ସୋରଡ ହତ୍ୟାକାଣ୍ଡ, କୃଷ୍ଣ ପରେ ହାଡୁ ଜେନା ଗିରଫ
ବେଲଗୁଣ୍ଠା, ଜୁନ୍ ୦୩ (ପ୍ରଦ୍ୟୁମ୍ନ ପାତ୍ର): ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ସୋରଡ ଗ୍ରାମ ନିକଟରେ ଗତ ୨୫ ତାରିଖ ଘଟି ଥିବା ସରୋଜ ପ୍ରଧାନ ହତ୍ୟାକାଣ୍ଡରେ ପୁଲିସକୁ ଆଉ ଏକ ସଫଳତା ମିଳିଛି । ଏହି ହତ୍ୟାକାଣ୍ଡର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉ ଥିବା ହାଡୁବନ୍ଧୁ ଜେନାକୁ ବୁଗୁଡା ଥାନା ପୁଲିସ ଗିରଫ କରି ତା’ ପାଖରୁ ଗୋଟିଏ ବନ୍ଧୁକ ଜବତ କରିଥିବା ଜଣାପଡିଛି । ପୂର୍ବରୁ କୃଷ୍ଣ ନାମକ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା ।
ଗତ ମେ’ ୨୫ ତାରିଖ ରାତି ପ୍ରାୟ ସାଢେ ସାତଟା ସମୟରେ ସୋରଡ ଗ୍ରାମରୁ କିଛି ଦୂରରେ ବାଇକ୍ ରେ ଆସିଥିବା କିଛି ଦୁର୍ବୁତ୍ତ ଏ. କରଡାବାଡ଼ି ପଂଚାୟତର ସରପଂଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜ ପ୍ରଧାନଙ୍କ ଉପରକୁ ପ୍ରଥମେ ହାତ ବୋମା ଫିଙ୍ଗିବା ପରେ ଦୁଇ ରାଉଣ୍ଡ ଗୁଳି ଚଳାଇ ଥିଲେ । ଗୋଟିଏ ଗୁଳି ସରୋଜର ପେଟରେ ପଶି ଯାଇ ଥିଲା । ସରୋଜକୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ଭଂଜନଗର ଓ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା କରାଯିବା ପରେ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗୁଳି ବାହାରି ନ ପାରିବାରୁ ଏବଂ ପେଟ ଭିତରେ ସଂକ୍ରମଣ ହେବାରୁ କଟକରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ଅଣା ଯାଇଥିଲା । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜର ମୃତ୍ୟୁ ଘଟିଛି । ପୂର୍ବ ଶତୃତାରୁ ଏହା ହତ୍ୟାକାଣ୍ଡ ଘଟି ଥିବା ପୁଲିସ କହିଛି । ସରୋଜ ଉପରେ ପୂର୍ବରୁ ମଧ୍ୟ ବହୁବାର ଆକ୍ରମଣ ହୋଇ ଥିଲା । ୨୫ ତାରିଖ ଗୁଳିକାଣ୍ଡରେ ଅନ୍ୟ କିଛି ବ୍ୟକ୍ତି ସଂପୃକ୍ତ ଥିବା ବେଳେ ସେମାନଙ୍କୁ ଗିରଫ କରିବା ସକାଶେ ପୁଲିସ ତନାଘନା ଚଳାଇଛି । ସରୋଜର ମଧ୍ୟ ଲମ୍ବା ଆପରାଧିକ ରେକର୍ଡ ଥିବା ଆଗରୁ ପୁଲିସ କହି ସାରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS