କୃଷ୍ଣସାର ମୃଗହତ୍ୟା: ସଲମାନଙ୍କୁ ଜାମିନ ମିଳିଲା, ବିଷ୍ଣୋଇ ସମାଜ ଯିବ ହାଇକୋର୍ଟ
ଜୟପୁର (ରାଜସ୍ଥାନ),୦୭ ଏପ୍ରିଲ: ୨୦ ବର୍ଷ ତଳେ ଘଟି ଥିବା କୃଷ୍ଟସାର ମୃଗ ହତ୍ୟା ମାମଲାରେ ଯୋଧପୁରର ଏକ ନିମ୍ନ ଅଦାଲତରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ପାଇ ଥିବା ବଲିଉଡ୍ ଷ୍ଟାର୍ ସଲମାନ ଖାନ୍ ଦୁଇ ଦିନ ଯୋଧପୁର କେନ୍ଦ୍ରୀୟ ଜେଲରେ ରାତି କଟାଇବା ପରେ ଶନିବାର ଦିନ ଜିଲ୍ଲା ଓ ସେସନ୍ସ ଜଜ୍ କୋର୍ଟରୁ ଜାମିନ ପାଇଛନ୍ତି । ବିଚାରପତି ରବିନ୍ଦ୍ର କୁମାର ଯୋଶୀ ଜାମିନ ଆବେଦନ ଉପରେ ଶୁକ୍ରବାର ଶୁଣାଣୀ କରି ରାୟକୁ ଶନିବାର ପର୍ଯ୍ୟନ୍ତ ସଂରକ୍ଷିତ ରଖି ଥିଲେ । ଶନିବାର ଦିନ ମଧ୍ୟ କୋର୍ଟ ଉଭୟ ପକ୍ଷର ଦଲିଲ ଶୁଣିବା ପରେ ଅପରାହ୍ନ ୩ଟାରେ ରାୟ ପ୍ରକାଶ କରିବାକୁ ସମୟ ଧାର୍ଯ୍ୟ କରି ଠିକ୍ ସେହି ସମୟରେ ରାୟ ପ୍ରକାଶ କରିଛନ୍ତି । ଅପରାହ୍ନରେ ବିଚାରପତି ଯୋଶୀ କୋର୍ଟରେ ପହଂଚି ତାଙ୍କ ଆସନରେ ବସିବା ପରେ କିଛି ସମୟ ଶୂନ୍ୟକୁ ଦେଖି ସଲମାନଙ୍କ ଜାମିନ ଆବେଦନ ମଂଜୁର ହୋଇଥିବା ଘୋଷଣା କରିଥିଲେ ।
୫୦ ହଜାର ଟଙ୍କାର ବେଲ୍ ବଣ୍ଡ୍ ଦେଇ ସଲମାନ ଶନିବାର ସନ୍ଧ୍ୟାରେ ଜେଲରୁ ମୁକୁଳିବା ଆଶା କରାଯାଉଛି । ଏହି ଖବର ଯୋଧପୁରରେ ଉପସ୍ଥିତ ଥିବା ସଲମାନଙ୍କ ଶୁଭେଚ୍ଛୁ ମହଲରେ ଉତ୍ସାହ ଖେଳାଇ ଦେଇଛି । ସଲମାନଙ୍କ କର୍ମଭୂମୀ ମୁମ୍ବାଇ ସମେତ ସମଗ୍ର ଦେଶରେ ମଧ୍ୟ ଏହି ଖବର ଆନନ୍ଦର ଲହରୀ ସୃଷ୍ଟି କରିଛି । ସଲମାନ କୋର୍ଟଙ୍କ ବିନାନୁମତିରେ ବିଦେଶ ଯାଇ ପାରିବେ ନାହିଁ ବୋଲି ସର୍ତର୍ ରହିଛି । ମେ’ ୭ ତାରିଖ ଦିନ ସେ କୋର୍ଟରେ ହାଜର ହେବାକୁ ବିଚାରପତି ନିର୍ଦେଶ ଦେଇଛନ୍ତି । କଏଦୀ ନମ୍ବର-୧୦୬ ଭାବେ ଯୋଧପୁର ଜେଲର ଏକ ପୃଥକ କୋଠରୀରେ ଦୁଇ ରାତି କଟାଇ ଥିବା ସଲମାନ ଓ ତାଙ୍କ ପରିବାର ଏହି ରାୟ ପ୍ରକାଶ ପାଇବା ପରେ ଆଶ୍ୱସ୍ତ ହୋଇଛନ୍ତି । ତାଙ୍କ ଉପରେ ପ୍ରାୟ ୮୦୦ କୋଟି ଟଙ୍କାର ବାଜି ଲଗାଇ ଦୁଇ ଦିନ ହେଲା ଅନିଶ୍ଚିତତା ମଧ୍ୟରେ ଥିବା ବଲିଉଡ୍ ଫିଲ୍ମ ଶିଳ୍ପ ମଧ୍ୟ ସଲମାନଙ୍କ ଜମାନତ ଖବର ପାଇ ଆଶ୍ୱସ୍ତ ହୋଇଛି । ତେବେ, ସଲମାନଙ୍କୁ କାଠଗଡାରେ ଠିଆ କରାଇ ୨୦ ବର୍ଷ ହେଲା ମାମଲା ଲଢୁଥିବା ବିଷ୍ଣୋଇ ସମାଜ ଜିଲ୍ଲା ଓ ସେସନ୍ସ କୋର୍ଟରେ ତାଙ୍କୁ ଜାମିନ ମିଳି ଥିବା ଘଟଣାକୁ ଏକ ସାଧାରଣ ଆଦାଲତି ପ୍ରକ୍ରି୍ରୟା ଦର୍ଶାଇ ଏହା ବିରୋଧରେ ହାଇକୋର୍ଟରେ ଅପିଲ କରିବ ବୋଲି ବିଷ୍ଣୋଇ ସମାଜ ଓକିଲ ଉପସ୍ଥିତ ମିଡ଼ିଆକୁ କହିଛନ୍ତି ।
ଶନିବାର ଦିନ ସଲମାନଙ୍କ ଜାମିନ ଆବେଦନ ଉପରେ ଜିଲ୍ଲା ଓ ସେସନ୍ସ ଜଜ୍ ଙ୍କ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସବୁ ମହଲରେ ବିଶେଷ ଉକ୍ରଣ୍ଠା ଦେଖିବାକୁ ମିଳି ଥିଲା । ଦେଶର ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟକ ସଲମାନ -ସମର୍ଥକ ଯୋଧପୁରରେ ପହଂଚି ଜିଲ୍ଲା ଓ ସେସନ୍ସ ଜଜ୍ ଙ୍କ କୋର୍ଟ ନିକଟରେ ଜମା ହୋଇଥିବା ବେଳେ ଟିଆରପି ଯୁଦ୍ଧରେ ମାତି ଥିବା ବୈଦ୍ୟୁତିକ ଗଣମାଧ୍ୟମ ଗୁଡ଼ିକ ଭାବପ୍ରବଣ ହେବା ଭଳି ଖବର ପରିବେଶଣ କରି ସଲମାନ-ସମର୍ଥକଙ୍କ ଦୃଦୟ ଜିତିବା ପ୍ରୟାସ କରିଥିଲେ । ଫଳରେ, କୋର୍ଟ ନିକଟରେ ଏକ ନାଟକୀୟ ବାତାବରଣ ଦେଖିବାକୁ ମିଳି ଥିଲା । ବିଚାପତି ଯୋଶୀ ଅପରାହ୍ନରେ ରାୟ ପ୍ରକାଶ କରିବା ସମୟରେ ଏକ ପ୍ରକାର ଚାପରେ ଥିବା ଅନୁଭବ କରାଯାଇ ଥିଲା ବୋଲି କିଛି ବୈଦ୍ୟୁତିକ ଗଣମାଧ୍ୟମର ସିଧା ପ୍ରସାରଣରୁ ସୂଚନା ମିଳିଛି । ସଲମାନଙ୍କୁ ଜାମିନ ମିଳିବ କି ନାହିଁ, ଯଦି ଜାମିନ ନ ମିଳିବ ତାହା ହେଲେ କଣ ହେବ (?), ଏଭଳି କଳ୍ପନାଜଳ୍ପନାକୁ ନେଇ ମିଡ଼ିଆର ଖବର ପରିବେଶଣ ଚାଲି ଥିବା ବେଳେ ବିଚାରପତି ଶନିବାର ପୂର୍ବାହ୍ନରେ ମାମଲାର ଚୂଡାନ୍ତ ଶୁଣାଣୀ କରି ମଧ୍ୟାହ୍ନ ଭୋଜନ ପରେ ରାୟ ପ୍ରକାଶ କରିବେ କହି ନିଜ ପ୍ରକୋଷ୍ଠକୁ ଚାଲି ଯାଇଥିଲେ । ସରକାରୀ ଓକିଲ ସଲମାନଙ୍କୁ ଜାମିନ ମିଳିବାର ଆଶା ନାହିଁ ବୋଲି ପୂର୍ବାହ୍ନରେ ମିଡ଼ିଆ ନିକଟରେ ମନ୍ତବ୍ୟ ଦେଇ ଥିବାରୁ ତାହାକୁ ନେଇ ତର୍ଜମା ଚାଲି ଥିଲା । ଇତିମଧ୍ୟରେ ବିଚାରପତିଙ୍କ ବଦଳି ଆଦେଶ ମିଳି ଥିବା ଦୃଷ୍ଟିରୁ ତାହା ରାୟରେ ପ୍ରତିଫଳିତ ହେବ କି ନାହିଁ, ସେ ନେଇ ତର୍ଜମା ହେଉଥିଲା । ତେବେ, ବିଚାରପତି ଯୋଶୀ ଠିକ୍ ଅପରାହ୍ନ ୩ଟାରେ ଅଦାଲତରେ ପହଂଚି କିଛି ସମୟ ଏପାଖ, ସେପାଖ ଓ ଶୂନ୍ୟକୁ ଦେଖିବା ପରେ ସଲମାନଙ୍କ ‘ଜାମିନ ମଂଜୁର’ ବୋଲି ପ୍ରକାଶ କରିବା ପରେ କୋର୍ଟ ବାହାରେ ଉପସ୍ଥିତ ଥିବା ମିଡ଼ିଆ ଓ ଶୁଭେଚ୍ଛୁ ଆନନ୍ଦରେ କୁରୁଳି ଉଠି ଥିଲେ । କୌଣସି ପ୍ରକାର ବେଲ୍ ବଣ୍ଡ୍ ପ୍ରସ୍ତୁତ କରି ସଲମାନଙ୍କୁ ସନ୍ଧ୍ୟା ସୁଦ୍ଧା ଜେଲରୁ ମୁକୁଳାଇବା ପାଇଁ ତାଙ୍କ ଓକିଲ ଓ ପରିବାରବର୍ଗ ତତ୍ପରତା ଦେଖାଇ ଥିବା ବେଳେ କୋର୍ଟ ବାହାରେ ସଲମାନ-ଶୁଭେଚ୍ଚୁମାନେ ଆନନ୍ଦରେ ନାଚ, ଗୀତ ଆରମ୍ଭ କରି ଦେଇଥିଲେ ।
ଏହି ମାମଲା ବିଚାର ଚାଲିଥିବା ସମୟରେ ସଲମାନ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରି ଥିବା ଏବଂ ନିଷ୍ଠାର ସହ କୋର୍ଟରେ ହାଜିରା ଦେଇଥିବା ଦୃଷ୍ଟିରୁ ତାଙ୍କ ଜାମିନ ଅବେଦନକୁ କୋର୍ଟ ମଂଜୁର କରିଛନ୍ତି ବୋଲି ସୂଚନା ମିଳିଛି । ତେବେ, ଏହି ମାମଲାରେ ସହ ଅଭିଯୁକ୍ତମାନଙ୍କୁ ଗୁରୁବାର ଦିନ ତଳ ଅଦାଲତ ନିଦେ୍ର୍ଦାଷର ଖଲାସ କରିଥିବା ଏବଂ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇ ଥିବା ସଲମାନଙ୍କୁ ଜିଲ୍ଲା ଓ ସେସନ୍ସ ଜଜ୍ ଶନିବାର ଜାମିନ ଦେବା ଘଟଣାରେ କ୍ଷୁବ୍ଧ ବିଷ୍ଣୋଇ ସମାଜ (କୃଷ୍ଣସାର ମୃଗଙ୍କ ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ତୁଲାଉଛନ୍ତି) ଏହି ଦୁଇ ରାୟ ବିରୋଧରେ ଉପର ଅଦାଲତରେ ଅପିଲ କରିବେ ବୋଲି ସୂଚନା ଦେଇଛନ୍ତି । ଆଜିର ଘଟଣା ଏକ ସାଧାରଣ ନ୍ୟାୟିକ ପ୍ରକ୍ରିୟା ବୋଲି ବିଷ୍ଣୋଇ ସମାଜର ଓକିଲ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୧୯୯୮ ମସିହାରେ ସୁପରହିଟ୍ ହିନ୍ଦି ଫିଲ୍ମ ‘ହମ୍ ସାଥ୍ ସାଥ୍ ହୈ’ର ସୁଟିଂ ଯୋଧପୁରରେ ଚାଲି ଥିବା ସମୟରେ ସଲମାନ ଓ ତାଙ୍କ ସାଥୀ ଅଭିନେତା, ଅଭିନେତ୍ରୀମାନେ ଅକ୍ଟୋବର ୧ ଓ ୨ ତାରିଖ ମଧ୍ୟ୍ୟରାତ୍ରୀରେ ନିକଟସ୍ଥ କଂକଣି ଅଭୟାରଣ୍ୟର ଦୁଇଟି କୃଷ୍ଣସାର ମୃଗଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଏହି ମାମଲା ଚାଲିଛି । ଦୀର୍ଘ ୨୦ ବର୍ଷ ଧରି ଚାଲି ଥିବା ଏହି ମାମଲାର ରାୟ ଗତ ଗୁରୁବାର (ଏପ୍ରିଲ ୫ ତାରିଖ) ପ୍ରକାଶ ପାଇ ଥିଲା । ଯୋଧପୁରର ଏକ ଅଦାଲତ ସଲମାନ୍ ଙ୍କୁ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ଧାରାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିବା ବେଳେ ଅନ୍ୟ ସହ-ଅଭିଯୁକ୍ତ ମାନଙ୍କୁ (ବଲିଉଡ୍ ତାରକା ସୈଫ୍ ଅଲ୍ଲୀ ଖାନ୍, ତବ୍ବୁ, ନୀଲମ କୋଠାରୀ ଓ ସୋନାଲି ବେନ୍ଦ୍ରେ)ଙ୍କୁ ନିଦେ୍ର୍ଦାଶରେ ଖଲାସ କରିଛନ୍ତି । ସହ-ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ବନ୍ୟଜନ୍ତୁ ସଂରକ୍ଷଣ ଆଇନର ୯/୫୧ ଓ ୫୨ ଧାରା ସମେତ ଆଇପିସିର ୧୪୯ ଦଫା (ବେଆଇନ ଭାବେ ଏକତ୍ରିତ ହେବା)ରେ ମାମଲା ଥିଲା ବେଳେ ତଳ କୋର୍ଟ ସଲମାନ୍ ଙ୍କୁ ଦଣ୍ଡିତ କରି ଅନ୍ୟ ମାନଙ୍କୁ ଖଲାସ କରିବା ନେଇ ଏବେ ବି ବିତର୍କ ଚାଲିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS