କେବଳ ଭାରତୀୟ ଗଣତନ୍ତ୍ରରେ ହିଁ ଏହା ସମ୍ଭବ
ନୂଆଦିଲ୍ଲୀ, ଜୁନ୍ ୧୭ (ପ୍ରସାଦ ରାଓ): ଜଣେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ମାନେ ସଂଗଠିତ ଭାବେ ଅସହଯୋଗ ମନୋଭାବ ପ୍ରଦର୍ଶନ କରିବା, ଦେଶର ପ୍ରଧାନମନ୍ତ୍ରୀଙ୍କ ନାକ ତଳେ ଏଭଳି କାର୍ଯ୍ୟ ଚାଲି ଥିବା ବେଳେ ପ୍ରଧାନମନ୍ତ୍ରୀ ନୀରବଦ୍ରଷ୍ଟା ରହିବା, ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀ ମନ୍ତ୍ରୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ ପାଇଁ ନିଯୁକ୍ତ ପ୍ରଶାସନିକ ମୁଖ୍ୟଙ୍କ ବାସ ଭବନରେ ସପ୍ତାହେ ହେଲା ଧାରଣାରେ ବସିବା ଏବଂ ସଂପୃକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସି ଥିବା ଅନ୍ୟ ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ପ୍ରଶାସକ ଭେଟିବାର ସୁଯୋଗ ନ ଦେବା କେବଳ ଭାରତୀୟ ଗଣତନ୍ତ୍ରରେ ହିଁ ସମ୍ଭବ । ଏହା ପ୍ରମାଣିତ ହୋଇଛି ଦିଲ୍ଲୀ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ବାହୁଛାୟା ତଳେ ରହି ଥିବା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଚାଲି ଥିବା ଅହଂ ଯୁଦ୍ଧରୁ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରାଜ୍ୟରେ ଅବସ୍ଥାପିତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ଅସହଯୋଗର ପ୍ରତିବାଦ କରି ଗତ ସୋମବାର ଠାରୁ ଦିଲ୍ଲୀ ଏଲ୍.ଜି (ଲ୍ୟୁଟିନାଂଟ ଗଭର୍ଣ୍ଣର)ଙ୍କ ବାସ ଭବନରେ ଧାରଣାରେ ବସିଛନ୍ତି ସିନା କେନ୍ଦ୍ର ସରକାରଙ୍କ ଆଡୁ ସମସ୍ୟାର ସମାଧାନ ଉଦ୍ୟମ ହେଉ ନାହିଁ । ଶନିବାର ଷଷ୍ଠ ଦିବସରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି, ଆଇଏଏସ୍ ଅଫିସରମାନଙ୍କୁ ଅସହଯୋଗ ଆନେ୍ଦାଳନରୁ ନିବୃତ୍ତ କରିବାକୁ । ତେବେ, ଶନିବାର ବିଳମ୍ବ ରାତ୍ରୀ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆଡୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଆସି ରାଜଧାନୀ ଦିଲ୍ଲୀରେ ଶନିବାର ଦିନ ଉପସ୍ଥିତ ଥିବା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ, କେରଳ ମୁଖ୍ୟମନ୍ତ୍ରୀ ପିନରାୟା ବିଜୟନ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଭେଟିବା ସକାଶେ ଏଲ୍.ଜିଙ୍କୁ ଅନୁମତି ମାଗି ଥିଲେ । ତେବେ, ଏଲ୍.ଜି ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହି ଚାରି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀ ସୁନିତା କେଜରୀୱାଲଙ୍କୁ ଭେଟିବା ପରେ ଏଲ.ଜିଙ୍କ ବାସଭବନକୁ ଯିବାକୁ ଯୋଜନ କରିଥିଲେ । ତେବେ, ଅନୁମତି ନ ମିଳିବାରୁ ସେମାନେ ସୁନିତାଙ୍କୁ ଭେଟିବା ସହ ଏକ ମିଳିତ ବିବୃତି ଦେଇ ପ୍ରଧାନମନ୍ତ୍ରୀ ତୁରନ୍ତ ଦିଲ୍ଲୀ ରାଜ୍ୟ ମାମଲାରେ ହସ୍ତକ୍ଷେପ କରି ତାହାର ତୁରନ୍ତ ସମାଧାନ କରିବାକୁ ନିବେଦନ କରିଛନ୍ତି । ଏଭଳି ଘଟଣା ଭାରତୀୟ ରାଜନୈତିକ ଇତିହାସରେ ପୂର୍ବରୁ କେବେ ଘଟି ଥିବା ଅନ୍ତତଃ ମୁଁ ଜଣେ ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ, ଛଅ ଦିନ ହେଲା ଏଲ୍.ଜିଙ୍କ ବାସଭବନରେ ଧାରଣାରେ ବସି ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଭେଟିବା ସକାଶେ ଏହି ଚାରି ମୁଖ୍ୟମନ୍ତ୍ରୀ ଶନିବାର ସନ୍ଧ୍ୟା ୬ଟା ସମୟରେ ଏଲ୍.ଜିଙ୍କୁ ଚିଠି ଲେଖିି ଅନୁମତି ମାଗି ଥିଲେ । ରାତି ୯ଟା ସମୟରେ ସେମାନେ କେଜରୀୱାଲଙ୍କୁ ସିଧାସଳଖ ଭେଟି କଥା ହେବାକୁ ଚାହିଁ ଥିଲେ । ତେବେ, ସେମାନଙ୍କୁ ଅନୁମତି ମିଳି ନାହିଁ । ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସକାଶେ ଯଦି ଅନ୍ୟ ଚାରି ଜଣ ମୁଖ୍ୟମନ୍ତ୍ରୀଙ୍କୁ ଏଲ୍.ଜି ଅନୁମତି ଦେଉ ନାହାନ୍ତି, ଏହା କି ପ୍ରକାର ଗଣତନ୍ତ୍ର ? ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଏହି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଏହା ଦ୍ୱାରା ଏକ ଭୁଲ ବାର୍ତର୍ା ଜନସମାଜକୁ ଯାଉଛି । ଖୋଦ୍ ଦିଲ୍ଲୀରେ ଯଦି ଏଭଳି ଘଟୁଛି, ରାଜ୍ୟମାନଙ୍କରେ କଣ ଘଟୁ ନ ଥିବ (!), ସେ ପ୍ରଶ୍ନ କରିଛନ୍ତି । ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ନୀତି ଆୟୋଗ ବୈଠକ ହେବ । ସେମାନେ ଏହି ବୈଠକରେ ଯୋଗ ଦେବାକୁ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି । ରବିବାର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦିଲ୍ଲୀରେ ଉପୁଜି ଥିବା ଏହି ସଂକଟର ତୁରନ୍ତ ସମାଧାନ ପାଇଁ ସେମାନେ ଅନୁରୋଧ କରିବେ ବୋଲି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ସୂଚନା ଦେଇଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନରାୟା ବିଜୟନ ମଧ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କେନ୍ଦ୍ର ସରକାରଙ୍କ ମୁହଁଯୋର୍ ନୀତି ଯୋଗୁ ଦିଲ୍ଲୀରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି । ସଂଘୀୟ ବ୍ୟବସ୍ଥାକୁ ନିଜ ଇଚ୍ଛା ମୁତାବକ ପରିଚାଳନା କରିବାକୁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଦେଶ ପାଇଁ ବିପଦ ସୃଷ୍ଟି କରିଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଜୟନ୍ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ପଛରେ ସମଗ୍ର ଦେଶ ରହିଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଳୋଚନା କରିବାକୁ ପଛାଇ ନାହାନ୍ତି ।
ଗତ ଫେବୃୟାରୀ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବାସଭବନରେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଘଟଣାକୁ ଆଇଏଏସ ସଂଘ ଗଂଠି ପକାଇ ବସିଥିବା ବେଳେ କେନ୍ଦ୍ର ବିଜେପି ସରକାର ତାହାକୁ ହାୱା ଦେଇ ଚାଲିଛନ୍ତି । ଫଳରେ, ଚାରି ମାସ ହେଲା ରାଜ୍ୟରେ ଅଚଳାବସ୍ଥା ଲାଗି ରହିଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ବା ଅନ୍ୟ ମନ୍ତ୍ରୀମାନଙ୍କୁ ଅସହଯୋଗ କରି ସେମାନେ ଡାକୁ ଥିବା ବୈଠକରେ ଯୋଗ ଦେଉ ନ ଥିବାରୁ ଏହି କେନ୍ଦ୍ର ଶାସିତ ରାଜ୍ୟରେ ଉନ୍ନୟନ କାର୍ଯ୍ୟ ଠପ୍ ହୋଇ ଯାଇଛି । ଦିଲ୍ଲୀ କେନ୍ଦ୍ର ଶାସିତ ରାଜ୍ୟ ହୋଇ ଥିବାରୁ ନିର୍ବାଚିତ ସରକାର ଥିଲେ ବି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧି ଏଲ୍.ଜି (ଲ୍ୟୁଟିନାଂଟ ଗଭର୍ଣ୍ଣର)ଙ୍କ ଅନୁମୋଦନ ବିନା ରାଜ୍ୟ ସରକାର କୌଣସି କାର୍ଯ୍ୟ ହାତକୁ ନେବା ଆଇନସମ୍ମତ ନୁହେଁ । ତେଣୁ, ଆଇଏଏସ ଅଧିକାରୀଙ୍କ ଅସହଯୋଗ ରାଜ୍ୟ ସରକାରଙ୍କୁ ଏକପ୍ରକାର ଅଚଳ କରି ଦେଇଛି । ଆଇଏଏସ୍ ଅଧିକାରୀମାନଙ୍କୁ ଏଭଳି ଅସହଯୋଗରୁ ନିବୃତ୍ତ କରି ରାଜ୍ୟରେ ଚାରି ମାସ ହେଲା ଠପ୍ ରହି ଥିବା ବିକାଶ କାର୍ଯ୍ୟ ଆଗେଇ ନେବାରେ ସହଯୋଗ କରିବାକୁ ଏଲ୍.ଜିଙ୍କୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କେଜରୀୱାଲ ଛଅ ଦିନ ହେଲା ତାଙ୍କ ବାସଭବନରେ ଧାରଣାରେ ବସି ଥିଲେ ମଧ୍ୟ ଏଲ୍.ଜି ବୈଜଲ ସହଯୋଗ କରିବା ପରିବର୍ତେ ଧରାଛୁଆଁ ଦେଉ ନାହାନ୍ତି । ଫଳରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚ୍ଛନ୍ନ ସମର୍ଥନରେ ସରକାରୀ ବାବୁ ମାନଙ୍କ ଏଭଳି ଅସହଯୋଗ ଆନ୍ଦୋଳନ ଚାଲିଛି ବୋଲି କେଜରୀୱାଲ ଶନିବାର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିବାର ଯଥାର୍ଥତା ରହିଛି । କେଜରୀୱାଲଙ୍କ ସହ ରାଜ୍ୟର ଅନ୍ୟ ତିନି ଜଣ ମନ୍ତ୍ରୀ ମଧ୍ୟ ଏହି ଧାରଣାରେ ବସିଛନ୍ତି ।
ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସମସ୍ତ କାର୍ଯ୍ୟ କରିବାର ଆବଶ୍ୟକତା ଥିବା ବେଳେ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ କାମ କରିବାକୁ ଦିଆଯାଉ ନ ଥିବାରୁ ନିକଟରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏରୁ ନିଜକୁ ଅଲଗା କରି ଥିବା ତେଲୁଗୁ ଦେଶମ ଦଳର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କ୍ଷୋଭ ପ୍ରକାଶ କରିଛନ୍ତି । କଂଗ୍ରେସ ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ବିରୋଧ କରୁଥିବା ସତ୍ୱେ କର୍ଣ୍ଣାଟକରେ କଂଗ୍ରେସ ସହ ମେଂଟରେ ସରକାର ଗଠନ କରିଥିବା ଜେଡ଼ିଏସ୍ ନେତା ତଥା ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଦିଲ୍ଲୀ ଗସ୍ତ ଅବସରରେ କେଜରୀୱାଲଙ୍କ ସମର୍ଥନରେ ଠିଆ ହେବା ମଧ୍ୟ ଆଲୋଚନାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଏହି ଚାରି ମୁଖ୍ୟମନ୍ତ୍ରୀଙ୍କ ସହ ଆରଜେଡ଼ି ଓ ଅନ୍ୟ ବିଜେପି ବିରୋଧୀ ରାଜନୈତିକ ଦଳଙ୍କ ସମର୍ଥନରେ ନିଜର ଶକ୍ତି ବୃଦ୍ଧି କରିଛନ୍ତି । ସଂକଟ ସମୟରେ ଏହି ନେତାମାନ ତାଙ୍କ ପାଖରେ ପହଂଚି ଥିବାରୁ ସେ ବ୍ୟକ୍ତିଗତ ଭାବେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦେଶବ୍ୟାପୀ ବିଜେପି ବିରୋଧୀ ରାଜନୈତିକ ଦଳମାନେ ସଂଗଠିତ ହେଉଥିବା ବିଜେପିକୁ ବିବ୍ରତ କରିଛି । ତେଣୁ, ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ରୁଂଧି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ବିରୋଧୀ ଶକ୍ତିମାନଙ୍କୁ ପରୋକ୍ଷରେ ଚେତାବନୀ ଦେବାକୁ ଚାହିଁ ଥିବା ଅନୁମାନ କରାଯାଉଛି । ଏଭଳି ସ୍ଥିତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବତାକୁ ‘ସମଦୂରତା’ର ଲକ୍ଷ୍ୟଣ କୁହାଯିବ ନା ଗଣତନ୍ତ୍ରର କଂଠରୋଧ ପାଇଁ କେନ୍ଦ୍ର ବିଜେପି ସରକାରଙ୍କ କୌଶଳକୁ ପରୋକ୍ଷ ସମର୍ଥନ କୁହାଯିବ, ତାହା ଦଳର ନେତାମାନେ ହିଁ କହି ପାରିବେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS