ବଦଳି ଯାଇଛି ନୀଳକଂଠ ନଗର ଶ୍ମଶାନର ସ୍ୱରୂପ
ବ୍ରହ୍ମପୁର,୦୪ ମେ’(ମୋ ଅନୁଭବ): କୌଣସି ଆନ୍ତର୍ଜାତିକ ସେବା ଅନୁଷ୍ଠାନର ଅନ୍ତରିକ ଉଦ୍ୟମ ଓ ନିସ୍ୱାର୍ଥପର ସ୍ପର୍ଶରେ ଶ୍ମଶାନ ମଧ୍ୟ ମନ୍ଦିର ପାଲଟି ଯାଏ । ଏହି ଅଭିଜ୍ଞତା ମିଳିଛି ସହର ଉପକଂଠରେ ଥିବା ନୀଳକଂଠ ନଗର ଶ୍ମଶାନର କାୟା ପରିବର୍ତର୍ନରୁ । ଦିନ ଥିଲା, ଏହି ଶ୍ମଶାନର ପୁତିଗନ୍ଧମୟ ପରିବେଶ ସେହି ଅଂଚଳରେ ବସବାସ କରୁଥିବା ଏବଂ ସେହି ରାସ୍ତା ଦେଇ ହଳଦିଆପଦର ଜାତୀୟ ରାଜପଥ ଆଡକୁ ଯାଉଥିବା ଲୋକମାନଙ୍କୁ ଅତିଷ୍ଠ କରୁଥିଲା । ଗଛଲଟା, କଂଟାବୁଦାରେ ଭରପୁର ଶ୍ମଶାନ ଥିଲା ଆଖପାଖ ଅଂଚଳର ବସ୍ତି ବାସିନ୍ଦାଙ୍କ ପାଇଁ ମଳତ୍ୟାଗର ଏକ ପ୍ରମୁଖ ସ୍ଥାନ । ଏପରିକି, ଶବଦାହ କରିବାକୁ ଯାଉଥିବା ଆଖପାଖ ଅଂଚଳର ଜନସାଧାରଣ କେବଳ ନୁହନ୍ତି, ନୀଳକଂଠ ନଗର ସରସ୍ୱତୀ ଶିଶୁ ମନ୍ଦିର ଓ ଏହାର ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ମଧ୍ୟ ନାକ ବୁଜି ଦେଉ ଥିଲେ । ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ଶ୍ରେଣୀ କକ୍ଷର ଝରକା ଖୋଲିଲେ ଦେଖୁ ଥିଲେ ଏହି ପୁତିଗନ୍ଧମୟ ପରିବେଶ ଓ ଶବଦାହର ଦୃଶ୍ୟ । ବାଧ୍ୟବାଧକତାରେ ଶ୍ମଶାନକୁ ଯାଉଥିବା ଲୋକମାନେ କେତେଶୀଘ୍ର ଶବଦାହ ସାରି ବାହାରକୁ ବାହାରି ଆସିବେ, ସେହି ଚିନ୍ତାରେ ରହୁ ଥିଲେ । ପ୍ରାୟ ୭ ବର୍ଷ ତଳେ ରୋଟାରୀ ଇଂଟରନ୍ୟାସନାଲ ହାତକୁ ନେଇଥିଲା ଏହି ଶ୍ମଶାନର ପରିବେଶକୁ ବଦଲାଇବାର ଦାୟିତ୍ୱ । ଯୋଜନାବଦ୍ଧ ଭାବେ ଏହି କାର୍ଯ୍ୟ ସମାପିତ ହୋଇଛି । ବ୍ରହ୍ମପୁର ସ୍ଥିତି ରୋଟାରୀ ଇଂଟରନ୍ୟାସନାଲ ଶାଖାର ଉଦ୍ୟମରେ ନୀଳକଂଠ ନଗର ଶ୍ମଶାନର କାୟାକଳ୍ପ ବଦଳି ଯାଇଛି । ନବକଳେବର ହୋଇଥିବା ଏହି ଶ୍ମଶାନର ଖୁବଶୀଘ୍ର ଉଦଘାଟନ ହେଉ ଥିବା ସୂଚନା ମିଳିଛି । ସଂସ୍ଥାର ଉଦ୍ୟମରେ ନୀଳକଂଠ ନଗର ଶ୍ମଶାନର ଚେହେରା କିଭଳି ଭାବେ ବଦଳିଛି, ତାହା ଏହି ରିପୋର୍ଟ ସହ ସଂଲଗ୍ନ ଫଟୋକୁ ଯେ କେହି ଦେଖିବ, ଅନୁଭବ କରିପାରିବ । ଫଟୋ: ଏମ. ଗୋପୀକ୍ରୀଷ୍ଣା
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS