ଆଉ ଏକ ବିଚାର ବିଭାଗୀୟ ତଦନ୍ତର ଭେଳିକି !
ପୁରୀ, ଜୁନ୍ ୦୪ (ପ୍ରସାଦ ରାଓ): ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜି ଯିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ସୋମବାର) ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହାର ତଦନ୍ତ କରି ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛନ୍ତି । ବିଚାର ବିଭାଗୀୟ ତଦନ୍ତ କମିସନ କେମିତି ଓ କେଉଁ ପରିସ୍ଥିତିରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଚାବି ହଜିଲା ତାହା ତଦନ୍ତ କରିବେ ଏବଂ ବିଚାର ବିଭାଗୀୟ ତଦନ୍ତ ପରେ ବାସ୍ତବ ସତ୍ୟ ପଦାକୁ ଆସିଲେ ତାହାକୁ ଭିତ୍ତି କରି ପରବର୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ଭୁବନେଶ୍ୱର ଠାରେ ସୂଚନା ଦେଇଛନ୍ତି ।
ସରକାରଙ୍କ ଏହି ଘୋଷଣା ପରେ ରାଜ୍ୟ ରାଜନୀତି ଯୋର୍ ଧରିଛି । ଏଭଳି କମିସନ ନିଯୁକ୍ତି ନବୀନ ସରକାରଙ୍କ ଏକ ଭେଳିକି । ରତ୍ନ ଭଣ୍ଡାର ଚାବି ହଜିଲା ଭଳି ଏକ ସାଂଘାତିକ ଘଟଣାକୁ ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷକୁ ଏଡାଇବା ସକାଶେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ଦେଲେ ବୋଲି ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ଗତ ୧୮ ବର୍ଷର ଭିତରେ ବିଭିନ୍ନ କମିସନ ବସାଇଛନ୍ତି ସିନା ତାହାର କୌଣସି ନିର୍ଣ୍ଣାୟକ ଫଳ ମିଳି ନାହିଁ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ସେହିଭଳି ହେବ । ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ସରକାରଙ୍କ ଏହି ଘୋଷଣାର ତୀବ୍ର ସମାଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ଏପ୍ରିଲ ୪ ତାରିଖରୁ ଏହାର ସୁରାକ ପାଇଥିଲେ ସୁଦ୍ଧା କାହିଁକି ନୀରବ ଥିଲେ ବୋଲି ରାଜ୍ୟ ବିଜେପି ମୁଖପାତ୍ର ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ଜନ ଅସନ୍ତୋଷକୁ ଏଡାଇବା ପାଇଁ ସରକାରଙ୍କ ଏହା ଏକ ଚାଲ୍ ବୋଲି ସେ କହିଛନ୍ତି । ମହାନ୍ତି କହିଛନ୍ତି ଯେ, ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ଏକ ଗୁରୁତର ଆପରାଧିକ ମାମଲା । ଯେଉଁମାନେ ଏହି ଚାବି ଦାୟିତ୍ୱରେ ଥିଲେ ସେମାନଙ୍କୁ ପ୍ରଥମେ ଜେଲକୁ ପଠାଯିବା କଥା । ସରକାର ତାହା ନ କରି ବିଚାର ବିଭାଗୀୟ ତଦନ୍ତ ନାଁରେ ସମୟ ଗଡାଉଛନ୍ତି । ପୁରୀ ଶ୍ରୀମନ୍ଦିରର ଜଣେ ବରିଷ୍ଠ ସେବାୟତ ମଧ୍ୟ ଏକା ଭଳି ମତ ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ମିଳୁ ନଥିବା ଘଟଣାର ବିଚାର ବିଭାଗୀୟ ତଦନ୍ତରୁ କିଛି ସୁଫଳ ମିଳିବାର ଆଶା ନାହିଁ । ସରକାର ପ୍ରଥମେ ଚାବି ଦାୟିତ୍ୱରେ ଯେଉଁମାନେ ଥିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ।
ଗତ ମାର୍ଚ୍ଚ ମାସରେ ଏକ ବିଶେଷଜ୍ଞ ଦଳ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଭିତର ଅବସ୍ଥା ତଦାରଖ କରିବା ସକାଶେ ଭଣ୍ଡାର ଭିତରେ ପ୍ରବେଶ କରି ଥିଲେ ସିନା ଚାବି ନ ମିଳିବାରୁ ମୁଖ୍ୟ ଭଣ୍ଡାର ଭିତରକୁ ଯାଇ ନ ପାରି ବାହାରୁ ବାହାରୁ ତଦାରଖ ସାରି ଫେରି ଆସି ଥିଲେ । ବାହାରକୁ ସବୁ କିଛି ସ୍ପଷ୍ଟ ଦିଶୁ ଥିବାରୁ ଭିତରକୁ ଯିବାର ଆବଶ୍ୟକତା ପଡିଲା ନାହିଁ ବୋଲି ପ୍ରଥମେ ଶ୍ରୀମନ୍ଦିର ପ୍ରଶାସକ ସାମ୍ବାଦିକମାନଙ୍କୁ କହି ଏଭଳି ଏକ ଗୁରୁତର ବିଷୟକୁ ଏଡାଇ ଯାଇଥିଲେ । ତେବେ, ପରବର୍ତୀ ସମୟରେ ଏପ୍ରିଲ ୪ ତାରିଖ ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ପୁରୀ ଗଜପତି ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ଗୁମର ପଦାକୁ ଆସିଥିଲା । ରତ୍ନ ଭଣ୍ଡାର ଭିତରକୁ ଯାଇ ମୁଖ୍ୟ ଭଣ୍ଡାର ତଦାରଖ କରି ନ ପାରି ଫେରିଥିବା ବିଶେଷଜ୍ଞ ଦଳ ଓ ପ୍ରଶାସନିକ ଅଧିକାରୀ ମାନେ ଆଲୋଚନା ବେଳେ ମୁଖ୍ୟ ଭଣ୍ଡାରର ଚାବି ମିଳୁ ନ ଥିବା କଥା ପଦାରେ ପକାଇ ଥିଲେ । ଗୁମର ଫିଟିବା ପରେ ପୁରୀ ଗଜପତି ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଏହାକୁ ନେଇ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଓ ତୁମ୍ବିତୋଫାନ ଚାଲି ଥିଲା । ୧୯୭୦ପର ଠାରୁ ଜିଲ୍ଲା ଟ୍ରେଜେରୀ ଦ୍ୱାରା ପରିଚାଳିତ ରେକର୍ଡ ଗୁଡ଼ିକରେ ଏହି ଚାବି ସଂପର୍କରେ କିଛି ଉଲ୍ଲେଖ ନାହିଁ ବୋଲି ସ୍ୱୟଂ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି । କେବଳ ରତ୍ନ ଭଣ୍ଡାରର ଚାବି ହଜିଛି ନା ତା’ ଭିତରେ ଥିବା ଠାକୁରଙ୍କ ବହୁ ମୂଲ୍ୟର ଅଳଂକାର ମଧ୍ୟ ଗାଏବ ହୋଇଯାଇଛି, ସେହି ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତି ପ୍ରକଂପିତ ହେଉଥିବା ବେଳେ ଗତ ୩ ତାରିଖ ଶ୍ରୀଜଗନ୍ନାଥ ସେନା ଓ ସଚେତନ ନାଗରିକ ମଂଚ ପକ୍ଷରୁ ପୁରୀରେ ଜିଲ୍ଲା ପ୍ରଶାସନ ଓ ଆଇନ ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୁରୀ ଜିଳ୍ଲା ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ସିଂହଦ୍ୱାର ଥାନାରେ ଏତାଲା ଦିଆଯାଇ ଚାବି ଦାୟିତ୍ୱରେ ରହି ଆସି ଥିବା ଅଧିକାରୀମାନଙ୍କୁ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କେତେକ ମହଲରେ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ଗିରଫ କରାଯିବା ଦାବି ସରକାରଙ୍କୁ ଅଡୁଆରେ ପକାଇଛି । ଏହାକୁ ନେଇ ରାଜନୀତି ଯୋର୍ ଧରୁ ଥିବା ଦେଖି ମୁଖ୍ୟମନ୍ତ୍ରୀ ଆଜି ବିଚାର ବିଭାଗୀୟ ତଦନ୍ତ ଘୋଷଣା କରିଥିବା ଅନୁମାନ କରାଯାଉଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS