ୍ରହ୍ମପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିବା ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ୨୦୦୯ରୁ ଦୁଇ ଥର ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ ସାଧାରଣ ନିର୍ବାଚନରେ ପୁନର୍ବାର ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ଲଢିବାର ସୁଯୋଗ ପାଇବେ ନା ସଦ୍ୟ ଖୋଳ ପରିବର୍ତନ କରିଥିବା ବିକ୍ରମ ଓ ଚନ୍ଦ୍ର ଶେଖର ସେମାନଙ୍କ ସାମନାରେ ଦାବିଦାର ଭାବେ ମୁଣ୍ଡ ଟେକିବେ, ସେ ନେଇ ଏହି ଦୁଇ ନେତା ସନ୍ଦିହାନ ଥିବା ଜଣାପଡିଛି । ସିଦ୍ଧାନ୍ତ ତାଙ୍କ ଭାଷଣରେ ଚନ୍ଦ୍ରଶେଖରଙ୍କୁ ସ୍ୱାଗତ କରି ଅତୀତରେ ଯେଉଁମାନେ ଦଳକୁ ସମାଲୋଚନା କରୁଥିଲେ ସେମାନେ ଦଳକୁ ଆସିବା ଦ୍ୱାରା ଦଳ ଅଧିକ ସୁଦୃଢ ହେବ ଏବଂ ସେମାନଙ୍କ ଦିଗଦର୍ଶନରେ ଅଧୁରା କାମ ସବୁ ସଂପୂର୍ଣ୍ଣ କରି ହେବ ବୋଲି ମନ୍ତବ୍ୟ ଦେଇଥିଲେ । ଏଥିରୁ ସ୍ପଷ୍ଟ ଯେ, ସିଦ୍ଧାନ୍ତ ତୃତୀୟ ଥର ପାଇଁ ବ୍ରହ୍ମପୁର ସାଂସଦ ହେବାକୁ ଆଶାୟୀ ଅଛନ୍ତି । ଚନ୍ଦ୍ରଶେଖରଙ୍କୁ କେବଳ ପରାମର୍ଶଦାତା ଭାବେ ଦେଖିବାକୁ ଚାହୁଁଛନ୍ତି ।
ସେହିଭଳି ଛତ୍ରପୁରରୁ ୨୦୧୪ ନିର୍ବାଚନରେ କଂଗ୍ରେସ ଟିକଟରେ ବିଧାନସଭାକୁ ଲଢି ଥିବା ବନମାଳୀ ସେଠୀ ବୁଧବାର ବିଜେଡ଼ିରେ ଯୋଗ ଦେଇ ଥିବାରୁ ସେ ଛତ୍ରପୁର ଟିକଟ ପାଇଁ ଦାବିଦାର ହେବା ଅସ୍ୱାଭାବିକ ନୁହେଁ । ନିକଟରେ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ଏହି ମିଶ୍ରଣ ପର୍ବରେ ବିଜେଡ଼ିରେ ଯୋଗ ଦେଇ ଥିବା ଭଗବାନ ଗନ୍ତାୟତ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହିଂଜିଳି ନିର୍ବାଚନ ମଣ୍ଡଳୀକୁ ଆଖେଇ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ନ ହେଲେ ବି ୨୦୧୯ ନିର୍ବାଚନରେ ସେ ବ୍ରହ୍ମପୁର ପାଖାପାଖି କୌଣସି ନିର୍ବାଚନ ମଣ୍ଡଳୀରୁ ଟିକଟ ମାଗିବା ସମ୍ଭାବନାକୁ ଏଡାଇ ହେବ ନାହିଁ । ତେଣୁ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ଗଞ୍ଜାମ ବିଜେଡ଼ିରେ ଏଭଳି ଏକାଧିକ ଆଶା-ନିରାଶାର ଖେଳ ଦେଖିବାକୁ ମିଳିବ । ସଦ୍ୟ କଂଗ୍ରେସରୁ ବିଜେଡ଼ିକୁ ଯାଇ ଥିବା ନେତାମାନେ ନୂଆ ସମ୍ଭାବନାକୁ ନେଇ ଉତ୍ସାହିତ । ଅପରପକ୍ଷରେ, ବିଜେଡ଼ିରେ ବର୍ଷ ବର୍ଷ ଧରି ସଂଘର୍ଷ କରି ନିଜର ପତିଆରା ସୃଷ୍ଟି କରିଥିବା ନେତାମାନେ ବୁଧବାରର ମିଶ୍ରଣ ପର୍ବକୁ ନେଇ ବାହାରକୁ ଯେତେ ସନ୍ତୋଷ ପ୍ରକାଶ କରୁଥିଲେ ମଧ୍ୟ ଅନ୍ତର ଭିତରେ ସେତିକି ଶଙ୍କାଗ୍ରସ୍ତ ଥିବା ଦେଖିବାକୁ ମିଳୁଛି । ରାଜ୍ୟ ରାଜନୀତିରେ ବିଜେପିକୁ ମାତ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନୂତନ କୌଶଳ ଆପଣାଇଛନ୍ତି । ତେବେ, ଆଗାମୀ ଦିନରେ ତାହା ଦଳ ପାଇଁ ଘାତକ ହେବ କି ଲାଭଦାୟକ ହେବ,ସମୟ କହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS