ଏଲପିଜି ଦର ବଢିଲା, ନିମ୍ନ ଓ ମଧ୍ୟବିତ୍ତ ପରିବାରର ହାଣ୍ଡିଶାଳରେ ଚଡ଼କ
ଭୁବନେଶ୍ୱର, ଜୁନ ୦୨ (ମୋଅନୁଭବ ମିଡ଼ିଆ): ପେଟ୍ରୋଲ ଓ ଡ଼ିଜେଲର ଆକାଶ ଛୁଆଁ ଦରବୃଦ୍ଧିକୁ ନେଇ କେନ୍ଦ୍ର ବିଜେପି ସରକାର ତୀବ୍ର ସମାଲୋଚନାର ଶରବ୍ୟ ଥିବା ବେଳେ ଜୁନ ୧ ତାରିଖରୁ ଜାଳେଣୀ ଗ୍ୟାସର ଦରବୃଦ୍ଧି ଗରୀବ ଓ ମଧ୍ୟବିତ୍ତ ପରିବାରର ହାଣ୍ଡିଶାଳରେ ଚଡ଼କ ପକାଇଛି । ୧ ତାରିଖରୁ ସରକାର ସବିସିଡ଼ିରେ ମିଳୁଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡର (୧୪.୨ କେଜି) ଦର ୨ ଟଙ୍କାରୁ ଅଧିକ ବଢାଇ ଥିବା ବେଳେ ସବିସିଡ଼ି- ରହିତ ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ୪୮ରୁ ୫୦ଟଙ୍କା ପର୍ଯ୍ୟନ୍ତ ବଢାଇଛନ୍ତି । ଏହି ବର୍ଦ୍ଧିତ ଦର ଶୁକ୍ରବାର ଠାରୁ ଲାଗୁ ହୋଇ ଯାଇଥିବା ତୈଳ କଂପାନୀମାନେ ସୂଚନା ଦେଇଛନ୍ତି । ଏଲପିଜିର ଦରବୃଦ୍ଧିକୁ ନେଇ ଘରେ ଘରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ ଓ ବିଜେଡ଼ିର ମହିଳା ସଂଗଠନମାନେ ଏହାକୁ ଅସ୍ତ୍ର କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେଣି । ମୋଦୀ ସରକାରଙ୍କ ଏହା ‘ଅଚ୍ଛେ ଦିନ୍’ର ଉଦାହରଣ କରି ସାମାଜିକ ଗଣମାଧ୍ୟମରେ ମଧ୍ୟ ଯୋରଦାର ସମାଲୋଚନା ଆରମ୍ଭ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ଏନଡ଼ିଏ ସରକାରକୁ ଟାର୍ଗେଟ୍ କରିବା ସକାଶେ ବିରୋଧୀଙ୍କୁ ଆଉ ଏକ ଅସ୍ତ୍ର ମିଳି ଯାଇଛି ।
କେନ୍ଦ୍ର ସରକାର ବର୍ତମାନ ପ୍ରତିଟି ପରିବାରକୁ ବର୍ଷକୁ ୧୨ଟି ସବସିଡ଼ିଯୁକ୍ତ ଏଲପିଜି ସିଲିଣ୍ଡର ସୁଲଭ ମୂଲ୍ୟରେ ଯୋଗାଇ ଦେଉ ଥିବା ବେଳେ ତାହା ଠାରୁ ଅଧିକ ସିଲିଣ୍ଡର ଆବଶ୍ୟକତା ଥିଲେ ବଜାର ଦରରେ ସବସିଡ଼ି-ରହିତ ସିଲିଣ୍ଡର କିଣିବାକୁ ପଡୁଛି । ଜୁନ ୧ ତାରିଖରୁ ସବସିଡ଼ିଯୁକ୍ତ ସିଲିଣ୍ଡର ପିଛା ଦାମ୍ ୨ଟଙ୍କାରୁ ଅଧିକ ବଢି ଥିବା ବେଳେ ସବିସିଡ଼ି-ରହିତ ସିଲିଣ୍ଡର ପାଇଁ ୪୮ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଖର୍ଚ୍ଚ କରିବାକୁ ପଡିବ । ପେଟ୍ରୋଲ, ଡ଼ିଜେଲର ଦରବୃଦ୍ଧି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରି ଥିବା ବେଳେ ଏଲପିଜିର ଦରବୃଦ୍ଧି ହାଣ୍ଡିଶାଳକୁ ଅଶାନ୍ତ କରିଛି । ତେବେ, ଏଲପିଜି ଗ୍ରାହକମାନେ ସବିସିଡ଼ି-ଯୁକ୍ତ ଗ୍ୟାସ୍ ସିଲିଣ୍ଡର ନେଲା ବେଳେ ଯେଉଁ ଅଧିକ ଦାମ ଦେବେ ତାହା ବ୍ୟାଂକ ଆକାଉଂଟ ଜରିଆରେ ସବସିଡ଼ି ଅର୍ଥ ଫେରସ୍ତ ବେଳେ ବ୍ୟାଂକ୍ ଖାତାରେ ଫେରି ପାଇବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଏଠାରେ ଯୁକ୍ତି ଦର୍ଶାଇଛନ୍ତି । ଶାସକ ବିଜେଡ଼ି ଓ କଂଗ୍ରେସ ଅଯଥା ଏହାକୁ ରାଜନୈତିକ ପ୍ରସଙ୍ଗ କରି ଜନସାଧାରଣଙ୍କୁ ବିଭ୍ରାନ୍ତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
୨୦୧୮ ଜୁନ୍ ପହିଲାରୁ କେନ୍ଦ୍ର ସରକାର ଏଲପିଜିର ଦରବୃଦ୍ଧି ଘୋଷଣା କରିବା ପରେ ସବସିଡ଼ି-ରହିତ ଏଲପିଜି ସିଲିଣ୍ଡରର ଦାମ ଦିଲ୍ଲୀରେ ୬୯୮ଟଙ୍କା ୫୦ ପଇସାରେ ପହଂଚି ଥିବା ବେଳେ ତାହା କୋଲକାତାରେ ୭୨୩ ଟଙ୍କା ୫୦ ପଇସା, ମୁଂବାଇରେ ୬୭୧ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୭୧୨ ଟଙ୍କା ୫୦ ପଇସାରେ ପହଂଚିଛି । ଭାରତୀୟ ତୈଳ ନିଗମ ବା ଇଣ୍ଡିଆନ ଅଏଲ କର୍ପୋରେସନ ସୂତ୍ରରୁ ଏହା ଜଣାପଡିଛି । ଆଇଓସି ‘ଇଣ୍ଡେନ୍’ ବ୍ରାଣ୍ଡ ଏଲପିଜି ବିକ୍ରି କରୁଛି । ୧୪.୨ କେଜିର ଘରୋଇ ଏଲପିଜି ସିଲିଣ୍ଡର ପାଇଁ ସବସିଡ଼ ବାଦେ ଏହି ଅର୍ଥ ଗ୍ରାହକଙ୍କୁ ଦେବାକୁ ପଡୁଛି ବୋଲି ଆଇଓସି କହିଛି । ଅପରପକ୍ଷରେ, ସବସିଡ଼ି-ଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର (୧୪.୨ କେଜି)ର ଦର ଦିଲ୍ଲୀରେ ୪୯୩ ଟଙ୍କା ୫୫ ପଇସା, କେଲକାତାରେ ୪୯୬ ଟଙ୍କା ୬୫ ପଇସା, ମୁଂବାଇରେ ୪୯୧ ଟଙ୍କା ୩୧ ପଇସା ଓ ଚେନ୍ନାଇରେ ୪୮୧ ଟଙ୍କା ୮୪ ପଇସା ରହିଛି । ସରକାରଙ୍କ ଦରବୃଦ୍ଧି ଘୋଷଣା ପରେ ସବିସିଡ଼ି-ଯୁକ୍ତ ଏଲପିଜି ସିଲିଣ୍ଡର ପିଛା ଦର ଗତ ମାସ ତୁଳନାରେ ଦିଲ୍ଲୀରେ ୨ ଟଙ୍କା ୩୪ ପଇସା ବଡି ଥିବା ବେଳେ କୋଲକାତାରେ ୨ ଟଙ୍କା ୪୨ପଇସା, ମୁଂବାଇରେ ୨ଟଙ୍କ ୩୭ ପଇସା ଏବଂ ଚେନ୍ନାଇରେ ୨ ଟଙ୍କା ୪୨ ପଇସା ବଢିଛି । ସେହିପରି ସବସିଡ଼ି -ରହିତ ଏଲପିଜିର ଦର ଦିଲ୍ଲୀରେ ସିଲିଣ୍ଡର ପିଛା ୪୮ ଟଙ୍କା ବଢି ଥିବା ବେଳେ କୋଲକାତାରେ ୪୯ ଟଙ୍କା ୫୦ ପଇସା, ମୁଂବାଇରେ ୪୮ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୪୯ ଟଙ୍କା ୫୦ ପଇସା ବଢିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS