ବ୍ରହ୍ମପୁର ଷ୍ଟାଡିୟମରେ ଜବରଦଖଲ ଜମିରୁ ଏନସିସି କ୍ୱାଟର ଉଚ୍ଛେଦ ଆରମ୍ଭ
ବ୍ରହ୍ମପୁର, ୧୭ ଏପ୍ରିଲ (ମୋ ଅନୁଭବ): ସହରର ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ବ୍ରହ୍ମପୁର ଷ୍ଟାଡିୟମରେ ଦୀର୍ଘ ବର୍ଷ ଧରି ପ୍ରତିରକ୍ଷା ବିଭାଗର ଜବରଦଖଲରେ ଥିବା ୬.୦୪୩ ଏକର ଜମିରୁ ମଙ୍ଗଳବାର (୧୭ ତାରିଖ) ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଜବରଦଖଲ ଜମିରେ ଏନସିସିର ୪ଟି ଅଫିସର କ୍ୱାଟର ଥିଲା । ମୁସଲମାନ ସଂପ୍ରଦାୟର ଇଦ୍ଗାହ ପଡିଆ ମଧ୍ୟ ଷ୍ଟାଡିୟମ ଭିତରେ ରହି ଥିଲା । ଇଦ୍ ଅବସରରେ ମୁସଲିମ୍ ସଂପ୍ରଦାୟର ଲୋକମାନେ ସେଠାରେ ଏକତ୍ରିତ ହୋଇ ସମୂହ ଭାବେ ନମାଜ ପଢନ୍ତି । ଆଜି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏନସିସି କ୍ୱାଟର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେବା ଦ୍ୱାରା ବ୍ରହ୍ମପୁର ଷ୍ଟାଡିୟମ ସ୍ୱୟଂ ସଂପୂର୍ଣ୍ଣ ହେବାର ଅବକାଶ ସୃଷ୍ଟି ହୋଇଛି ।
୧୯୮୬ ମସିହାରେ ତକ୍ରାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ବ୍ରହ୍ମପୁର ଷ୍ଟାଡିୟମ ଉଦ୍ଘାଟିତ ହୋଇଥିଲା । ସେତେବେଳେ ବ୍ରହ୍ମପୁରର କଂଗ୍ରେସ ବିଧାୟକ ଥିଲେ ଶିବଶଙ୍କର ସାହାଣୀ । ସାହାଣୀଙ୍କ ପୂର୍ବରୁ ବ୍ରହ୍ମପୁର ବିଧାୟକ ତଥା ମନ୍ତ୍ରୀ ଥିବା ସ୍ୱର୍ଗତ କୃଷ୍ଣ ଚରଣ ପଟ୍ଟନାୟକଙ୍କ ସମୟରୁ ଏହି ଷ୍ଟାଡିୟମ ନିର୍ମାଣର ଭିତ୍ତିଭୂମୀ ପଡି ଥିଲା । ରାଜ୍ୟ ସରକାର ସହରର ମଧ୍ୟଭାଗରେ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ ନିର୍ମାଣ ପାଇଁ ମୋଟ ୧୭.୬୨ ଏକର ଜମି ଯୋଗାଇ ଦେଇ ତାହା ବଦଳରେ ପ୍ରତିରକ୍ଷା ବିଭାଗକୁ ଗୋପାଳପୁର ଠାରେ ସମ ପରିମାଣ ମୂଲ୍ୟରେ ୫୭.୫୬ ଏକର ଜମି ଯୋଗାଇ ଦେଇଥିଲେ । ତେବେ, ପ୍ରତିରକ୍ଷା ବିଭାଗ ଷ୍ଟାଡିୟମ ଜମିକୁ ପୂର୍ଣ୍ଣତଃ କବ୍ଚା ମୁକ୍ତ ନ କରି କିଛି ଜମି ନିଜ ଦଖଲରେ ରଖିଥିଲେ । ସେହି ଜମିରେ ଏନସିସି ଅଧିକାରୀଙ୍କ କ୍ୱାଟରମାନ ରହିଥିଲା । ଏହି କ୍ୱାଟର ସ୍ଥାନାନ୍ତର ନେଇ ଦୀର୍ଘ ବର୍ଷ ହେଳା ବିବାଦ ଲାଗି ରହିଥିଲା । ଇଦଗାହ ପଡିଆ ମଧ୍ୟ ମୁସଲିମ ସଂପ୍ରଦାୟର ବ୍ୟବହାରରେ ରହିଛି । ଷ୍ଟାଡିୟମକୁ ଯୋଗାଇ ଦିଆଯାଇ ଥିବା ସଂପୂର୍ଣ୍ଣ ଜମି ହାତକୁ ନ ଆସିବାରୁ ପ୍ରାୟ ୮.୪୯୦ ଏକର ଜମିରେ ପ୍ରାଥମିକ ଭାବେ ବ୍ରହ୍ମପୁର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ହୋଇଛି। ଅଧପନ୍ତୁରିଆ ଅବସ୍ଥାରେ ତାହା ମଧ୍ୟ ଉଦଘାଟିତ ହୋଇଥିଲା । ସହର ଉପକଂଠରେ ଏନସିସି କ୍ୱାଟର ନିର୍ମାଣ ପାଇଁ ସରକାର ଏକ କୋଟି ଟଙ୍କା ମଂଜୁର କରିବା ପରେ ପ୍ରତିରକ୍ଷା ବିଭାଗ ୩୪ ବର୍ଷ ହେଲା ଦଖଲରେ ରଖିଥିବା ୬.୦୪୩ ଏକର ଜମି ଷ୍ଟାଡୟମକୁ ହସ୍ତାନ୍ତର କରି ଥିବା ସୂଚନା ମିଳିଛି । ଫଳରେ, ବର୍ତମାନ ଅସଂପୂର୍ଣ୍ଣ ଅବସ୍ଥାରେ ଥିବା ବ୍ରହ୍ମପୁର ଷ୍ଟାଡିୟମର ଅପ୍ଗ୍ରେଡେସନ୍ ଏବଂ ଏକ ସମନ୍ୱିତ ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମାଣ ପାଇଁ ବାଟ ଖୋଲିଛିି । ‘ୱାପ୍କୋ’ ପକ୍ଷରୁ ଏକ ବୈଷୟିକ ଟିମ୍ ଅପଗ୍ରେଡେସନ୍ ପାଇଁ ବ୍ୟୟ ଅଟକଳ ସହ ଡ଼ିପିଆର (ଡ଼ିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତି ଓ ଦାଖଲ କରିବା ପରେ କାମ ଆରମ୍ଭ ହେବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS