ନେଡ଼ି ଗୁଡ କହୁଣୀକୁ ବୋହିବା ପରେ ଓଡ଼ିଶା କଂଗ୍ରେସର ନବ କଳେବର !
ଭୁବନେଶ୍ୱର, ୨୦ ଏପ୍ରିଲ (ପ୍ରସାଦ ରାଓ): ନେଡ଼ି ଗୁଡ଼ କହୁଣୀକୁ ବୋହିବା ପରେ ହୋଇଛି ଓଡ଼ିଶା କଂଗ୍ରେସର ନବ କଳେବର । ଏଆଇସିସି ହାଇକମାଣ୍ଡ୍ ରାହୁଲ ଗାନ୍ଧୀ ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ ଓଡ଼ିଶାର କଂଗ୍ରେସ ନେତାଙ୍କୁ ଭଣ୍ଡାଇ ଆସିବା ପରେ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କୁ ହଟାଇ ପୂର୍ବତନ ପିସିସି ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଂଜନ ପଟ୍ଟନାୟକଙ୍କୁ ସଭାପତି ନିଯୁକ୍ତ କରିଛନ୍ତି । ତେବେ, ନିରଂଜନଙ୍କୁ ଏକକ ନେତୃତ୍ୱର ସୁଯୋଗ ନ ଦେଇ ତାଙ୍କ ସହ ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ଖଂଜା ଯାଇଛି । କଂଗ୍ରେସ ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ଉପ ନେତା ଥିବା ଚିରଂଜୀବୀ ବିଶ୍ୱାଳ, ବିଧାୟକ ନବ କିଶୋର ଦାସ ଓ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ଭାବେ ନୂତନ ନିଯୁକ୍ତି ମିଚିଛି । ୧୯ ତାରିଖ ଦିନ ଏଆଇସିସି ପକ୍ଷରୁ ଏକ ବିବୃତି ମାଧ୍ୟମରେ ଏହା ଘୋଷରା କରାଯାଇଛି।
ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓଡ଼ିଶାର ଏହି ନେତାମାନଙ୍କୁ ଗୁରୁବାର ଦିନ ନୂଆଦିଲ୍ଲୀ ଡ଼କାଇ ଆଲୋଚନା କରିବା ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଏହି ନବ କଳେବର କରିଛନ୍ତି । ଏଆଇସିସିର ଏହି ନିଷ୍ପତ୍ତି ଫଳରେ ଓଡ଼ିଶା ପିସିସିରେ ଜ୍ୱାଇଁ-ଶ୍ୱଶୁର (ପ୍ରସାଦ ହରିଚନ୍ଦନ ଓ ସୁର ରାଉତରାୟ)ଙ୍କ ରାଜତ୍ୱର ଅବସାନ ଘଟିଛି ଏବଂ ଦ୍ୱିତୀୟ ଥର ପାଇଁ ନିରଂଜନଙ୍କ ହାତକୁ କ୍ଷମତା ଫେରିଛି । ନିରଂଜନ ପଟ୍ଟନାୟକ ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ରାଜ୍ୟରେ ଦଳୀୟ ସଂଗଠନ ସୁଦୃଢ କରିବା କାର୍ଯ୍ୟରେ ଲାଗି ଥିବା ବେଳେ ହଠାତ୍ ନିର୍ବାଚନ ପୂର୍ବରୁ ତାଙ୍କୁ ସଭାପତି ପଦରୁ ହଟାଇ ଦିଆଯାଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ସଭାପତି ଭାବେ ଅବସ୍ଥାପିତ କରାଯାଇଥିଲା । ସେହି ଦିନ ଠାରୁ ଓଡ଼ିଶାରେ କଂଗ୍ରେସର ଅଧୋଗତି ଦୃତ ବେଗରେ ଆରମ୍ଭ ହୋଇଥିଲା ।
୨୦୧୪ ସାଧାରଣ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ରାଜ୍ୟ ବିଧାନସଭାରେ ଦଳର ବିଧାୟକ ସଂଖ୍ୟା ୧୬କୁ ଖସି ଆସିଥିଲା । ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ଗୋଟିଏ ହେଲେ ବି କଂଗ୍ରେସକୁ ମିଳି ନାହିଁ । ଏହା ପଛରେ ନିରଂଜନଙ୍କ ଗୋଷ୍ଠୀର ଷଡଯନ୍ତ୍ର ଥିବା ତାଙ୍କ ବିରୋଧୀମାନେ ଅଭିଯୋଗ କରିଥିବା ବେଳେ ତକ୍ରାଳୀନ ପିସିସି ସଭାପତି ଜୟଦେବ ଜେନା, ସେତେବେଳେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିବା ତାଙ୍କ ପୁଅ ସଂଗ୍ରାମ ଜେନା ଏବଂ ତକ୍ରାଳୀନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ୍ ମନମୁଖୀ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପରିଚାଳନାରେ ତୃଟୀ ଯୋଗୁ ଦଳର ଏଭଳି ଅଧୋଗତି ଘଟିଲା ବୋଲି ନିରଂଜନଙ୍କ ଗୋଷ୍ଠୀ ଅଭିଯୋଗ କରିଥିଲେ । ନିର୍ବାଚନ ପରାଜୟ ପରେ ଜେନାଙ୍କୁ ପିସିସି ସଭାପତି ପଦରୁ ହଟାଇବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା ସେଥିରେ ନିରଂଜନଙ୍କ ଗୋଷ୍ଠୀ ସଫଳ ହୋଇଥିଲେ ସିନା ସଭାପତି ପଦ ନିରଂଜନଙ୍କ ହାତକୁ ନ ଆସି ପ୍ରସାଦ ହରିଚନ୍ଦନଙ୍କ ହାତକୁ ଚାଲି ଯାଇଥିଲା । ପ୍ରସାଦ ସଭାପତି ହେବା ପରେ କିଛି ମାସ ସବୁ ଶାନ୍ତ ରହିବା ପରେ ପୁନର୍ବାର ଆରମ୍ଭ ହୋଇଥିଲା ‘ପ୍ରସାଦ ହଟାଓ’ ଅଭିଯାନ ।
୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ବିପର୍ଯ୍ୟୟ ପରେ ଏହା ଯୋର୍ ଧରି ଥିଲା ଏବଂ ବିଜେପୁର ବିଧାନସଭା ଉପ ନିର୍ବାଚନରେ ଦଳର ପ୍ରାର୍ଥୀ ଅମାନତ ହରାଇବା ପରେ ଚୂଡାନ୍ତ ସ୍ତରରେ ପହଂଚି ଥିଲା । ତେବେ ଏଆଇସିସି କର୍ତୃପକ୍ଷ ପ୍ରସାଦଙ୍କୁ ସଭାପତି ପଦରୁ ହଟାଇବାକୁ ଆଗ୍ରହ ପ୍ରକାଶ ନ କରିବାରୁ ରାଜ୍ୟ କଂଗ୍ରେସ ବିଧାୟକମାନେ ପ୍ରସାଦଙ୍କ ନେତୃତ୍ୱରେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ଚରମ ବାଣୀ ଶୁଣାଇ ଥିଲେ । ସେଥିରେ ମଧ୍ୟ ଏଆଇସିସି ନୀରବ ରହିବାରୁ ଦକ୍ଷିଣ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ଏଆଇସିସି ସଭ୍ୟ ବିକ୍ରମ ପଣ୍ଡାଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ୧୧ କଂଗ୍ରେସ କର୍ପୋରେଟର ହଜାର ହଜାର ସମର୍ଥକଙ୍କ ସହ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗ ଦେଲେ । ଏହାପରେ ଏଆଇସିସିର ନିଦ୍ରାଭଂଗ ହୋଇଛି । ରାଜ୍ୟର ଅଧିକାଂଶ କଂଗ୍ରେସ ନେତା, ବିଧାୟକ ଓ କର୍ମୀଙ୍କ ଦାବିକୁ ଗୁରୁତ୍ୱ ଦେଇ ଏଆଇସିସି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ୧୯ ତାରିଖ ଦିନ ପୁନର୍ବାର ପିସିସି ସଭାପତି ଭାବେ ଦ୍ୱତୀୟ ଥର ପାଇଁ ନିଯୁକ୍ତି ଦେଇଛି । ଏହି ନିଯୁକ୍ତି ପୂର୍ବରୁ ଏଆଇସିସି ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସିର ପ୍ରଭାରୀ ବ.ିକେ. ହରି ପ୍ରସାଦଙ୍କୁ ହଟାଇ ରାହୁଲଙ୍କ ଘନିଷ୍ଟ କୁହାଯାଉଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ଦେଇଥିଲା । ତାଙ୍କ ସହାୟତା ପାଇଁ ରାଜ୍ୟ ବାହାରର କିଛି ନେତାଙ୍କୁ ନିଯୁକ୍ତ କରାଯାଇଛି ।
ଓଡ଼ିଶା ପାଇଁ ନୂତନ ପ୍ରଭାରୀ ଭାବେ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯିବା ଏବଂ ତାଙ୍କୁ ସାହାଯ୍ୟ କରିବା ସକାଶେ ରାଜ୍ୟ ବାହାରର କିଛି ନେତାଙ୍କୁ ନିଯୁକ୍ତ କରାଯିବା ନିଷ୍ପତ୍ତିରେ ପିସିସି ସଭାପତି ଲଢେଇରେ ଥିବା ନିରଂଜନଙ୍କ ତୁରନ୍ତ ପ୍ରତିକ୍ରିୟା ଥିଲା – ‘ଓଡ଼ିଶା କଂଗ୍ରେସର ନବ କଳେବର ହେଲା ସିନା ‘ବ୍ରହ୍ମ’ ପରିବର୍ତର୍ନ ହେଲା ଭଳି ଲାଗୁ ନାହିଁ’ । ସେ ପିସିସି ସଭାପତି ହେବା ସମୟ ଗଡି ଗଲାଣି । ତେବେ, ରାହୁଲ ନିରଂଜନଙ୍କୁ ଚକିତ କରି ୧୯ ତାରିଖ ‘ବ୍ରହ୍ମ’ ପରିବର୍ତନ କରିଛନ୍ତି ଏବଂ ନୂତନ ‘ବ୍ରହ୍ମ’ ଭାବେ ତାଙ୍କୁ ହିଁ ନିଯୁକ୍ତି ଦେଇଛନ୍ତି । ନିରଂଜନ ଆକ୍ଷେପ ଥିଲା ପ୍ରସାଦ ହରିଚନ୍ଦନଙ୍କ ପ୍ରତି । ପ୍ରସାଦ ହଟିବା ପରେ ନିରଂଜନଙ୍କ ଆକ୍ଷେପ ମୂଲ୍ୟହୀନ ହୋଇ ଯାଇଛି । ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ନିଯୁକ୍ତ ହେବା ପରେ ନିରଂଜନଙ୍କ ପ୍ରତିକ୍ରିୟା ହେଉଛି, ବର୍ତମାନ ଦଳ ଯେଭଳି ବିପର୍ଯ୍ୟସ୍ତ ସ୍ଥିତିରେ ରହିଛି ସେଥିରୁ ମୁକୁଳି ସୁଦୃଢ ହେବା ସହଜ ନୁହେଁ । ତଥାପି, ନୂଆ ମୁହଁ ଓ ଯୁବ ନେତୃତ୍ୱକୁ ପ୍ରାଧାନ୍ୟ ଦେଇ ଦଳକୁ ସୁଦୃଢ କରାଯିବ । ଯେଉଁମାନେ ଦଳ ଛାଡି ଚାଲି ଯାଇଛନ୍ତି ସେମାନଙ୍କୁ ମଧ୍ୟରୁ ଯିଏ ଓଡ଼ିଶାର ବିକାଶ ଚାହୁଁଛନ୍ତି କଂଗ୍ରେସକୁ ଫେରି ଆସନ୍ତୁ ବୋଲି ମଧ୍ୟ ନିରଂଜନ ଆହ୍ୱାନ ଦେଇଛନ୍ତି ।
ଏଆଇସିସି ସଭାପତି ରାହୁଲ ଗାନ୍ଧୀ କେବଳ ପିସିସି ସଭାପତି ପରିବର୍ତର୍ନ କରି ନାହାନ୍ତି, ତିନି ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦେଇ ସଭାପତିଙ୍କ ଦାୟିତ୍ୱକୁ ସହଜ କରିଛନ୍ତି । ତାହାଛଡା, ପିସିସିର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, କୋର୍ କମିଟି ଅଧ୍ୟକ୍ଷ ଭାବେ ଜୟଦେବ ଜେନା. କୋର କମିଟି ଆବାହକ ଭାବେ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ. ଶୃଙ୍ଖଳା କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ମେନିଫେଷ୍ଟୋ କମିଟି ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ଏହାର ଆବାହକ ଭାବେ ଶରତ ରାଉତଙ୍କୁ ନିଯୁକ୍ତି ଦେଇ ଭାରସାମ୍ୟ ରଖିବାକୁ ଚେଷ୍ଟା କରିଛନ୍ତି । ଯେହେତୁ ରାଜ୍ୟ କଂଗ୍ରେସ ସଂଯୋଜନା କମିଟି ଅଧ୍ୟକ୍ଷ ଭାବେ ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ରହିଛନ୍ତି, ଏହି କମିଟିର ଆବାହକ ଦାୟିତ୍ୱ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଦିଆଯାଇ ଓଡ଼ିଶାର ସବୁ ପୁରୁଖା ଓ ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରିବାର ପ୍ରୟାସ ହୋଇଛି । ଏହି ନବ କଳେବର ପରେ ଓଡ଼ିଶାରେ କଂଗ୍ରେସ ଶାସକ ବିଜେଡ଼ି ଓ ଦ୍ୱିତୀୟ ସ୍ଥାନରେ ପହଂଚି ଯାଇଥିବା ବିଜେପିକୁ କିଭଳି ଭାବେ ମୁକାବିଲା କରିବ, ତାହା ଆଗାମୀ ଦିନରେ ଜଣାପଡ଼ିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS