ପୂର୍ବୋତ୍ତର ନାଟ୍ୟ ସମାରୋହରେ ଉତ୍ତର-ପୂର୍ବ ରାଜ୍ୟର କଳା, ଐତିହ୍ୟ, ପଂରମ୍ପରା ଓ ପ୍ରାକୃତିକ ବିଭବର ଝଲକ
- ଶିବ ପ୍ରସାଦ ଦାସ-
‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ ପକ୍ଷରୁ ରାଉରକେଲାରେ ଆୟୋଜିତ ପଂଚ ଦିବସୀୟ ନାଟ୍ୟ ସମାରୋହରେ ପୂର୍ବାଂଚଳର ପାଂଚଟି ନାଟ୍ୟ ଦଳ ଯୋଗ ଦେଇଥିବା ବେଳେ ପ୍ରଥମ ଦିବସରେ ଆସାମ ନାଗାଁଓର ‘ଅରଚିଡ ଥିଏଟର’ ତରଫରୁ ହେମନ୍ତ କୁମାର ବୋରାଙ୍କ ରଚିତ ଓ ସାହି ଦୁଇ ହକ୍ ଙ୍କ ନିର୍ଦେଶିତ ଆସାମୀ ଓ ଇଂରେଜ ଭାଷାର ନାଟକ ‘ବବଲ୍ ଇନ ଦ ରିଭର’ ପରିବେଷିତ ହୋଇଥିଲା । ନାଟକରେ ବ୍ରହ୍ମପୁତ୍ର ନଦୀକୂଳରେ ଗଢ଼ି ଉଠି ଥିବା ଆସାମର ଜାତି, ଉପଜାତିର ସୃଷ୍ଟି, କ୍ରମବିବର୍ତନ ଓ ବିଲୟ ଧାରାକୁ ନାଟକ ମାଧ୍ୟମରେ ବେଶ୍ ସୁନ୍ଦର ଭାବେ ଚିତ୍ରଣ କରାଯାଇ ଥିବା ଦେଖିବାକୁ ମିଳି ଥିଲା । ନାଟକର ମଂଚ ସଜ୍ଜା ଓ ଚରିତ୍ରମାନଙ୍କ ରୂପସଜ୍ଜା ଅତ୍ୟନ୍ତ ଆକର୍ଷଣୀୟ ଥିଲା । ନାଟକ ‘ବବଲ୍ ଇନ ଦ ରିଭର’ରେ ବ୍ରହ୍ମପୁତ୍ର ନଦୀର ସ୍ଥାୟିତ୍ୱ ଓ ଆଦିମ ଯୁଗରୁ ଜାତିକୁ ନେଇ ଚାଲି ଥିବା ସଂଘର୍ଷ ଓ ବିଲୟକୁ ନାଟ୍ୟକାର ନାଟକ ମାଧ୍ୟମରେ ବେଶ୍ ଜୀବନ୍ତ କରି ପାରି ଥିଲେ ।
ଦ୍ୱିତୀୟ ଦିବସରେ ମଣିପୁରର ପ୍ରସିଦ୍ଧ ନାଟ୍ୟ ସଂସ୍ଥା ‘ପିପୁଲସ୍ ଆର୍ଟ ଆଂଡ ଡ୍ରାମାଟିକ ଆସୋସିଏସନ’ର କଳାକାର ଓ ଲାଇସରାମ ରାନ୍ଧୋନୀ ଦେବୀଙ୍କ ନିରେ୍ଦେଶିତ ମଣିପୁରୀ ନାଟକ ‘ଲୋକଥେଲ’ ପରବେଷିତ ହୋଇଥିଲା । ପାହାଡ ପର୍ବତ ଘେରା ମଣିପୁରରେ ଏବେ ବି ଜମିଦାରୀ ପ୍ରଥା ଓ ଶୋଷଣ ବଂଚି ରହିଛି । ନାଟ୍ୟକାର ଏହି ନାଟକରେ ତାହା ନିଖୁଣ ଭାବେ ଦର୍ଶାଇଛନ୍ତି । ନାଟକରେ ମଣିପୁରର ପହାଡ, ପର୍ବତ ଭରା ପ୍ରାକୃତିକ ସୁନ୍ଦରତାକୁ ନିଖୁଣ ଭାବେ ଉପସ୍ଥାପନ କରାଯାଇ ଥିଲା ।
ତୃତୀୟ ଦିବସରରେ ନଟ୍ୟକାର ଇମ୍ରାନ ହୁସେନଙ୍କ ରଚିତ ଓ ନାଟ୍ୟକାର ଜ୍ୟୋତି ନାରାୟଣ ନାଥଙ୍କ ନିର୍ଦେଶିତ ନାଟକ ‘ପୋଖିଲା’ ଆସାମର ପ୍ରସିଦ୍ଧ ନାଟ୍ୟ ସଂସ୍ଥା ‘ଅନୁଭବ’ର କଳାକାରଙ୍କ ଦ୍ୱାର ପରିବେଷିତ ହୋଇଥିଲା। ନାଟକରେ ‘ଟାଗୋର’ ନାମ୍ନୀ ଜଣେ ନାବାଳିକା ମାଲିକ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛି, କିନ୍ତୁ ତାହା ଯେ ଯୌନାଚାର ସେକଥାକୁ ସେ ବୁଝି ନାହିଁ । ପରବର୍ତର୍ୀ ସମୟରେ ତାହା ‘ଟାଗୋର’ର ମାଲିକାଣୀଙ୍କ ଦୃଷ୍ଟିକୁ ଆସିଛି ଏବଂ ସେ ତାକୁ ଘରୁୁ ବାହାର କରି ଦେଇଛନ୍ତି । ସେ ଯେତେବେଳେ ଶୈଶବରୁ ନାରୀତ୍ୱକୁ ସ୍ପର୍ଶ କରିଛି ତାକୁ ପ୍ରଥା ଅନୁଯାୟୀ ଏକ ନିଛାଟିଆ ଘରେ ୭ ଦିନ ଲାଗି ଛାଡି ଦିଆଯାଇଛି । ପଡୋଶୀ ମହିଳାମାନେ ଆସି ତାକୁ ପୁଅଙ୍କ ସହ ନ ମିଶିବା, ସୁର୍ଯ୍ୟ କିରଣକୁ ନ ବାହାରିବା, କାହାକୁ ନ ଛୁଇଁବା ଭଳି ବିଭିନ୍ନ ରୀତିନୀତି ସହ ପରିଚିତ କରାଇଛନ୍ତି । ଏହା ଭିତରେ ସେ ଶୈଶବରୁ କୈଶୋରେ ପାଦ ଦେବା ସହ ନରୀତ୍ୱର ଗୋପନ ରହସ୍ୟକୁ ଜାଣିପାରିଛି । ନାଟକ ମାଧ୍ୟମରେ ନାଟ୍ୟକାର ଚମକ୍ରାର ଭାବେ ଭାରତୀୟ ସମାଜରେ ଶୈଶବରୁ ନାରୀତ୍ୱକୁ ଯାତ୍ରାରେ କିପରି ଝିଅଟିଏ କଠୋର ପ୍ରଥା ଓ ପରମ୍ପରାର ସାମନା କରୁଛି, ତାହାକୁ ଅତି ଚମକ୍ରାର ଭାବେ ବର୍ଣ୍ଣନା କରିଛନ୍ତି ।
ଚତୁର୍ଥ ଦିବସରେ ବୁଦ୍ଧ ଚିଙ୍ଗଥାମଙ୍କ ରଚିତ ଓ ନାଓରେମ ଉତ୍ତମକୁମାରଙ୍କ ନିର୍ଦେଶିତ ‘ମଣପୁରୀ’ ଭାଷାର ନାଟକ ‘ଲାମ୍ପି’ ମଣିପୁରୀ ନାଟ୍ୟ ସଂସ୍ଥା ‘ଲିବରେଟି ଥିଏଟର’ ଦ୍ୱାରା ପରିବେଷିତ ହୋଇଯାଇଛି । ଏହି ନାଟକରେ ଜାତିଗତ ସଂଘର୍ଷରେ ଲାମ୍ପି ବାଲ୍ୟକାଳରୁ ତାର ବାପା ଓ ମାଙ୍କୁୁ ହରାଇ ଗ୍ରାମବାସୀଙ୍କ ଦ୍ୱାରା ଲାଳନପାଳନ ହୋଇଛି ଏବଂ ଗ୍ରାମବାସୀ ତାକୁ ତାଙ୍କ ଗ୍ରାମ ଦେବତାଙ୍କ ସହ ବିବାହ କରାଇବା ସହ ଗ୍ରାମର ଜଗୁଆଳ ଭାବେ ନିଯୁକ୍ତି ଦେଇଛନ୍ତି । ଲାମ୍ପି ରାତ୍ର ପ୍ରହରରେ ପହରା ଦେଉଥିବା ବେଳେ ସେହି ଗ୍ରାମ ଅଭିମୁଖେ ଜଣେ ଯୋଦ୍ଧା ଆସି ଗ୍ରାମରେ ପ୍ରବେଶ କରିବାକୁ ଚେଷ୍ଟା କରିଛି ଓ ଲାମ୍ପି ତାଙ୍କୁ ସେଠରେ ଅଟକାଇବାକୁ ଉଦ୍ୟମ କରିଛନ୍ତି । ରାତ୍ରୀର ଏହି ଅନ୍ଧକାର ଭିତରେ ସେମାନେ ନିଜର ଭାବ ବିନିମୟ ଭିତରେ ପରସ୍ପରକୁ ଭଲ ପାଇ ବସିଛନ୍ତି ଓ ଯୋଦ୍ଧା ଜଣଙ୍କ ଲାମ୍ପିକୁ ବିବାହ ପ୍ରସ୍ତାବ ଦେଇଛନ୍ତି । କିନ୍ତୁ, ଗ୍ରାମ ଦେବତାଙ୍କ ସହ ପୂର୍ବରୁ ତା’ର ବିବାହ ସଂପନ୍ନ ହୋଇଥିବା ଯୋଗୁଁ ଦ୍ୱିତୀୟ ବିବାହ ସମ୍ଭବ ନ ଥିଲା । ଏପରି ଭାବେ ନାଟକ ‘ଲାମ୍ପି’ ଗତିଶୀଳ ହୋଇଥିଲା । ମଣିପୁରୀ ଲୋକ କଥାକୁ ନେଇ ନାଟକଟି ବେଶ୍ ସମୃଦ୍ଧ ହେବା ସହ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।
ପଂଚମ ଦିବସରେ ବେଦାଙ୍ଗ ୱାଲିଙ୍ଗଙ୍କ ନର୍ଦେଶିତ ନାଗାଲ୍ୟାଣ୍ଡର ବହୁଚର୍ଚ୍ଚିତ ଲୋକ କଥା ଓ ପ୍ରେମ କାହାଣୀ ‘ଜିନା ଓ ଇତିବେନ’ ନାଗାଲ୍ୟାଣ୍ଡ୍ ‘ହିଲ୍ ଥିଏଟର ଗୃପ୍’ର କଳାକାରମାନଙ୍କ ଦ୍ୱାରା ନାଗା ଭାଷାରେ ପରିବେଷିତ ହୋଇ ଥିଲା । ସେକ୍ସପିଅରଙ୍କ ନାଟକ ରୋମିଓ ଜୁଲିଏଟ ସହ ଏହି ନାଟକର ଅନେକ ସାମଂଜସ୍ୟ ଥିବା ବେଳେ ଏହା ନାଗାଲାଂଡର ପ୍ରାଚୀନ ଲୋକ କଥା ଭାବେ ପ୍ରଚଳିତ ହୋଇ ଆସୁଛି । ନାଟକ ‘ଜିନା ଓ ଇତିବେନ’ର ନୈସର୍ଗିକ ପ୍ରେମ କାହାଣୀ ଭିତରେ ନାଟ୍ୟ ଅନୁଷ୍ଠାନ ‘ହିଲ୍ ଥିଏଟର’ ମଂଚ ସଜ୍ଜା ସାଙ୍ଗକୁ ନାଟକରେ ପାହାଡି ରାଜ୍ୟର ଅନୁପମ ଦୃଶ୍ୟ, ପରଂମ୍ପରା, ଲୋକ ନୃତ୍ୟ, ସଙ୍ଗୀତ, ସାମାଜିକ ଓ ଆର୍ଥିକ ଜୀବନ ଶୈଳୀର ଅନୁପମ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରି ଥିଲେ ।
ବାସ୍ତବରେ ଏହି ସମାରେହରେ ପରିବେଷିତ ସମସ୍ତ ପାଂଚଟି ନାଟକରେ ପୂର୍ବାଂଚଳର ପାକୃତିକ ବୈଭବ, ଲୋକ କଥା, ଲୋକ ନୃତ୍ୟ, ସଙ୍ଗୀତକୁ ଯେଭଳି ଭାବେ ଉପସ୍ଥାପନ କରାଯାଇଥିଲା ତାହା ନିଶ୍ଚିତ ପକ୍ଷେ ସ୍ୱତନ୍ତ୍ର ଓ ସ୍ମରଣୀୟ । ସେହିପରି, ପ୍ରତିଟି ଦିବସରେ ରାଉରକେଲାର ବିଭିନ୍ନ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ନିଆରା ଥିଲା । ରାଉରକେଲା ଷ୍ଟିଲ୍ ପ୍ଳାଂଟ ଓ ରାଉରକେଲାବାସୀଙ୍କ ଆକୁଣ୍ଠ ସହଯେତ୍ରୁ ପୂର୍ବୋତ୍ତର ନାଟ୍ୟ ସମାରୋହ ଚିର ସ୍ମରଣୀୟ ରହିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS