ଶୁକ୍ରବାର ଗୁଳି ମାଡରେ ଗୁରୁତର ସରୋଜଙ୍କ ‘ଏମ୍ ସ’ରେ ମୃତ୍ୟୁ
ବେଲଗୁଣ୍ଠା, ମେ’୨୯ (ପ୍ରଦ୍ୟୁମ୍ନ ପାତ୍ର): ଗତ ମେ’ ୨୫ ତାରିଖ (ଶୁକ୍ରବାର) ରାତିରେ ବୁଗୁଡା ବ୍ଲକ ସୋରଡ଼ ଗ୍ରାମ ନିକଟରେ ଦୁର୍ବୁତ୍ତ ଗୁଳି ମାଡ଼ରେ ଗୁରୁତର ଆହତ ବିଜେଡ଼ି ଯୁବ ନେତା ସରୋଜ ପ୍ରଧାନଙ୍କ ୨୮ ତାରିଖ ରାତି ୮ଟା ୧୦ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ‘ଏମ୍ ସ’ରେ ମୃତ୍ୟୁ ଘଟିଛି । ସରୋଜଙ୍କ ପେଟରେ ଗୋଟିଏ ଗୁଳି ବାଜି ଥିଲା । ସେହି ଦିନ ପ୍ରଥମେ ତାଙ୍କୁ ଭଂଜନଗର ମେଡ଼ିକାଲରେ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ହେବାରୁ ସେଠାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରଦିନ ସେ କଟକ ଏସସିବି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର ହୋଇଥିଲେ । ତେବେ, ସରୋଜଙ୍କ ପୋଟରେ ରହି ଯାଇଥିବା ଗୁଳି ବାହାରି ନ ପାରିବାରୁ ଏବଂ ଭିତରେ ରହି ତାହା ସାରା ଦେହକୁ ସଂକ୍ରମିତ କରିବାରୁ ବିଶେଷଜ୍ଞ ଚିକିତ୍ସା ପାଇଁ ତାଙ୍କୁ ୨୭ ତାରିଖ ଭୁବନେଶ୍ୱରସ୍ଥିତ ‘ଏମ୍ ସ’କୁ ସ୍ଥାନାନ୍ତର କରାଯାଇ ଥିଲା ବୋଲି ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୁଝାରୀଙ୍କ ଠାରୁ ସୂଚନା ମିଳିଛି । ୨୮ ତାରିଖ ରାତି ୮ଟା ସମୟରେ ସରୋଜଙ୍କ ମୃତ୍ୟୁ ଘଟିଛି।
ଏହି ମୃତ୍ୟୁ ଖବର ଗାଁରେ ପ୍ରଚାର ହେବା ପରେ ସୋରଡ଼ ଗ୍ରାମରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ଗ୍ରାମରେ ଅଧିକ ପୁଲିସ ମୁତୟନ ହୋଇଛନ୍ତି । ୨୯ ତାରିଖ ସକାଳେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି । ସରୋଜଙ୍କ ପରିବାର ପକ୍ଷରୁ ଏହି ଗୁଳିକାଣ୍ଡ ଘଟାଇ ଥିବା ଅଭିଯୋଗରେ ଛଅ ଜଣଙ୍କ ବିରୋଧରେ ଏତାଲା ଦିଆଯାଇଛି । ତେବେ, ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରି ନାହାନ୍ତି । ୨୦୧୪ ମସିହାରେ ଗାଁରୁ ତଡା ଖାଇ ଥିବା ସୁଶାନ୍ତ ପରିଡା, କୃଷ୍ଣ ସେଠୀ, ରଂଜି ପରିଡା ଓ କୃଷ୍ଣ ବେହେରାଙ୍କ ପରିବାର ସେହି ଦିନଠାରୁ ଗାଁକୁ ଫେରି ନାହାନ୍ତି । ସେମାନଙ୍କ ସହ ଅନ୍ୟ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ଏହି ଗୁଳିକାଣ୍ଡରେ ସଂପୃକ୍ତ ଥିବା ସରୋଜଙ୍କ ପରିବାର ଏତଲାରେ ଅଭିଯୋଗ କରିଛନ୍ତି । ପୁଲିସ ସେହି ଅନୁସାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମୃତ ସରୋଜ ହେଉଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଏ.କରଡାବାଡି ପଂଚାୟତର ସରପଂଚ ଖଦାଳ ପ୍ରଧାନଙ୍କ ପୁଅ । ତାଙ୍କ ଡ଼ାକ ନାମ ଥିଲା ବୁଢା । ୨୫ ତାରିଖ ରାତି ପ୍ରାୟ ୭ଟା ସମୟରେ ସେ ଚାରି ଜଣ ବନ୍ଧୁଙ୍କ ସହ ଗାଁ ପାଖ ଭଣ୍ଡାରୀ ଆଗୁଳକୁ ଯାଇ ସେଠାରେ ବସି ଗପସପ ହେଉଥିବା ବେଳେ ତିନି ଜଣ ଦୁର୍ବୁତ୍ତ ମୋଟର ବାଇକ୍ ରେ ଆସି ପ୍ରଥମେ ତାଙ୍କୁ ଲକ୍ଷ୍ୟ କରି ଦୁଇଟି ହାତ ବୋମା ଫିଙ୍ଗି ଥିଲେ । ବୋମା ପଡିବାରୁ ସମସ୍ତେ ପ୍ରାଣ ବିକଳରେ ଦୌଡୁ ଥିବା ବେଳେ ଦୁର୍ବୁତ୍ତମାନେ ତାଙ୍କୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ଗୋଟିଏ ଗୁଳି ବୁଢାଙ୍କ ପେଟରେ ବାଜି ଥିଲା । ବୁଢା ଗୁରୁତର ଆହତ ଅବସ୍ଥାରେ ସେଠାରେ ପଡି ଛଟପଟ ହେଉଥିବା ବେଳେ ଦୁର୍ବତ୍ତମାନେ ସେଠାରୁ ମୋଟର ବାଇକ୍ ରେ ସିଧା ସୋରଡ଼ ଗ୍ରାମକୁ ଯାଇ ସରପଂଚ ଖଦାଳଙ୍କ ଘର ଉପରେ ଆଉ ଏକ ହାତ ବୋମା ଫିଙ୍ଗି ଫେରାର ହୋଇଯାଇ ଥିଲେ । ଭଂଜନଗରର ଭାରପ୍ରାପ୍ତ ଡ଼ିଏସପି ଅଶ୍ୱିନୀ କୁମାର ସାହୁ, ବୁଗୁଡା ଥାନା ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ, ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୁଝାରୀ, ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରି ପାରି ନାହାନ୍ତି । ବୁଢା ବିଜେଡ଼ି ଯୁବ ନେତା ହୋଇଥିଲେ ମଧ୍ୟ ବହୁ ଅପରାଧରେ ସଂପୃକ୍ତ ଥିବା ପୁଲିସ କହିଛି ।
ସରୋଜ ଓରଫ ବୁଢା ୨୦୧୨ ମସିହାରେ ମାଉଜର ବିକ୍ରି କରୁଥିବା ବେଳେ ଦୁଇଟି ମାଉଜର ସହ ପୁଲିସ ହାତରେ ଧରା ପଡି ଜେଲ ଯାଇଥିଲା । ଜାମିନରେ ଆସିବା ପରେ ସେ ସେହି ବର୍ଷ ନଭେମ୍ବର ମାସରେ ଏକ ଡ଼କାୟତି ମାମଲାରେ ପୁଣି ଥରେ ଗିରଫ ହୋଇ ଜେଲ ଗଲା । ପୂର୍ବରୁ , ୨୦୧୦ରେ ସୋରଡ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଶିବ ଦାସକୁ ସେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲା । ୨୦୧୩ରେ ବିପକ୍ଷ ଦଳର ଜଣେ ନେତାଙ୍କୁ ଧମକ ଦେବା ଓ ଆକ୍ରମଣ କରିବା ଅଭିଯୋଗରେ ବୁଢା ଗିରଫ ହୋଇଥିଲା । ୨୦୧୪ରେ ସୋରଡ଼ ଗ୍ରାମର ସୁଶାନ୍ତ ପରିଡାଙ୍କୁ ଖଣ୍ଡାରେ ୨୦ରୁ ଅଧିକ ଚୋଟ ହାଣି ହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ତା’ ବିରୋଧରେ ଲୋକ ଦେଖାଣିଆ କାର୍ଯ୍ୟାନୁଷ୍ଠାନ କରି ଭିତିରି ସହଯୋଗ କରିଥିବା ଅଭିଯୋଗ ହେଉଥିଲା । ପରେ ସୁଶାନ୍ତ ପରିଡା, କୃଷ୍ଣ ସେଠୀ, ରଂଜି ପରିଡା ଓ କୃଷ୍ଣ ବେହେରାଙ୍କୁ ଧମକ ଚମକ ଦେଇ ଗାଁରୁ ତଡି ଦିଆ ଯାଇଥିଲା । ବୁଢା ଗାଁରେ ବୋମା ଭିଡୁ ଥିବା ବେଳେ ବୋମା ଫୁଟି ତା’ର ଦୁଇଟି ଆଙ୍ଗଠି ଛିଡି ଯାଇଛି । ଏଭଳି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୂର୍ବ ଶତୃତାରୁ ହତ୍ୟା କରାଯାଇ ଥିବା ପୁଲିସ ଅନୁମାନ କରୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS