ୟୁଥ୍ ହଷ୍ଟେଲ ବାର୍ଷିକ ଉତ୍ସବ: କ୍ଷୁଦ୍ର ନାଟକ ମହୋତ୍ସବର ଅନ୍ତିମ ନାଟକ ଥିଲା ‘ବକ୍ସ’
ରାଉରକେଲା (ମୋ ଅନୁଭବ): ୟୁଥ୍ ହଷ୍ଟେଲର ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ସିଭିକ୍ ସେଂଟର ପ୍ରେକ୍ଷାଳୟରେ ଚାଲିଥିବା କ୍ଷୁଦ୍ର ନାଟକ ମହୋତ୍ସବର ଶେଷ ହୋଇଛି । ଅନ୍ତିମ ସଂଧ୍ୟାରେ ଭାସ୍କର ମହାପାତ୍ରଙ୍କ ରଚିତ ଓ ନିର୍ଦେଶିତ ନାଟକ ‘ବକ୍ସ’ ପରିବେଷଣ ହୋଇଥିଲା । ସହରର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ‘ସଂପର୍କ’ ଓ ‘ଆମେ ନାଟୁଆ’ର କଳାକାରମାନେ ମିଳିତ ଭାବେ ଏହି ନାଟକ ପରିବେଷଣ କରିଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ଅଜୟ ପାଣି । ନାଟ୍ୟକାର ଭାସ୍କର ମହାପାତ୍ର ନିଜେ ନାଟକର ମୁଖ୍ୟ ଚରିତ୍ର ଆୟକର ବିଭାଗ ମୁଖ୍ୟ କିରାଣୀ ଭୂମିକାରେ ଅଭିନୟ କରିଥିଲେ ।
ମୁଖ୍ୟ ଚରିତ୍ର ଆୟକର ବିଭାଗରେ ଚାକିରୀ କରୁଥିବାରୁ ପ୍ରତ୍ୟହ ତାଙ୍କ ଘରକୁ ବହୁ ବ୍ୟକ୍ତି ଆସି ନିଜ ଆୟକର ମାମଲାକୁ କୋହଳ କରାଇବା ସକାଶେ ଉକ୍ରୋଚ ଯାଚି ଥା’ନ୍ତି । ତାଙ୍କ ସ୍ତ୍ରୀ ଓ ପିଲାମାନେ ପ୍ରତି ଦିନ ତାହା ଦେଖନ୍ତି ଓ ସେମାନେ ଭାବନ୍ତି ତାଙ୍କ ରୋଜଗାର ନିଶ୍ଚେ ଅଧିକ ଥିବ । ଏଣୁ ସେମାନେ ବିଭିନ୍ନ ସମୟରେ ବିଭିନ୍ନ ସାମଗ୍ରୀର ବରାଦ କରନ୍ତି । କିନ୍ତୁ, ମୁଖ୍ୟ କିରାଣୀ ମହୋଦୟ ସେସବୁ ପୂରଣ କରିବା ଦୂରର କଥା, ଓଲଟି ସେମାନଙ୍କୁ ତାଗିଦ କରନ୍ତି । ଯାହାକି ପରିବାରର ସମସ୍ତଙ୍କ ମନରେ ତାଙ୍କ ପ୍ରତି ଏକ ଅବିଶ୍ୱାସ ଭାବ ସୃଷ୍ଟି କରିଛି । ଅନ୍ୟପକ୍ଷରେ, କିରାଣୀ ମହୋଦୟ ତାଙ୍କ ଶୟନ କକ୍ଷରେ ଗୋଟିଏ ପେଢ଼ିକୁ ତାଲା ପକାଇ ରଖିଥାନ୍ତି । ବେଳେ ବେଳେ ସେ ତାହାକୁ ଖୋଲି ସେଥିରେ କିଛି ରଖନ୍ତି । କିନ୍ତୁ, ସେ ପେଢ଼ିରେ କଣ ଅଛି, ତାହା ସମସ୍ତଙ୍କ ଲାଗି ରହସ୍ୟ ହୋଇ ରହିଛି । ପରିବାରର ସମସ୍ତଙ୍କ ମନରେ ଗୋଟିଏ ଭାବନା, କିରାଣୀ ମହାଶୟ ସେହି ପେଢ଼ିରେ ତାଙ୍କ ଉତ୍କୋଚ ଧନକୁ ସାଇତି ରଖିଛନ୍ତି । ଅନ୍ୟପଟେ, ତାଙ୍କ ସଚ୍ଚୋଟତା ଯୋଗୁ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ତାଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି । ଭିଜିଲାନ୍ସ ବିଭାଗ କର୍ମଚାରୀଙ୍କ ଦ୍ୱାରା ତାଙ୍କ ଅତି ଆପଣାର ପେଢ଼ିକୁ ସମସ୍ତଙ୍କ ସାମନାରେ ଭଙ୍ଗା ଯାଇଛି । କିନ୍ତୁ, ପେଢ଼ିରୁ କେବଳ ତାଙ୍କ ଅନୁଭୂତି ଓ ଦରଦୀଭରା କିଛି ଚିଠିକୁ ପାଇଛନ୍ତି ଭିଜିଲାନ୍ସ ଅଧିକାରୀମାନେ । ପେଢ଼ିର ରହସ୍ୟ ଉନ୍ମୋଚନ ସହ ବଡବାବୁଙ୍କ ସଚ୍ଚୋଟତା ବାହାରକୁ ଆସିଛି। ନାଟକରେ ସମାଜ କିପରି ଅର୍ଥ ସର୍ବସ୍ୱ ହୋଇପଡିଛି ଓ ସ୍ତ୍ରୀ, ପିଲା, ସଂପର୍କିୟ ସମସ୍ତେ ଅର୍ଥକୁ ନେଇ ସଂପର୍କ ଓ ସଚ୍ଚୋଟତା ଠାରୁ ଦୂରେଇ ଯାଉଛନ୍ତି ତାହା ନାଟ୍ୟକାର ସୁନ୍ଦର ଭାବେ ଚିତ୍ରଣ କରିଛନ୍ତି ।
କ୍ଷୁଦ୍ର ନାଟକ ମହୋତ୍ସବ ଉଦଯାପନ ଅବସରରେ ରାଉରକେଲା ୟୁଥ୍ ଆସୋସିଏସନ ତରଫରୁ ବିଶିଷ୍ଟ ନାଟ୍ୟ ପ୍ରତିଭା ଡ.କୃପାସିନ୍ଧୁ ନାୟକ, କବି ରାଜୀବ ପାଣି, କେଦାର ଆଚାର୍ଯ୍ୟ, ନନ୍ଦିତା ସମାନ୍ତରାୟ, ବିଜୟ ପାତ୍ର ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ନାରାୟଣ ପତି ଏଥିରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ଦୋଳ ଗୋବିନ୍ଦ ରଥ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଯୋଗ ଦେଇଥିଲେ । ୟୁଥ ହଷ୍ଟେଲ ତରଫରୁ କ୍ଷୁଦ୍ର ନାଟକ ମହୋତ୍ସବକୁ ଅଧିକ ବ୍ୟାପକ କରାଯିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଶେଷରେ, ୟୁଥ ହଷ୍ଟେଲର ସଂପାଦକ ବସନ୍ତ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିବା ସହ ୨୭ ତାରିଖ ଯାଏଁ ଚାଲିବାକୁ ଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS