ବାଘୁଆରେ ପୁଲିସ ଏନ୍କାଉଂଟର, ହାବୁଡରେ ପଡିଲେ ଭଂଜନଗର ଓ ଭୁବନେଶ୍ୱରର ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ
ବୁଗୁଡା (ଗଂଜାମ) ୦୬ ମେ’(ରିପୋର୍ଟ – ପ୍ରଦ୍ୟୁମ୍ନ): ୫ ତାରିଖ ରାତି ୧୧ଟା ୦୫ ମିନିଟ । ଗଂଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବାଘୁଆ ନିକଟରେ ଛପି ରହି ଥିବା ଗଂଜାମ ଜିଲ୍ଲା ପୁଲିସ ସହ ଏନ୍କାଉଂଟରରେ ଭଂଜନଗର ଓ ଭୁବନେଶ୍ୱରର ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇ ଧରା ପଡିଛନ୍ତି । ଦୁଇ ଅପରାଧୀଙ୍କ ଗୋଡରେ ଦୁଇଟି ଲେଖାଏଁ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବୁଗୁଡା ହସପିଟାଲରେ ଚିକିତ୍ସା କରାଯାଉଛି । ଦୁଇ ଅପରାଧୀଙ୍କ ମଧ୍ୟରୁ ଜଣକ ଅବସ୍ଥା ଅଧିକ ସଂଗୀନ ଥିବାରୁ ତାକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯିବାକୁ ଥିବା ଜଣାପଡିଛି । ଦୁର୍ଦ୍ଦାନ୍ତ ଅପରାଧୀ ଦ୍ୱୟଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଭଂଜନଗର ଥାନା ମୁଦୁଲିପଲ୍ଲୀ ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣକ ହେଉଛି ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର । ଦୁହିଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ରାହାଜାନୀ, ବଟି ଆଦାୟ, ଅପହରଣ ଭଳି ବହୁ ଗୁରୁତର ମାମଲା ରହିଥିବା ପୁଲିସ କହିଛି ।
ଘଟଣା ଘଟିଛି ଏଇମିତି । ଭଂଜନଗର ଥାନା ମୁଦୁଲିପଲ୍ଲୀ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଗୌରୀ ସ୍ୱାଇଁ ଓ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଶ୍ରୀକାନ୍ତ ରଣା ଓରଫ ଟେରୁ ଏକ ଆପାଚି ମୋଟର ସାଇକଲରେ ଭୁବନେଶ୍ୱରରୁ ଭଂଜନଗର ଆସୁଥିବା ଖବର ପାଇ ଭଂଜନଗର ଥାନା ଆଇଆଇସି ଓ ପୁରୁଷୋତ୍ତମପୁର ଡ଼ିଏସ୍ ପି ଅଶ୍ୱିନୀ ସାହୁଙ୍କ ନେତୃତ୍ୱରେ ବୁଗୁଡା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ବେଲଗୁଣ୍ଠା ଥାନା ଓଆଇସି ସାବ୍ୟସଚୀ ମଲ୍ଲ ପ୍ରମୁଖ ବାଘୁଆ ନିକଟରେ ଆଗରୁ ଛକି ରହି ଥିଲେ । ଠିକ୍ ରାତି ୧୧ଟା ୦୫ ମିନିଟ ସମୟରେ ଦୁଇ ଅପରାଧୀ ଆପାଚି ମୋଟର ସାଇକଲରେ ଆସୁ ଥିବା ଦେଖି ଲୁଚି ରହି ଥିବା ପୁଲିସ ଉଭୟଙ୍କୁ କାବୁ କରିବାକୁ ଉଦ୍ୟମ କଲା ବେଳେ ସେମାନେ ପୁଲିସ ଉପରକୁ ଏକ ହାତ ତିଆରି ବୋମା ପିଂଙ୍ଗି ଖସି ଯିବାକୁ ଚେଷ୍ଟା କରିଥିଲେ । ବୋମା ମାଡରେ ବୁଗୁଡା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳଙ୍କ ସମେତ ୩ ଜଣ ପୁଲିସ କନେଷ୍ଟବଳ ଆହତ ହୋଇଛନ୍ତି । ପୁଲିସ ଉପରକୁ ଦୁହେଁ ଚାରି ରାଉଣ୍ଡ ଗୁଳି ଚଳାଇବାରୁ ତାହାର ପ୍ରତ୍ୟୁତ୍ତରରେ ପୁଲିସ ଛଅ ରାଉଣ୍ଡ ଗୁଳି ଚଳାଇ ଥିଲେ । ଦୁଇ ଅପରାଧୀଙ୍କ ଗୋଡରେ ଗୁଳି ବାଜିଛି । ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ କାବୁ କରାଯିବା ପରେ ବୁଗୁଡା ମେଡ଼ିକାଲରେ ଭର୍ତି କରାଯାଇଥିଲା ।
ପୁଲିସ ସେମାନଙ୍କ ନିକଟରୁ ଆପାଚି ବାଇକ୍ ସମେତ ଦୁଇଟି ୯ଏମଏମ ପିସ୍ତଲ, ଆଠ ରାଉଣ୍ଡ ଜୀବନ୍ତ ଗୁଳି, ହ୍ୟାଣ୍ଡଗ୍ଳୋବ୍ସ ଓ ମୁଖା ଜବତ କରିଛି । ଭଂଜନଗର ମୁଦୁଲିପଲ୍ଲୀର ଗୌରୀ ସ୍ୱାଇଁ ନା’ରେ ଭଂଜନଗର, ଗାଂଗପୁର, ବେଲଗୁଣ୍ଠା, ଭୁବନେଶ୍ୱର ଓ ତାରସିଂ ଥାନାରେ ଆଠରୁ ଅଧିକ ଡ଼କାୟତି, ହତ୍ୟା, ରାହାଜାନୀ, ବୋମା ମାଡ ଭଳି ସଂଗୀନ ମାମଲା ରହିଥିବା ବେଳେ ଭୁବନେଶ୍ୱର ଖଣ୍ଡଗିରି ଥାନା ଭରତପୁର ଗ୍ରାମର ଶ୍ରୀକାନ୍ତ ରଣା ଓରଫ ଟେରୁ ନା’ରେ ବୁଗୁଡା ବ୍ଲକ ମାଣିତରା ବ୍ୟାଙ୍କ ଡ଼କାୟତି, ବଟି ଆଦାୟ, ଅପହରଣ, ଗାଡି ଚୋରୀ ଭଳି ବହୁ ମାମଲା ଭୁବନେଶ୍ୱରର ଖଣ୍ଡଗିରି, ନୟାପଲ୍ଲୀ ଓ ତମାଣ୍ଡୋ ଥାନା ଏବଂ କଟକ ବିଡ଼ାନାଶି ଥାନାରେ ରହିଥିବା ପୁଲିସ କହିଛନ୍ତି । ଗୌରୀ ଓ ଶ୍ରୀକାନ୍ତକୁ ଗିରଫ କରିବା ଗଞ୍ଜାମ ଜିଲ୍ଲା ପୁଲିସର ବଡ ସଫଳତା ଭାବେ ବିଚାର କରାଯାଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS