ଗଞ୍ଜାମ ଜିଲ୍ଲା: ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ ବିନିଯୋଗ ହେଉଛି ମନ୍ଦିର ମରାମତି କାର୍ଯ୍ୟରେ ?
ବ୍ରହ୍ମପୁର, ୧୭ ଏପ୍ରିଲ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟ ସରକାର ଚିରାଚରିତ ଯୋଜନା ଭିତରେ ଦୃଷ୍ଟି ଦେଇ ପାରୁ ନ ଥିବା ଛୋଟ ଛୋଟ ସମସ୍ୟାର ସମାଧାନ ପାଇଁ ୧୯୯୭ ମସିହାରୁ ଆରମ୍ଭ କରିଥିଲେ ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’। ୨୦୦୩ରେ ସରକାରଙ୍କ ପକ୍ଷରୁ ଏକ ଷ୍ଟାଣ୍ଡିଂ ଗାଇଡ୍ଲାଇନ୍ ଜାରି କରାଯାଇ ସେଥିରେ ସ୍ପଷ୍ଟ ଭାବେ ଉଲ୍ଲଖ କରାଗଲା ଯେ, ଛୋଟିଆ ହେଲେ ବି ଏଭଳି ଏକ ସ୍ୱତନ୍ତ୍ର ପ୍ରସଙ୍ଗ ହୋଇଥିବ ଯାହାର ସମାଧାନ ନ ହେଲେ ସ୍ଥାନୀୟ ଅଂଚଳରେ ବିକାଶଧାରା ଅଧୁରା ରହିଯିବ, ସେଭଳି ପ୍ରସଙ୍ଗର ସମାଧାନ ପାଇଁ ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ରୁ ଅନୁଦାନ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗର ପରିଚାଳନାଧୀନ ରହିଲା ଏହି ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ । ତେବେ, ଏହି ପାଣ୍ଠିର ବିନିଯୋଗ କିଭଳି ହେଉଛି ତାହା ଗଞ୍ଜାମ ଜିଲ୍ଲାରେ ହୋଇଥିବା ବିନିଯୋଗ ସଂପର୍କରେ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡୁଛି । ଜିଲ୍ଳାରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଅସମାଧିତ ଅବସ୍ଥାରେ ରହିଥିବା ବେଳେ ସେସବୁକୁ ଅଣଦେଖା କରାଯାଇ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ମନ୍ଦିର ମରାମତି, ମନ୍ଦିର କୋଠଘର, ରୋଷେଇ ଘର ଆଦି ନିର୍ମାଣରେ ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି ।
‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ର ନିୟାମକ ଅନୁସାରେ କୌଣସି ଧାର୍ମିକ ଅନୁଷ୍ଠାନ ଐତିହାସିକ କିମ୍ବା ସଂସ୍କୃତିର ପ୍ରତୀକ ହୋଇଥିବ, ତାହାର ରକ୍ଷଣାବେକ୍ଷଣ ପାଇଁ ସର୍ବାଧିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ଦିଆଯାଇ ପାରିବ । ତାହା ମଧ୍ୟ ମିଳିବ ସେହି ଅନୁଷ୍ଠାନକୁ ଯିଏକି ସରକାରଙ୍କ ଦ୍ୱାରା ସ୍ୱୀକୃତି ପାଇଥିବ ଏବଂ ସରକାରୀ କିମ୍ବା ବେସରକାରୀ ଜାଗାରେ ନିର୍ମାଣ ହୋଇ ନ ଥିବ । କେବଳ ସେତିକି ନୁହେଁ, କୌଣସି ଗୋଟିଏ ପ୍ରକଳ୍ପକୁ ଏକାଧିକ ବାର ଅନୁଦାନ ଦିଆଯାଇ ପାରିବ ନାହିଁ । ଅର୍ଥାତ, ଗୋଟିଏ ଅନୁଷ୍ଠାନ ଯଦି ଗୋଟିଏ ବର୍ଷ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଅନୁଦାନ ପାଇଛି ତା’ର ପରବର୍ତୀ ବର୍ଷ ପୁଣି ଥରେ ସେହି ଅନୁଷ୍ଠାନକୁ ଅନୁଦାନ ମିଳିବ ନାହିଁ । ତେବେ, ଗଞ୍ଜାମ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ହୋଇଥିବା ଅନୁଧ୍ୟାନରୁ ଜଣାଯାଇଛି । ଜିଲ୍ଲାର ପାତ୍ରପୁର ବ୍ଲକର କନିରଡ଼ା ରାଧାକୃଷ୍ଣ ମନ୍ଦିରକୁ ୨୦୧୭ ଅକ୍ଟୋବର ୧୮ରେ (ପତ୍ରସଂଖ୍ୟା-୧୩୦୬୪ ୮ମ ଅନୁଦାନରେ) ମରାମତି କାର୍ଯ୍ୟ ପାଇଁ ଏହି ପାଣ୍ଠିରୁ ୨ଲକ୍ଷ ଟଙ୍କା ଅନୁଦାନ ଦିଆଯାଇ ଥିବା ବେଳେ ୨୦୧୭ ଡିସେମ୍ବର ୮ ତାରିଖରେ (ପତ୍ରସଂଖ୍ୟା ୧୫୯୭୪ର୧୧ଶ ଅନୁଦାନରେ) ପୁଣି ଥରେ ୨ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ସେହିଭଳି ବେସରକାରୀ ପରିଚାଳନାରେ ରହିଥିବା ପାତ୍ରପୁର ଖରଣିଡ଼ା ଅମୁଣ୍ଡି ଠାକୁରାଣୀ ମନ୍ଦିରକୁ ଚଳିତ ବର୍ଷ ୨ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ସୂଚନା ମିଳିଛି । ଚିକିଟି କୋଟଲିଙ୍ଗି କାଳୀ ମନ୍ଦିର ଓ କେଏନ୍ ପେଣ୍ଠକୁ ମରାମତି କାର୍ଯ୍ୟ ପାଇଁ ଦିଆଯାଇଥିବା ୪ ଲକ୍ଷ ଟଙ୍କାକୁ ନେଇ ମଧ୍ୟ ସନେ୍ଦହ ପ୍ରକାଶ ପାଉଛି । ଦୁଇଟି ମନ୍ଦିର ପ୍ରାୟ ୨୦ ବର୍ଷ ପୁରୁଣା ହୋଇଥିବା ବେଳେ ଏହାର ପରିଚାଳନା ଓ ମରାମତି କାମର ଦାୟତ୍ୱ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ହାତରେ ରହିଛି । ଚିକିଟି ବିଧାୟିକା ଉଷା ଦେବୀ ହେଉଛନ୍ତି ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ । ପାତ୍ରପୁର ବ୍ଲକ ମଧ୍ୟ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡରୁ ମିଳିଥିବା ସୂଚନା ଅନୁସାରେ ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ରୁ କାଣିଚାଏ ମଧ୍ୟ କୌଣସି ଧାର୍ମିକ ଅନୁଷ୍ଠାନକୁ ଦିଆଯାଇ ପାରିବ ନାହିଁ । ତେବେ, ଗଞ୍ଜାମ ଜିଲ୍ଲାରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଅନୁଦାନ ଆକାରରେ ମନ୍ଦିରଗୁଡ଼ିକୁ ଦିଆଯାଉଛି କେମିତି ! ଧାର୍ମିକ ଅନୁଷ୍ଠାନକୁ ଅନୁଦାନ ଦିଆଯିବା ଆଇନତଃ ଅସିଦ୍ଧ ବୋଲି ବିଭାଗର ସର୍ବୋଚ୍ଚ ଅଧିକାରୀମାନେ କହୁଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ରେ ୩୦ଟି ଜିଲ୍ଲାକୁ ଦିଆ ଯାଇଥିବା ୧୩ କୋଟି ୮୦ଲକ୍ଷ ଟଙ୍କାରୁ ସିଂହଭାଗ ମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସେହି ଧରଣର କାର୍ଯ୍ୟରେ ବିନିଯୋଗ ହୋଇଥିବା ଅଭିଯୋଗ ହେଉଛି । ଏହି ଅନୁଦାନ ଅର୍ଥରୁ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୧କୋଟି ୪୧ଲକ୍ଷ ଟଙ୍କା ମିଳି ଥିଲା । ସେଥିରୁ ୪୯ଲକ୍ଷ ଟଙ୍କା ମନ୍ଦିର ମରାମତିରେ ଖର୍ଚ୍ଚ ହୋଇଛି । ଖଲ୍ଲିକୋଟରେ ୧୫ ଲକ୍ଷ ଟଙ୍କା, ପୋଲସରାରେ ୨ଲକ୍ଷ ଟଙ୍କା, ଚିକିଟିରେ ୧୧ଲକ୍ଷ ଟଙ୍କା, ପୁରୁଷୋତ୍ତମପୁରରେ ୪ଲକ୍ଷ ଟଙ୍କା, ହିଞ୍ଜିଳିକାଟୁରେ ୬ଲକ୍ଷ ଟଙ୍କା, ସୋରଡ଼ାରେ ୧୦ଲକ୍ଷ ଟଙ୍କା ଏବଂ ପାତ୍ରପୁରରେ ୧ଲକ୍ଷ ଟଙ୍କା ମନ୍ଦିର ମରାମତି ପାଇଁ ଖର୍ଚ୍ଚ ହୋଇଥିବା ଜଣାପଡିଛି । ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମ ଜିଲ୍ଲାରେ ମନ୍ଦିର ମରାମତି ପାଇଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିର ସର୍ବାଧିକ ଭାଗ ଅର୍ଥ ବିନିଯୋଗ ହୋଇଥିବା ପ୍ରକାଶ ।
୨୦୧୭-୧୮ରେ (୮ମ ଓ ୧୧ଶ ଅନୁଦାନରେ) ଗଞ୍ଜାମ ଜିଲ୍ଲାକୁ ମିଳି ଥିବା ୭୭ଲକ୍ଷ ଟଙ୍କା ଅନୁଦାନରୁ ପାତ୍ରପୁରରେ ମନ୍ଦିର ମରାମତି ପାଇଁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚିକିଟିରେ ୧୩ଲକ୍ଷ, ରଙ୍ଗେଇଲୁଣ୍ଡାରେ ୩ଲକ୍ଷ ଓ ହିଞ୍ଜିଳିରେ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ ପ୍ରଶ୍ନ ହେଲେ ଉତ୍ତର ମିଳୁଛି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ କେଉଁ ପ୍ରକଳ୍ପକୁ କେତେ ଅନୁଦାନ ଦିଆଯିବ ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଧାରଣ କରନ୍ତି । ଏଥିରେ ଯୋଜନା ଓ ସମନ୍ୱୟ ବିଭାଗର କିଛି କରିବାର ନାହିଁ । ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକଙ୍କ ମାଧ୍ୟମରେ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିର ବିନିଯୋଗ ହୋଇଥାଏ । ଏଠାରେ ଉଲ୍ଲେଖନୀୟ ଯେ, ୨୦୦୯ ଡିସେମ୍ବର ୧୦ ତାରିଖରେ ରାଜ୍ୟ ବିଧାନସଭାରେ ତତ୍କାଳୀନ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରେ ଜାଲିଆତି କଥା ଉଠାଇ ଅନୁଦାନର ୭୦ ଭାଗ ଅର୍ଥ କେବଳ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଖର୍ଚ୍ଚ ହେଉଥିବା ଅଭିଯୋଗ କରିଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS