ଘର ସଜାଡିବା ପାଇଁ ନିରଂଜନ ଆପଣାଇଲେ ‘ଜଣେ ନେତା, ଗୋଟିଏ ପଦବୀ’ ନୀତି
ଭୁବନେଶ୍ୱର (ମୋ ଅନୁଭବ): ଓଡ଼ିଶାରେ ବିପର୍ଯ୍ୟସ୍ତ କଂଗ୍ରେସ ସଂଗଠନକୁ ସଜାଡିବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଆପଣାଇଛନ୍ତି ‘ଜଣେ ନେତା, ଗୋଟିଏ ପଦବୀ’ ନୀତି । ୨୦୧୯ ସାଧାରଣ ନିର୍ବାଚନରେ ଯେଉଁମାନେ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବାକୁ ଚାହୁଁଛନ୍ତି ସେମାନେ ଦଳୀୟ ପଦପଦବୀରେ ରହି ପାରିବେ ନାହିଁ । ଯେଉଁମାନେ ଦଳୀୟ ପଦପଦବୀରେ ରହିବେ ସେମାନେ ନିର୍ବାଚନ ଲଢିବାର ଆଶା ନ ରଖି ସଂପୂର୍ଣ୍ଣ ଭାବେ ଦଳୀୟ ସଂଗଠନକୁ ମଜଭୂତ କରିବାରେ ନିଜକୁ ନିୟୋଜିତ କରିବେ । ଏହା ହେଉଛି ‘ଜଣେ ନେତା, ଗୋଟିଏ ପଦବୀ’ ନୀତି । ଏହି ନୀତିର ପ୍ରଥମ ଶିକାର ହୋଇଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା । ଦଳର ଅନ୍ୟ ନେତାମାନେ ମଧ୍ୟ ବେହେରାଙ୍କ ପଦାଙ୍କ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ଏଆଇସିସି ପକ୍ଷରୁ ଓଡ଼ିଶା କଂଗ୍ରେସ ଦାୟିତ୍ୱରେ ଥିବା ପ୍ରଭାରୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ସାଧାରଣ ନିର୍ବାଚନରେ ଜିତିବାର ଯଥେଷ୍ଟ ସମ୍ଭାବନା ଥିବା କଂଗ୍ରେସ ନେତାମାନେ ବିଭିନ୍ନ ଦଳୀୟ ପଦପଦବୀ ଛାଡି ସଂପୂର୍ଣ୍ଣ ଭାବେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ସୁଦୃଢ କରିବାରେ ନିୟୋଜିତ ହେବା ଏବଂ ଯେଉଁମାନଙ୍କ ନିର୍ବାଚନ ଜିତିବା ଆଶା କ୍ଷୀଣ ସେମାନେ ସମସ୍ତେ ସାଂଗଠନିକ ପଦପଦବୀରେ ରହି ଦଳ ପାଇଁ କାର୍ଯ୍ୟ କରିବା ପିସିସି ଚାହୁଁଛି । ପିସିସି ସଭାପତି ପଟ୍ଟନାୟକଙ୍କ ଏହି କୌଶଳକୁ ଓଡ଼ିଶା କଂଗ୍ରେସର ଅଧିକାଂଶ ବରିଷ୍ଠ ନେତା ସମର୍ଥନ ଜଣାଇଛନ୍ତି । ଜଣେ ବ୍ୟକ୍ତ ଅଧିକ ଦିନ ଧରି ଗୋଟିଏ ପଦବୀରେ ରହିଲେ ଅନ୍ୟ ଦକ୍ଷ ବ୍ୟକ୍ତିମାନେ ସେହି ସୁଯୋଗରୁ ବଂଚିତ ହେଉଛନ୍ତି । ତେଣୁ, ସମସ୍ତେ ଉନ୍ନତି କରିବା, ଆଗକୁ ଯିବା ଓ ଅନ୍ୟମାନଙ୍କ ପାଇଁ ବାଟ ଛାଡିବା ନିତାନ୍ତ ଆବଶ୍ୟକ ବୋଲି ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂହ ବୁଝାଇ ଦେଇଛନ୍ତି । ପିସିସି ସଭାପତି ପଟ୍ଟନାୟକ ମଧ୍ୟ ଦଳର ବିଧାୟକମାନେ ଆଗାମୀ ନିର୍ବାଚନରେ ପୁନର୍ବାର ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହାସଲ କରିବା ସକାଶେ ସଂଗଠନ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
ରାଜ୍ୟରେ ଶାସକ ବିଜେଡ଼ି ଓ ବିଜେପି ପକ୍ଷରୁ ଚାଲି ଥିବା ‘ମିଶ୍ରଣ ପର୍ବ’ କଂଗ୍ରେସକୁ ମଧ୍ୟ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଅଂଚଳର ବହୁ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡି ବିଜେଡ଼ି ବା ବିଜେପିରେ ଯାଇ ଯୋଗ ଦେଇଛନ୍ତି । ଦଳ ଛାଡି ପଳାଇ ଥିବା କଂଗ୍ରେସ ନେତାମାନେ ପୁନର୍ବାର ଦଳକୁ ପ୍ରତ୍ୟାବର୍ତନ କରିବାକୁ ପିସିସି ସଭାପତି ପଟ୍ଟନାୟକ ପୂର୍ବରୁ ନିବେଦନ କରିଥିଲେ । ଏହି ପ୍ରକ୍ରିୟା ଆରମ୍ଭ କରିବା ସକାଶେ ବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏଠାରେ ଏକ ‘ମହା ମିଳନ ଉତ୍ସବ’ ଆୟୋଜନ କରାଯାଇ ଘର ବାହୁଡା କରିଥିବା କିଛି ପୂର୍ବତନ କଂଗ୍ରେସ ନେତାଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରାଥମିକ ସ୍ତରରେ କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସକୁ ପଳାଇ ଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପୂର୍ବତନ ଏମପି କାର୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ, ସରସ୍ୱତୀ ହେମ୍ବ୍ରମ ପ୍ରମୁଖ ଦଳକୁ ଫେରିଛନ୍ତି । ନିକଟରେ ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ମଧ୍ୟ ଦଳକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲି ଥିବା ସୂଚନା ମିଳିଛି । ରାଜ୍ୟ ତୃଣମୂଳ କଂଗ୍ରେସ ସଂଗଠନକୁ କଂଗ୍ରେସରେ ବିଲିନ କରିଥିବା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ବୁଧବାର ଦିନ କଂଗ୍ରେସକୁ ଫେରିବା ପରେ ଉତ୍ସାହିତ ହୋଇ ମଂଚ ଉପରେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଦର୍ଶରେ ସେ ଅନୁପ୍ରାଣିତ । ନିରଂଜନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ସେ ଦଳକୁ ଫେରିଛନ୍ତି । ‘ମହା ମିଳନ ଉତ୍ସବ’ରେ ଜ୍ଞାନେନ୍ଦ୍ରଙ୍କ ଏହି ଉତ୍ସାହ ରାଜ୍ୟ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କୁ ତାଜୁବ କରିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS