ରମଣ ସିଂହଙ୍କ ଧମକକୁ ଟ୍ରିବ୍ୟୁନାଲର ଚଡ଼କ !
ଭୁବନେଶ୍ୱର, ମେ’୩୧ (ପ୍ରସାଦ ରାଓ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେ’ ୨୬ ତାରିଖ କଟକ ଜନସଭା ପରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବଂଟନ ବିବାଦ ଏବେ ଏକ ଜାତୀୟ ପ୍ରସଙ୍ଗରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ୨୬ ତାରିଖ ଅପରାହ୍ନରେ ମହାନଦୀ ପଠା କିଲ୍ଲା ପଡିଆ ଠାରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ମହାନଦୀ ଜଳ ବିବାଦ ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ କରିବା ସହ ରାଜ୍ୟ ସରକାର ୧୮ ବର୍ଷ ହେଲା ଶାସନରେ ଥିବା ବେଳେ ସମୁଦ୍ରକୁ ବହି ଯାଉଥିବା ୫୦ ଭାଗରୁ ଅଧିକ ପରିମାଣର ବନ୍ୟା ଜଳକୁ ସଂରକ୍ଷିତ ରଖିବା ଦିଗରେ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଠିକ୍ ଏହାର ୪୮ ଘଂଟା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଓଡ଼ିଶାକୁ ନାଲି ଆଖି ଦେଖାଇ ମହାନଦୀ ଉପର ମୁଣ୍ଡରେ ଚାଲି ଥିବା ଛୋଟ, ବଡ ବ୍ୟାରେଜ ଓ ପ୍ରକଳ୍ପଗୁଡିକର ନିର୍ମାଣକୁ କେହି ରୋକି ପାରିବ ନାହିଁ କହି ନିଆଁରେ ଘିଅ ଢାଳି ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସିଂହଙ୍କ ଏଭଳି ଆଭିମୁଖ୍ୟ ଓଡ଼ିଶା ସରକାରଙ୍କୁ କ୍ଷୁବ୍ଧ କରିଛି । ଏଥି ସହ ରାଜ୍ୟର ମହାନଦୀ ଅବବାହିକା ଅଂଚଳରେ ଯୋର୍ ଧରି ଥିବା ‘ମହାନଦୀ ବଂଚାଅ’ ଆନେ୍ଦାଳନକୁ ମଧ୍ୟ ଅଧିକ ତେଜାଇଛି । ରମଣ ସିଂହଙ୍କ ନାଲି ଆଖିର ପ୍ରତିବାଦ କରି ୩୦ ତାରିଖ ଦିନ ଶାସକ ବିଜେଡ଼ି ପକ୍ଷରୁ ଏଠାରେ ସିଂହଙ୍କ କୁଶପୁତ୍ତଳିକା ଦାହ କରାଯାଇ ଥିବା ସମୟରେ ମହାନଦୀ ଜଳ ବଂଟନ ବିବାଦର ସମାଧାନ ପାଇଁ ସୁପ୍ରିମ କୋର୍ଟଙ୍କ ଚାପରେ ଗତ ମାର୍ଚ୍ଚ ୧୨ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ମହାନଦୀ ଜଳ ବଂଟନ ବିବାଦ ଟ୍ରିବ୍ୟୁନାଲ ହଠାତ୍ ସକ୍ରିୟ ହୋଇଛି ଏବଂ ମହାନଦୀ ଅବବାହିକାରେ ଥିବା ଓଡ଼ିଶା ସମେତ ପାଂଚଟି ରାଜ୍ୟକୁ ନୋଟିସ ଜାରି କରି ଏହି ନଦୀ ଜଳ ବିବାଦର ବିଚାର କାର୍ଯ୍ୟରେ ପ୍ରତିନିଧିତ୍ୱ କରିବା ସକାଶେ ସଂପୃକ୍ତ ରାଜ୍ୟମାନେ ଅଗଷ୍ଟ ୬ ତାରିଖ ସୁଦ୍ଧା ସେମାନଙ୍କ ମନୋନୀତ ପ୍ରତିନିଧିଙ୍କ ନାମ ଟ୍ରିବ୍ୟୁନାଲ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛି । କୌଣସି ଯଦି ରାଜ୍ୟ ନିର୍ଧାରିତ ସମୟ ସୀମା ମଧ୍ୟରେ ନିଜର ମନୋନୀତ ପ୍ରତିନିଧିଙ୍କ ନାମ ଦାଖଲ ନ କରନ୍ତି ତେବେ ଟ୍ରିବ୍ୟୁନାଲ ସଂପୃକ୍ତ ରାଜ୍ୟର ବିନା ପ୍ରତିନିଧିତ୍ୱରେ ବିଚାରଣା କାର୍ଯ୍ୟ ଆଗେଇ ନେବ ବୋଲି ମଧ୍ୟ ଚେତାଇ ଦେଇଛି । ଟ୍ରିବ୍ୟୁନାଲର ଏହି ପଦକ୍ଷେପ ବା ଚଡ଼କ ରମଣ ସିଂହଙ୍କୁ ଠିକ୍ ରାସ୍ତାକୁ ଆଣିବାରେ ସହାୟକ ହେବ ବୋଲି ରାଜ୍ୟବାସୀ ଆଶା କରୁଛନ୍ତି ।
ସରକାରୀ ଭାବେ ମିଳିଥିବା ସୂଚନା ଅନୁଯାୟୀ, ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ରୁଲ୍ସ, ୧୯୫୯ର ରୁଲ୍-୪ ଅନୁସାରେ ମହାନଦୀ ଜଳ ବଂଟନ ବିବାଦ ସମାଧାନ ଟ୍ରିବ୍ୟୁନାଲ ଏହି ନୋଟିସ ଜାରି କରିଛନ୍ତି । ନୋଟିସ ପାଇଥିବା ପାଂଚଟି ରାଜ୍ୟ ହେଉଛନ୍ତି – ଓଡ଼ିଶା, ଛତିଶଗଡ଼, ମଧ୍ୟ ପ୍ରଦେଶ, ଝାଡଖଣ୍ଡ ଓ ମହାରାଷ୍ଟ୍ର । ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ, ୧୯୫୬ର ସେକ୍ସନ୍ ୩ ଅନୁସାରେ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲ ଗଠନ କରିବା ସହ ଗତ ଏପ୍ରିଲ ୧୭ ତାରିଖରେ ଟ୍ରିବ୍ୟୁନାଲର ଟର୍ମସ୍ ଅଫ୍ ରେପରେନ୍ସ (ଟିଓଆର) ଏହାର ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ଏ.ଏମ. ଖାନୱିଲକରଙ୍କୁ ହସ୍ତାନ୍ତର କରିଛନ୍ତି । ତିନି ଜଣିଆ ଟ୍ରିବ୍ୟୁନାଲରେ ନିଯୁକ୍ତି ପାଇଥିବା ଅନ୍ୟ ଦୁଇ ସଦସ୍ୟ ହେଉଛନ୍ତି -ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ରବି ରଂଜନ ଓ ଦିଲ୍ଲୀ ହାଇକୋର୍ଟ ବିଜାରପତି ଜଷ୍ଟସ୍ ଇନ୍ଦରମିତ କଉର କୋଚ୍ଚର । ଓଡ଼ିଶା ସରକାର ଟ୍ରିବ୍ୟୁନାଲଙ୍କ ଦ୍ୱାରା ପ୍ରେରିତ ନୋଟିସ ପାଇବା ପରେ ନିଜ ପ୍ରତିନିଧି ମନୋନୀତ କରି ଟ୍ରିବ୍ୟୁନାଲକୁ ଜଣାଇ ଦେବେ ବୋଲି ରାଜ୍ୟ ଜଳ ସଂପଦ ବିକାଶ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଟ୍ରିବ୍ୟୁନାଲରେ ଉପସ୍ଥାପନ ପାଇଁ ନଥିପତ୍ର ପ୍ରସ୍ତୁତି ଚାଲିଥିବା ଜଣାପଡିଛି । ଇତି ମଧ୍ୟରେ, ଶାସକ ବିଜେଡ଼ି ପକ୍ଷରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟକୁ ଓଡ଼ିଶା-ବିରୋଧୀ ବୋଲି ଆକ୍ଷେପ କରାଯାଇ ଏଠାରେ ତାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ବିଜେପି ସରକାର ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟର ଶାସକ ବିଜେଡ଼ି ନିଜ ଆଭିମୁଖ୍ୟକୁ କଡାକଡା କରିଥିବା ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଜଳ ବିବାଦର ସମାଧାନ ଉଦ୍ୟମ କରିବା ପରିବର୍ତେ ବିଜେପି ଶାସିତ ଛତିଶଗଡ଼କୁ ସୁହାଇଲା ଭଳି ମନ୍ତବ୍ୟ ଦେଉ ଥିବା କ୍ଷୋଭର ବିଷୟ ବୋଲି ଶାସକ ବିଜେଡ଼ିର ଜଣେ ମୁଖପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି । ଆନ୍ତଃ ରାଜ୍ୟ ନଦୀ ଜଳ କୌଣସି ନିର୍ଦ୍ଧିଷ୍ଟ ରାଜ୍ୟର ସଂପତ୍ତି ନୁହଁ, ତାହା ରାଷ୍ଟ୍ରର ସଂପଦ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମହାନଦୀ ଜଳକୁ ନିଜ ରାଜ୍ୟର ସଂପତ୍ତି କହି ଆଇନ ଓ ସୁପ୍ରିମ କୋର୍ଟଙ୍କ ଅବମାନନା କରିଛନ୍ତି ବୋଲି ସେ କହିଛନ୍ତି । ଟ୍ରିବ୍ୟୁନାଲର ୩୦ ତାରିଖ ନୋଟିସକୁ ଯଦି ସକାରାତ୍ମକ ଭାବେ ବିଚାର କରାଯାଏ ତେବେ ବିଜେପି ଉପରକୁ ନାଲି ଆଖି ଦେଖାଇଲେ ବି ଭିତରେ ଦବିବା ଆରମ୍ଭ କଲାଣି ବୋଲି ଅନୁମାନ କରିବା ଭୁଲ ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS