ମହାନଦୀ, ମୋଦୀ ଆଉ ଜନ ଆନ୍ଦୋଳନ..
– ପ୍ରସାଦ ରାଓ –
ଭୁବନେଶ୍ୱର ମେ’୨୯: ୨୦୧୯ ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବହୁ ଅସ୍ତ୍ର ରହିଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନ ମିଳିବା, ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ରାଜ୍ୟକୁ ମିଳୁ ଥିବା କେନ୍ଦ୍ରୀୟ ସହାୟତା ଆଖିବୁଜା କାଟି ଦିଆଯିବା, ଚାଷୀଙ୍କୁ ଉତ୍ପାଦନର ଉପଯୁକ୍ତ ସହାୟକ ମୂଲ୍ୟ ନ ମିଳିବା ଏବଂ ଚାଷୀଙ୍କ ଦାବି ଉପସ୍ଥାପନ ପାଇଁ ରାଜ୍ୟ ବିଧାନସଭାର ସର୍ବଦଳୀୟ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗି ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ନ ଦେବା, ପେଟ୍ରୋଲ ଓ ଡ଼ିଜେଲର ଅହେତୁକ ଦରବୃଦ୍ଧି ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢିବା ଭଳି ବହୁ ପ୍ରସଙ୍ଗ ବିଜେଡ଼ି ହାତରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ବିଜେପିକୁ ଘେରିବା ପାଇଁ ମହାନଦୀକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି । କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କ ଚାପରେ ମହାନଦୀ ଜଳ ବଂଟନ ବିବାଦର ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରାଯାଉ ନ ଥିବା ବିଜେଡ଼ି ସରକାରଙ୍କ ପାଇଁ ବରଦାନ ହୋଇଛି । ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଛତିଶଗଡ଼କୁ ସାହାଯ୍ୟ କରି ଓଡ଼ିଶା ପ୍ରତି ପକ୍ଷପାତ କରୁଥିବା ଦର୍ଶାଇ ଓଡ଼ିଶା ସରକାର ବିଜେପି ଓ କେନ୍ଦ୍ର ବିରୋଧରେ ଯେଉଁ ମୋର୍ଚ୍ଚା ଖୋଲିଛନ୍ତି ତାହା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବଳବତ୍ତର ରହିବ, ଏଥିରେ କୌଣସି ସନେ୍ଦହ ନାହିଁ ।
ମହାନଦୀ ପ୍ରସଙ୍ଗ: ମହାନଦୀ ଜଳକୁ ନେଇ ପଡୋଶୀ ଛତିଶଗଡ଼ ସହ ଓଡ଼ିଶାର ବିବାଦ କିଛି ନୂଆ ନୁହେଁ । ଦୁଇ ବର୍ଷରୁ ଅଧିକ ହେଲା ମହାନଦୀ ପାଣିକୁ ନେଇ କେନ୍ଦ୍ର ଓ ପଡୋଶୀ ଛତିଶଗଡ଼ ସରକାର ସହ ଓଡ଼ିଶା ସରକାରଙ୍କ ଲଢେଇ ଚାଲିଛି । ମହାନଦୀ, ମୋଦୀ ଆଉ ଜନ ଆନେ୍ଦାଳନ ଆଜି ଦିନରେ ଓଡ଼ିଶା ରାଜନୀତିର ମୁଖ୍ୟ ପ୍ରସଙ୍ଗ ହୋଇଛି । ୨୦୧୯ରେ ସରକାର ନିର୍ବାଚନର ସମ୍ମୁଖୀନ ହେବେ । ୧୮ ବର୍ଷର ବିଜେଡ଼ି ସରକାର ପ୍ରତି ରାଜ୍ୟରେ ଏକ ‘ପ୍ରତିକୂଳ ଜନମତ’ର ଅନ୍ତଃସ୍ରୋତ ରହିଛି । ସରକାର ତାହା ଜାଣନ୍ତି । ଅନ୍ୟପକ୍ଷରେ, ଉଭୟ ବିଜେପି ଓ କଂଗ୍ରେସର ଷଣ୍ଢୁଆସୀ ଆକ୍ରମଣ ସରକାରଙ୍କୁ ନୟାନ୍ତ କରୁଛି । ତେଣୁ, ଓଡ଼ିଶାବାସୀଙ୍କ ଆତ୍ମା କୁହାଯାଉଥିବା ମହାନଦୀକୁ ନେଇ ରାଜନୀତି ଜୋର ଧରିଛି । ନଦୀ ଜଳକୁ ମୁଖ୍ୟ ପ୍ରସଙ୍ଗ କରି ବିଜେଡ଼ି ରାଜ୍ୟବାସୀଙ୍କ ସମର୍ଥନ ଗୋଟାଇବାକୁ ଆପ୍ରାଣ ଉଦ୍ୟମ କରୁଛି । କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ବିରୋଧରେ ଚାଲିଥିବା ବିଜେଡ଼ିର ଲଢେଇ ଏବେ ବିଜେପି ରାଜ୍ୟ ଶଖାକୁ ରକ୍ଷଣାତ୍ମକ ସ୍ଥିତିରେ ରଖିଛି । ରାଜ୍ୟର ବିଜେପି ନେତୃବୃନ୍ଦ ‘ବ୍ୟାକ୍ ଫୁଟ୍’ରେ ରହି ଅପରାଧ ବୃଦ୍ଧି, ନାବାଳିକା ଦୁଷ୍କର୍ମ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରୁଛନ୍ତି । ରାଜ୍ୟରେ କଂଗ୍ରେସ ସଂଗଠନ ଦୀର୍ଘ ବର୍ଷ ହେଲା ଶିଥିଳ ଅବସ୍ଥାରେ ଥିଲା । ଏବେ, ନେତୃତ୍ୱ ପରିବର୍ତର୍ନ ପରେ ରାଜ୍ୟରେ କଂଗ୍ରେସ ସଂଗଠନ ପୁନର୍ବାର ପଟ୍ଟନାୟକ ପରିବାର ହାତକୁ ଯିବା ସହ ବିଜେଡ଼ି ସରକାରଙ୍କ ସମସ୍ୟା ବଢାଇଛି । କଂଗ୍ରେସ ନେତାମାନେ ଉଭୟ ବିଜେଡ଼ି ଓ ବିଜେପିକୁ ସମାଲୋଚନା କରି କଂଗ୍ରେସ ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷର କରୁଥିବା ଦେଖିବାକୁ ମିଳୁଛି । ଫଳରେ, ମହାନଦୀ ଏଇ କିଛି ଦିନ ହେଳା ତିନି ଦଳ ପାଇଁ ନିର୍ବାଚନୀ ପ୍ରସଙ୍ଗ ହୋଇ ରାଜ୍ୟ ରାଜନୀତିକୁ ସରଗରମ କରିଛି ।
ଛତିଶଗଡ଼ ମୁଖ୍ୟ ଖଳନାୟକ: ମହାନଦୀ ବିବାଦର ମୁଖ୍ୟ ଖଳନାୟକ ହେଉଛି ପଡୋଶୀ ରାଜ୍ୟ ଛତିଶଗଡ଼ । ଓଡ଼ିଶାର ଜୀବନ ରେଖା ଭାବେ ପରିଚିତ ମହାନଦୀ ଛତିଶଗଡ଼ରୁ ବାହରି ଓଡ଼ିଶାର ଅନ୍ୟୁନ ୧୫ଟି ଜିଲ୍ଲା ଦେଇ ପ୍ରବାହିତ ହେବା ସହ ପାରାଦୀପ ନିକଟରେ ବଙ୍ଗୋପ ସାଗରରେ ଲୀନ ହୋଇଛି । ମହାନଦୀ ଅବବାହିକାର ତଳ ମୁଣ୍ଡରେ ଓଡ଼ିଶାର ଅଂଚଳ ରହି ଥିବା ବେଳେ ଛତିଶଗଡ଼ ସରକାର ଉପର ମୁଣ୍ଡରେ ଏକାଧିକ ଛୋଟ, ବଡ ପ୍ରକଳ୍ପ ନିର୍ମାଣ କରି ନଦୀର ସ୍ୱାଭାବିକ ଜଳ ପ୍ରବାହ ରୋକିବା ଦ୍ୱାରା ଗ୍ରୀଷ୍ମ ଋତୁର ପ୍ରାରମ୍ଭରୁ ଓଡ଼ିଶାରେ ଥିବା ମହାନଦୀ ନଦୀ ଶଯ୍ୟା ଶୁଷ୍କ ପ୍ରାୟ ରହିଛି । ମହାନଦୀ ଜଳ ଉପରେ ନିର୍ଭର କରୁଥିବା ଓଡ଼ିାାର ଅଂଚଳରେ ନଦୀ ଜଳ ପହଂଚୁ ନ ଥିବାରୁ ଚାଷୀ ହତାଶ । ଚାଷବାସ ସହ ରାଜ୍ୟରେ ପାନୀୟ ଜଳ ସମସ୍ୟା ଉକ୍ରଟ ହୋଇଛି । ନଦୀ ଶୁଖିଲା ପଡି ଥିବାରୁ ଜଳ ବିଦ୍ୟୁତ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇ ଅଘୋଷିତ ବିଦ୍ୟୁତ କାଟ୍ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ, ଛତିଶଗଡ଼ ସରକାର ଉପର ମୁଣ୍ଡରେ ନଦୀ ଜଳକୁ ରୋକି ଶିଲ୍ପ ସଂସ୍ଥାଙ୍କୁ ଆପ୍ୟାୟିତ କରୁଛନ୍ତି । ଓଡ଼ିଶା ଚାଷୀ ପୋକ, ରୋଗ ଦାଉ ସହ ସେଚ ସୁବିଧାର ଅଭାବରୁ ଫସଲ ହରାଇ ଆତ୍ମହତ୍ୟାର ବାଟ ବାଛୁ ଥିବା ବେଳେ କେନ୍ଦ୍ର ସରକାର ଏହି ସମସ୍ୟାର ସମାଧାନ କରିବା ପରିବର୍ତେ ଛତିଶଗଡ଼ ସହ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଓଡ଼ିଶା ଉପରେ ଚାପ ସୃଷ୍ଟି କରୁଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଚରଣ ମାନବିକତା ଅପେକ୍ଷା ରାଜନୀତିକୁ ବିଜେପି ଅଧିକ ପ୍ରାଧାନ୍ୟ ଦେଉ ଥିବା ସୂଚାଉଛି । ଓଡ଼ିଶାର ଦାବିକୁ ହେୟଜ୍ଞାନ କରି କେନ୍ଦ୍ର ଛତିଶଗଡ଼କୁ ସାହାଯ୍ୟ କରୁଥିବାରୁ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାର ବିରୋଧରେ ବିଜେଡ଼ି ତାହାର ଆନ୍ଦୋଳନକୁ ଶାଣିତ କରିବାକୁ ବାଧ୍ୟ ହୋଇଛି । ଓଡ଼ିଶାର ବିଜେପି ନେତାମାନେ ରାଜ୍ୟର ସ୍ୱାର୍ଥ ଅପେକ୍ଷା ଦଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଶାସକ ବିଜେଡ଼ିକୁ ଓଡ଼ିଶାବାସୀଙ୍କ ମନ ଜିତିବା ସକାଶେ ପରୋକ୍ଷରେ ସାହାଯ୍ୟ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି ।
ମୋଦୀ-ନବୀନଙ୍କ ‘ଲଭ୍ ଏଂଡ ୱାର୍’: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସଂପର୍କକୁ ‘ବିଶ୍ୱାସ ଓ ଅବିଶ୍ୱାସ’ର ସଂପର୍କ କୁହାଯାଇ ପାରେ । ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରଠାରୁ ମୋଦୀ-ନବୀନଙ୍କ ଏହି ଖଟା-ମିଠା ସଂପର୍କ ଦେଖିବାକୁ ମିଳୁଛି । ବିଗତ ୟୁପିଏ ସରକାର ଅମଳରେ ମଧ୍ୟ କଂଗ୍ରେସ ସହ ନବୀନଙ୍କ ଏକାଭଳି ସଂପର୍କ ରହି ଥିଲା । ତେଣୁ, ମୁଖ୍ୟମନ୍ତ୍ରୀ ସର୍ବଦା କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ଆସୁଛନ୍ତିି ବୋଲି ସମାଲୋଚନା ହେଉଛି । ମହାନଦୀ ଜଳ ବିବାଦ ସମାଧନରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଓ ଛତିଶଗଡ଼ ପ୍ରତି କେନ୍ଦ୍ରର ଅହେତୁକ ଅନୁକଂପା ଦେଖି ନବୀନ କ୍ଷୁବ୍ଧ ହୋଇ ସୁପ୍ରିମ କୋର୍ଟଙ୍କ ଆଶ୍ରୟ ନେଇ ଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ତାଙ୍କ ରାୟରେ ତୁରନ୍ତ ଏକ ଟ୍ରିବ୍ୟୁନାଲ୍ ଗଠନ ମାଧ୍ୟମରେ ମହାନଦୀ ଜଳ ବଂଟନ ବିବାଦର ସମାଧାନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇ ଥିଲେ । ଅନିଚ୍ଛା ସତ୍ୱେ ମୋଦୀ ସରକାର ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ କଲେ ସିନା ତାହାକୁ କାର୍ଯ୍ୟକ୍ଷମ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ନବୀନ କ୍ଷୁବ୍ଧ । ତେଣୁ ଉଭୟ ସରକାରଙ୍କ ବିରୋଧରେ ଜନ ଆନନ୍ଦାଳନକୁ ତୀବ୍ର କରାଯାଇଛି । ମହାନଦୀ ଅବବାହିକାରେ ଥିବା ଓଡ଼ିଶା ଅଂଚଳରେ ‘ମହାନଦୀ ବଂଚାଅ’ ଆନେ୍ଦାଳନକୁ ଯୋରଦାର କରାଯାଇ ଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ତାହାର ମଙ୍ଗ ଧରି ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି । ସମସ୍ତଙ୍କ ଆଶା ଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେ’ ୨୬ କଟକ ଗସ୍ତ ସମୟରେ କିଛି ଅନୁକୂଳ ଘୋଷଣା ହେବ ଏବଂ ମୋଦୀ କଟକ ବାସୀଙ୍କ ମାଧ୍ୟରେ ଏକ ସକାରାତ୍ମକ ବାର୍ତା ଦେଇ ଫେରିବେ । କିନ୍ତୁ, ସେଭଳି କିଛି ହେଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ରାଜ୍ୟ ନେତାଙ୍କ ଭଳି ବର୍ଷା ଋତୁରେ ମହାନଦୀରେ ଆସୁଥିବା ବନ୍ୟା ଜଳର ଶତକଡା ୫୦ରୁ ଭାଗରୁ ଅଧିକ ବଙ୍ଗୋପ ସାଗରକୁ ବହି ଯାଉଥିବା ଦୋହରାଇ ରାଜ୍ୟ ସରକାରଙ୍କ ୧୮ ବର୍ଷର ଶାସନକୁ ସମାଲୋଚନା କରିଥିଲେ । ରାଜ୍ୟରେ ପ୍ରବାହିତ ଅନ୍ୟ ନଦୀ ଗୁଡିକର ଜଳ ବ୍ୟବହାର ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇ ଥିଲେ । ୨୦ ବର୍ଷ ଧରି ନିର୍ମାଣାଧୀନ ଥିବା ଏକ ସେଚ ପ୍ରକଳ୍ପ ପ୍ରତି ଆଂଗୁଳି ଉଠାଇ ତାହା ସଂପୂର୍ଣ୍ଣ ହୋଇ ପାରୁନି କାହିଁକି ବୋଲି ପ୍ରଶ୍ନ କରି ସେ ନବୀନ ସରକାରଙ୍କୁ ଅପଦସ୍ତ କରବାକୁ ପଛାଇ ନ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଥିଲେ ରାଜନୀତିରୁ ଉର୍ଧର୍କୁ ଉଠି ମହାନଦୀ ଜଳ ବିବାଦର ସମାଧାନ ସଂପର୍କରେ କିଛି ଠୋସ୍ ସୂତ୍ର ଦେଇଥା’ନ୍ତେ ଓ ରାଜ୍ୟବାସୀଙ୍କ ମନ କିଣି ଥା’ନ୍ତେ । ତାହା ନ କରିବା ପଛରେ କି ରହସ୍ୟ ରହିଛି ଜଣାପଡୁନି ।
ବିଜେଡ଼ିର ଜନ ଆନ୍ଦୋଳନ : ବର୍ଷା ଋତୁରେ ମହାନଦୀରେ ଆସୁଥିବା ବନ୍ୟା ଜଳରୁ ଅଧାରୁ ଅଧିକ ସମୁଦ୍ରକୁ ଚାଲି ଯାଉଥିବା ବେଳେ ରାଜ୍ୟ ସରକାର ତାହାକୁ ରୋକିବା ସକାଶେ ୧୮ ବର୍ଷ ମଧ୍ୟରେ କିଛି କରି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଭଳି ଆକ୍ଷେପ କରିବାର ପ୍ରାସଙ୍ଗିକତା ରହିଛି । କାରଣ, ମୁଖ୍ୟମନ୍ତ୍ରୀ ପଟ୍ଟନାୟ ୨୦୦୦ ମସିହାରେ ‘ପିନେ କେ ଲିଏ ପାନି, କ୍ଷେତ କେ ଲିଏ ପାନି’ ନିର୍ବାଚନ ଇସ୍ତାହାର ରଖି କ୍ଷମତାକୁ ଆସିଥିଲେ । ପରବର୍ତୀ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସ୍ଲୋଗାନ ଥିଲା, ରାଜ୍ୟର ପ୍ରତ୍ୟେକ ବ୍ଲକର ଅନ୍ତତଃ ୩୫ ପ୍ରତିଶତ ଚାଷ ଜମିକୁ ସେଚ ସୁବିଧା ଯୋଗାଇ ଦେବା । ମୁଖ୍ୟମନ୍ତ୍ରୀ ନିଜେ ଜଳ ସଂପଦ ବିଭାଗର ତଦାରଖ କରୁଥିବା ବେଳେସରକାର ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହୋଇ ପାରିଛି, ତା’ର ସଠିକ ତଥ୍ୟ ମିଳୁନି । ତୃତୀୟ ପର୍ଯ୍ୟାୟ ଶାସନ କାଳରେ ସରକାର ‘ପାଣି ପଂଚାୟତ’ ଗଠନ କରି ତାହାର ପରିଚାଳନା ଦାୟିତ୍ୱ ଚାଷୀଙ୍କ ଉପରେ ନ୍ୟସ୍ତ କରିଥିଲେ । ବର୍ତର୍ମାନ ପରିପ୍ରକ୍ଷୀରେ ‘ପାଣି ପଂଚାୟତ’ର ସ୍ଥିତି କଣ ତାହା ମଧ୍ୟ ଅସ୍ପଷ୍ଟ । ପଡୋଶୀ ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ଛୋଟ, ବଡ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶା ଚାଷୀଙ୍କ ଶ୍ୱାସରୁଦ୍ଧ କରିବା ପର୍ଯ୍ୟନ୍ତ ବିଜେଡ଼ି ସରକାରଙ୍କ ନିଦ ଭାଂଗି ନଥିଲା । ଚାଷୀ ଅଣନିଶ୍ୱାସୀ ହେବା ପରେ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ମହାନଦୀ ବଂଚାଅ ଆନ୍ଦୋଳନ ଯୋର୍ ଧରିଲା । ୨୦୧୯ ସାଧାରଣ ନିର୍ବାଚନରେ ଏହା ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ନିର୍ବାଚନ ପରେ ସରକାରଙ୍କ ଏହି ଯୋଶ୍ ରହିବ କି ନାହିଁ, ସେ ନେଇ ରାଜ୍ୟବସୀଙ୍କ ସନେ୍ଦହରେ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମେ’ ୨୫ ତାରିଖ ପାରାଦୀପ ଜନସଭାରେ କହିଛନ୍ତି, ବିଜେଡ଼ିର ମହାନଦୀ ଆନ୍ଦୋଳନ ଆଉ ରାଜନୀତି ହୋଇ ରହି ନାହିଁ, ଜନ ଆନ୍ଦୋଳନରେ ପରିଣତ ହେଲାଣି । ତେବେ, ଏହି ଆନ୍ଦୋଳନ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ମାନଙ୍କରେ ସୀମିତ ଅଛି ଏବଂ ସେହି ଅଂଚଳର ଜନସାଧାରଣ ଶାସକ ଦଳର ରାଲିରେ ସାମିଲ ହେବା ସହ ମହିଳାମାନେ ହୁଳହୁଳି ଦେଇ ସରକାରୀ ଦଳର ନେତାଙ୍କୁ ସ୍ୱାଗତ କରୁଛନ୍ତି । ଏହା ବିଜେଡ଼ିର ଆନ୍ଦୋଳନ କୁହାଯାଇପାର । ଜନ ଆନେ୍ଦାଳନ ନୁହେଁ । ଆମ ବିଚାରରେ ଯେଉଁ ଆନ୍ଦୋଳନରେ ରାଜ୍ୟବାସୀଙ୍କ ସ୍ୱତଃପ୍ରବୃତ୍ତ ଯୋଗଦାନ ରହିବ ତାହାକୁ ‘ଜନ ଆନ୍ଦୋଳନ’ କୁହାଯିବ । ମହାନଦୀକୁ ନେଇ ଓଡ଼ିଶାରେ ସର୍ବଦଳୀୟ ବୈଠକ ହୋଇ ମିଳିତ ଆନ୍ଦୋଳନର ନିଷ୍ପତ୍ତି ନିଆ ଯାଇଥିବା ବେଳେ ବିଜେଡି ଓ କଂଗ୍ରେସ ନିଜ ନିଜ ବାଟରେ ଜନ ସମର୍ଥନ ଜୁଟାଇ ମହାନଦୀକୁ ନେଇ ରାଜନୀତି କରୁଛନ୍ତି । ବିଜେପିର ଓଡ଼ିଶା ଶାଖା କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ପଦାଙ୍କ ଅନୁସରଣ କରି ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ବିବାଦ ସମାଧାନ ସପକ୍ଷରେ ମତ ଦେଉଛି । ତେଣୁ, ମହାନଦୀକୁ ନେଇ ଓଡ଼ିଶାବାସୀ ବିଚଳିତ ହେବା ସ୍ୱାଭାବିକ । ସରକାର ଦଳ, ମତ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି କରି ଓ ରାଜ୍ୟର ସବୁ ଅଂଚଳର ଜନସାଧାରଣଙ୍କୁ ସାମିଲ କରି ଏକ ଆନ୍ଦୋଳନ ଗଢି ତୋଳିଲେ ତାହା ଜନ ଆନ୍ଦୋଳନର ବାସ୍ତବ ରୂପ ହୋଇ ପାରିବ । ନ ହେଲେ ସବୁ କିଛି ରାଜନୀତିରେ ହିଁ ସୀମିତ ରହି ଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS