ଏନଆଇଟି ହେବ ମେଡିକାଲ କଲେଜ, ଆଇଜିଏଚ୍ ରେ ମେଡିକାଲ କଲେଜ ହେବା ଆଶା କ୍ଷୀଣ
ରାଉରକେଲା, ଏପ୍ରିଲ ୧୩ (ମୋ ଅନୁଭବ): ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ପରିସରରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ହେଉଥିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି । ଗତ ବଜେଟ ଅଭିଭାଷଣରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ରାଷ୍ଟ୍ରୀୟ ପ୍ରତିଷ୍ଠାନମାନଙ୍କରେ ମେଡିକାଲ କଲେଜ ଖୋଲା ଯିବାକୁ ପ୍ରସ୍ତାବ ଥିବା ସୂଚନା ଦେବା ପରେ ଏନଆଇଟି ନିର୍ଦେଶକ ପ୍ରଫେସର ଅନିମେଷ ବିଶ୍ୱାସ ଏନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ଏହାର ଅବିକଳ ନକଲ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ନିକଟକୁ ପଠାଇ ଏନଆଇଟି ପରିସରରେ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବା ପାଇଁ ପ୍ରସ୍ତାବ ଦେଇ ଥିଲେ । ଭାରତ ସରକାରଙ୍କ ଭେଷଜ ପରିଷଦ ୧୯୫୬ ଧାରା ୧୦ (କ) ଅନୁଯାୟୀ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅନୁସଚିବ ଡିଭିକେ ରାଓ ଏନଆଇଟି କର୍ତୃପକ୍ଷଙ୍କୁ ଚିଠି ଲେଖି ଆସନ୍ତା ଜୁନ୍ ୧୫ରୁ ଜୁଲାଇ ୭ ତାରିଖ ମଧ୍ୟରେ ଆବେଦନ କରିବାକୁ ପରାମର୍ଶ ଦେବା ସହ ଆନୁସଙ୍ଗିକ କାଗଜପତ୍ର ନିର୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।
ଏନଆଇଟି ପରିସରରେ ହେବାକୁ ଥିବା ଏହି ମେଡିକାଲ କଲେଜରେ ପାଠପଢ଼ା ସହ ରୋଗୀଙ୍କ ଚିକିତ୍ସା ଏବଂ ଅତ୍ୟାଧୁନିକ ଗବେଷଣା ପାଇଁ ସୁବିଧା ରହିବ ବୋଲି ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ଚିଠିରେ ଉଲ୍ଲେଖ ରହିଛି । ଏହି ଅବସରରେ ଏନଆଇଟିର ଉପକୂଳ ସଚିବ ପ୍ରଫେସର ବାମଦେବ ଆଚାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ଖୁବ୍ଶୀଘ୍ର ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଆଶା ପ୍ରକାଶ କରିଛନ୍ତି । ଏନଆଇଟି ପରିସରରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ମେଡିକାଲ ଓ ବେଷୟିକ ଶିକ୍ଷା ଦେବାରେ ଏହା ଦେଶର ପ୍ରଥମ ବେଷୟିକ ଅନୁଷ୍ଠାନ ହେବ ବୋଲି ଜଣାପଡିଛି ।
ଦୀର୍ଘ ବର୍ଷ ହେଲା ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାସୀନ ହେବା ପରେ ତାଙ୍କ ରାଉରକେଲା ଗସ୍ତ ଅବସରରେ ୭୦୦ ଶଯ୍ୟା ବିଶିଷ୍ଟ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ପରିସରରେ ସୁପର ସ୍ପେଶାଲିଷ୍ଟ ହସପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ପ୍ରତିଶୃତି ଦେଇ ଥିଲେ ମଧ୍ୟ ତାହାର ଏପର୍ଯ୍ୟନ୍ତ କୌଣସି ଅଗ୍ରଗତି ଘଟି ନ ଥିଲା । ଏଭଳି ପରିସ୍ଥିତିରେ ଏନଆଇଟି ପରିସରରେ ମେଡିକାଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପତ୍ର ରାଉରକେଲାବାସୀଙ୍କ ମନରେ ଖୁସି ଆଣି ଦେଇଛି । ଏହି ହସପିଟାଲ ଓ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ, କେନ୍ଦୁଝର, ଦେବଗଡ, ମୟୁରଭଂଜ ଜିଲ୍ଲା ସମେତ ପଡୋଶୀ ଝାରଖଂଡ ଓ ଛତିଶଗଡ ରାଜ୍ୟର ଲୋକମାନେ ଉପକୃତ ହେବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS