ଶୁକ୍ରବାର ରାତି ମଧ୍ୟ ଜେଲ୍ ରେ କଟାଇବେ ସଲମାନ୍, ଓକିଲଙ୍କୁ ଗ୍ୟାଙ୍ଗଷ୍ଟର୍ ଙ୍କ ଧମକ !
ଜୟପୁର (ରାଜସ୍ଥାନ),୦୬ ଏପ୍ରିଲ: ବଲିଉଡ୍ ର ଏକ ନମ୍ବର ଷ୍ଟାର୍ ସଲମାନ୍ ଖାନ୍ ଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସରିଛି । କିନ୍ତୁ, ଆଜି ରାୟ ପ୍ରକାଶ ପାଇ ନାହିଁ । ଯୋଧପୁରର ଜିଲ୍ଲା ଓ ସେସନ୍ସ ଜଜ୍ କୋର୍ଟ ବିଚାରପତି ରବିନ୍ଦ୍ର କୁମାର ଯୋଶୀ ସଲମାନ୍ ଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସାରି ଥିଲେ ମଧ୍ୟ ରାୟକୁ ଶନିବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ଫଳରେ, ଶୁକ୍ରବର ରାତି ମଧ୍ୟ ସଲମାନ୍ ଯୋଧପୁର କେନ୍ଦ୍ରୀୟ ଜେଲରେ କଟାଇବା ନିଶ୍ଚିତ ହୋଇଯାଇଛି । ଦ୍ୱିତୀୟ ରାତି ମଧ୍ୟ ସେ କଏଦୀ ନମ୍ବର-୧୦୬ ଭାବେ ଯୋଧପୁର ଜେଲର ଏକ ପୃଥକ କୋଠରୀରେ ଏକାକୀ ବିତାଇବେ । ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଅନ୍ୟ ବିଚାରାଧୀନ ବା ଦଣ୍ଡପ୍ରାପ୍ତ କଏଦୀଙ୍କ ଠାରୁ ପୃଥକ ରଖା ଯାଇଛି । ତାଙ୍କ ପଡୋଶୀ ଭାବେ ରହିଛନ୍ତି ଦୁଷ୍କର୍ମ ଅଭିଯୁକ୍ତ ଧର୍ମଗୁରୁ ଆଶାରାମ ବାପୁ । ସଲମାନ୍ ଓ ଆଶାରାମ ବାପୁ ପାଖାପାଖି ଥିଲେ ମଧ୍ୟ ଗୋଟିଏ କାନ୍ଥ ଦୁହିଁଙ୍କ ମଧ୍ୟରେ ବ୍ୟବଧାନ ରଖିଛି ।
ସଲମାନ୍ ୧୯୯୮ ମସିହାର ସୁପର ହିଟ୍ ହିନ୍ଦି ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ପାଇଁ ଯୋଧପୁର ଯାଇଥିବା ଏହି ଅଘଟଣ ଘଟିଥିଲା । ଫିଲ୍ମ ଷ୍ଟାର୍ ମାନେ ନିକଟସ୍ଥ କଂକଣି ଅଭୟାରଣ୍ୟରେ ଦୁଇଟି କୃଷ୍ଣସାର ମୃଗଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଗୁରୁବାର ଦିନ ଯୋଧପୁରର ଏକ ଅଦାଲତ ସଲମାନ୍ ଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ଧାରାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିବା ବେଳେ ତାଭ୍କ ସହ ସହ-ଅଭିଯୁକ୍ତ ଥିବା ଅନ୍ୟତମ ବଲିଉଡ୍ ତାରକା ସୈଫ୍ ଅଲ୍ଲୀ ଖାନ୍, ତବ୍ବୁ, ନୀଲମ କୋଠାରୀ ଓ ସୋନାଲି ବେନ୍ଦ୍ରେଙ୍କ ଖଲାସ କରି ଦେଇଛି । ସହ-ଅଭିଯୁକ୍ତମାନେ ମଧ୍ୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ ଓ ୫୨ ଧାରା ସମେତ ଆଇପିସିର ୧୪୯ ଦଫା (ବେଆଇନ ଭାବେ ଏକତ୍ରିତ ହେବା) ଅଭିଯୋଗରେ ଅଭିଯୁକ୍ତ ଥିବା ବେଳେ କୋର୍ଟ ସଲମାନ୍ ଙ୍କୁ ଦଣ୍ଡିତ କରି ଅନ୍ୟ ସମସ୍ତଙ୍କୁ ନିଦେ୍ର୍ଦାଶରେ ଖଲାସ କରି ଦେଇ ଥିବା ଏବେ ଏକ ବିତର୍କର ବିଷୟ ହୋଇଛି । ବଲିଉଡ୍ ଶିଳ୍ପ ସହ ସଂପୃକ୍ତ ଅଧିକାଂଶ କଳାକାର, ନିଦେ୍ର୍ଦଶକ ଓ ପ୍ରଯୋଜକ ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ତେବେ, ସଲମାନ୍ ଙ୍କ ବିରୋଧରେ ଆର୍ମସ୍ ଆକ୍ଟ ଲାଗିବା ସହ ୨୦ ବର୍ଷ ତଳେ ହେଇ ଥିବା ମୃଗହତ୍ୟାର ଡ଼ିଏନଏ ରିପୋର୍ଟ ତାଙ୍କୁ ଜେଲରେ ପହଂଚାଇ ଦେଇଛି ବୋଲି ଆଇନ ବିଶାରଦମାନେ କହିଛନ୍ତି । ମୃତ ମୃଗର କଂକାଳ ନମୂନା ପରୀକ୍ଷଣ ପାଇଁ ହାଇଦ୍ରାବାଦ ସ୍ଥିତ ସେଂଟର ଫର୍୍ ଡ଼ିଏନଏ ଫିଙ୍ଗରପ୍ରିଂଟ୍ ଏଣ୍ଡ୍ ଡାଇଗ୍ନୋଷ୍ଟିକ୍ ସେଂଟରକୁ ପଠା ଯାଇ ଥିଲା । ୨୦୧୫ରେ ଡ଼ିଏନଏ ପରୀକ୍ଷା ରିପୋର୍ଟ ମିଳିଛି । ୧୯୯୮ରେ କୃଷ୍ଣସାର ମୃଗ ଶିକାର ଅଭିଯୋ ପାଇବା ପରେ ସଂପୃକ୍ତ ବନ ସଂରକ୍ଷକ ମୃଗର ଶବକୁ ଜବତ କରି ସେହି ସ୍ଥାନରେ ପୋତି ଦେଇ ଥିଲେ । ପରବର୍ତୀ ସମୟରେ ଉକ୍ତ ମୃଗର ହାଡ ଓ ଦେହାବଶେଷର ଡ଼ିଏନଏ ପରୀକ୍ଷା କରାଯାଇ ଗୁଳିମାଡ ସଂକ୍ରାନ୍ତ ତଥ୍ୟ ଏବଂ ମୃତ୍ୟୁର ସମୟ ଜାଣି ପାରିଛନ୍ତି । କୋର୍ଟ ଡ଼ିଏନଏ ରିପୋର୍ଟ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ସଲମାନ୍ ଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ଧାରାରେ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଥିବା ଓ ଅନ୍ୟ ସହ ଅଭିଯୁକ୍ତଙ୍କୁ ଖଲାସ କରିଥିବା ପ୍ରକାଶ । ଆଇନର ଏହି ଧାରାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ୧ ବର୍ଷ ଓ ସର୍ବାଧିକ ୬ ବର୍ଷ ଜେଲ ଦଣ୍ଡର ହେବାର ପ୍ରାବଧାନ ରହିଛି ।
ଗୁରୁବାର ଦିନ ତଳ କୋର୍ଟ ଦଣ୍ଡାଦେଶ ଶୁଣାଇବା ପରେ ସଲମାନ୍ ଙ୍କ ଓକିଲ ମହେଶ ବୋରା ସେଠାକାର ଜିଲ୍ଲା ଓ ସେସନ୍ସ ଜଜ୍ ଙ୍କ କୋର୍ଟରେ ଜାମିନ ଆବେଦନ କରିଥିଲେ । ଶୁକ୍ରବାର ତାହା ଉପରେ ଶୁଣାଣୀ ସରିଛି । ତେବେ, ରାୟକୁ ଶନିବାର ପର୍ଯ୍ୟନ୍ତ ସଂରକ୍ଷିତ ରଖା ଯାଇ ଥିବାରୁ ସଲମାନ୍ ଗୁରୁବାର ରାତି ଭଳି ଶୁକ୍ରବାର ରାତି ମଧ୍ୟ ଯୋଧପୁର ଜେଲରେ କାଟିବା ସୁନିଶ୍ଚିତ । ଇତିମଧ୍ୟରେ, ସଲମାନ୍ ଙ୍କ ଓକିଲ ବୋରା ଜିଲ୍ଳା ଓ ସେସନ୍ସ ଜଜ୍ ଙ୍କ ଅଦାଲତରେ ଯେଉଁ ୫୧ ପୃଷ୍ଠାର ଜାମିନ୍ ଆବେଦନପତ୍ର ଦାଖଲ କରିଛନ୍ତି ସେଥିରେ ଯୁକ୍ତି ଦର୍ଶାଇଛନ୍ତି ଯେ, ତଳ କୋର୍ଟରେ ଗ୍ରାମବାସୀବୃନ୍ଦ ତାଙ୍କ ମହକିଲ ବିରୋଧରେ ଯେଉଁ ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଛନ୍ତି ତାହା ବିଶ୍ୱସଯୋଗ୍ୟ ନୁହେଁ । ଏହି ମାମଲାରେ ଅନ୍ୟ ସହ -ଅଭିଯୁକ୍ତଙ୍କୁ ନିଦେ୍ର୍ଦାଶରେ ଖଲାସ କରାଯାଇଥିବା ବେଳେ ସଲମାନ୍ ଙ୍କ ପ୍ରତି ଯେଉଁ ଦଣ୍ଡ ବିଧାନ ହୋଇଛି ତାହା ଅତ୍ୟନ୍ତ କଠୋର ମନେ ହେଉଛି । ତାଙ୍କୁ ଗୁରୁବାର ରାତିରେ ଦୁବାଇରୁ ଧମକପୂର୍ଣର୍ ଫୋନ୍ କଲ୍ ମିଳି ଥିଲା, ଯେଉଁଥିରେ କି ଏହି ମାମଲା ଛାଡିବା ପାଇଁ ଚେତାବନୀ ଦିଆଯାଇଛି ବୋଲି ସଲମାନ୍ଙ୍କ ଓକିଲ ବୋରା କୋର୍ଟକୁ ଜଣାଇଛନ୍ତି । ଗ୍ୟାଙ୍ଗ୍୍ଷ୍ଟର୍ ରବି ପୁଜାରା ପକ୍ଷରୁ ଏହି ଧମକ ଦିଆଯାଇ ଥିବା ସେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଅପରପକ୍ଷରେ, ପ୍ରାୟ ୨୦ ବର୍ଷ ହେଲା ସଲମାନ୍ ଙ୍କ ବିରୋଧରେ ବନ୍ୟଜନ୍ତୁ ସଂରକ୍ଷର ଆଇନର ଉଲଂଘନ ମାମଲା ଲଢି ଆସୁ ଥିବା କଂକଣି ଗ୍ରାମର ଜନସାଧାରଣ ତଳ କୋର୍ଟର ରାୟକୁ ନେଇ ଆନନ୍ଦ ପ୍ରକାଶ କରିବା ସହ ଏହା ଗ୍ରାମବାସୀଙ୍କ ବିଜୟ ବୋଲି କହିଛନ୍ତି । ମାମଲାରେ ସହ-ଅଭିଯୁକ୍ତ ଥିବା ସୈଫ୍, ସୋନାଲି, ତବ୍ବୁ ଓ ନୀଲମ କୋଠାରୀଙ୍କୁ କୋର୍ଟ ଖଲାସ କରି ଥିବାରୁ ତାହା ବିରୋଧରେ ବିଷ୍ଣୋଇ ସମାଜ ଉପର କୋଟରେ ଅପିଲ କରିବ ବୋଲି ସୂଚନା ଦେଇଛି ।
ଉଲ୍ଲେଖନୀୟ ଯେ,୧୯୯୮ ଅକ୍ଟୋବର ୧-୨ ତାରିଖ ମଧ୍ୟରାତ୍ରୀରେ ସଲମାନ୍ ଓ ତାଙ୍କ ସହ ଥିବା ବଲିଉଡ୍ ତାରକାମାନେ କଂକଣି ଗ୍ରାମର ‘ଭଗୋଡା କି ଧନି’ ଅଭୟାରଣ୍ୟରେ ଦୁଇଟି କୃଷ୍ଣସାର ମୃଗଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ସେତେ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଶିକାରୀମାନେ ନୀରିହ ପଶୁ, ପକ୍ଷୀଙ୍କୁ ଶିକାର କରି ଖସି ଯାଉ ଥିଲେ । ଧରା ପଡୁ ଥିବା ଲୋକଙ୍କୁ ଦଣ୍ଡବିଧାନ ହାର ମଧ୍ୟ କମ୍ ଥିଲା । ତେଣୁ, ଶିକାରୀଙ୍କ ମନରେ ଭୟ ନ ଥିଲା । ବର୍ତମାନ ବନ୍ୟଜନ୍ତୁ ସଂରକ୍ଷଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉ ଥିବାରୁ ଏବଂ ପଶୁ ଶିକାରକୁ ଏକ ଜଘନ୍ୟ ଅପରାଧ ଭାବେ ବିଚାର କରାଯାଉ ଥିବାରୁ ସଲମାନଙ୍କ ପ୍ରତି ହୋଇଥିବା କଠୋର ଦଣ୍ଡ ବିଧାନ ଅନ୍ୟମାନଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରଖିବ ବୋଲି ବିଷ୍ଣୋଇ ସମାଜ ଆଶା ବ୍ୟକ୍ତ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS