ଅତିଥି ସ୍ତମ୍ଭ : ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି
– ଡକ୍ଟର ପ୍ରଦୀପ ମହାପାତ୍ର –
ପାରମ୍ପରିକ ଭାବେ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ସହଜପ୍ରଦ ମନେ କରାଯାଇ ନ ଥାଏ ।
ଭାରତରେ ସଂଖ୍ୟାଧିକ ବରିଷ୍ଠ ନାଗରିକ ଗ୍ରାମାଂଚଳରେ ବସବାସ କରନ୍ତି । ସେମାନଙ୍କ ପକ୍ଷରେ ପାରିବାରିକ ଓ ଭୌଗୋଳିକ ସୀମା ବନ୍ଧୁତ୍ୱ ସ୍ଥାପନର ମୁଖ୍ୟ ଆଧାର । ଶୈଶବ, କିଶୋର, ଯୁବାବସ୍ଥା ଓ ପ୍ରାପ୍ତବୟସ୍କ ଅବଧିରେ ଯେଉଁ ବନ୍ଧୁତ୍ୱ ଉନ୍ମେଷ ଘଟିଥାଏ ତାହା ବାର୍ଦ୍ଧକ୍ୟରେ ଏକେତ ଦୃଢ଼ୀଭୂତ ହୁଏ, ନଚେତ ଭାଙ୍ଗି ଯାଏ । ଉନ୍ନତ ଯୋଗାଯୋଗ ଯଥା, ରାସ୍ତାଘାଟ ସଂଯୋଗ, ଯାନବାହାନ, ଦେଶାନ୍ତରଯାତ୍ରା, ଟେଲିଯେଗାଯୋଗ ତଥା ଇଂଟରନେଟ୍ ଭଳି ସୁବିଧାସୁଯୋଗ ଅଭାବରୁ ଭୌଗୋଳିକ ସୀମାପାର ବନ୍ଧୁତ୍ୱ ସୃଷ୍ଟିରେ ବାଧକ ସାଜିଥାଏ ।
ଅପରପକ୍ଷରେ ସହରାଂଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଭାରତୀୟ ନାଗରିକଙ୍କ ପାଇଁ ଏଭଳି ସୁବିଧା ସୁଯୋଗ ଉପଲବ୍ଧ ଥିଲେ ହେଁ ଅନ୍ୟାନ୍ୟ କାରଣ ପ୍ରତିବନ୍ଧକର ସାମ୍ନା କରିବାକୁ ପଡିଥାଏ । ପାରିବାରିକ, ବଂଶଗତ ଓ ଭୌଗୋଳିକ ପରିସୀମା ପରେ ଶିକ୍ଷାନୁଷ୍ଠାନ, ବୃତ୍ତିଗତ କର୍ମକ୍ଷେତ୍ର ଓ ସାମାଜିକ ସଂଗଠନରେ ସପୃକ୍ତି ନୂତନ ବନ୍ଧୁତ୍ୱ ସ୍ଥାପନର ସୁଯୋଗ ସୃଷ୍ଟି କରିଥାଏ । ତେବେ କର୍ମମୟ ଜୀବନରୁ ଅବସର ଗ୍ରହଣ ପରେ ନୂତନ ବନ୍ଧୁତ୍ୱ ସ୍ଥାପନ ନିମନ୍ତେ ପରିବେଶର ଅଭାବ ଅନୁଭୂତ ହୋଇଥାଏ । ସର୍ବୋପରି ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ନିମନ୍ତେ ଅନେକ କ୍ଷେତ୍ରରେ ଉଦ୍ୟମ ଅଭାବକୁ ମୁଖ୍ୟ କାରଣ ରୂପେ ଚିହ୍ନଟ କରାଯାଇପାରେ ।
ପ୍ରଶ୍ନ ଉଠେ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ସମ୍ଭବପର କି?
ଆଧୁନିକ ପରିବେଶ, ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟା ନିମନ୍ତେ ପରିବର୍ତିତ ଦୃଷ୍ଟିକୋଣ ତଥା ଲକ୍ଷ୍ୟଭିତ୍ତିକ ଉଦ୍ୟମ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟିରେ ଅବଶ୍ୟ ସହାୟକ ହୋଇପାରିବ । ଯୁକ୍ତରାଷ୍ଟ୍ର ଆମେରିକା ଓହିଓ ୟୁନିଭର୍ସିଟିର କମ୍ୟୁନିକେସନ୍ ପ୍ରଫେସର୍ ଉଇଲିୟମ୍ ରାୱଲିନ୍ସ ବନ୍ଧୁତା, ବିଶେଷତଃ ବାର୍ଦ୍ଧକ୍ୟରେ ନୂତନ ବନ୍ଧୁ ସୃଷ୍ଟି ସମ୍ପର୍କରେ ଦୀର୍ଘକାଳ ଗବେଷଣା କରିଛନ୍ତି । ତାଙ୍କରି ମତରେ ସହମତ, ସହଚର୍ଯ୍ୟ ତଥା ଏକକ ଆଗ୍ରହ ବନ୍ଧୁତ୍ୱ ସୃଷ୍ଟିର ମୂଳ ଉତ୍ସ । ବାର୍ଦ୍ଧକ୍ୟରେ ଅନେକ କ୍ଷେତ୍ରରେ ପୂର୍ବରୁ ସ୍ଥାପିତ ବନ୍ଧୁତ୍ୱ ଶୀଥିଳ ହୋଇଯାଇଥାଏ । ତେବେ ଅତୀତରେ ସେସବୁ ବନ୍ଧୁତ୍ୱ କିପରି ସୃଷ୍ଟି ହୋଇଥିଲା ତାହା ତର୍ଜମା କଲେ ନୂତନ ବନ୍ଧୁତ୍ୱ ସୃଷ୍ଟିର ବାଟ ବେଶ ବୁଝି ହୁଏ ।
ଉଦାହରଣରେ, କିଶୋରବସ୍ଥାରେ ଫୁଟବଲ ଖେଳରୁ ହେଉ ବା ଯୁବାବସ୍ଥାରେ ଏକାଠି ଖଟିରେ ବସିବା କାରଣରୁ ହେଉ ଯେଭଳି ବନ୍ଧୁତ୍ୱ ଗଢ଼ି ଉଠିଥିଲା, ବାର୍ଦ୍ଧକ୍ୟରେ ହୁଏତ ପୁଣିଥରେ ସେଭଳି ଏକ ସୁଯୋଗ ସୃଷ୍ଟି ନିମନ୍ତେ ଜଣେ ଯତ୍ନବାନ ହୋଇପାରିବ । ଇଂଟରନେଟ୍ ସୋସିଆଲ ମିଡିଆରେ ନିଜ ରୁଚି, ଆବେଗ ବା ଆଦର୍ଶର ଅନୁରୂପକ ବ୍ୟକ୍ତିଚରିତ୍ର ଖୋଜି ବାହାର କରିବା ସମ୍ଭବ । ପ୍ରାଥମିକ ସ୍ତରରେ ସପ୍ତାହକୁ ଥରେ ଟେଲିଫୋନ କଥାବାର୍ତା ହେବା ଠାରୁ ଆରମ୍ଭ କରି ପରସ୍ପର ଭାବବିନିମୟ, ସାକ୍ଷାତ ତଥା ପାରିବାରିକ ସମ୍ପର୍କ ହୁଏତ ବନ୍ଧୁତାରେ ପ୍ରବର୍ତିତ ହୋଇପାରେ । ଏଭଳି ଏକ ପ୍ରସ୍ତାବ ଅପ୍ରାକୃତିକ ବା ମେକାନିକାଲ, ବିଜିନେସ ଲାଇକ ପ୍ରତୀୟମାନ ହେଲେ ହେଁ ପରିବର୍ତିତ ପରିବେଶରେ ଭୌଗୋଳିକ ବାଧ୍ୟବାଧକତାକୁ ଡେଇଁ ସୁବିସ୍ତୃତ କ୍ୟାନଭାସରୁ ବନ୍ଧୁ ଖୋଜି ବାହାର କରିବା ବାସ୍ତବତାକୁ ସୂଚିତ କରିଥାଏ ।
ବାର୍ଦ୍ଧକ୍ୟ ବିଭିନ୍ନ କାରଣରୁ ବନ୍ଧୁହୀନ ପରିସ୍ଥିତିର ସାମ୍ନା କରିଥାଏ । ପ୍ରିୟଜନଙ୍କ ପରଲୋକ, ଦେଶାନ୍ତର, ଉଗ୍ର ମତାନ୍ତର ବା କପଟ ଆଚରଣ ହେତୁ ବନ୍ଧୁଶୂନ୍ୟତା ଅନୁଭୂତ ହୋଇଥାଏ । ଅଧ୍ୟୟନ ଓ ବୃତିଗତ ଜୀବନରେ ସହପାଠୀ ଓ ସହକର୍ମାଙ୍କ ସହ ବନ୍ଧୁତ୍ୱ ଅବସର ଗ୍ରହଣ ପରେ ଏକତ୍ର ସହବସ୍ଥାନ ଅଭବାରୁ ଉଜ୍ଜୀବିତ ରଖିବା ସମ୍ଭବପର ହୋଇପାରି ନ ଥାଏ । ଏତାଦୃଶ ବନ୍ଧୁହୀନ ପରିବେଶରେ ନୂତନ ବନ୍ଧୁତ୍ୱ ସୃଷ୍ଟି ଅପରିହାର୍ଯ୍ୟ । ଅନେକ କ୍ଷେତ୍ରରେ ସ୍ଥିତିବସ୍ଥାକୁ ଠିକ୍ ଭାବେ ବୁଝିପାରୁ ନଥିବା, ଅଭାବ ପୂରଣ କରିବା ନିମନ୍ତେ ଉଦ୍ୟମ କରୁ ନ ଥିବା ତଥା ଉପଯୁକ୍ତ ପରିବେଶ ଖୋଜି ପାଉ ନ ଥିବା ହେତୁ ଅନେକେ ନିଃସଙ୍ଗ ବାର୍ଦ୍ଧକ୍ୟ ଜୀବନଯାପନ ପାଇଁ ବାଧ୍ୟ ହୋଇଥାନ୍ତି ।
ଓହିଓ ୟୁନିଭର୍ସିଟିର ପ୍ରଫେସରଙ୍କ ମତରେ ବନ୍ଧୁତ୍ୱର ଅର୍ଥ ଜଣେ ଅନ୍ୟ ଜଣଙ୍କ ସହ ଅନ୍ତରଙ୍ଗ ଭାବେ କଥୋପକଥନ, ବିଶ୍ୱସଭାଜନ ତଥା ସାନିଧ୍ୟ ଉପଭୋଗରେ ପର୍ଯ୍ୟବସିତ । ବନ୍ଧୁତ୍ୱ ପରିସ୍ପୁଟନ ନିମନ୍ତେ ଏକକ ଆଗ୍ରହ, ଅର୍ଥାତ୍ ଦୁଇ ବା ତତୋଧିକ ବ୍ୟକ୍ତିଙ୍କ ମଧ୍ୟରେ କୌଣସି ନିର୍ଦ୍ଧିଷ୍ଟ ବିଷୟ ପ୍ରତି ଅନୁରାଗ ମୂଳତଃ ଆବଶ୍ୟକ । ଗବେଷଣାରୁ ଜଣାଯାଇଛି ଯେ, ଜଣେ ବୟସ୍କଙ୍କ ନିମନ୍ତେ ଚାରି ପାଂଚ ଜଣ ବନ୍ଧୁ ଢ଼େର । କୌଣସି କାରଣରୁ ବନ୍ଧୁହୀନ ପରିସ୍ଥିତି ସୃଷ୍ଟି ହେଲେ ନୂତନ ବନ୍ଧୁ ସୃଷ୍ଟି ନିମନ୍ତେ ଉଦ୍ୟମ କରାଯାଇପାରେ । ବନ୍ଧୁତ୍ୱ ବିଷୟରେ ଗବେଷଣାରତ ଡ୍ରାଟ୍-ମାଉଥ୍ କଲେଜର ସୋସିଓଲୋଜି ପ୍ରଫେସର ଜାନିସ୍- ମ୍ୟାକ୍ କାବେଙ୍କ ମତରେ ଜଣଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା ନିମନ୍ତେ ଆଗ୍ରହ ସୃଷ୍ଟି ହେଲେ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ସମୟ ଓ ସୁଯୋଗ ବିଚାରକୁ ନେଇ ବନ୍ଧୁତ୍ୱର ପ୍ରସ୍ତାବ ଉପସ୍ଥାପନ କରିବା ଉଚିତ୍ । କାରଣ ବନ୍ଧୁତ୍ୱ ସୃଷ୍ଟି ନିମେନ୍ତ ସମୟ ଲାଗିଥାଏ ଏବଂ ସେଥିଲାଗି ପ୍ରାଥମିକ ପଦକ୍ଷେପ ଜରୁରୀ । ସ୍ଥଳବିଶେଷରେ ବନ୍ଧୁତ୍ୱ ସ୍ଥାପିତ ହୋଇ ନ ପାରିଲେ ମଧ୍ୟ କ୍ଷତିର ଆଶଙ୍କା ନଥାଏ ।
ପରିବାର ମଧ୍ୟରେ ଜ୍ଞାତିକୁଟୁମ୍ଭଙ୍କ ସହ ରକ୍ତ ସମ୍ପର୍କ ତଥା ବିବାହ ବନ୍ଧନ ଚୁକ୍ତିବଦ୍ଧ ଥିବା ବେଳେ ବନ୍ଧୁତ୍ୱ କ୍ଷେତ୍ରରେ ଶାରୀରିକ କିମ୍ବା ସାମାଜିକ ବାଧ୍ୟବାଧକତାର ଅବକାଶ ନଥାଏ । କେବଳ ଭାବଗତ ଐକ୍ୟ ଭିତ୍ତିଭୂମି ଉପରେ ବନ୍ଧୁତ୍ୱ ଗଢ଼ି ଉଠିଥାଏ । ବନ୍ଧୁମାନେ ପରସ୍ପରକୁ ପସନ୍ଦ କରିଥାନ୍ତି ଏବଂ କୌଣସି କାରଣରୁ ନାପସନ୍ଦ ହେଲେ ବନ୍ଧୁତ୍ୱ ଛିନ୍ନ ହୋଇଥାଏ ।
ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ବ୍ୟକ୍ତିକୁ ସାମାଜିକ ସ୍ରୋତରେ ସାମିଲ କରିଥାଏ । ବନ୍ଧୁତ୍ୱ ବ୍ୟକ୍ତି ମାନସରେ ଚାପ ବା ଷ୍ଟ୍ରେସ୍, ଆତୁରତା ବା ଏଂଜାଇଟି ଓ ଅବସାଦ ବା ଡ଼ିପ୍ରେସନ୍ ଭଳି ବିପଦପୂର୍ଣ୍ଣ ସ୍ଥିତିରୁ ଦୂରେଇ ରଖିଥାଏ । ସାମଗ୍ରୀକ ଭାବେ କହିବାକୁ ଗଲେ ଉତ୍ତମ ସ୍ୱାସ୍ଥ୍ୟବସ୍ଥା ଏବଂ ଆନନ୍ଦ ଉଦ୍ରେକ ନିମନ୍ତେ ବନ୍ଧତ୍ୱପୂର୍ଣ୍ଣ ପରିବେଶ ଅନେକାଂଶରେ ଦାୟୀ । ଗବେଷଣାଲବ୍ଧ ତଥ୍ୟ ଅନୁଯାୟୀ ନିଃସଙ୍ଗତା ଜୀବଦ୍ଦଶାକୁ ୨୬ ପ୍ରତିଶତ କମାଇ ଦେଇଥାଏ । ବ୍ରିଙ୍ଗ୍ହାମ୍ ୟଙ୍ଗ୍ ୟୁନିଭର୍ସିଟିର ଜୁଲିଆନ୍ ହଲ୍ଟ୍-ଲୁନ୍ଷ୍ଟାଡ୍ ଜୀବଦ୍ଦଶା ଉପରେ ଓ ବନ୍ଧୁତ୍ୱ ସମ୍ପର୍କରେ ଦୀର୍ଘକାଳ ଧରି ଅଧ୍ୟୟନ କରିଛନ୍ତି । ସେ କହୁଛନ୍ତି ଯେ, ବନ୍ଧୁହୀନ ପରିବେଶ ସଂପୃକ୍ତ ବ୍ୟକ୍ତିଙ୍କ ରକ୍ତଚାପ ବଢ଼ାଇଥାଏ ଏବଂ ରକ୍ତଚାପ ବଢ଼ିବା ହୃଦ୍ରୋଗର କାରଣ ।
ବିଶ୍ୱବ୍ୟାପୀ ନିଃସଙ୍ଗତା ବିଭିନ୍ନ କାରଣରୁ ବୃଦ୍ଧି ପାଇବାରେ ଲାଗିଛି । ବନ୍ଧୁହୀନ ପରିବେଶରେ ମନୁଷ୍ୟ ସାମାଜିକ ବିଚ୍ଛିନ୍ନତାବୋଧ ବା ସୋସିଆଲ ଆଇସୋଲେସନରେ ଆକ୍ରାନ୍ତ ହୋଇପଡୁଛି । ୨୦୧୮ ମାର୍ଚ୍ଚ ମାସରେ ବ୍ରିଟେନ୍ର ‘ହାର୍ଟ’ ଜର୍ନାଲରେ ପ୍ରକାଶିତ ଏକ ସନ୍ଦର୍ଭ ଅନୁଯାୟୀ ସାମାଜିକ ବିଚ୍ଛିନ୍ନତାବୋଧ ୩୦ ପ୍ରତିଶତ ଲୋକଙ୍କୁ ପ୍ରଥମ ହୃଦ୍ଘାତରେ ବା ଫାଷ୍ଟ୍ ହାର୍ଟ ଆଟାକ୍ ରେ ପହଂଚାଇ ଦେଉଛି । ୟୁନିଭର୍ସିଟି ଅଫ୍ ହେଲେସିଂକିର ପ୍ରଫେସର୍ ଖ୍ରୀଷ୍ଟିଆନ୍ ହାକୁଲିନ୍ଙ୍କ ନେତୃତ୍ୱରେ ବ୍ରିଟେନ୍ର ୪ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ୭ ବର୍ଷର ମେଡିକାଲ ରେକର୍ଡ ତର୍ଜମା କରାଯାଇ ଗବେଷକମାନେ ଏଭଳି ନିର୍ଣ୍ଣୟରେ ଉପନୀତ ହୋଇଛନ୍ତି ।
‘ଗ୍ରେ ଓଡିଶା’ ମଂଚରେ ଉପସ୍ଥିତ ବାର୍ଦ୍ଧକ୍ୟରେ ଉପନୀତ ତଥା ଆସନ୍ନ ବାର୍ଦ୍ଧକ୍ୟ ଅପେକ୍ଷାରତ ସମ୍ଭା୍ରନ୍ତ ବା ଇଲାଇଟ୍ ଓଡିଆମାନଙ୍କ ପାଇଁ ଉଲ୍ଲେଖିତ ତଥ୍ୟାଶ୍ରିତ ଗବେଷଣାଲବ୍ଧ ଉପଲବ୍ଧିଗୁଡିକ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ବାର୍ଦ୍ଧକ୍ୟରେ ନୂତନ ବନ୍ଧୁତ୍ୱ ସୃଷ୍ଟି ସମ୍ଭବ, ଏଥିପାଇଁ ଏକକ ଆଗ୍ରହ ସମ୍ପନ୍ନ ଚରିତ୍ର ସନ୍ଧାନ ଏବଂ ନିଜ ଆଡୁ ଉଦ୍ୟମ ଆରମ୍ଭ କରିବା ଏକ ଲାଭଦାୟକ ନିଷ୍ପତ୍ତି – ଏଭଳି ନିଷ୍ପତ୍ତି ଗୁଡିକ ପ୍ରତି ଆମେ ଯତ୍ନଶୀଳ ହେବା ସମୟ ଉପନୀତ । ଓଡିଶାରେ ବିକଳ୍ପ ବାର୍ଦ୍ଧକ୍ୟ ଜୀବନଚର୍ଯ୍ୟାରେ ବିଶ୍ୱାସ ରଖୁଥିବା ଏକ ଗୋଷ୍ଠୀର ସାଙ୍ଗଠନିକ ରୂପରେଖ ଅଙ୍କନ ଏବଂ ଏଥିନିମନ୍ତେ ପ୍ରତ୍ୟେକ ନିଜ ପକ୍ଷରୁ ପଦକ୍ଷେପ ବା ଇନିସିଟିଉଭ୍ ଗ୍ରହଣ ଗୁରୁତ୍ୱପୂର୍ଣ୍ଣ ନୁହେଁ କି?
ଭୀମାରାଓ ପେଟା, ଭାପୁରବଜାର, ବ୍ରହ୍ମପୁର
ବ୍ରହ୍ମପୁର, ୧୭ ଏପ୍ରିଲ ୨୦୧୮
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS