ବବିତା ଫୋଗଟ୍ଂକୁ ଜାକର୍ତା ଏସୀୟ କ୍ରୀଡାରେ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ
ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ‘ଦଙ୍ଗଲ’ ଫେମ୍ ସଂପନ୍ନ ଚାରି ଫୋଗୋଟ୍ ଭଉଣୀଙ୍କ ସମତେ ୧୧ ଜଣ ରେସଲର୍ ଲକ୍ଷ୍ନୌ ଠାରେ ‘ସାଇ’ କ୍ୟାଂପ୍ରେ ଚାଲି ଥିବା ଜାତୀୟ ରେସଲିଂ ଚୟନ ଶିବିରରୁ ବାଦ୍ ପଡି ଥିଲେ । ଫୋଗଟ୍ ଭଉଣୀଙ୍କ ମଧ୍ୟରୁ ତିନି ଜଣ ସେମାନଙ୍କ ଆଚରଣ ସଂପର୍କରେ କୌଫିୟତ ଦେବା ସହ ଭବିଷ୍ୟତରେ ଏଭଳି ହେବ ନାହିଁ ବୋଲି ଲିଖିତ ଭାବେ ଜଣାଇବା ପରେ ରେସଲିଂ ଫେଡେରେସନ୍ ଅଫ୍ ଇଂଡ଼ିଆ (ଡ଼ବ୍ଲୁଏଫଆଇ) ବୁଧବାର ଦିନ ସେମାନଙ୍କୁ ମାଫ୍ କରି ଶିବିରରେ ଯୋଗ ଦେବାକୁ ଅନୁମତି ଦେଇଛି । ତେବେ, ପରିବାରର ଦ୍ୱିତୀୟ ଭଉଣୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ବିଜେତା ବବିତା ଫୋଗଟ୍ଙ୍କୁ କ୍ଷମା ମିଳି ନାହିଁ । ସେ ନିଜର ଆଚରଣ ସଂପର୍କରେ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରି ନ ଥିବାରୁ ଶିବିରରେ ଯୋଗ ଦେବାକୁ ଅନୁମତି ଦିଆଯାଇ ନାହିଁ ବୋଲି ଫେଡେରେସନ୍ କହିଛି । ଶିବିରରେ ଯୋଗ ଦେବାକୁ ଅନୁମତି ପାଇ ଥିବା ତିନି ଫୋଗଟ୍ ଭଉଣୀ ଆଗାମୀ ଦିନରେ ଜାକର୍ତାରେ ହେବାକୁ ଥିବା ଏସିୟ କ୍ରୀଡ଼ା ପାଇଁ ଲକ୍ଷ୍ନୌରେ ଚାଲି ଥିବା ଟ୍ରାଏଲ୍ସରେ ଭାଗ ନେଇ ପାରିବେ । ତେବେ, ବବିତା ଟ୍ରଏଲସ୍ ପାଇଁ ଅନୁମତି ନ ପାଇ ଜାକର୍ତା ଏସୀୟ କ୍ରୀଡ଼ାରେ ଭାଗ ନେବାରୁ ବଂଚିତ ହୋଇଛନ୍ତି । ଜାକର୍ତର୍ା ଏସୀୟ କ୍ରୀଡା ପାଇଁ ଭାରତୀୟ ରେସଲିଂ ମହିଳା କଂଟିଜେଂଟ୍ ମନୋନୟନ ସକାଶେ ଲକ୍ଷ୍ନୌରେ ଏହି ଟ୍ରାଏଲ୍ସ ଚାଲିଛି । ବବିତାଙ୍କୁ ଜାକର୍ତା ଏସୀୟ କ୍ରୀଡାରେ ଯୋଗ ଦେବାକୁ ପେଡେରେସନ୍ ଅନୁମତି ଦେବ ନାହିଁ ବୋଲି ଫେଡେରେସନର ସଭାପତି ବ୍ରିଜ ଭୂଷଣ ସରଣ ସିଂହ କହିଛନ୍ତି । ବବିତା ଫୋଗଟ୍ ଗୋଲ୍ଡକୋଷ୍ଟ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୩ କେଜି ବର୍ଗରେ ରୌପ୍ୟ ଜିତି ଥିବା ବେଳେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଥିଲେ ।
ଜୁନ ୨୫ ତାରିଖ ପର୍ଯ୍ୟନ୍ତ ମହିଳା ଓ ପୁରୁଷ ରେସଲରଙ୍କ ପାଇଁ ଅଲଗା ଅଲଗା ଚୟନ ଶିବିର ଚାଲିଛି । ଲକ୍ଷ୍ନୌ ସ୍ଥିତ ସାଇ ଶିବିରରେ ମହିଳା ରେସଲର୍ ଚୟନ ଶିବିର ଚାଲି ଥିବା ବେଳେ ସୋନେପତରେ ପୁରୁଷ ରେସଲରଙ୍କ ଚୟନ ଶିବିର ଚାଲିଛି । ଫୋଗଟ୍ ଭଉଣୀଙ୍କ ଛଡା ଆଉ ୧୧ ଜଣ ମହିଳା ଓ ପୁରୁଷ ରେସଲର୍ ସେମାନଙ୍କ ବିଶୃଙ୍ଖଳ ଆଚରଣ ପାଇଁ ଜାତୀୟ ରେସଲିଂ ଟ୍ରାଏଲ୍ କ୍ୟାଂପରୁ ବାଦ୍ ପଡି ଥିଲେ । ସେମାନଙ୍କୁ ମଧ୍ୟ ଡ଼ବ୍ଲୁଏଫଆଇ କାରଣଦର୍ଶା ନୋଟିସ ଜାରି କରିଥିଲା । ବବିତାଙ୍କ ସମେତ ଛଅ ଜଣ ରେସଲର୍ ଏପର୍ଯ୍ୟନ୍ତ କୈଫିୟତ ନ ଦେଇ ନିଲମ୍ବିତ ଥିବା ଜଣାପଡିଛି । ସେମାନେ ହେଉଛନ୍ତି- ପୂଜା ତୋମର (୬୨ କେଜି), ମଂଜୁୁ (୬୨କେଜି), ଅଂଜୁ (୬୫ କେଜି), କାମିନି (୭୨ କେଜି) ଓ ପୁରୁଷ ଫ୍ରି ଷ୍ଟାଇଲ୍ ରେସଲର୍ ଶ୍ରାବଣ (୬୧ କେଜି) । ଫୋଗଟ୍ ପରିବାରର ତିନି ଭଉଣୀ ଗୀତା, ରୀତୁ ଓ ସଂଗୀତାଙ୍କ ସମେତ ମହିଳା ରେସଲର୍ ଇନ୍ଦୁ ଚୌଧୁରୀ (୫୦ କେଜି), ରଭିତା (୫୯ କେଜି), ନନ୍ଦିନୀ ସାଲୋଖେ (୬୨ କେଜି), ରେଶମା ମାନେ (୬୨ କେଜି), ମନୁ ତୋମର (୭୨ କେଜି), ସତ୍ୟବର୍ତର୍ କାଡିଆନ (୯୭ କେଜି) ଟ୍ରାଏଲ୍ସ ଶିବିରରେ ଯୋଗ ଦେବାକୁ ଅନୁମତି ପାଇଛନ୍ତି । ସତ୍ୟବର୍ତର୍ ହେଉଛନ୍ତି ରିଓ ଅଲମ୍ପିକ୍ସରେ ରେସଲିଂ ବ୍ରୋଂଜ୍ ବିଜେତା ସାକ୍ଷୀ ମଲ୍ଲିକଙ୍କ ସ୍ୱାମୀ । ସତ୍ୟବର୍ତ ଫେଡେରେସନକୁ ଅନ୍ଧାରରେ ରଖି ପତ୍ନୀ ସାକ୍ଷୀଙ୍କ ସହ ଘରୋଇ ଭାବେ ତାଲିମ ନେଉ ଥିବା ଜାଣିବା ପରେ ଫେଡେରେସନ୍ ଉଭୟଙ୍କୁ ତାଗିଦ କରିଛି । ସାକ୍ଷୀ ଆଘାତପ୍ରାପ୍ତ ଥିବାରୁ ମେ’ ୨୦ରେ ଶିବିରରେ ଯୋଗ ଦେବେ ବୋଲି ଫେଡେରେସନକୁ ଜଣାଇ ଥିଲେ । ବାସ୍ତବରେ ସ୍ୱାମୀ, ସ୍ତ୍ରୀ ଦୁହେଁ ବେଙ୍ଗାଲୁର ନିକଟରେ ଥିବା ଜେଏସଡ଼ବ୍ଲୁ ସ୍ପୋର୍ଟସ୍ ଟ୍ରେନିଂ କେନ୍ଦ୍ରରେ ଘରୋଇ ଭାବେ ତାଲିମ ନେଉଥିବା ଜାଣିବା ପରେ ଫେଡେରେସନ୍ କଠୋର ମନୋଭାବ ଗ୍ରହଣ କରିଥିଲା । ସେମାନଙ୍କ କୈଫିୟତ ମାଗିବା ସହ ଭବିଷ୍ୟତରେ ଏଭଳି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେମାନଙ୍କୁ ତାଗିଦ କରାଯାଇ ଅନୁମତି ଦିଆଯାଇଛି ବୋଳି ଫେଡେରେସନ୍ କହିଛି । ସାକ୍ଷୀ ଆଘାତରୁ ମୁକ୍ତି ପାଇବାକୁ ଚାହୁଁ ଥିଲେ ଲକ୍ଷ୍ନୌ ଶିବିର ହେଉଛି ଉପଯୁକ୍ତ ସ୍ଥାନ, ଜେଏସଡ଼ବ୍ଲୁ ତାଲିମ କେନ୍ଦ୍ର ନୁହେଁ ବୋଲି ଡ଼ବ୍ଲୁଏଫଆଇ କହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS