ମାଇକେଲ୍ ଜାକସନ୍ଂକ ନୃତ୍ୟଶୈଳୀ ଥିଲା ଅଲୌକିକ, ନ୍ୟୁରୋ ସର୍ଜନମାନେ ବି ରହସ୍ୟକୁ ଭେଦି ପାରୁ ନାହାନ୍ତି
ଚଣ୍ଡିଗଡ଼ : ବିଶ୍ୱର ଲୋକପ୍ରୀୟ ପପ୍ ଷ୍ଟାର୍ ସ୍ୱର୍ଗତ ମାଇକେଲ୍ ଜାକ୍ସନ୍ଂକ ଅଲୌକିକ ନୃତ୍ୟଶୈଳୀକୁ ନେଇ ନିକଟରେ ଗବେଷଣା ସରି ଥିଲେ ମଧ୍ୟ ନ୍ୟୁରୋ ସର୍ଜନମାନେ ଏପର୍ଯ୍ୟନ୍ତ କେତେକ ରହସ୍ୟକୁ ଭେଦ କରିପାରି ନ ଥିବା ଜଣାପଡିଛି । ଏମ.ଜେ ପପ୍ ନୃତ୍ୟ କଲା ବେଳେ ନିଜ ମେରୁଦଣ୍ଡକୁ ଗୋଟିଏ ସରଳ ରେଖାରେ ରଖି ୪୫ ଡିଗ୍ରୀ ପର୍ଯ୍ୟନ୍ତ ଦେହକୁ ଆଗକୁ ଝୁଂକାଇ ପାରୁଥିଲେ । ଯାହାକି ଏକ ଅଲୌକିକ କାର୍ଯ୍ୟ ବୋଲି ଗବେଷକମାନେ କହିଛନ୍ତି । ଏହି ବାୟୋମେକାନିଜମ୍ ଉପରେ ନ୍ୟୁରୋ ସର୍ଜରୀର ତିନି ଜଣ ପିଜିଆଇ ଗବେଷଣା କରିଛନ୍ତି । ସେମାନେ ପ୍ରସ୍ତୁତ କରିଥିବା ସନ୍ଦର୍ଭ “ହାଉଡ଼ିଡ୍ ମାଇକେଲ୍ ଜାକସନ୍ ଚ୍ୟାଲେଂଜ୍ ଆୱାର ଅଣ୍ଡରଷ୍ଟାଣ୍ଡିଂ ଅଫ୍ ସ୍ପାଇନ୍ ବାୟୋମେକାନିକ୍ସ୍” ନ୍ୟୁରୋ ସର୍ଜରୀ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଏସଂପର୍କରେ ଏକ ଇଂରାଜୀ ଦୈନିକରେ ବିସ୍ତୃତ ଖବର ପ୍ରକାଶ ପାଇଛି ।
ନ୍ୟୁରୋ ସର୍ଜନ ମାନେ କହିବା ଅନୁଯାୟୀ, ମାଧ୍ୟାକର୍ଷଣ ଶକ୍ତିର ନିୟମ ବାହାରକୁ ଯାଇ ମାଇକେଲ୍ ଜାକସନ୍ ଏହି ଅଲୌକିକତା ପ୍ରଦର୍ଶନ କରୁଥିଲେ । ସେ ନିଜର ମେରୁଦଣ୍ଡକୁ ମୋଟେ ବଙ୍କା ନକରି ପାଦର ଗୋଇଠି ଉପରେ ଠିଆ ହୋଇ ଦେହକୁ ୪୫ ଡ଼ିଗ୍ରୀ ପର୍ଯ୍ୟନ୍ତ ଆଗକୁ ଝୁଂକାଇ ପାରୁ ଥିଲେ । ୧୯୮୭ ମସିହାର ବହୁଚର୍ଚ୍ଚିତ ପପ୍ ଭିଡ଼ିଓ ‘ସ୍ମୁଥ୍ କ୍ରିମିନାଲ’ ଦେଖିବା ପରେ ଏହି ଅଲୌକିକତାର ରହସ୍ୟ ଜାଣିବା ସକାଶେ ନ୍ୟୁରୋ ସର୍ଜରୀ ପିଜିଆଇମାନେ ଏହି ଗବେଷଣା ପ୍ରତି ମନ ବଳାଇ ଥିଲେ ବୋଲି ସେମାନେ କହିଛନ୍ତି । ଗବେଷକମାନେ କହିବା ଅନୁଯାୟୀ, ସାଧାରଣ ମଣିଷ ମେରୁଦଣ୍ଡକୁ ସିଧା ରଖି ଅତିବେଶୀରେ ୨୦ ଡ଼ିଗ୍ରୀ ପର୍ଯ୍ୟନ୍ତ ଆଗକୁ ଝୁଂକିପାରେ । କିନ୍ତୁ, ମାଇକେଲ୍ ଜାକସନ୍ ତାଙ୍କ ମେରୁଦଣ୍ଡକୁ ଗୋଟିଏ ସରଳ ରେଖାରେ ରଖି ପାଦର ଗୋଇଠି ଉପରେ ୪୫ ଡ଼ିଗ୍ରୀ ପର୍ଯ୍ୟନ୍ତ ଦେହକୁ ସାମନା ଆଡକୁ ଝୁଂକାଇବା ଥିଲା ଏକ ଚମକ୍କାର । ପିଜିଆଇମାନେ କହିିଛନ୍ତି, ଏମ.ଜେ ନିଜ ମେରୁଦଣ୍ଡକୁ ଗୋଟିଏ ସରଳ ରେଖାରେ ରଖି ଦେହକୁ ୪୫ ଡ଼ିଗ୍ରୀ ପର୍ଯ୍ୟନ୍ତ ଆଗକୁ ଝୁଂକାଇ ନୃତ୍ୟ କରିବା କେବଳ ଏକ କୌଶଳ ନ ଥିଲା, ଏହା ହାଡ-ମାଂସକୁ ବାନ୍ଧି ରଖୁ ଥିବା ମାନବୀୟ ତନ୍ତୁର ଅସାଧାରଣ କ୍ଷମତା ଥିଲା । ଓପିଡ଼ି ପରୀକ୍ଷା ସମୟରେ ଜଣେ ଡାକ୍ତର ଏମ.ଜେଙ୍କ ଅସାଧାରଣ ନୃତ୍ୟ ଶୈଳୀକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ପରେ ଏହା ଉପରେ ଗବେଷଣା କରିବାକୁ ପିଜିଆଇ ମାନେ ସ୍ଥିର କରିଥିଲେ । ଗବେଷଣା ସହ ସଂପୃକ୍ତ ଜଣେ ନ୍ୟୁରୋ ସର୍ଜନଙ୍କ କହିବା ଅନୁଯାୟୀ, ମେରୁଦଣ୍ଡ ଗୋଟିଏ ସରଳ ରେଖାରେ ଥିବା ଅବସ୍ଥାରେ ଯଦି କେହି କୌଣସି କାରଣରୁ ୨୫ ଡିଗ୍ରୀ ସାମନା ଆଡକୁ ଝୁଂକିଯାଏ ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଦେହରେ ମଲ୍ଟିପୁଲ୍ ଫ୍ୟାକ୍ଚର୍ ହେବା ନିଶ୍ଚିତ । କିନ୍ତୁ, ମାଇକେଲ୍ ଜାକସନ୍ ଅନାୟାଶରେ ୪୫ ଡ଼ିଗ୍ରୀ ପର୍ଯ୍ୟନ୍ତ ନିଜ ଦେହକୁ ସାମନା ଆଡକୁ ଝୁଂକାଇ ନୃତ୍ୟ କରୁଥିଲେ ।
ଡ଼କ୍ଟର ମଂଜୁଲ ତ୍ରିପାଠୀ ଓ ଡ଼କ୍ଟର ନିଶାନ୍ତ ୟଗନିକଙ୍କ ସହଯୋଗୀ ଭାବେ ଡ଼କ୍ଟର ସନ୍ଦିପ ମହିନ୍ଦ୍ରା ଏହି ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତ କରିଛନ୍ତି । ସେମାନେ କହିବା ଅନୁସାରେ, ଏମ.ଜେ ନୃତ୍ୟ କଲା ବେଳେ ପେଟେଂଟ୍ ଥିବା ଯୋତା ବ୍ୟବହାର କରୁଥିଲେ । ସେହି ଯୋତାର ତଳ ଭାଗରେ ଏକ ତ୍ରିକୋଣୀୟ ସ୍ଲଟ୍ ଖଂଜା ହୋଇଥିଲା, ଯାହାକି ସେ ନୃତ୍ୟ କଲା ବେଳେ ଆବଶ୍ୟକତାକୁ ଦେଖି ଷ୍ଟେଜ୍ ଫ୍ଲୋର୍ରୁ ଉପରକୁ ଉଠି ଆସୁଥିବା ଏକ ମେଟାଲିକ୍ ପେଗ୍ ସହ ସଂଯୁକ୍ତ ହୋଇ ଏମ୍.ଜେଙ୍କୁ ମନସ୍ତାତ୍ତ୍ୱିକ ସୀମା ବାହାରେ ସାମନାକୁ ଝୁଂକିବାର କ୍ଷମତା ପ୍ରଦାନ କରୁଥିଲା । ଯୋତାଟି ଏକ୍ସଟ୍ରା ଡ଼ିଜାଇନଡ ହୋଇଥିଲେ ମଧ୍ୟ ମେରୁଦଣ୍ଡ ସିଧା ରଖି ଦେହକୁ ୪୫ ଡ଼ିଗ୍ରୀ ସାମନା ଆଡକୁ ଝୁଂକାଇବା ଏବଂ ପରେ ପୁନର୍ବାର ଦେହକୁ ସେହି କ୍ରମରେ ଉପରକୁ ଉଠାଇବା ସହଜ ବ୍ୟାପାର ନୁହେଁ । ସେଥି ସକାଶେ ମେରୁଦଣ୍ଡର ମାଂସପେଶୀ ଓ ଶରୀରର ତଳ ଅଂଶର ଆଂଟି ଗ୍ରାଭିଟି ମସଲ୍ସ୍ରୁ ଆଥେଲିଟିକ୍ କୋର୍ ଷ୍ଟ୍ରେନ୍ଥ ମିଳିବା ଆବଶ୍ୟକତା ରହିଛି । ତାହା ଏମ.ଜେଙ୍କୁ କେମିତି କିପରି ମିଳୁ ଥିଲା ତାହା ଏବେ ବି ରହସ୍ୟ ହୋଇ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS