ତୋଗାଡ଼ିଆଙ୍କ ସ୍ଥାନରେ ବିଷ୍ଣୁ ସଦାଶିବ କୋକେଜ ଭିଏଚ୍ ପିର ନୂଆ ସଭାପତ
ନୂଆଦିଲ୍ଲୀ, ୧୬ ଏପ୍ରିଲ (ମୋ ଅନୁଭବ): ବିଷ୍ଣୁ ସଦାଶିବ କୋକେଜ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଭାପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସେ ଜଣେ ଅବସରପ୍ରାପ୍ତ ବିଚାରପତି ।୧୯୬୦ ମସିହାରେ ଗଠିତ ଏହି ଧାର୍ମିକ ସଂଗଠନ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର ଏକ ପ୍ରମୁଖ ସହଯୋଗୀ ସଂଗଠନ ଭାବେ କାର୍ଯ୍ୟ କରି ଆସୁଛି । ଏହି ସଂଗଠନର କୌଣସି ପଦବୀ ଲାଗି ନିର୍ବାଚନ ହେବା ଏହା ହେଉଛି ପ୍ରଥମ ଘଟଣା। ଗତ କିଛି ମାସ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ସହ ଭିଏଚ୍ ପି ଆନ୍ତର୍ଜାତୀୟ ସଭାପତି ପ୍ରବୀଣ ଭାଇ ତୋଗାଡିଆଙ୍କ ସହ ତୀବ୍ର ମତଭେଦ ଦେଖିବାକୁ ମିଳି ଥିଲା । ତୋଗାଡିଆ ରାମ ମନ୍ଦିର, କମନ୍ ସିଭିଲ କୋଡ୍ ପ୍ରଚଳନ ପ୍ରଭୃତି ପ୍ରସଙ୍ଗ ଉଠାଇ କେନ୍ଦ୍ର ବିଜେପି ସରକାରଙ୍କୁ ନେଇ କଠୋର ସମାଲୋଚନା କରି ଆସୁ ଥିଲେ । ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ମଧ୍ୟ ସେ ଅଭିଯୋଗ କରୁଥିଲେ । ତେଣୁ, ଗତ ଡିସେମ୍ବରରେ ଭୁବନେଶ୍ୱର ଠାରେ ସଂଗଠନର ବୈଠକରେ ଆନ୍ତର୍ଜାତୀୟ ସଭାପତି ପଦ ଲାଗି ନିର୍ବାଚନ କରିବା ସକାଶେ ନିଷ୍ପତ୍ତି ନିଆ ଯାଇଥିଲା । ନିକଟରେ ଏହି ପଦବୀ ପାଇଁ ହୋଇଥିବା ନିର୍ବାଚନରେ କୋକେଜ ସର୍ବମୋଟ ୧୯୦ଟି ଭୋଟ ପାଇ ଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ତଥା ତୋଗାଡିଆଙ୍କ ସମର୍ଥକ ରାଘବ ରେଡୀ ମାତ୍ର ୬୦ ଟି ଭୋଟ ପାଇ ଥିଲେ । ଗୋଟିଏ ଭୋଟ ନାକଚ ହୋଇଥିଲା ।
ପ୍ରଥମଥର ଲାଗି ୫୨ ବର୍ଷ ପରେ ବିଏଚପିର ଏହି ଶୀର୍ଷ ପଦ ଲାଗି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ସାଧାରଣ ସଂପାଦକ ସୁରେନ୍ଦ୍ର ଜୈନ ମିଡିଆକୁ ଏହି ନିର୍ବାଚନ ସମ୍ବନ୍ଧୀୟ ସୂଚନା ଦେଇ କହିଛନ୍ତି, ‘ପ୍ରଥମ ଥର ପାଇଁ ସଭାପତି ଚୟନ ଲାଗିି ଆମେ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରହଣ କରିଛୁ ଯାହା ଏକ ସୁସ୍ଥ ପରମ୍ପରାର ସଂକେତ ଅଟେ’ । ନିର୍ବାଚନ ନେଇ ତୋଗାଡିଆ ତାଙ୍କ ପ୍ରତିକ୍ରିୟା ବ୍ୟକ୍ତ କରି କୋକେଜ ଓ ବିଶ୍ୱ ହିନ୍ଦୁ ପରିଷଦିର କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି । ଶ୍ରୀ କୋକେଜଙ୍କ ବାର୍ଦ୍ଧକ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ଉଭୟ ବିଜେପି ଓ ଭିଏଚ୍ପି ତାର ମୂଳ ଆଦର୍ଶରୁ ଦୂରେଇ ଯାଉଥିବା ସେ ଅଭିଯୋଗ କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS